spot_img
Home Blog Page 4047

ଢେଙ୍କାନାଳ ଚନ୍ଦ୍ରଶେଖରପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ଢ଼େଙ୍କାନାଳ: ପରକୀୟା ପ୍ରୀତି ସନ୍ଦେହ, ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନୃଶଂସ ସ୍ୱାମୀ । କଟୁରୀରେ ବେକକୁ ହାଣିଦେଲା ସୈତାନ ସ୍ୱାମୀ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ । ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ସ୍ତ୍ରୀ ଶୁଚଳା ମାଝିର ମୁଣ୍ଡ କାଟିଦେଇ କଟାମୁଣ୍ଡକୁ ନେଇ ରାସ୍ତାରେ ଚାଲି ଚାଲି ଯାଉଥିଲେ । ରାସ୍ତାରେ ଯାଉଥିବା ଜସମୟରେ ଜଙ୍ଖିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକ ପତ୍ନୀହନ୍ତା କାବୁ କରିଥିଲେ । ଏହାପରେ ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିଛି ସାଇକୋ ସ୍ୱାମୀ । ପରେ ଗଂଦିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା, ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପରେ ଏବେ ଉତ୍ତର ମୁହାଁ ଲଘୁଚାପ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ ଉପକୂଳ ଓଡ଼ିଶାର ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଖସିବା ଓ ପାହାଡ଼ ଧସିବା ଆଶଙ୍କା ରହିଛି । ଏହା ସହିତ ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ ।

ସେପଟେ ଉପକୂଳ ଓଡ଼ିଶାରେ ବର୍ଷା ସମୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ସତର୍କ ରହିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଚଳିତ ମାସରେ ଦୁଇ ଦୁଇଟି ଲଘୁଚାପ ସତ୍ତ୍ୱେ ସ୍ୱାଭାବିକଠାରୁ ୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୬ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

ଆଜି ଭୁବନେଶ୍ୱର ଓ ସମ୍ବଲପୁରରେ ମାଟ୍ରିକ ଉତ୍କର୍ଷ ସମ୍ମାନ-୨୦୨୨, ସମ୍ବର୍ଦ୍ଧିତ ହେବେ ସଫଳ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦୁଇ ବର୍ଷର କରୋନା ସ୍ଥିତି ପରେ ଚଳିତ ବର୍ଷ ସ୍ୱାଭାବିକ ହୋଇଛି ଜୀବନ । ନିକଟରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମିଳିଛି ଅଦ୍ଭୂତପୂର୍ବ ସଫଳତା । ଏଥର ଭଲ ହୋଇଛି ରେଜଲ୍ଟ । କଠିନ ପରିଶ୍ରମ, ଅଧ୍ୟାବସାୟ ବଳରେ ଉତ୍ତମ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କର ଉଜ୍ୱଳ ରାସ୍ତାରେ ସେମାନଙ୍କୁ ଉତ୍ସାହିତ କରିବାକୁ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ପରିବାର ଆୟୋଜିତ କରିଛି ସମ୍ବର୍ଦ୍ଧନା ଉତ୍ସବ ମାଟ୍ରିକ ଉତ୍କର୍ଷ ସମ୍ମାନ-୨୦୨୨ ।

ଏଥିରେ ସମସ୍ତ ୩୦ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ପାସ୍ କରିଥିବା ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ଜୟଦେବ ଭବନରେ ୧୬ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ଥିବାବେଳେ ସମ୍ବଲପୁରଠାରେ ସକାଳ ୯ଟାରେ ଅବଶିଷ୍ଟ ୧୪ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । କେବଳ ଛାତ୍ରଛାତ୍ରୀ ନୁହେଁ କିଛି ଦକ୍ଷ ତଥା ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବ ସକାଳ ଓ ନନ୍ଦିଘୋଷ ଟିଭି ପରିବାର ।

ଆଜି ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନ, ସରଗରମ ରହିବ ଗୃହ

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନ । ଆଜି ବି ବେଶ୍ ସରଗରମ ରହିବ ଗୃହ । ପ୍ରଶ୍ନକାଳରେ ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତଶିଳ୍ପ, ଶକ୍ତି, ବିଜ୍ଞାନ ଓ କାରିଗରୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସରକାରୀ ଉଦ୍ୟୋଗ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୂନ୍ୟ କାଳରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ ।

ଏହାପରେ ବିଜେପି ଦେଇଥିବା ଗଣଶିକ୍ଷା ବିଭାଗର ଅବ୍ୟବସ୍ଥା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଦୁଇଦିନ ହେବ ଆଲୋଚନା ହୋଇ ପାରିନଥିବାରୁ ଆଜି ଆଲୋଚନା ହେବାର ସମ୍ଭାବନା ରହିଛି । ଅପରାହ୍ନ ଅଧିବେଶନରେ ଗ୍ରାମ୍ୟ ଉନ୍ନୟନ ଏବଂ ନିର୍ମାଣ ବିଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେବ ।

 

ଅର୍ଥନୈତିକ ସଙ୍କଟକୁ ନେଇ ଇସ୍ତଫା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି

ରୋମ୍: ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଦେଲେ ଇସ୍ତଫା । ଦେଶରେ ଅର୍ଥନୈତିକ ସଂକଟକୁ ନେଇ ସହଯୋଗୀ ଦଳ ଫାଇଭ ଷ୍ଟାର ଦଳର ସମର୍ଥନ ପ୍ରତ୍ୟାହାର ପରେ ଇସ୍ତଫା ଦେଇଛନ୍ତି ଦ୍ରାଘି । ଇସ୍ତଫା ପତ୍ରକୁ ରାଷ୍ଟ୍ରପତିଙ୍କୁ ସେ ଦେଇଛନ୍ତି । କିଛି ଦିନ ଧରି ଅର୍ଥନୈତିକ ପ୍ୟାକେଜକୁ ନେଇ ବିବାଦ ଚାଲିବା ପରେ ସେ  ଇସ୍ତଫା ଦେଇଛନ୍ତି । ଗତବର୍ଷ ଫେବ୍ରୁଆରୀରୁ ମାରିଓ ଦ୍ରାଘି ଥିଲେ ଇଟାଲିର ପ୍ରଧାନମନ୍ତ୍ରୀ । ଏକ ବାର୍ତ୍ତାରେ ସେ କହିଛନ୍ତି ଦେଶରେ ଏକ ମିଳିତ ସରକାର ଲାଗି ସେ ସମସ୍ତ ଚେଷ୍ଟା କରିଥିଲେ ବି ତାହା ବିଫଳ ହୋଇଛି । ଦେଶବାସୀ ଓ ବ୍ୟବସାୟୀଙ୍କ ଲାଗି ୨୩ ବିଲିୟନ ୟୁରୋର ପ୍ୟାକେଜକୁ ନେଇ ଅସନ୍ତୁଷ୍ଟ ଥିଲେ ଫାଇଭ୍ ଷ୍ଟାର ଦଳ ନେତା ଗୁଏସେପେ କୋଣ୍ଟେ । ଲୋକଙ୍କ ଜୀବନର ମାନବୃଦ୍ଧି ଲାଗି ସରକାର ଅକ୍ଷମ ବୋଲି ଦର୍ଶାଇଥିଲେ କୋଣ୍ଟେ ।

ଆଜିଠୁ ମାଗଣା ବୁଷ୍ଟର ଡୋଜ, ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ପ୍ରିକସନ୍ ଭ୍ୟାକସିନ୍

ଭୁବନେଶ୍ୱର: ଆଜିଠୁ ମିଳିବ ମାଗଣା ବୁଷ୍ଟର ଡୋଜ୍ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ୍ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ଏବେ ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି ତେଣୁ ସମସ୍ତ ବର୍ଗର ଲୋକଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦେଉଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ପାଖାପାଖି ୩ ହଜାର ସରକାରୀ ଟିକାକରଣ କେନ୍ଦ୍ର ରହିଛି । ସେଠାରେ ମାଗଣାରେ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ ।

ବୁଷ୍ଟର ଡୋଜ୍ ଟିକା ପଞ୍ଜିକରଣ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ବ୍ୟବସ୍ଥା କରାଯାଇଛି । ଟିକାକରଣ କେନ୍ଦ୍ରଗୁଡ଼ିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ରାଜ୍ୟରେ ଏହି ବର୍ଗର ମୋଟ ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକ ଅଛନ୍ତି । ସେଥିମଧ୍ୟରୁ ମାତ୍ର ୧ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରିକସନ୍ ଡୋଜ ନେଇଛନ୍ତି । ଅର୍ଥାତ ୯୯ ପ୍ରତିଶତ ଲୋକ ବୁଷ୍ଟରଡୋଜ୍ ନେଇନାହାନ୍ତି ।

