spot_img
Home Blog Page 4062

ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

ପୁରୀ: ମାଟିତୋଟା ବାସେଳୀ ସାହି ଥାନା ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ । କର୍ମଚାରୀ ଜଣକ ହେଲେ ଗୃହରକ୍ଷୀ ଦୀପକ ମାଝି । ଦୀପକଙ୍କ ଉପରକୁ ଚାରି ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଦୀପକ ବାସେଳୀ ସାହି ଥାନାରେ ଏତଲା ଦେଇଛନ୍ତି । ବୁଧବାର ରାତିରେ ଦୀପକ ବାସେଳୀ ସାହି ଥାନା ପିସିଆର ଭ୍ୟାନରେ ଯାଉଥିବାବେଳେ ମାଟିତୋଟାଠାରେ ଚାରି ଜଣ ଅଜ୍ଞାତ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।

ଭୁଜାଲିରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଥିବାବେଳେ ସେ ସେଠାରୁ ଖସି ଚାଲି ଆସିଥିଲେ । ତାଙ୍କ ଆଖି ପତା ଫାଟି ଯାଇଛି । ବେକ ଓ କାନ୍ଧରେ ମଧ୍ୟ ଆଘାତ ଲାଗିଛି । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ସାରି ଘରକୁ ପଠାଇ ଦିଆଯାଇଛି । ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ନୂଆଁଖାଇରେ ଚାଷୀଙ୍କ ଖାତାକୁ ଆସିଲା କାଳିଆ ଟଙ୍କା

ଭୁବନେଶ୍ୱର:  ନୂଆଁଖାଇରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ  । କାଳିଆ ସହାୟତା ପ୍ରଦାନ କରି  ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।  ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ 869 କୋଟି ଟଙ୍କାର ସହାୟତା ଦିଆଗଲା । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨୦୦୦ ଟଙ୍କା ଗଲା ।

କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା। ଛୋଟ ଚାଷୀ ମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀ ମାନଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି । ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆମ ଚାଷୀ ଭାଇ ମାନଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା ।  ଏହି ସହାୟତା ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

ଚଳିତ ବନ୍ୟା ଯୋଗୁଁ ଚାଷୀ ମାନେ ଚିନ୍ତାରେ ଅଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ କହିବାକୁ ଚାହେଁ ସବୁ ସମୟରେ ଆପଣମାନଙ୍କ ସାଥିରେ ଅଛି। ଶୀଘ୍ର କ୍ଷୟକ୍ଷତିର ଆକଳନ  କରି ରିପୋର୍ଟ ଦେବାକୁ ମୁଁ ନିର୍ଦ୍ଦେଶ ଦେଇଛି । ଆପଣମାନଙ୍କୁ ଖୁବ ଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ। ଓଡିଶାର ଗୌରବକୁ ଆମର ଚାଷୀଭାଇ ମାନେ ଉଜ୍ଜଳ କରିଛନ୍ତି। ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ବୋଲି ନୂଆଁଖାଇରେ କହିଛନ୍ତି ନବୀନ ପଟ୍ଟନାୟକ  ।

ନୌସେନାରେ ସାମିଲ ହେବ INS ବିକ୍ରାନ୍ତ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଶୁକ୍ରବାର ଉଦଘାଟିତ ହେବ ଆଇଏନଏସ ବିକ୍ରାନ୍ତ । ସ୍ବଦେଶୀ କାରିଗରିରେ ନିର୍ମିତ ଦେଶର ସର୍ବବୃହତ ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ । କେରଳ କୋଚି ସିପୟାର୍ଡରୁ ବିକ୍ରାନ୍ତକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ନୌସେନାର ଓ୍ବାରସିପ ଡିଜାଇନ ବ୍ୟୁରୋ ଦ୍ବାରା ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ଉତ୍ସର୍ଗ ପରେ ଦେଶର ସାମୁଦ୍ରିକ ପ୍ରତିରକ୍ଷା କ୍ଷେତ୍ରରେ ଯୋଡ଼ାହେବ ନୂଆ ଇତିହାସ ।

