ଆଜିଠୁ ୪ ମେଟ୍ରୋ ସହରରେ ୫ଜି ସୁବିଧା, ଚୁଟ୍‌କିରେ ଖୋଲିବ ୱେବସାଇଟ୍

1 min read

ନୂଆଦିଲ୍ଲୀ: ଆଜିଠୁ ଦେଶରେ ୫G ଯୁଗ  । ଚୁଟକିରେ ଖୋଲିବ ଓ୍ବେବସାଇଟ  । କେଇ ସେକେଣ୍ଡରେ ଡାଉନଲୋଡ ହେବ ଫିଲ୍ମ  । ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫G ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇ ଆଦି କିଛି ନିର୍ଦ୍ଦିଷ୍ଟ ସହରରେ ୫G ସେବା ମିଳିପାରିବ ।

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ୫ଜି ଡେମୋନଷ୍ଟ୍ରେସନ କରାଯିବ  । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ପାହାଡପୁର ଗାଁରେ ସମସ୍ତ ବ୍ୟବସ୍ଥା କରାଯାଇଛି  । ଏସଏଲଏସ ମେମୋରିଆଲ ସ୍କୁଲରେ ୫ଜି ଡେମୋନଷ୍ଟ୍ରେସନ କରାଯିବ । ଏହି ସ୍କୁଲଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀଙ୍କ ସ୍ମୃତିରେ ନିର୍ମାଣ ହୋଇଥିଲା  ।

ଦ୍ରୌପଦୀଙ୍କ ଦ୍ବାରା ହିଁ ଏହି ସ୍କୁଲ ପରିଚାଳିତ ହେଉଛି  । ଦୀପାବଳି ପୂର୍ବରୁ ସବୁ ମେଟ୍ରୋ ସିଟିରେ ୫ଜି ସେବା ଆରମ୍ଭ ହେବ । ସାରା ଦେଶରେ ପର୍ଯ୍ୟାୟକ୍ରମେ ବିସ୍ତାର କରାଯିବ ।  5G ସେବା ଆରମ୍ଭ ହେଲେ, 3Gଠୁ ୩୦ ଗୁଣ ଓ 4Gଠୁ ୧୦ ଗୁଣା ସ୍ପିଡ୍ ସେବା ମିଳିବ । ଆବଶ୍ୟକ ସ୍ଥଳେ ଏହି ସ୍ପିଡ୍‌ ୧୦୦ ଗୁଣା ଯାଏ ଯାଇପାରେ ବୋଲି କୁହାଯାଉଛି ।

2G ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ୍‌ ହେବା ପାଇଁ ୨ ଦିନ ୮ ଘଣ୍ଟା ଲାଗୁଥିଲା, 3G ସେବାରେ ୨ ଘଣ୍ଟା ଏବଂ 4Gରେ ୪୦ ମିନିଟ ଲାଗୁଛି । ଏବେ 5Gରେ ସେହି ଫାଇଲ ଡାଉନ୍‌ଲୋଡ୍‌ ହେବା ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ୨୦୨୩ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ 5G ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି  ।