spot_img
Home Blog Page 4060

ବିଦ୍ୟୁତ ଆଘାତରେ ପୁଣି ଏକ ଦନ୍ତାର ମୃତ୍ୟୁ

ଟାଙ୍ଗୀ: ପୁଣି ଏକ ଦନ୍ତାର ମୃତ୍ୟୁ । ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିଛି  ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଜଙ୍କିଆ ଗୋଳବାଇ ଗାଁ ନିକଟରେ । ଏହି ଘଟଣା ଗତକାଲି ବିଳମ୍ବିତ ରାତିର ଘଟିଛି । ସୂଚନା ଅନୁସାରେ ୨ଟି ଦନ୍ତା ଖାଦ୍ୟ ଲୋଭରେ ହୋଇଥିଲେ ଗାଁ ମୁହାଁ । ଜଙ୍କିଆ ନିକଟସ୍ଥ ଗୋଳବାଇ ଗାଁରେ ଲୋକଙ୍କ ବାଡ଼ି ବଗିଚାରେ ହାତୀ ବ୍ୟାପକ କ୍ଷୟକ୍ଷତି କରିଥିଲେ । ଲୋକେ ହୋ ହଲ୍ଲା କରିବାରୁ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ ହାତୀ । ଜଙ୍ଗଲକୁ ଯିବା ବେଳେ ଗୋଟେ ହାତୀ ବିଦ୍ୟୁତ୍ ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅନ୍ୟ ଏକ ଦନ୍ତା ହାତୀ ମୃତଦେହ ପାଖରେ ଠିଆ ହୋଇଥିଲେ । ଖବର ପାଇ ବନ କର୍ମଚାରୀମାନେ ପହଂଚି ହାତୀକୁ ଘଉଡ଼ାଇବା ପରେ କ୍ରେନ୍ ସାହାର୍ଯ୍ୟରେ ମୃତହାତୀକୁ ଉଦ୍ଧାର କରିଛନ୍ତି । ମୃତ ଦନ୍ତା ହାତୀର ବୟସ ୪୦ରୁ ୫୦ ବର୍ଷ ହେବ ।

ରାଜଧାନୀରେ ବିଏମସିର କଡ଼ା ପଦକ୍ଷେପ, ଆଜିଠୁ କଡ଼ାକଡ଼ି ଭାବେ ପାଳନ ହେବ କୋଭିଡ୍‌ ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଛି । ବିଶେଷକରି ଭୁବନେଶ୍ୱରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରରେ ଦ୍ରୁତ ସଂକ୍ରମଣକୁ ନେଇ ବିଏମସି କଡ଼ା ପଦକ୍ଷେପ ଗ୍ରହଣ କରିଛି । ଆଜିଠାରୁ ରାଜଧାନୀରେ କଡ଼ାକଡ଼ି ଭାବେ ପାଳନ ହେବ କୋଭିଡ ଗାଇଡଲାଇନ । ସଚେତନତା ପରେ ଏବେ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱରରେ ସମସ୍ତ ସପିଂମଲ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ପ୍ରତି ବ୍ୟାବସାୟିକ ପ୍ରତିଷ୍ଠାନରେ କୋଭିଡ ମନିଟରିଂ ଅଧିକାରୀ ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଟ, ବଜାର, ସପିଂ ମଲ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଗହଳି ନକରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

ବାଲିପାଟଣା ଶିସିଲୋ ଆଶିଷ ଓଝା ହତ୍ୟା ମାମଲାର ପର୍ଦ୍ଦାଫାସ; ସାଙ୍ଗ ସାଜିଥିଲେ ଷଡ଼ଯନ୍ତ୍ରକାରୀ

ବାଲିପାଟଣା: ବାଲିପାଟଣା ଶିଶିଲୋର ଆଶିଷ ଓଝା ହତ୍ୟା ମାମଲାର ପର୍ଦ୍ଦାଫାସ୍ । ସାଙ୍ଗ ସାଜିଥିଲେ ଷଡ଼ଯନ୍ତ୍ରକାରୀ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜ କିଶୋର ଦାଶ ଓରଫ ରାଜା, ସହଯୋଗୀ ରାକେଶ ସେଠୀ ଓ ଦୁର୍ଯୋଧନ ବେହେରାକୁ ଗିରଫ କରିଛି ବାଲିପାଟଣା ଥାନା ପୋଲିସ । ଆଶିଷଙ୍କ ଭଉଣୀକୁ ଏକ ତରଫା ପ୍ରେମ କରୁଥିଲା ମାଷ୍ଟରମାଇଣ୍ଡ ରାଜକିଶୋର ଓରଫ ରାଜା । ଏହାକୁ ବିରୋଧ କରୁଥିଲେ ଆଶିଷ । ତେଣୁ ଭାଇକୁ ରାସ୍ତାରୁ ହଟାଇବାକୁ ହୋଇଥିଲା ପ୍ଲାନ । ଏଥିରେ ସହଯୋଗ କରିଥିଲା ସାଙ୍ଗ ରାକେଶ ।

ଘଟଣା ଦିନ ଆଶିଷର ସାଙ୍ଗ ରାକେଶ ସେଠୀ ରାତି ୯ଟାରେ ଫୋନ କରି ଡାକିଥିଲା । ନିଶା ସେବନ କରିବାକୁ କହି ବୋଧଖଣ୍ଡି ଆମ୍ବତୋଟାକୁ ଡାକି ଥିଲା ରାକେଶ । ପୂର୍ବ ଯୋଜନା ମୁତାବକ ରାଜା, ଦୁର୍ଯୋଧନ ଓ ରାକେଶ ଆଶିଷଙ୍କୁ ଶକ୍ତ ଆଘାତ ଦେଇଥିଲେ । ତା ପରେ ଆଶିଷଙ୍କ ବେକକୁ ଗାମୁଛାରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ମୃତ୍ୟୁ ପରେ ମୃତଦେହକୁ ବିଲ ମଝିକୁ ଫିଙ୍ଗି ଦେଇଥିଲେ । ଘଟଣାସ୍ଥଳରୁ ଆଶିଷଙ୍କ ମୃତଦେହ ମିଳିଥିବା ବେଳେ ଏଯାଏଁ ମିଳିନି ମୋବାଇଲ । ତେବେ ଆଜି ପୋଲିସ କ୍ରାଇମସିନ୍ ରିକ୍ରିଏଟ କରିପାରେ ।

ଭିଜିଲାନ୍ସ ଜାଲରେ ଅତିରିକ୍ତ ଥାନା ଅଧିକାରୀ, କେସ୍ କୋହଳ କରିବାକୁ ନେଉଥିଲେ ଲାଞ୍ଚ

ଉମରକୋଟ: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ । ପୁରୁଣା କେସକୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ନେଉଥିଲେ ଲାଞ୍ଚ । ଟଙ୍କା ନେଇ ଯାଉଥିବା ସମୟରେ ରାତି ୧୧ଟାରେ ଲିମରାଜ ପ୍ରଧାନଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ । ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ୱରେ ମାଲକାନଗିରି ଭିଜିଲାନ୍ସ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଦୌଡ଼ି ପଳାଉଥିବା ବେଳେ ଲିମରାଜଙ୍କୁ କାବୁ କରିଛି ଭିଜିଲାନ୍ସ । ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ଲିମରାଜଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ।

ଏହି ଟିମରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣ ସାମିଲ ଥିଲେ । ଭିଜିଲାନ୍ସ ଲିମରାଜଙ୍କୁ କାବୁ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । କିଛି ଦିନ ପୂର୍ବରୁ ଲିମରାଜ ପ୍ରଧାନ ଖାତୀଗୁଡ଼ା ଥାନାକୁ ବଦଳି ହୋଇଥିଲେ ।

 

ପ୍ରକାଶ ପାଇଲା JEE MAIN ସେସନ୍-୧ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି JEE MAIN ସେସନ୍-୧ ରେଜଲ୍ଟ । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । NTAର ଅଫିସିଆଲ୍ ଓ୍ୱେବସାଇଟ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ । ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ-୧ ପରୀକ୍ଷା ଦେଇଥିଲେ । ଜୁଲାଇ ୨୧ରୁ ୩୦ ପର୍ଯ୍ୟନ୍ତ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ହେବ । ଜେଇଇ ମେନ୍ ସେସନ-୨ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜୁଲାଇ ୯ତାରିଖରେ ଶେଷ ହୋଇଛି । ଜେଇଇ ମେନ୍ ରେଜଲ୍ଟ ନିଷ୍ପତ୍ତି ନେବ କେଉଁମାନେ ଜେଇଇ ଆଡଭାନ୍ସ ପାଇଁ ହେବେ ଯୋଗ୍ୟ ।

ଆଜିଠୁ ପୁଣି ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା, ପ୍ରସ୍ତୁତ ଅଛି ସ୍ଥାନୀୟ ପ୍ରଶାସନ

ଅମରନାଥ: ଆଜିଠୁ ପୁଣି ଆରମ୍ଭ ହେବ ଅମରନାଥ ଯାତ୍ରା । ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ବଡ଼ ଅଘଟଣ ଘଟିଥିଲା । ମୂଷଳଧାରାରେ ବର୍ଷା ଆସିବାରୁ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି । ଏଥିପାଇଁ କଶ୍ମୀରରେ ଥିବା ଦୁଇଟି ବେସ୍ କ୍ୟାମ୍ପରୁ ଅମରନାଥ ଯାତ୍ରାକୁ ବାତିଲ କରାଯାଇଥିଲା । କିନ୍ତୁ ଦୁଇ ଦିନ ପରେ ପୁଣି ସବୁ ପ୍ରସ୍ତୁତି କରିଛି ସ୍ଥାନୀୟ ପ୍ରଶାସନ । ତେଣୁ ଆଜିଠୁ ପୁଣି ଅମରନାଥ ଯାତ୍ରା ଆରମ୍ଭ ହେବ ।

ଗତ ଜୁନ୍‌ ୩୦ରୁ ବାର୍ଷିକ ୪୩ ଦିନିଆ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିଥିଲା । ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାରେ ପ୍ରାର୍ଥନା କରିଛନ୍ତି । ଏଠାରେ ବରଫାକୃତିର ଶିବଲିଙ୍ଗ ରହିଛି । ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ଜୁନ୍‌ ୨୯ ପରଠାରୁ ପ୍ରାୟ ୧୦ଟି ବ୍ୟାଚର ୬୯ ହଜାର ୫୩୫ ଶ୍ରଦ୍ଧାଳୁ ଜମ୍ମୁ ଭେଲିରେ ଥିବା ଭଗବତୀନଗର ବେସ କ୍ୟାମ୍ପରୁ ଅନୁମତି ପାଇ ଯାତ୍ରା କରିଥିବା ରେକର୍ଡରୁ ଜଣାପଡ଼ିଛି ।

ରାଜ୍ୟରେ ଜାରି ରହିଛି ମୌସୁମୀ ଓ ଲଘୁଚାପ ଜନିତ ବର୍ଷା, ଆସନ୍ତା ୧୪ ଯାଏ ନାହିଁ ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଓ ଲଘୁଚାପ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ କେନ୍ଦ୍ରୀଭୂତ ଥିବା ଲଘୁଚାପ ପ୍ରଭାବରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, କଳାହାଣ୍ଡି, ବଲଙ୍ଗୀର, ବରଗଡ଼ । ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାସହ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରଣୀ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ ୧୪ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଓଡ଼ିଶା ଉପରେ ଦୁଇଦିନ ରହିବା ପରେ ଉତ୍ତର ପଶ୍ଚିମ ଆଡ଼େ ଗତି କରିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଏହାର ପ୍ରଭାବରେ ୧୪ରୁ ୧୬ ତାରିଖ ଯାଏ ବର୍ଷା ହେବାର ଆକଳନ କରାଯାଇଛି ।

ଶେଷ ହୋଇଛି ସୁନାବେଶ, ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି

ପୁରୀ: ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅ ପାଣିରେ ପଣା ପ୍ରସ୍ତୁତ ହେବ । ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ ।

ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବାଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି । ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ । ତାହାକୁ ଅନ୍ୟ ଦେବାଦେବୀ, ଭୂତପ୍ରେତ ପାଇଥାନ୍ତି ବୋଲି କୁହାଯାଏ ।

କିର୍ଗିୟୋସଙ୍କୁ ହରାଇ ୱିମ୍ବଲଡନ ଟାଇଟଲ ହାତେଇଲେ ଜୋକୋଭିକ, ୨୧ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଲେ

ଲଣ୍ଡନ: ବିଶ୍ୱର ନମ୍ବର ୩ ଟେନିସ ଖେଳାଳି ନୋଭାକ ଜୋକୋଭିକ ୱିମ୍ବଲଡନ ୨୦୨୨ ପୁରୁଷ ଏକକ ଟାଇଟଲ ଜିତିଛନ୍ତି । ରବିବାର ଲଣ୍ଡନରେ ଜୋକୋଭିକ ଏବଂ ନିକ କିର୍ଗିୟୋସଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଚାରୋଟି ସେଟରେ ୪-୬, ୬-୩, ୬-୪, ୭-୬ (୭-୩)ରେ ଜୋକୋଭିକ ଏହି ଶେଷ ମ୍ୟାଚ ଜିତିନେଇଛନ୍ତି । ଦୁଇ ଖେଳାଳିଙ୍କ ମଧ୍ୟରେ ଏହି ରୋମାଞ୍ଚକର ମୁକାବିଲା ୩ ଘଣ୍ଟା ଚାଲିଥିଲା । ଆଜିର ବିଜୟକୁ ମିଶାଇ ଜୋକୋଭିକ ୭ଥର ୱିମ୍ବଲଡନ ଟାଇଟଲ ଜିତିଛନ୍ତି ଏବଂ ମୋଟ ୨୧ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି ।

ପ୍ରଥମ ସେଟରେ ଜୋକୋଭିକଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଅନ୍ୟ ତିନୋଟି ସେଟ ଜିତି ଚମ୍ପିଆନ ହୋଇଛନ୍ତି  । ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ଜୋକୋଭିକ ରୋଜର ଫେଡରରଙ୍କୁ ପଛରେ ପକାଇ ଦେଇଛନ୍ତି । ରୋଜର ଫେଡରର ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ  । ତେବେ ୱିମ୍ବଲଡନରେ ମଧ୍ୟ ସେ ୭ଥର ବିଜୟ ହୋଇ ଟାଇଟଲ ଜିତିଛନ୍ତି । ଏହା ପୂର୍ବରୁ ଜୋକୋଭିକ ୨୦୧୧, ୨୦୧୪, ୨୦୧୫, ୨୦୧୮, ୨୦୧୯ ଏବଂ ୨୦୨୧ରେ ଟାଇଟଲ ହାତେଇଥିଲେ । ଟେନିସ ଜଗତରେ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ ରାଫେଲ ନାଡାଲ ଜିତିଛନ୍ତି  । ସେ ୨୨ ଥର ଟାଇଟଲ ଜିତି ଶୀର୍ଷରେ ଅଛନ୍ତି ଏବେ ଜୋକୋଭିକ ୨୧ଥର ଜିତି ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି  ।

ହୃଦୟ ବିଦାରକ; ଭାଇର ଶବକୁ ଧରି ରାସ୍ତା କଡ଼ରେ ବସିଛି ଭାଇ, କେହି କଲେନି ସହାୟତା

ଭୋପାଳ: ବଡ଼ ଭାଇ କୋଳରେ ଦୁଇ ବର୍ଷର ସାନ ଭାଇର ମୃତ ଦେହ । ମୃତ ଦେହ ଉପରେ ଧଳା ଚାଦର ଘୋଡାଯାଇଛି । ଗୋଟିଏ ପଟେ ମୃତ ଭାଇର ହାତ ବାହାରକୁ ବାହାରି ଆସିଛି । ସାନଭାଇ ରାଜାର ମୁଣ୍ଡକୁ ବଡ଼ ଭାଇ ନିଜ କୋଳରେ ଥୋଇଛି । ରାସ୍ତା କଡ଼ରେ ବସି ରହିଛି ବଡ ଭାଇ । ମଝିରେ ମଝିରେ ସାନଭାଇର ମୃତଦେହକୁ ଥାପୁଡେଇ ଦେଉଛି । ଲୁହଭରା ଆଖିରେ ଗାଡିକୁ ଅପେକ୍ଷା କରିଛି । ଗାଡି ଆସିଲେ ଭାଇର ମୃତଦେହକୁ ନେଇ ଗାଁକୁ ଯିବ । ବାପା ଏଣେ ତେଣେ ଅତି ବ୍ୟସ୍ତତାର ସହ ଗାଡି ଖୋଜୁଛନ୍ତି । ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଳରେ ।

ଭୋପାଳରୁ ୩୦ କିଲୋମିଟର ଦୁରରୁ ଦୁଇ ବର୍ଷର ପୁଅକୁ ଡାକ୍ତରଖାନାକୁ ଆଣିଥିଲେ ବାପା । ଗୁରୁତର ରୋଗରେ ପୀଡିତ ଥିବା ରାଜାର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଗାଁରୁ ଆସିଥିବା ଆମ୍ବୁଲାନ୍ସ ଫେରିଯାଇଥିବା ବେଳେ ସେଠାରେ ଆଉ ଆମ୍ବୁଲାନ୍ସ ମିଳିନଥିଲା । ବାପା ଯେତେ ନେହୁରା ହୋଇଥିଲେ ମଧ୍ୟ କେହି ଖାତିର ବି କରିନଥିଲେ । ଆମ୍ବୁଲାନ୍ସ ଦେଢ ହଜାର ଟଙ୍କା ମାଗିବାରୁ ନିଜ ଅକ୍ଷମତା ଦର୍ଶାଇଥିଲେ ବାପା ।

ଶେଷରେ ସାନ ପୁଅର ଶବ ସହ ବଡ଼ ପୁଅକୁ ଧରି ଡାକ୍ତରଖାନାରୁ ପଳାଇଆସିଥିଲେ । ରାସ୍ତାରେ କଡ଼ରେ ବଡ଼ ପୁଅକୁ ବସାଇ ବାପା ଗାଡି ଖୋଜିବାକୁ ଯାଇଥିଲେ । ଏହି ସମୟରେ ଅନେକ ଲୋକ ଏଭଳି ସ୍ଥିତିକୁ ଦେଖି ବିଚଳିତ ହୋଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଅନେକ ସମୟର କସରତ ପରେ ଆମ୍ବୁଲାନ୍ସ ଆସି ମୃତଦେହକୁ ନେଇ ସେଠାରୁ ଯାଇଥିଲା । ଏହି ଘଟଣାକୁ ସୋସିଆଲ ମିଡିଆରେ ପ୍ରବଳ ନିନ୍ଦା କରାଯାଇଛି । ପ୍ରଶାସନର ସ୍ବଚ୍ଛଳ ଶାସନର ସତ ଚିତ୍ର ପଦାକୁ ଆସିଛି ଅନେକ କହିଛନ୍ତି ।