spot_img
Home Blog Page 4061

ଗୁଜୁରାଟର ଅଡାଲଜ ମନ୍ଦିରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ

ଅହମଦାବାଦ: ଗୁଜୁରାଟର ଅଡାଲଜଠାରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡା଼ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରର ରୂପ ନେଇଥିବା ମୁଖ୍ୟ ମନ୍ଦିରର ତଳତାଲା ସ୍ଥିତ କମ୍ୟୁନିଟି ହଲରେ ବିରାଜମାନ ଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାମ୍ନାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । ଏଠାରେ ସନ୍ଧ୍ୟା ୬ଟା ବେଳେ ଦିଅଁ ମାନଙ୍କର ବାହୁଡା ଯାତ୍ରା ଆରମ୍ଭ ହୋଇଥିଲା। ଉପସ୍ଥିତ ପୂଜକ ଓ ଭକ୍ତମାନେ ରୋଷଣୀ କରି ଚାରି ଠାକୁରଙ୍କୁ ମାଉସୀମା ମନ୍ଦିରରୁ ଉପରତାଲାର ବାଇଶି ପାହାଚ ପରେ ନିର୍ମିତ ସ୍ୱତନ୍ତ୍ର ମଞ୍ଚକୁ ନେଇଥିଲେ।

ଏହା ପରେ ମହାପ୍ରଭୁଙ୍କର ସାମ୍ନାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ କଲଚରାଲ ଏକାଡେମୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର ( ଜେ.ସି. ଏ. ଆର୍.ସି) ତରଫରୁ ପ୍ରଯୋଜନା କରାଯାଇଥିବା ନାଟକ ‘ ଫେରିଯାଅ ମହାବାହୁ’ ପ୍ରଦର୍ଶନ କରାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କର କାହାଣୀ ଓ ଲୀଳା ଉପରେ ଆଧାରିତ ଏକ ଘଣ୍ଟାର ଏହି ପ୍ରସ୍ତୁତି ଖୁବ ଜୀବନ୍ତ ଓ ମର୍ମସ୍ପର୍ଶୀ ଥିଲା। ନାଟକଟି ଦର୍ଶକ ମାନଙ୍କୁ ଐଶ୍ୱରିକ ଆନନ୍ଦର ଉତ୍ସ୍ଵାସ ଏବଂ ଭଗବତ ସତ୍ତାର ସୁସ୍ୱାଦ ପ୍ରଦାନ କରିବା ସହିତ ସେମାନଙ୍କୁ ବେଶ୍ ଭାବବିହ୍ୱଳ ଓ ଅଭିଭୂତ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା।

ଓଡ଼ିଶା ସୋସିଓ କଲଚରାଲ ଆସୋସିଏନର ସଭାପତି ହରେକୃଷ୍ଣ ଦାଶଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ବିଶେଷ ସାଂସ୍କୃତିକ ଆକର୍ଷଣ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଖୁବ ଆଦୃତ ହୋଇଥିଲା। ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ମଧ୍ୟରେ ଗଜପତି ଭାବରେ ଡଃ ସୁଦିପ କୁମାର ନନ୍ଦ, ଶ୍ରୀ ଜଗନ୍ନାଥଙ୍କ ଭୂମିକାରେ ବଦ୍ରି ମହାପାତ୍ର ଏବଂ ମହାଲକ୍ଷ୍ମୀଙ୍କ ରୂପରେ ଉଷାରାଣୀ ତ୍ରିପାଠୀଙ୍କ ର ଅଭିନୟ ବେଶ୍ ଉଚ୍ଚକୋଟୀର ଥିଲା ।

ମା’ ଲକ୍ଷ୍ମୀଙ୍କ ଟିମରେ ସେବିକା ଭାବରେ ଭୁବନେଶ୍ଵରୀ ପଣ୍ଡା, ନିବେଦିତା ସାହୁ, ଲୀଳା ଦାସ, ତୃପ୍ତି ମହାପାତ୍ର, ସୁପ୍ରଭା ମିଶ୍ର, ସନ୍ଧ୍ୟା ପଣ୍ଡା, ସୁଚରିତା ତ୍ରିପାଠୀ, ମନୋରମା ମିଶ୍ର ଏବଂ ମିତା ଦାସ ପ୍ରମୁଖ ସ୍ଥାନ ପାଇଥିଲେ। ଶ୍ରୀ ଜଗନ୍ନାଥଙ୍କ ଟିମ୍ ରେ ବଡ଼ ପଣ୍ଡା ଭାବରେ ରବି ରଂଜନ ପଣ୍ଡା, ସାରଥୀ ରୂପରେ ବସନ୍ତ ପଣ୍ଡା, ଦିବ୍ୟଲୋଚନ ଭୂମିକାରେ ମହେଶ୍ୱର ସାହୁ, ଦଇତାପତି ଭାବରେ ନାରାୟଣ ସ୍ବାଇଁ, ମହନ୍ତ ରୂପରେ ଗଣେଶ ସାବତ, ଚୁଡ଼ାମଣି ଭାବରେ ହରେକୃଷ୍ଣ ଦାଶ ଏବଂ ପ୍ରତିହାରୀ ଭୂମିକାରେ ଅଶୋକ ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ହୋଇଥିଲେ।

ବାହୁଡ଼ା ମହୋତ୍ସବକୁ ସୁଚାରୁରୂପେ ସମ୍ପାଦନା କରିବାରେ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଡ଼ଃ ସୁଦିପ କୁମାର ନନ୍ଦ, ସଦସ୍ୟ ସଚିବ ବଦ୍ରି ମହାପାତ୍ର, ବରିଷ୍ଠ ସଦସ୍ୟ ହରେକୃଷ୍ଣ ଦାଶ, ମହେଶ୍ୱର ସାହୁ, ଡଃ ନିବେଦିତା ସାହୁ, ଲୀଳା ଦାସ, ରବି ପଣ୍ଡା, ଅଶୋକ ସାମଲ, ସତ୍ୟ ମିଶ୍ର, ନାରାୟଣ ସ୍ବାଇଁ, ଅଜୟ ଦାଶ, ମହେନ୍ଦ୍ର ଦାସ, ରୋହିତ ନାୟକ, ନିଗମାନନ୍ଦ ଦାସ, ବସନ୍ତ ପଣ୍ଡା ଓ ଗଣେଷ ନାୟକ ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ସମ୍ମାନ ପାଇଁ ତୃତୀୟ ଟି-୨୦ ଖେଳୁଛି ଘରୋଇ ଦଳ

ନଟିଂଘମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ଖେଳାଯାଉଛି । ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମଠାରେ ଏହି ମ୍ୟାଚ ଆରମ୍ଭ ହୋଇଛି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଘରୋଇ ଇଂଲଣ୍ଡ ଦଳ । ସେହିପରି ବୋଲିଂ ପାଇଁ ପ୍ରସ୍ତୁତି କରିଛି ଭାରତୀୟ ଦଳ  । ଗତ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ସହ ସିରିଜ୍ ହାତଛଡା କରିଥିଲା । ଆଜି ସମ୍ମାନ ପାଇଁ ଖେଳୁଛି  । ସେହିପରି ଭାରତ ୨-୦ରେ ସିରିଜ ଜିତି ସାରିଛି  । ଆଜିର ମ୍ୟାଚରେ କିଛି ଯୁବ ଚେହାରାଙ୍କୁ ସ୍ଥାନ ଦେଇଛି । ଲଗାତାର ଫ୍ଲପ ହେଉଥିବା କୋହଲି ଆଜି ମଧ୍ୟ ଖେଳୁଛନ୍ତି  । ତେବେ ଆଜିର ମ୍ୟାଚରେ ସମସ୍ତଙ୍କ ନଜର କୋହଲିଙ୍କ ପ୍ରଦର୍ଶନ ଉପରେ ରହିବ । କାରଣ ଆଶଙ୍କା କରାଯାଉଛି କୋହଲିଙ୍କୁ କିଛି ଦିନ ପାଇଁ ବିସିସିଆଇ ଟିମରୁ ବାଦ୍ ଦେଇପାରେ । ତେବେ ଆଜି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଗତ ମ୍ୟଚ ଭଳି ସ୍କ୍ୱାଡରେ ପରିବର୍ତ୍ତନ କରିଛନ୍ତି । ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରାହ, ଯୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଛି । ସେମାନଙ୍କ ସ୍ଥାନରେ ଆଜିର ମ୍ୟାଚରେ ଆଭେସ ଖାନ,ଶ୍ରେୟସ ଆୟର, ଉମ୍ରାନ ମଲ୍ଲିକ ଓ ରବି ବିଷ୍ଣୋଇଙ୍କୁ ସ୍ଥାନ ମିଳିଛି  ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ହର୍ଶଲ ପଟେଲ, ଆଭେସ ଖାନ,ଶ୍ରେୟସ ଆୟର, ଉମ୍ରାନ ମଲ୍ଲିକ ଓ ରବି ବିଷ୍ଣୋଇ  ।

ଇଂଲଣ୍ଡ ଦଳ: ଜେସନ ରୟ, ଜୋସ ବଟଲର (ଅଧିନାୟକ/ୱିକେଟକିପର), ଡେୱିଡ ମଲନ, ଲିଆମ ଲିଭିଙ୍ଗଷ୍ଟୋନ, ହାରି ବ୍ରୁକ, ମୋଇନ ଅଲି, ସାମ କୁରାନ, ଡେଭିଡ ୱିଲୀ, କ୍ରୀସ ଜୋର୍ଡାନ, ରିଚାର୍ଡ ଗ୍ଲୀସନ, ରିସ ଟୋପଲେ  ।

ଉଦୟପୁର ଟେଲର ହତ୍ୟାକାଣ୍ଡ ମାମଲା: ୭ମ ଅଭିଯୁକ୍ତକୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ନିକଟରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ବଡ଼ ସଫଳତା ମିଳିଛି । ଏହି ହତ୍ୟାକାଣ୍ଡରେ ସାମିଲ ୭ମ ଅପରାଧୀକୁ ଏନଆଇଏ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ୩୧ ବର୍ଷୀୟ ଫରହଦ ମହମ୍ମଦ । ତେବେ ଫରହଦ ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀ ସହ ମିଶି ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଶନିବାର ଫରହଦକୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ପୂର୍ବରୁ ହତ୍ୟା ମାମଲାରେ ୬ଜଣଙ୍କ ଗିରଫ ହୋଇସାରିଛି । ସମସ୍ତ ଅଭିଯୁକ୍ତଙ୍କୁ ଏନଆଇଏ ପଚରା ଉଚରା ଜାରି ରଖିଛି ।

ସନ୍ଦେହ କରାଯାଉଛି ଏମାନଙ୍କର ତାଲିବାନୀ ଓ ପାକିସ୍ତାନ ସହ ଲିଙ୍କ ଥିବାର । ସୂଚନା ଥାଉକି ନିକଟରେ ଉଦୟପୁରରେ କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କର ନିର୍ମମ ହତ୍ୟା କରାଯାଇଥିଲା । ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କ ସମର୍ଥନରେ ଲେଖିଥିବାରୁ ମୁସଲିମ ସମ୍ପ୍ରଦାୟର ଦୁଇ ଯୁବକ ତାଙ୍କ ଦୋକାନ ଭିତରେ ପସି ଦିନ ଦ୍ୱିପ୍ରହରରେ ବେକ କାଟି ଦେଇଥିଲେ । ତାଲିବାନୀ ପାଟର୍ଣ୍ଣରେ ଏହି ହତ୍ୟା କରାଯାଇଥିଲା । ହତ୍ୟା ପରେ ସାରା ଦେଶରେ ଆନ୍ଦୋଳନ ଏବଂ ଆକ୍ରୋଶ ଦେଖା ଦେଇଥିଲା । ରାଜସ୍ଥାନ ପୋଲିସ ଭିଡିଓରେ ଦେଖା ଯାଉଥିବା ଦୁଇ ଯୁବକଙ୍କୁ ସେହିଦିନ ହିଁ ଗିରଫ କରିଥିଲା । ଏହାପରେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏନଆଇଏ ତଦନ୍ତ ଭାର ସମ୍ଭାଳିଥିଲା ।

ଶିବସେନାର ୫୩ ବିଧାୟକଙ୍କୁ ବିଧାନସଭା ସଚିବଙ୍କ କାରଣ ଦର୍ଶାଅ ନୋଟିସ୍

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ନାଟକ ଏବେବି ସରିନି । ଶିବସେନା ସହ ବିଦ୍ରୋହ କରି ଏକନାଥ ସିନ୍ଦେ ବିଜେପି ସହ ମିଶି ସରକାର ଗଢିବା ପରେ ଆଶା କରାଯାଉଥିଲା ମହାରାଷ୍ଟ୍ର ନାଟକରେ ପୂର୍ଣ୍ଣଚ୍ଛେଦ ପଡିବ । ହେଲେ ଏବେ ଆଉ ଏକ ନାଟକ ଦେଖିବାକୁ ମିଳିଛି । ମହାରାଷ୍ଟ୍ର ବିଧାନସଭା ସଚିବ ଶିବସେନାର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୫୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏଥିମଧ୍ୟରୁ ୩୯ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଏବଂ ୧୪ ବିଧାୟକ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ଅଛନ୍ତି । ଠାକରେ ଗୋଷ୍ଠୀର ୧୪ ବିଧାୟକଙ୍କ ମଧ୍ୟରୁ ସନ୍ତୋଷ ବାଙ୍ଗର ୪ ଜୁଲାଇରେ ଆସ୍ଥା ଭୋଟ ଦିନ ଶିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଯାଇଥିଲେ ।

ଦୁଇ ଗୋଷ୍ଠୀ ଜଣେ ଅନ୍ୟ ଜଣଙ୍କ ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି । ୩  ଜୁଲାଇରେ ବିଧାନସଭା ବାଚସ୍ପତି ନିର୍ବାଚନ ଏବଂ ୪ ଜୁଲାଇରେ ଆସ୍ଥା ଭୋଟ ସମୟରେ ଦଳ ହ୍ୱିପର ଅବମାନନା କରିବା ଅଭିଯୋଗରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରିଛନ୍ତି । ଦଳ ଅଦଳ ବଦଳ ଆଇନ ଆଧାରରେ ବିଧାନସଭା ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ସୂଚନାଥାଉକି, ସିନ୍ଦେ ଗୋଷ୍ଠୀ ଲଗାତାର ଦାବି କରିଆସୁଛନ୍ତି ଯେ ଆମେ ପ୍ରକୃତ ଶିବସେନା ଅଟୁ । ଆମ ପାଖରେ ସଦସ୍ୟଙ୍କ ସଂଖ୍ୟା ଅଧିକ ରହିଛି ତେଣୁ ଦଳ ଉପରେ ଆମର ଅଧିକାର ରହିଛି ।

ଅନ୍ୟପକ୍ଷରେ ଶିବସେନା ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ଅଧିକାର ଛାଡିବାକୁ ନାରାଜ । ସେ କହିଛନ୍ତି ଦଳ ଉପରେ କେବଳ ମୋର ଅଧିକାର । କାରଣ ଦଳ ମୋ ପିତା ଗଠନ କରିଥିଲେ । ତେଣୁ ଯାହାର ଦଳ ଦରକାର ସେ ଅନ୍ୟ ଏକ ଦଳ ଗଠନ କରନ୍ତୁ  । ତେବେ ମହାରାଷ୍ଟ୍ର ବିଧାନସଭାରେ ବର୍ତ୍ତମାନ ୨୮୭ ସଦସ୍ୟ ଅଛନ୍ତି । ଏଥିରେ ଶିବସେନାର ୫୫ ବିଧାୟକ ଅଛନ୍ତି । ହେଲେ ଏକନାଥ ସିନ୍ଦେ ବିଦ୍ରୋହ କରି ନିଜ ସମର୍ଥନରେ ନେଇଥିଲେ  । ଗତ ୪ ତାରିଖରେ ହୋଇଥିବା ଆସ୍ଥା ଭୋଟରେ ବିଜେପି ସମର୍ଥନରେ ସିନ୍ଦେଙ୍କୁ ୧୬୪ ଭୋଟ ମିଳିଥିଲା । ସେହିପରି ବିରୋଧରେ ୯୯ଟି ଭୋଟ ପଡିଥିଲା ।

ଭାରତ ଉପରେ ମା’ କାଳୀଙ୍କ ଆଶୀର୍ବାଦ ସବୁବେଳେ ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମା’ କାଳୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ମା କାଳୀ ସମଗ୍ର ଭାରତର ଭକ୍ତି ଆଉ ଶକ୍ତିର କେନ୍ଦ୍ର ଅଟନ୍ତି । ତାଙ୍କ ଆଶୀର୍ବାଦ ଦେଶ ଉପରେ ସଦା ସର୍ବଦା ରହିଥାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ଆତ୍ମସ୍ଥାନାନନ୍ଦଙ୍କ ଜନ୍ମଜୟନ୍ତି କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବା ସମୟରେ ଏହି କଥା କହିଛନ୍ତି । ସେ ବେଲୁର ମଠର ମଧ୍ୟ ଉଲ୍ଲେଖ କରିଥିଲେ ।

ସେ କହିଥିଲେ, ଯେତବେଳେ ବି ବେଲୁର ମଠ ଯାଏ ଗଙ୍ଗା ତଟରେ ଅବସ୍ଥାପିତ ମା କାଳୀଙ୍କ ମନ୍ଦିର ସେଠାରୁ ଦେଖାଯାଇଥାଏ । ସେଠାରେ ଆଧ୍ୟାତ୍ମିକ ଜ୍ଞାନର ଆଭାସ ମିଳେ । ଯେତବେଳେ ଆସ୍ଥା ଏତେ ପବିତ୍ର ରହୁଛି ତେବେ ଶକ୍ତି ସାକ୍ଷାତ ଆମର ପଥ ପ୍ରଦର୍ଶନ କରିଥାଏ । ମା କାଳୀଙ୍କ ଅସୀମ ଶକ୍ତି ସବୁବେଳେ ଭାରତ ସହ ରହିଛି  । ଭାରତ ଆଜି ଏହି ଆଧ୍ୟାତ୍ମିକ ଶକ୍ତିକୁ ନେଇ ଆଜି ବିଶ୍ୱ କଲ୍ୟାଳ ଉଦ୍ଦେଶ୍ୟରେ ଆଗକୁ ବଢୁଛି ।

ସୂଚନାଥାଉକି ଗତ କିଛି ଦିନ ହେବ ଦେଶରେ ମା କାଳୀଙ୍କ ପୋଷ୍ଟରକୁ ନେଇ  ବିବାଦ ଚାଲିଛି । ଏକ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟରରେ ମା କାଳୀ ସିଗାରେଟ୍ ଟାଣୁଥିବାର ଦେଖାଯିବା ପରେ ସାରା ଦେଶରେ ବିରୋଧ ଆରମ୍ଭ ହୋଇଥିଲା । ଫିଲ୍ମର ଡାଇରେକ୍ଟର ଏତେ ବିବାଦ ପରେ ବି କ୍ଷମା ମାଗିନାହାନ୍ତି  । ଅନ୍ୟପକ୍ଷରେ ଏହାକୁ ନେଇ ରାଜନୀତି ମଧ୍ୟ ଦେଖା ଦେଇତଥିଲା  । ବିବାଦକୁ ନେଇ ଟିଏମସି ସାଂସଦ ମୋହୁଆ ମୋଇତ୍ରୋ ମା କାଳୀଙ୍କ ଉପରେ ଆପତ୍ତିଜନକ ବୟାନ ଦେଇ ବିଜେପିର ଟାର୍ଗେଟକୁ ଆସିଥିଲେ ।  ସାମାଜିକ ଗଣମାଧ୍ୟମରେ ଉଭୟ ବିଜେପି ଓ ଟିଏମସି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି  ।

ଦଶମ ପାଠ୍ୟକ୍ରମରେ ସାମିଲ ହେବ କରୋନା ବିଷୟବସ୍ତୁ

ଭୁବନେଶ୍ୱର: ଦଶମ ପାଠ୍ୟକ୍ରମରେ ସାମିଲ ହେବ କରୋନା ବିଷୟବସ୍ତୁ । ଏବେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଥଣ୍ଡା ହୋଇଥିଲେ ପିଲାମାନେ ସ୍କୁଲ ଆସନ୍ତୁ ନାହିଁ । ସବୁ ଥଣ୍ଡା ଜ୍ଵର କୋଭିଡ୍‌ ନୁହେଁ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ଅଭିଭାବକଙ୍କୁ କୁହାଯାଇଛି, ଥଣ୍ଡା ଜ୍ବର ହୋଇଥିଲେ ପିଲାଙ୍କୁ ସ୍କୁଲ ନଛାଡ଼ନ୍ତୁ ।

ଅନ୍ୟପଟେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ସ୍କୁଲ କୋର୍ସ ପାଟର୍ଣ୍ଣ  ଦିଆସରିଛି । ଏଥର ୧୦୦ ମାର୍କ ପରୀକ୍ଷା ହେବ । ଯେମିତି ସମେଟିଭ ୧ ଓ ୨ ହେଉଥିଲା, ସେହି ଅନୁସାରେ ପରୀକ୍ଷା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିଲା ହେଲେ ଏବେ ବିଶ୍ୱ ମହାମାରୀ କୋଭିଡ୍ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି  । ଏଥିସହ ଜୀବନ ବିଜ୍ଞାନରେ ଅଧ୍ୟାୟ ସଂଖ୍ୟା ୧୧ ହୋଇଯିବ । ସେହିପରି ଭୂଗୋଳରେ ମଧ୍ୟ ଆଉ ଏକ ଅଧ୍ୟାୟ ଯୋଡା ଯାଇଥିବା ନେଇ ସୂଚନା  । ଜଳବାୟୁ ଜନିତ ବିପତ୍ତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ଯୋଡା ହୋଇଥିବା ସୂଚନା ।

ମାଲକାନଗିରି ପୋଲିସକୁ ବଡ଼ ସଫଳତା, ଦୁର୍ଦ୍ଧାନ୍ତ ମାଓବାଦୀ ଲକ୍ଷ୍ମଣ ପଡ଼ିଆମି ଗିରଫ

ମାଲକାନଗିରି: ଦୁର୍ଦ୍ଧାନ୍ତ ମାଓବାଦୀ ଗିରଫ । ମାଥିଲି ବ୍ଲକ ମହୁପଦର୍ ମାଓ ସଂଗଠନର ଏରିଆ ମେମ୍ବର ଲକ୍ଷ୍ମଣ ପଡ଼ିଆମିକୁ ଗିରଫ କରିଛି ମାଲକାନଗିରି ପୋଲିସ । ଗତକାଲି ମାଥିଲି ଅଞ୍ଚଳର ତୁଳସୀ ପାହାଡ଼ରେ ଏସଓଜି ଏବଂ ଡିଭିଏଫ୍ ବାହିନୀ ସର୍ଚ୍ଚ ଅପରେସନ କରିବା ସମୟରେ ଗୋଟିଏ ଦେଶୀ ବନ୍ଧୁକ ସହ ଲକ୍ଷ୍ମଣକୁ ଗିରଫ କରିଥିଲା । ଲକ୍ଷ୍ମଣର ଘର ଛତିଶଗଡ଼ର ଦରଭା ଅଞ୍ଚଳର ବୋଲି ଜଣାପଡ଼ିଛି ।

୨୦୧୭ରୁ ମାଓ ସଂଗଠନରେ ସକ୍ରିୟ ରହିଥିଲା ଲକ୍ଷ୍ମଣ । ଟେମୁରୁପାଲି ପଞ୍ଚାୟତ ଅଫିସ୍ ଭଙ୍ଗାରୁଜା ଓ ଲୁଟ୍ କରିବା ତଥା ତାଳପଦର ଗାଁର ସୁକୁମାର ମଣ୍ଡଳ ହତ୍ୟା ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ମଣ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଛତିଶଗଡ଼ ରାଜ୍ୟର ମଧ୍ୟ ବିଭିନ୍ନ ମାଓ ହିଂସାରେ ସଂପୃକ୍ତ ରହିଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ର ପରେ ଗୋଆରେ ଦଳବଦଳ ନାଟକ !

ପାନାଜୀ: ମହାରାଷ୍ଟ୍ର ପରେ ଗୋଆରେ ଦେଖାଦେଇପାରେ ଦଳବଦଳ ନାଟକ । ଗୋଆରେ ରାଜ୍ୟ କଂଗ୍ରେସକୁ ଲାଗିପାରେ ଶକ୍ତ ଧକ୍କା । ଦଳର ୧୧ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୯ ବିଧାୟକ ବିଜେପିରେ ଯୋଗଦେଇପାରନ୍ତି । ଏନେଇ କ୍ଷେତ୍ର ପ୍ରସ୍ତୁତ ହୋଇଥିବା  ସୂଚନା ମିଳିଛି । ତେବେ ହଟଚମଟ ସୃଷ୍ଟି ହେବା ପରେ ଗୋଆ ବ୍ୟାପାରରେ ଥିବା କଂଗ୍ରେସ ନେତା ଦିନେଶ ଗୁଣ୍ଡୁରାଓ ପାନାଜୀ ଯାଇଛନ୍ତି । ଦଳରେ ସେପରି କିଛି ଫାଟ ସୃଷ୍ଟି ହେବା ସମ୍ଭାବନା ନାହିଁ ବୋଲି କହିଛନ୍ତି ଗୁଣ୍ଡୁରାଓ ।

ତେବେ ଆସନ୍ତାକାଲିଠାରୁ ଗୋଆରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ କଂଗ୍ରେସର ଏହି ହଟଚମଟମୂଳକ ଖବର ହଲଚଲ ଅବସ୍ଥା ସୃଷ୍ଟି କରିଛି । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ୨୦, ସହଯୋଗୀ ଏମଜିପିର ୨, କଂଗ୍ରେସର ୧୧, ଜିଏଫପିର ଜଣେ, ଆପ୍‌ର ୨, ଆରଜିପିର ଜଣେ ବିଧାୟକ ଅଛନ୍ତି ।

ସାଉଥ ଆଫ୍ରିକା ରାଜଧାନୀରେ ଗୁଳିକାଣ୍ଡ, ଗୁଳିଚାଳନରେ ୧୪ ଜଣଙ୍କ ମୃତ୍ୟୁ

ଜୋହନ୍ସବର୍ଗ: ସାଉଥ ଆଫ୍ରିକାର ସୋଓ୍ୱେଟୋ ସହରର ଏକ ବାରରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ୧୪ ଜଣ । ସାଉଥ ଆଫ୍ରିକା ରାଜଧାନୀ ଜୋହନ୍ସବର୍ଗ ଅନ୍ତର୍ଗତ ସୋଓ୍ୱେଟୋ ସହରର ଏକ ବାରରେ ଏହି ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ କହିଛନ୍ତି- କେତେକ ଦୁର୍ବୃତ୍ତ ଏକ ମିନିବସ୍ ଟ୍ୟାକ୍ସିରେ ବାର୍ ନିକଟକୁ ଆସିଥିଲେ ଏବଂ ବାରରେ ଆଖିବୁଜା ଗୁଳିମାଡ଼ କରିଥିଲେ ।

ତେବେ ଏହି ଗୁଳିକାଣ୍ଡରେ ଆହତମାନଙ୍କୁ ଖ୍ରୀସ ହାନି ବାରଗଓ୍ୱାନ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାରରେ ମଉଜମସ୍ତିରେ ଲୋକମାନେ ଥିବାବେଳେ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲେ । ଗୁଳିକାଣ୍ଡ ପରେ ପୋଲିସ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଭାରତୀୟ ରେଳବାଇ ଇତିହାସରେ ପ୍ରଥମ, ୧୦ ମାସର ଶିଶୁକନ୍ୟାକୁ ନିଯୁକ୍ତି

ରାୟପୁର: ରେଳବାଇ ଇତିହାସରେ ନୂଆ ଘଟଣା । ୧୦ ମାସର ଶିଶୁ କନ୍ୟାକୁ ମିଳିଲା ରେଳବାଇରେ ଚାକିରି । ଏନେଇ ଶିଶୁକୁ ବି ମିଳିଛି ନିଯୁକ୍ତିପତ୍ର । ଛତିଶଗଡ଼ର ଏହି ଶିଶୁର ବାପା ମା’ ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯିବା ପରେ ମାନବିକତା ଦେଖାଇଛି ରେଳବାଇ । ଭିଲାଇରେ ରାଜେନ୍ଦ୍ର କୁମାର ଯାଦବ ନାମକ ଜଣେ ବ୍ୟକ୍ତି ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇର ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ଗତ ଜୁନ ୧ରେ ପତ୍ନୀ ମଞ୍ଜୁଲତାଙ୍କ ସହ ରାଜେନ୍ଦ୍ର ଏକ ବାଇକରେ ଆସୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଉଭୟେ ପ୍ରାଣ ହରାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ୧୦ ମାସର ଶିଶୁକନ୍ୟା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା ।

ଶିଶୁର ଭବିଷ୍ୟତ, ତାହାର ଲାଳନପାଳନ ଆଦି ନିମନ୍ତ୍ରେ ରେଳବାଇ ସହାୟତାର ହାତ ବଢ଼ାଇଥିଲା । ଏନେଇ ରେଳବାଇ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇ ଶିଶୁର ଥଇଥାନ ସଂକ୍ରାନ୍ତ ପ୍ରସ୍ତାବ ଦିଆଯାଇଥିଲା । ଶେଷରେ ଶିଶୁ କନ୍ୟାର ଲାଳନପାଳନ ପାଇଁ ପୁନଃବସତି ଯୋଜନାରେ ଚାକିରି ଦେବାକୁ ଜୁଲାଇ ୪ ତାରିଖରେ ନିଷ୍ପତ୍ତି ନେଇଥିଲା । ଶିଶୁଟିକୁ ୧୮ ବର୍ଷ ହେବା ଯାଏଁ ସେ ତା’ର ସମ୍ପୂର୍ଣ୍ଣ ଦରମା ପାଇବ ଏବଂ ୧୮ ବର୍ଷ ପରେ ତାକୁ ରେଳବାଇ ବିଭାଗରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ । ଭାରତୀୟ ରେଳବାଇ ଇତିହାସରେ ଏତେ ଛୋଟ ଶିଶୁକୁ ନିଯୁକ୍ତି ମିଳିବା ଘଟଣା ପ୍ରଥମ ବୋଲି କୁହାଯାଇଛି ।