ଭାରତୀୟ ମହାସାଗରରେ ରାଜ୍ କରିବା କ୍ଷେତ୍ରରେ ଆଇଏନଏସ ବିକ୍ରାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିବ । ୨୬୨ ମିଟର ଦୈର୍ଘ୍ୟ ଆଇଏନଏସ ବିକ୍ରାନ୍ତରେ ରହିବାକୁ ଥିବା ପ୍ରାୟ ୩୦ଟି ବିମାନ ଲାଗି ଭାରତ ନିକଟରେ ପ୍ରସ୍ତାବ ଦେଇଛନ୍ତି ଫ୍ରାନ୍ସର ଡାସଲଟ ଓ ବୋଇଂ । ଆଇଏନଏସ ବିକ୍ରାନ୍ତରେ ୧୭୦୦ରୁ ଅଧିକ ଯାତ୍ରୀ ବା ସୈନିକ ଯାଇପାରିବେ । ଏଥିରେ ୨୩୦୦ କମ୍ପାର୍ଟମେଣ୍ଟ ରହିଛି ।

ଆଇଏନଏସ ବିକ୍ରାନ୍ତ  ଏକାଥରକେ ୭ହଜାର ୫୦୦ ନଟିକାଲ ମାଇଲ ଗତିକରିପାରିବ । ଏଥିରେ ମିଗ-୨୯ ବିମାନ ରହିପାରିବ । ଏହାର ଉଚ୍ଚତା ୫୯ ମିଟର ହୋଇଥିବାବେଳେ ଫାଇଟର ଜେଟ ଓ ହେଲିକପ୍ଟର ପରିବହନ କରାଯାଇପାରିବ । ବିକ୍ରାନ୍ତର ୭୫ ପ୍ରତିଶତ କମ୍ପାର୍ଟମେଣ୍ଟ ସ୍ବଦେଶୀ କାରିଗରିରେ ନିର୍ମିତ । ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ପ୍ରକାର କବଚ ସାଜିବ ଆଇଏନଏସ ବିକ୍ରାନ୍ତ  । ତେଣୁ ଏଭଳି ବିଶାଳ ଜାହାଜର ଉଦଘାଟନ ଉତ୍ସବକୁ ଦେଖିବା ପାଇଁ ଉତ୍ସୁକତାର ସହ ଚାହିଁ ରହିଛନ୍ତି କେରଳବାସୀ  ।

ପଦ୍ମଶ୍ରୀ କମଳା ପୂଜାରୀଙ୍କ ରିଲ୍ସ ଭାଇରାଲ, ଅସୁସ୍ଥ ବେଳେ କାହିଁକି ନଚାଇଲେ ?

ନନ୍ଦିଘୋଷ ବ୍ୟୁରୋ: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଥିବା ବେଳେ ସମାଜସେବୀଙ୍କ ରିଲ୍ସକୁ ନେଇ ତେଜୁଛି ବିରୋଧ । କମଳା ପୂଜାରୀ କଟକ ବଡ଼ ମେଡିକାଲର ଆଇସିୟୁରେ ଥିବା ସମୟରେ ତାଙ୍କ ନିକଟରେ ଥିବା ମହିଳା ସମାଜସେବୀ ମମତା ବେହେରା ନିଜେ ନାଚିବା ସହିତ କମଳାଙ୍କୁ ନଚାଇଥିଲେ । ସେ ନାଚିବା ଅବସ୍ଥାରେ ନଥିଲେ, କିନ୍ତୁ ସମାଜସେବୀ ଜଣକ ତାଙ୍କ ଅଣ୍ଟାକୁ ଧରି ନାଚିବାକୁ ବାଧ୍ୟ କରିଥିବା କମଳା ପୂଜାରୀ କହିଛନ୍ତି । ଜୟପୁରର କମଳା ପୂଜାରୀଙ୍କ ସହିତ ଯାଇଥିବା ସ୍ବେଚ୍ଛାସେବୀ ରାଜୀବ ହିଆଲ କହିଛନ୍ତି ଯେ ମହିଳା ଜଣଙ୍କ ହଠାତ ଫୋନ କରି କମଳା ପୂଜାରୀ ରହିଥିବା ଆଇସିୟୁକୁ ଆସି ତାଙ୍କ ସେବା କରିବାକୁ କହି ତାଙ୍କ ସହିତ ରହିଥିଲେ ।

ବିଭିନ୍ନ ସମୟରେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ରାଜୀବ ହିଆଲ । ଅନ୍ୟପଟେ ଆଜି କୋରାପୁଟ ଜିଲ୍ଲାର ସମସ୍ତ ଆଦିବାସୀ ସଂଘର କର୍ମକର୍ତ୍ତା ଏକ ବୈଠକ କରି ଏହା ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏସସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଫୋନ୍ ଯୋଗେ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି । ଏ ସମ୍ପର୍କରେ ସେମାନଙ୍କ ନିକଟରେ ସୂଚନା ନଥିଲା । କମଳାଙ୍କ ଦେଖାଶୁଣା କରିବା ପାଇଁ ମହିଳା ଜଣକ ତାଙ୍କ ସହିତ ଥିଲେ । ତେବେ ସେ କେତେବେଳେ ଏପରି କରିଛନ୍ତି, କାହାକୁ ଜଣାନାହିଁ । ଗଣମାଧ୍ୟମରୁ ମେଡିକାଲ ପ୍ରଶାସନ ଏହା ଜାଣିବାକୁ ପାଇଛି । କେଉଁ ପରିସ୍ଥିତିରେ ଏହା ଘଟିଲା, ସେ ନେଇ ତଦନ୍ତ କରାଯିବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ।

ସେପଟେ ସମାଜସେବୀ ମମତା ବେହେରା ନନ୍ଦିଘୋଷ ଟିଭି ଆଗରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ମୁଁ  ଭୁଲ କରିନି । କମଳା ପୁଜାରୀ ସୁସ୍ଥ ହେବା ଖୁସିରେ ଆମେ ନାଚିଥିଲୁ । ଏହାକୁ କିଏ ମନ୍ଦ ଉର୍ଦ୍ଦେଶ୍ୟ ରଖି ଭାଇରାଲ କରିଥିବା କହିଛନ୍ତି ମମତା । ଅନ୍ୟପଟେ ମମତା କହିଛନ୍ତି କମଳା ପୂଜାରୀଙ୍କ ସହ ମୋର ସମ୍ପର୍କ ଆଜିର ନୁହେଁ  । ଦୀର୍ଘ ୪ ବର୍ଷ ହେବ କମଳା ମାଆଙ୍କ ସହ ମୋର ସମ୍ପର୍କ  । ବୟସରେ ୪୦ ବର୍ଷ ମୋ ଠାରୁ ବଡ଼ ହେଲେ ମଧ୍ୟ ୪ ବର୍ଷ୍ ହବ ଆମର ଘନିଷ୍ଠ ବନ୍ଧୁତା  । କେବଳ ସେ ସୁସ୍ଥ ହେବାରୁ ଖୁସିରେ ଭିଡ଼ିଓ ଟି କରିଥିବା କହିଛନ୍ତି ମମତା  ।

ଜିତିଲେ କେଜ୍ରିୱାଲ, ସପକ୍ଷରେ ପଡ଼ିଲା ୫୮ ଭୋଟ୍

ନୂଆଦିଲ୍ଲୀ: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ  । ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ କେଜ୍ରିଓ୍ବାଲଙ୍କ ସପକ୍ଷରେ ମିଳିଛି ୫୮ ଭୋଟ । ଆସ୍ଥା ଭୋଟରେ ବିଜୟୀ ହେବା ପରେ ବିଜେପି ବିରୋଧରେ ବର୍ଷିଛନ୍ତି କେଜ୍ରିଓ୍ବାଲ  । ଆମ ଆଦମୀ ବିଧାୟକଙ୍କୁ ବିଜେପି କିଣିବା ଉଦ୍ୟମ ବିଫଳ ହୋଇଛି । ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଆପର ୬୨ ବିଧାୟକ ଥିବାବେଳେ ବିଜେପିର ଅଛନ୍ତି ୮ ବିଧାୟକ । କେଜ୍ରିୱାଲ କହିଛନ୍ତି ମୋର ସମସ୍ତ ବିଧାୟକଙ୍କ ସମର୍ଥନ ରହିଛି  । ଦୁଇ ଜଣ ଆପ ବିଧାୟକ ଏବେ ବିଦେଶରେ ଅଛନ୍ତି  । ଜଣେ ଜେଲରେ ରହିଥିବା ବେଳେ ଜଣେ ଗୃହର ବାଚସ୍ପତି  ।

