ରାତି ବିତାଇବାକୁ ରିସେପସନିଷ୍ଟଙ୍କ ଉପରେ ପଡୁଥିଲା ଚାପ, ମାଟିରେ ମିଶିଲା ପାପ ସାମ୍ରାଜ୍ୟ

1 min read

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରୁ ଆସିଛି ଦୁଃଖଦ ଖବର  । ପବିତ୍ରଭୂମିକୁ ଥରାଇ ଦେଇଛି ଏମିତି ଏକ ଜଘନ୍ୟ ପାପ  । ରିସର୍ଟ- ରିସେପସନିଷ୍ଟ- ଆଉ ଅନ୍ଧକାର ରାତି । ସେଇ ଘନ ଅନ୍ଧାରରେ ଏମିତି କଣ ଘଟିଗଲା ଯେ ବନ୍ଧା ହୋଇଛନ୍ତି ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟ  । ସବୁଦିନ ପାଇଁ ରିସେପସନିଷ୍ଟ ଅଙ୍କିତାଙ୍କୁ ନୀରବ କରିଦେଇଛନ୍ତି ନର ରାକ୍ଷାସ  । ଆମେ କହୁଛୁ ଉତ୍ତରାଖଣ୍ଡ ପୌଡ଼ି ଗଢ଼ୱାଲ ଜିଲ୍ଲାର ଯମକେଶ୍ବର ଅଞ୍ଚଳର ଅଭାବନୀୟ ଘଟଣା ।

 

ଏକ ରିସୋର୍ଟରେ ରିସେପସନିଷ୍ଟ ଥିବା ୧୯ ବର୍ଷୀୟ ଅଙ୍କିତାଙ୍କୁ ନଦୀକୁ ଠେଲି ହତ୍ୟା କରାଯାଇଛି । ଗତ ୧୮ ତାରିଖରୁ ଅଙ୍କିତା ନିଖୋଜ ହୋଇଯାଇଥିଲେ । ପାହାଡ଼ ଉପରୁ ତାଙ୍କୁ କେନାଲକୁ ଠେଲି ଦେଇଥିଲେ ହତ୍ୟାକାରୀ । ଏଯାଏଁ ଉଦ୍ଧାରକାରୀ ଟିମ୍‌କୁ ମିଳୁନି ଅଙ୍କିତାଙ୍କ ମୃତଦେହ  ।

 

ସେପଟେ ଘଟଣା ଜଣାପଡିବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତରାଖଣ୍ଡ ସରକାର  । କୋଟିକୋଟି ମୂଲ୍ୟର ବିଶାଳ ରିସର୍ଟ ଉପରେ ଚଢିଛି ବୁଲଡୋଜର  । ମାଟିରେ ମିଶିଯାଇଛି ପୂର୍ବତନ ମନ୍ତ୍ରୀ ପୁଅଙ୍କ ବିଶାଳ କୋଠା  । ଘଟଣାରେ ରିସର୍ଟ ମାଲିକ ତଥା ପୂର୍ବତନ ମନ୍ତ୍ରୀଙ୍କ ପୁଅ ପୁଲକିତ ଆର୍ଯ୍ୟ, ଦୁଇ ମ୍ୟାନେଜର ସୌରଭ ଭାସ୍କର ଓ ପୁଲକିତ ଗୁପ୍ତାଙ୍କୁ ଗିରଫ କରାଯାଇଛି । ତଥାପି ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶ କମି ନଥିଲା  । ଅଭିଯୁକ୍ତଙ୍କୁ ଗିରଫ କରି ନିଆଯାଉ ଥିବାବେଳେ ପୋଲିସ ଜିପ୍‌କୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ  । ଜିପ୍‌ର କାଚ ଭାଙ୍ଗିଦେବା ସହ ଅଭିଯୁକ୍ତଙ୍କ ପୋଷାକ ଫାଡି ଦେଇଥିଲେ  । ଏହା ସହ ଗାଡି ଓଲଟାଇବାକୁ ଉଦ୍ୟମ କରିଥିଲେ ଉତ୍ତ୍ୟକ୍ତ ମହିଳା  ।

 

ଘଟଣା ପରେ ଚାଞ୍ଚଲ୍ୟକର ସତ ଓଗାଳିଛନ୍ତି ତିନି ଅଭିଯୁକ୍ତ  । ହତ୍ୟାକାଣ୍ଡ ଦିନ ରିସର୍ଟରୁ ବାହାରି କିଛି ଦୂର ଆସିବା ପରେ ଅଙ୍କିତାଙ୍କ ସହ ତିନି ଅଭିଯୁକ୍ତ ଫାଷ୍ଟପୁଡ ଖାଇବା ସହ ମଦ ପିଇଥିଲେ  । ନିଶାସକ୍ତ ଅବସ୍ଥାରେ ରିସର୍ଟର ରାଜ୍‌ ଖୋଲିଦେବାକୁ ଧମକ ଦେଇଥିଲେ ଅଙ୍କିତା  । ଗ୍ରାହକଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ମାଲିକ ପୁଲକିତ କାଳେ ତାଙ୍କ ଉପରେ ଚାପ ପକାଉଥିଲେ  । ଯାହାକୁ ନେଇ ପୁଲକିତ ଓ ଅଙ୍କିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  । ଉତକ୍ଷିପ୍ତ ହୋଇ ପୁଲକିତଙ୍କ ଫୋନ କେନାଲକୁ ଫୋପାଡି ଦେଇଥିଲେ ଅଙ୍କିତା  । ଦୁହିଁଙ୍କ ମଧ୍ୟରେ ମାରପିଟ୍‌ ବି ଆରମ୍ଭ ହୋଇଯାଇଥିଲା  । ଏହା ପରେ ପୁଲକିତ୍‌ ଓ ତାଙ୍କ ଦୁଇ ସାଥୀ ଅଙ୍କିତାଙ୍କୁ ମିଶି କେନାଲକୁ ଧକ୍କା ଦେଇଥିଲେ  ।

 

କିନ୍ତୁ ଗିରଫ ପରେ ପୁଲକିତ ପୋଲିସକୁ ମିଛ କହିଥିଲା । ଅଙ୍କିତା କିଛି ଦିନ ଧରି ମାନସିକ ଚାପରେ ରହୁଥିଲେ । ତେଣୁ ସେମାନେ ୧୮ ସେପ୍ଟେମ୍ୱରରେ ଅଙ୍କିତାକୁ ଋଷିକେଶ ବୁଲାଇ ନେଇଥିଲେ । ମଧ୍ୟ ରାତ୍ରିରେ ସେଠାରୁ ଫେରି ସମସ୍ତେ ରିସୋର୍ଟର ଅଲଗା ଅଲଗା ରୁମ୍‌ରେ ଶୋଇବାକୁ ଯାଇଥିଲେ । ହେଲେ ୧୯ ତାରିଖ ସକାଳୁ ସେମାନେ ଅଙ୍କିତା ରୁମ୍‌ରେ ନଥିବା ଦେଖିଥିବା ପୋଲିସ୍‌କୁ କହିଥିଲେ ପୁଲକିତ।