ଗାଁକୁ ଗ୍ରାମବାସୀଙ୍କ ଶବ ବାରଣ, ୫ ଘଣ୍ଟା ପଡ଼ି ରହିଲା ମୃତଦେହ

ବାଲେଶ୍ୱର: ଜାତିଆଣ ଆକ୍ଷେପ କରି ଗାଁ ଶ୍ମଶାନକୁ ଶବ ମନା । ଘର ବାହାରେ 5 ଘଣ୍ଟାରୁ ଅଧିକ ସମୟ ପଡି ରହିଲା ଶବ । ଗ୍ରାମବାସୀ ଶବସତ୍କାର କରିବାକୁ ବାରଣ କରିବାରୁ ଦୀର୍ଘ ସମୟ ଧରି ପଡିରହିଲା ଶବ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଚମାରଗାଁ ପଂଚାୟତ ଚାଫଳା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜିକୁ ୩୦ବର୍ଷ ଧରି ରାମଚନ୍ଦ୍ର ମାହାଲ ନିଜର ପରିବାର ସହିତ ଗାଁରେ ରହିଆସୁଥିଲେ । ତାଙ୍କର ଏକ ମାତ୍ର ପୁଅ ସୁରେନ୍ଦ୍ର ମାହାଲ ଗତକାଲି ରାତିରେ ସାପ କାମୁଡାରେ ମୃତ୍ୟୁ ହୋଇଥିଲା ।

ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ଗାଁକୁ ମୃତଦେହ ଫେରିବା ପରେ ଗାଁ ମଶାଣିରେ ଶବ ଦାହ କରିବାକୁ ଏବେ ମନାକରୁଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ପୋଲିସ ପହଂଚି ବୁଝା ସୁଝା କରିବା ପରେ ମଧ୍ୟ ଶବଦାହ ହୋଇପାରି ନାହିଁ । କିଛି ଲୋକ ଶିଖରପୁର ନଦୀ ଘାଟରେ ଶବସତ୍କାର ପାଇଁ କହିଥିଲେ । କିନ୍ତୁ ମୃତକଙ୍କ ପରିବାରଲୋକ ଗାଁ ଶ୍ମଶାନରେ ହିଁ ଶବଦାହ କରିବାକୁ ଅଡିବସିଛନ୍ତି । ଫଳରେ ଗାଁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସ ଦୁଇପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଛି ।.