ସେପଟେ ଆସ୍ଥା ଭୋଟରେ ବିଜୟୀ ହେବାପରେ କେଜି୍ରିୱାଲ କହିଛନ୍ତି, ଦିଲ୍ଲୀରେ ଅପରେସନ ଲୋଟସ ବିଫଳ ହୋଇଛି । ବିଧାନସଭାରେ ଆସ୍ଥା ଭୋଟ ଲାଗି ଗତ ଅଗଷ୍ଟ ୨୯ ତାରିଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ କେଜ୍ରିଓ୍ବାଲ । ବିଜେପି ଅପରେସନ ଲୋଟସ ଚଳାଇଥିବାବେଳେ ଦିଲ୍ଲୀବାସୀଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରସ୍ତାବ ଆଗତ କରିଥିଲେ ନିଜେ କେଜ୍ରିୱାଲ  ।  ଗତ ସପ୍ତାହରେ କେଜ୍ରିଓ୍ବାଲ ଅଭିଯୋଗ କରିଥିଲେ- ଆପର ୪୦ ବିଧାୟକଙ୍କୁ କିଣିବା ଲାଗି ବିଜେପି ଉଦ୍ୟମ କରୁଛି ।

ଆପ ଅଭିଯୋଗ କରିଥିଲା  ଯେ, ବିଜେପି ଦିଲ୍ଲୀରେ ଆରମ୍ଭ କରିଛି ଘୋଡ଼ ବେପାର  । ଆପ୍ ବିଧାୟକ ମାନଙ୍କୁ କୋଟି କୋଟି ଟଙ୍କା ଦେଇ କିଣିବାକୁ ଆରମ୍ଭ କରିଥିଲା ଅପରେସନ  । ଏମିତିକି ଆମ ଆଦମୀ ପାର୍ଟିର  କିଛି ବିଧାୟକଙ୍କ ପାଖକୁ କଲ ଯାଇଥିବା ସହ ଟଙ୍କା ନେଇ ବିଜେପିକୁ ସମର୍ଥନ କରିବାକୁ କୁହାଯାଇଥିବା କେଜ୍ରିୱାଲ ଅଭିଯୋଗ କରିଥିଲେ  । ମନୀଷ ସିସୋଦିଆଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ବିଜେପି ଅଫର ଦେଇଥିବା ମଦ୍ୟ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଥିଲେ  ।

 

ପ୍ରେମ ପାଇଁ ପୁଣି ପ୍ରତିଶୋଧ, ଦୁମକା ପରେ ଦିଲ୍ଲୀରେ ବିଭତ୍ସ ଘଟଣା

ନୂଆଦିଲ୍ଲୀ: ଦୁମ୍‌କା ପରେ ଦିଲ୍ଲୀରେ ଏକତରଫା ପ୍ରେମ ଓ ପ୍ରତିଶୋଧ କାହାଣୀ। ଦିଲ୍ଲୀ ସଂଗମ ବିହାରରେ ସ୍କୁଲରୁ ଫେରୁଥିବା ବେଳେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼। ଏକତରଫା ପ୍ରେମକୁ ନେଇ ଅମାନତ ଅଲ୍ଲୀ ନାମକ ଯୁବକ ଗତ ୨୫ତାରିଖରେ ଛାତ୍ରୀଙ୍କ ପିଛା କରିଥିଲା। ଦୁଇ ସହଯୋଗୀଙ୍କ ସହ ଛାତ୍ରୀଙ୍କୁ ପିଛା କରିବା ପରେ ଗୁଳିମାଡ଼ କରିଥିଲା ଅମାନତ୍। ଛାତ୍ରୀଙ୍କ କାନ୍ଧରେ ଗୁଳି ବାଜିଥିଲା। ଏବେ ସେ ବିପଦମୁକ୍ତ ଥିବା ଜଣାପଡିଛି।

ଦୁଇ ବର୍ଷ ତଳେ ସୋସିଆଲ୍ ମିଡିଆରେ ଅମାନତ ସହ ଛାତ୍ରୀଙ୍କ ପରିଚୟ ହୋଇଥିଲା। ତେବେ ଛାତ୍ରୀ ଜଣକ ଅମାନତକୁ ସୋସିଆଲ୍ ମିଡିଆରେ ବ୍ଲକ କରିବା ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ଏଥିରେ ଭୀଷଣ ରାଗିବା ସହ ଛାତ୍ରୀଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରିଥିଲା ଅମାନତ। ପୋଲିସ ଅମାନତ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ।

ଦେଶ ପାଇଁ ବଡ଼ ଖବର, ସର୍ଭିକାଲ୍ କ୍ୟାନସର ରୋକିବ ସେରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଗୁଡ୍ ନ୍ୟୁଜ୍। ସର୍ଭିକାଲ୍ କ୍ୟାନସର ବା ଜରାୟୁ କର୍କଟ ପାଇଁ ଦେଶକୁ ମିଳିବ ପ୍ରଥମ ସ୍ବଦେଶୀ ଟିକା। ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଟିକା ଲଞ୍ଚ କରାଯାଉଛି। ଟିକା ପ୍ରସ୍ତୁତି ନେଇ ସେରମ ଇନଷ୍ଟିଚ୍ଯୁଟ ସିଇଓ ଆଦର ପୁନାଓ୍ୱାଲା ସୂଚନା ଦେଇଛନ୍ତି। ୨ଶହରୁ ୪ଶହ ଟଙ୍କା ମଧ୍ୟରେ ମିଳିବ ଜରାୟୁ କର୍କଟ ଟିକା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ସ୍ଥିର କରାଯିବ ବୋଲି ପୁନାଓ୍ୱାଲା କହିଛନ୍ତି।

ମିଳିଥିବା ସୂଚନା ମୁତାବକ ପ୍ରଥମେ ୯ରୁ ୧୪ବର୍ଷ ବୟସର କିଶୋରୀଙ୍କୁ ଟିକା ଦିଆଯିବ। ଜୁଲାଇ ୧୨ତାରିଖରେ ଟିକାକୁ ମାର୍କେଟ୍ ଅଥରାଇଜେସନ୍ ଦେଇଥିଲା ଡିସିଜିଆଇ। ଦେଶରେ ୧୫ରୁ ୪୪ ବର୍ଷ ବୟସ ମହିଳାଙ୍କୁ ମଧ୍ୟରେ ସର୍ଭିକାଲ କ୍ୟାନସର ଦ୍ବିତୀୟ ସର୍ବାଧିକ ସଂକ୍ରମିତ କରୁଛି । ତେଣୁ ଏପରି ଏକ ସମୟରେ ଟିକାର ଆବଶ୍ୟକତା ରହିଥିବାବେଳେ, ଟିକା ବଜାରକୁ ଆସିନଥିଲା  । ଏବେ ଏହି ଟିକା ଦେଶକୁ ମିଳିବାକୁ ଯାଉଛି  ।

 

ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ଯୁବକ ଅଟକ, ମୃତ୍ୟୁ ପୂର୍ବରୁ ୭ ଥର ଯାଇଥିଲା ଫୋନ୍

ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ନୂଆମୋଡ଼। ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ । ଖାରବେଳନଗର ଥାନାରେ ଭୁବନେଶ୍ୱର ଡିସିପିଙ୍କ ଛାନବିନ। ମୃତ ଶୁଭଶ୍ରୀଙ୍କ ସିଡିଆରରୁ ମିଳିଲା ବିସ୍ଫୋରକ ତଥ୍ୟ । ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ। ମୃତ୍ୟୁ ପୂର୍ବରୁ ସଂପୃକ୍ତ ଯୁବକଙ୍କୁ ଶୁଭଶ୍ରୀ କରିଥିଲେ ୭ କଲ୍ । ଘଟଣା ଦିନ ସଂଧ୍ୟା ସାଢେ ୬ଟାରୁ ୬ଟା ୪୯ ଭିତରେ ୭ ଥର କଲ କରିଥିଲେ ଶୁଭଶ୍ରୀ । ଶେଷଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହେଇଥିଲେ ଶୁଭଶ୍ରୀ । ୩୦୨ ଓ ୨୦୧ରେ ମାମଲା ରୁଜୁ କରିଛି ପୋଲିସ । ହତ୍ୟାକାଣ୍ଡ ପରେ, ପ୍ରମାଣ ନଷ୍ଟ କରିଥିବା ନେଇ ତଦନ୍ତ କରୁଛି ପୋଲିସ ।

ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟକ୍ତିଙ୍କୁ ଚିହ୍ନିଛନ୍ତି ଶୁଭଶ୍ରୀଙ୍କ ସ୍ୱାମୀ। ଆଗରୁ ଶୁଭଶ୍ରୀଙ୍କ ଘରକୁ ଯାତାୟତ କରୁଥିଲେ ଏହି ବ୍ୟକ୍ତି ଜଣକ। ସେହିପରି ଶୁଭଶ୍ରୀଙ୍କ ସିଡିଆରରୁ ମିଳିଛି ବିସ୍ଫୋରକ ତଥ୍ୟ। ସନ୍ଦେହ ଯୋଗୁଁ ଖାରବେଳନଗର ଥାନାରେ ପଚରା ଉଚରା ଚାଲିଛି । ଭୁବନେଶ୍ୱର ଡିସିପି, ଏସିପି ଓ ଆଇଆଇସି ମିଶି ଯୁବକଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚରା କରୁଛନ୍ତି।  ମୃତଦେହ ବ୍ୟବଛେଦ ପାଇଁ FMT ବା Fecal microbial transplantationର ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଛି ପୋଲିସ ।

ଅଜଗର ବୃଦ୍ଧଙ୍କୁ ଗିଳିବା ଚର୍ଚ୍ଚାର ଅବସାନ କେବେ? ଖବରକୁ ଅଗ୍ରାହ୍ୟ କରିଛନ୍ତି ବିଶେଷଜ୍ଞ

କଟକ: ବାଙ୍କୀ ଡମପଡ଼ା ଅଭୟାରଣ୍ୟରେ ଅଜଗର ବୃଦ୍ଧଙ୍କୁ ଗିଳିବା ଚର୍ଚ୍ଚାର ଅବସାନ କେବେ ? ସତରେ କ’ଣ ବୃଦ୍ଧଙ୍କୁ ଅଜଗର ଗିଳି ଦେଇଛି ? ଖବରକୁ ବିଶେଷଜ୍ଞ ଅଗ୍ରାହ୍ୟ କରିଛନ୍ତି । ସ୍ନେକ୍ ହେଲପଲାଇନ ସଦସ୍ୟ ଗ୍ରାଉଣ୍ଡ ଜିରୋରେ ସତ ପରଖିଛନ୍ତି । ବୃଦ୍ଧଙ୍କୁ ସାପ ଗିଳିଦେବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦିଓ ସାପ ମଣିଷକୁ ଗିଳିବା ବା ଧରିବା କେହି ଦେଖି ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ଏଇ ଖବରର ସତ୍ୟାସତ୍ୟ ପରୀକ୍ଷା ନକରି ଜୋରସୋରରେ ପ୍ରଚାର କରିଥିବା ସ୍ନେକ୍ ହେଲ୍ପଲାଇନ କହିଛି ।

