ୱାର୍କ ଫ୍ରମ ହୋମ୍ ବ୍ୟବସ୍ଥା ଲାଗୁ ପାଇଁ ପ୍ରଶାସନର ନିର୍ଦ୍ଦେଶ, ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ଷା ତାଣ୍ଡବ । ଉତ୍ତର ପ୍ରଦେଶ, ଦିଲ୍ଲୀ, ପଞ୍ଜାବ ସମେତ ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ହୋଇଛି ବିପର୍ଯ୍ୟସ୍ତ । ନୋଏଡା, ଗ୍ରେଟର ନୋଏ଼ଡା, ଆଲିଗଡ଼, ଫିରୋଜାବାଦ ଆଦି ଅଞ୍ଚଳରେ ବର୍ଷା ଜାରି ରହିଥିବାବେଳେ ଦିଲ୍ଲୀରେ ଅଧିକରୁ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ଆଶଙ୍କା କରି ଦିଲ୍ଲୀ ଟ୍ରାଫିକ ପୋଲିସ ଜାରି କରିଛି ଆଲର୍ଟ ।

ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଫଳରେ ପ୍ରବଳ ବର୍ଷାକୁ ନଜରରେ ରଖି ପ୍ରଶାସନ ବେସରକାରୀ ଅଫିସ ମାନଙ୍କୁ ୱାର୍କ ଫ୍ରମ ହୋମ୍‌ ବ୍ୟବସ୍ଥା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ।

ହନୁମାନ ସେତୁ, ଶାନ୍ତିବନ, ଲିବାସପୁର ଅଣ୍ଡରପାସ, ମହାରାଣୀବାଗ୍ ତୈମୁର ନଗର, ମେହରୁଲି, ବସନ୍ତକୁଞ୍ଜ, ସିଙ୍ଗୁ ସୀମାରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଅଫିସ ନ ଆସି ଘରେ କାର୍ଯ୍ୟ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି । ନୋଏଡା ଓ ଗ୍ରେଟର ନୋଏଡାରେ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି ।

ଦକ୍ଷିଣ ଦିଲ୍ଲୀ, ଦକ୍ଷିଣ ପୂର୍ବ ଦିଲ୍ଲୀ, ଏନସିଆର, ଗାଜିଆବାଦରେ ଯାନବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି । ଅନେକ ରାସ୍ତାରେ ପାଣି ଜମିବା ଯୋଗୁଁ ହଜାର ହଜାର ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି ।