ମହାମାୟାଙ୍କ ପାଇଁ ସଜେଇ ହେଇଛି ରାଜ୍ୟ, ମଣ୍ଡପକୁ ଆବାହନ ହେବେ ମା’

ଭୁବନେଶ୍ୱର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ ।  ଆଜି ପୀଠେ  ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି ।

କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ । ଏହାପରେ ସୋମବାର ଅଷ୍ଟମୀ ପୂଜା ସହ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । କିଛି ମଣ୍ଡପରେ ଆମିଷ ଭୋଗ କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ ।

ବୁଧବାର ମଣ୍ଡପରେ ବିଜୟାଦଶମୀ ପୂଜାର୍ଚ୍ଚନା କରାଯିବ । ଶକ୍ତିପୀଠରେ ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କଟକ ଗଡଚଣ୍ଡୀ  । ସେହିପରି ବଗଲାମୁଖୀ ବେଶରେ ସଜ୍ଜିତ ହେବେ କଟକ ଚଣ୍ଡି  । ଦୁଇବର୍ଷ ପରେ ବିନା କଟକଣାରେ ପୂଜା ହେଉଥିବାରୁ ଚଳିତବର୍ଷ ଉତ୍ସାହିତ ଅଛନ୍ତି ଭକ୍ତ  । ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପ୍ରସ୍ତୁତି କରିଛି ପୋଲିସ ପ୍ରଶାସନ  ।