ଭାଇରାଲ ଭିଡିଓରେ ଅଜଗର କିଛି ଗୋଟିଏ ବଡ଼ ଜନ୍ତୁ ଗିଳି ଦେଇ ଗଛ ମୂଳରେ ପଡିଥିବା ଦେଖାଯାଉଛି। ସେଇ ଭିଡିଓରେ ସାଧାରଣ ଜନତା ଉଭୟ ସପକ୍ଷରେ ଏବଂ ବିପକ୍ଷରେ ମତାମତ ଦେଉଛନ୍ତି। ଖବରଟିର ସତ୍ୟାସତ୍ୟ ପରୀକ୍ଷା ପାଇଁ ଆଜି ସ୍ନେକ ହେଲ୍ପ ଲାଇନର ପାଞ୍ଚ ଜଣିଆ ଟିମ୍‌ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ । ସୂଚନା ଅନୁସାରେ, ଗତ ୨୯ ତାରିଖରେ ବେଙ୍ଗପାଣି ଘାଟି ନିକଟ ମୁଖ୍ୟ ରାସ୍ତାରୁ ଏକ ମୋପେଡ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା । ପାଖରେ ପଡ଼ିଥିଲା ଲୁଗା ଓ ଚପଲ। କିନ୍ତୁ ପୋଲିସର ଛାନବିନ ପରେ କୌଣସି ବ୍ୟକ୍ତିଙ୍କ ପତ୍ତା ମିଳିନଥିଲା । ପରେ ଥୋରିଆ ପାଟଣା ଗାଁର ବୃଦ୍ଧ ନନ୍ଦ କିଶୋର ବେହେରା ନିଖୋଜ ଥିବା ଖବର ଆସିଥିଲା । ନନ୍ଦକିଶୋରଙ୍କୁ ଲୋକ ଖୋଜାଖୋଜି କରିବା ବେଳେ ଏକ ବଡ ଅଜଗର କିଛି ବଡ଼ଜନ୍ତୁ ଖାଇଥିବା ଦେଖବାକୁ ପାଇଥିଲେ । ସେଇଦିନଠାରୁ ଅଜଗରର ଭିଡିଓ ଭାଇରାଲ ହେବାରେ ଲାଗିଛି।

ସ୍ନେକ୍ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା କଥା, ବେଙ୍ଗପାଣି ଘାଟିରେ କିଛି ବଡ଼ ଜନ୍ତୁ ଅଜଗର ଗିଳିବା ପରେ ଘାଟିରୁ ଓହ୍ଲାଇ ପୁଣି ଦେଉଳିଆ ମୁଣ୍ଡିଆ ଚଢିବା ଅସମ୍ଭବ । ୧୦ରୁ ୧୨ ଫୁଟିଆ ଅଜଗର ହୁଏତ ଏକ ସାଢେ ୫ ଫୁଟରୁ ଅଧିକ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ମାରି ଦେବାରେ ସକ୍ଷମ ହେଇପାରେ, ମାତ୍ର ଗିଳି ପାରିବ ନାହିଁ । କେବଳ ଓଡ଼ିଶା ନୁହେଁ, ଭାରତ ବା ଅନ୍ୟ କେଉଁଠି ଭାରତୀୟ ଅଜଗର ମଣିଷକୁ ଗିଲିଥିବାର ନଜିର ନାହିଁ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।

ସେପ୍ଟେମ୍ବର ୬ରେ ନୂଆଦିଲ୍ଲୀରେ ସମ୍ମାନୀତ ହେବେ ମୁଖ୍ୟମନ୍ତ୍ରୀ, ବିଜେଡି କରୁଛି ବଡ଼ ପ୍ରସ୍ତୁତି

ନୂଆଦିଲ୍ଲୀ: ଜୀବନବ୍ୟାପୀ ସାଧନା ପୁରସ୍କାର ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବଡ଼ ପ୍ରସ୍ତୁତିରେ ଲାଗି ପଡ଼ିଛି ବିଜେଡି । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା ପରେ କ୍ୟାପିଟାଲ୍ ଫାଉଣ୍ଡେସନ୍ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯିବ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ନବୀନଙ୍କୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ସମ୍ମାନିତ କରିବେ । ଏ ନେଇ ସୂଚନା ଦେଇଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ, ଯୁବ ଛାତ୍ର ଓ ମହିଳା କର୍ମକର୍ତ୍ତା ସାମିଲ ହେବେ । ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବା ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।  ।

ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା ଜାରି ରହିଛି। ଗତ ଦୁଇ ଦଶନ୍ଧିରେ ଓଡ଼ିଶା ସବୁ କ୍ଷେତ୍ରରେ ଦ୍ରୁତ ବିକାଶ କରିଛି। ନବୀନଙ୍କ ସରଳତା, ଦରଦୀ ହୃଦୟ, ନିର୍ମଳ ଭାବମୂର୍ତ୍ତି ଲୋକଙ୍କ ହୃଦୟ ଜିତିଛି। ନବୀନଙ୍କ ଏହି ପ୍ରଶଂସନୀୟ ଓ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ତାଙ୍କୁ ମିଳିବ ଏହି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ।