ସେନାରେ ସାମିଲ ହେବେ ଏୟାରଲାଇନ୍ସ କର୍ମଚାରୀ, ୟୁକ୍ରେନରେ ହମ୍‌ଲା ପାଇଁ ବଡ ପ୍ରସ୍ତୁତି

କିଭ: ୟୁକ୍ରେନ ବିରୋଧରେ ପରମାଣୁ ଯୁଦ୍ଧର ଧମକ ଦେବା ପରେ ହମଲା ପାଇଁ ପ୍ରସ୍ତୁତ ହେଉଛି ଋଷ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୩ ଲକ୍ଷ ରିଜର୍ଭ ସୈନ୍ୟକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି  । ସାଧାରଣ ଲୋକଙ୍କୁ ମଧ୍ୟ ସେନାର ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୮ରୁ ୬୫ ବର୍ଷର ନାଗରିକଙ୍କ ଦେଶ ଛାଡ଼ିବା ଉପରେ ଋଷ ରୋକ ଲଗାଇଛି । ଏବେ ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ଏୟାରପୋର୍ଟ କର୍ମଚାରୀଙ୍କୁ ମଧ୍ୟ ସେନାରେ ସାମିଲ ହେବାକୁ ଋଷ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୫ଟି ଏୟାରଲାଇନ୍ସ ଓ ୧୦ଟି ଏୟାରପୋର୍ଟ କର୍ମଚାରୀଙ୍କୁ ମିଲିଟାରୀ ରେଜିଷ୍ଟ୍ରେସନ ଓ ଅଫିସରେ ରିପୋର୍ଟ କରିବାକୁ କୁହାଯାଇଛି । ଏହାର ଅର୍ଥ ସେମାନେ ମଧ୍ୟ ଯୁଦ୍ଧରେ ରୁଷ ସେନାର ସହାୟତା କରିବେ । ରାଷ୍ଟ୍ରପତି ପୁଟିନଙ୍କ ସୈନ୍ୟ ସଞ୍ଚାଳନ ନିର୍ଦ୍ଦେଶ ପରେ ଏପରି ଘଟଣା ଘଟିଛି ।

ଏହି ଘୋଷଣାର ଦିନକ ପରେ ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ସ ଏରୋଫ୍ଲଟ ଗ୍ରୁପ ସମେତ ୫ଟି ଏୟାରଲାଇନ୍ସକୁ ମୋବିଲାଇଜେସନ ନୋଟିସ ଯାଇଛି । ସେହିପରି ୧୦ରୁ ଅଧିକ ଏୟାରପୋର୍ଟ କର୍ମଚାରୀଙ୍କୁ ତୁରନ୍ତ ସେନାରେ କାମ କରିବାକୁ ସମନ କରାଯାଇଛି ।