ମା’ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ସ୍ବତନ୍ତ ଷୋଡଶ ଉପଚାର ପୂଜା

କାକଟପୁର: ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ । ନବରାତ୍ରୀ ପୂଜା ସାଙ୍ଗକୁ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ପୁରୀ ଜିଲ୍ଲା କାକଟପୁରର ଅଦିଷ୍ଟାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ସ୍ବତନ୍ତ ଷୋଡଶ ଉପଚାର ପୂଜା ନୀତି କରାଯାଉଛି । ପଞ୍ଚମୀରେ ମା’ ରଘୁନାଥ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିବା ବେଳେ ଆଜି ଷଷ୍ଠୀରେ ମାଙ୍କ କାତ୍ୟାୟନୀ ବେଶ ଅନୁଷ୍ଠିତ ହୋଉଛି ।

ସପ୍ତମୀରେ ମାଙ୍କ ପ୍ରସିଦ୍ଧ ସିଙ୍ଗବାହିନୀ ବେଶ ଅନୁଷ୍ଠିତ ହେବ । ଆଜି ପ୍ରତ୍ୟୁଷରୁ ମାଙ୍କ ଷୋଡଶ ଉପଚାର ନୀତିସହ ଭଅଣ୍ଡ ଧୂପ ପରେ ମାଙ୍କ ଚଳନ୍ତି ପ୍ରତିମା ଓ ମନ୍ଦିର ମଧ୍ୟରେ ଥିବା ଦୂର୍ଗା ପ୍ରତିମାଙ୍କୁ ରତ୍ନବେଦୀରୁ ବାହାରକୁ ଅଣାଯାଇ ଏକତ୍ର ଖଟୁଳିରେ ଜଗତି ପୂଜା କରାଯାଇଛି । ପ୍ରତିମାକୁ ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ କରାଯିବା ପରେ ମା ମହିଷାକୁ ଖୋଜିବା ପାଇଁ ବିଭିନ୍ନ ବେଶ ଧାରଣ କରିବେ । ମାଙ୍କ ନିକଟରେ କାଷ୍ଟ ନିର୍ମିତ ସିଂହ ଲାଗି କରାଯିବା ସହ ବିଭିନ୍ନ ଦେବାଦେବୀ ମାନଙ୍କ ଦ୍ଵାରା ପ୍ରଦତ୍ତ ଅସ୍ତ୍ର ଲାଗି କରାଯିବ ।