ଋଷ ବିରୋଧରେ ଗର୍ଜିଲା ନାଟୋ, ୯୦୦ ଅଧିକାରୀଙ୍କ ନାଁରେ ଆମେରିକାର କଟକଣା

କିଭ: ୟୁକ୍ରେନର ୪ ଅଞ୍ଚଳକୁ ଋଷ ସହ ମିଶାଇ ଦିଆଯିବା ଘଟଣା ଋଷ ଲାଗି ପଡିଲା ମହଙ୍ଗା । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟଲଟନବର୍ଗ । ସେ କହିଛନ୍ତି ୟୁକ୍ରେନ ସହ ଯୁଦ୍ଧ, ଅଧିକ ସୈନ୍ୟ ସଂଗ୍ରହ ଲାଗି ଉଦ୍ୟମ, ଆଣବିକ ଧମକ ଏବଂ ଶେଷରେ ୟୁକ୍ରେନର ୪ ଅଞ୍ଚଳକୁ ମିଶ୍ରଣ ବିରୋଧରେ ନାଟୋ ଅଧିକ କଡା ହେବ ।

ଏହି ଅଭିଯାନକୁ ସଫଳ କରିବାକୁ ଦିଆଯିବ ନାହିଁ । ତେଣେ ୟୁକ୍ରେନର ୪ ଅଞ୍ଚଳକୁ ମିଶାଇ ଦିଆଯିବା ପରେ ଅଧିକ ଉଗ୍ର ହୋଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ବିରୋଧରେ ଲାଗୁ କରିଛନ୍ତି ନୂଆ କଟକଣା । ୯୦୦ରୁ ଅଧିକ ସରକାରୀ ଓ ସାମରିକ ଅଧିକାରୀ ତଥା ସେମାନଙ୍କ ପରିବାର ସଦସ୍ୟ ହୋଇଛନ୍ତି ଶିକାର । .

ତେଣେ ୟୁକ୍ରେନକୁ ଆଉ ୧୨ ବିଲିୟନ ଡଲାର ସହାୟତା ଦେବା ଲାଗି କଂଗ୍ରେସ ନିକଟରେ ପ୍ରସ୍ତାବ ରଖିଛନ୍ତି ବାଇଡେନ । ସେପଟେ ଋଷକୁ ୭୦୦ରୁ ଅଧିକ ସାମଗ୍ରୀର ରପ୍ତାନି ଉପରେ କଟକଣା ଲଗାଇଛି ବ୍ରିଟେନ ।

ଆଇଟି, ସ୍ଥାପତ୍ୟ, ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଏହି ନିଷେଧାଦେଶ ବଳବତ୍ତର ହୋଇଛି । ଏହା ସହ ଋଷ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ଣ୍ଣର ଏଲଭିରା ନାବିୟୁଲାନାଙ୍କ ବିରୋଧରେ କଟକଣା ଲାଗୁ କରିଛି ବ୍ରିଟେନ । ପାଶ୍ଚାତ୍ୟ ରାଷ୍ଟ୍ରର ବିଭିନ୍ନ ପଦକ୍ଷେପକୁ ସମାଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଔପନିବେଶିକ ନୀତିକୁ ଋଷ ତୀବ୍ର ବିରୋଧ କରୁଛି ।