୧୩ ଦିନ ପରେ ଆଖିବୁଜିଲେ ଦୁଷ୍କର୍ମ ପୀଡିତ, ରଡ୍‌ ଭର୍ତ୍ତି କରିଦେଇଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସହ ପୁରୁଷ ବି ଏବେ ଅସୁରକ୍ଷିତ  । ୧୩ ଦିନ ପରେ ଆଖିବୁଜିଲା ଦୁଷ୍କର୍ମ ପୀଡିତ  । ଅପ୍ରାକୃତିକ ଯୌନ ଶୋଷଣର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ୧୦ ବର୍ଷୀୟ ନାବାଳକ  । ଦିଲ୍ଲୀ ସିଲମପୁର ଅଞ୍ଚଳର ପୀଡିତ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି  । ଘଟଣାରେ ଅଭିଯୁକ୍ତ ଦୁଇ ଜଣ ନାବାଳକଙ୍କୁ ଗିରଫ କରାଯାଇଛି  । ଅନ୍ୟ ଜଣେ ନାବାଳକ ଏବେବି ଫେରାର ଅଛି ।

ଗତ ୧୮ ସେପ୍ଟେମ୍ବରରେ ତିନି ଅଭିଯୁକ୍ତ ମୃତ ନାବାଳକ ସାଙ୍ଗକୁ ଖେଳିବାକୁ ଡାକି ନେଇଯାଇଥିଲେ  । ସେଠାରେ ଗଣଦୁଷ୍କର୍ମ କରିବା ସହ ପୀଡିତର ଗୁପ୍ତାଙ୍ଗରେ ଲୁହାରଡ ଭର୍ତ୍ତି କରି ଦେଇଥିଲେ ତିନି ସାଙ୍ଗ  । ଲହୁଲୁହାଣ ହୋଇ ମୃତ ନାବାଳକ ଘରକୁ ଫେରିଥିଲା ସତ  । ହେଲେ ଘରେ କାହାକୁ କିଛି ଜଣାଇ ନଥିଲା  । କିନ୍ତୁ ତିନି ଦିନ ପରେ ନାବାଳକର ସ୍ବାସ୍ଥ୍ୟ ବିଗିଡିବାରୁ ମା’ଙ୍କୁ ଜଣାଇଥିଲା ନାବାଳକ। ପୁଅର ଯନ୍ତ୍ରଣା ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର । ନିର୍ଭୟା କାଣ୍ଡ ଭଳି ନାବାଳକ ସହ ଘଟିଥିବା କିଛି ମିଡିଆ ରିପୋର୍ଟ ଦାବି କରିଛନ୍ତି  ।

ଆଶ୍ଚର୍ଯ୍ୟର କଥା ହେଉଛି ସମସ୍ତ ଅଭିଯୁକ୍ତଙ୍କ ବୟସ ୧୨ ରୁ ୧୩ ବର୍ଷ ମଧ୍ୟରେ ହେବ  । ସେମାନଙ୍କ ମଧ୍ୟରୁ ଜଣେ ମୃତ ନାବାଳକର ସମ୍ପର୍କୀୟ ଭାଇ ଥିବା ତଦନ୍ତରୁ ଜଣାପଡିଛି । ଏହି ଘଟଣା ପରେ ଦିଲ୍ଲୀ ମହିଳା ଆୟୋଗ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି  ।