୧୦ ଜିଲ୍ଲାରେ ସୀମିତ ରହିଛି ମାଓବାଦୀ କାର୍ଯ୍ୟକଳାପ

ଭୁବନେଶ୍ବର: ରାଜ୍ୟର ୧୦ଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ସୀମିତ ରହିଛି । ମାଲକାନଗିରି ସ୍ବାଭିମାନ ଅଞ୍ଚଳଠୁ ଆରମ୍ଭ କରି କଳାହାଣ୍ଡି, ରାୟଗଡା, କନ୍ଧମାଳ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରଶାସନର ଲୋକଭିମୁଖୀ କାର୍ଯ୍ୟ ଯୋଗୁଁ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ବିଧାନସଭା ଗୃହ ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ୨୦୨୧ରେ ୨୮ଟି ମାଓବାଦୀ କାର୍ଯ୍ୟକଳାପ ସଙ୍ଗଠିତ ହୋଇଥିବା ବେଳେ ଦୁଇଜଣ ସାଧାରଣ ନାଗରିକ ଓ ଜଣେ ସୁରକ୍ଷାକର୍ମୀଙ୍କ ପ୍ରାଣହାନୀ ଘଟିଥିଲା । ୮ ହାର୍ଡକୋର ମାଓବାଦୀ ଗିରଫ ହୋଇଥିଲେ ।

ମାଲକାନଗିରି, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡରେ ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ୨୩୬ ଜଣଙ୍କୁ ଗିରଫ କରାଯାଇଛି । ୨୦୨୧ରେ ମୋଟ ଏକ ଲକ୍ଷ ୫୫ ହଜାର ୪୨୦ଟି ଧର୍ତ୍ତବ୍ୟ ମାମଲା ପଞ୍ଜିକୃତ ହୋଇଛି । ୨୦୨୧ରେ ମୋଟ୍ ୧୩୯୪ଟି ହତ୍ୟା ୫୫୫୨ଟି ଡକାୟତି, ୨୮୨୬ଟି ଲୁଟ, ୫୧୩୩ ସିନ୍ଧିଚୋରି, ୧୩ ହଜାର ୨୪ଟି ଚୋରି, ୩୩୦୦ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି । ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଥିବାରୁ ୨୦୨୧ରେ ୧୧୬ଟି ମାମଲାକୁ ରେଡପ୍ଲାଗ ମାମଲା ଭାବେ ବିବେଚନା କରି ତଦନ୍ତ କରିଥିଲା । ଏହିସବୁ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ରେଡଫ୍ଲାଗ ମାମଲାରେ ୨୦୨୧ରେ ଅପରାଧ ସାବ୍ୟସ୍ତ ହାର ୪୫.୨୮ ପ୍ରତିଶତ ଥିଲା । ନାବାଳକ ଶିଶୁଙ୍କ ଅପହରଣକୁ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଆଣ୍ଟି ହ୍ୟୁମନ ଟ୍ରାଫିକିଂ ୟୁନିଟ୍ ସ୍ଥାପନ କରିଛନ୍ତି ।  ଏହାଦ୍ବାରା ୨୫୮ ପୁଅ ଓ ୧୫୦୬ ଝିଅଙ୍କୁ ଉଦ୍ଧାର କରାଯାଇପାରିଛି ।

୨୦୨୧ରେ ୭୭ଟି ସାଇବର ଅପରାଧ ପଞ୍ଜିକୃତ ହୋଇଛି । ଏଥିରେ ୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ଟି ଘଟଣାରେ ଆନ୍ଥଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ରହିଥିଲା । ସେହିଭଳି ୨୦୨୧ରେ ୧୭ଟି ଅର୍ଥନୌତିକ ଅପରାଧୀକ ମାମଲାରେ ୨୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ମୋଟ ୪ କୋଟି ୭୦ ଲକ୍ଷ ଟଙ୍କା ଜବତ କରାଯାଇଛି । ସେହିଭଳି ରାଜ୍ୟରେ ୨୦୨୧ରେ ୨୮ଟି ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲଣ ମାମଲା ପଞ୍ଜିକୃତ ହୋଇଛି ।

ଏଣିକି ରାଜ୍ୟରେ ହେବ ଶିଶୁଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ବର: ଶିଶୁମାନଙ୍କ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଆଜି ବେଙ୍ଗଳୁରୁ ଆସ୍ତର ସିଏମଆଇ ହସପିଟାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷର ହେଲା ବୁଝାମଣାପତ୍ର । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ, ଆସ୍ତର ସିଏମଆଇ ହସପିଟାଲ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ନିତିଶ ସେଟ୍ଟୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏମଇଟି ଡାକ୍ତର ଉମାରମଣ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି । ଏହି ସୁବିଧା ପ୍ରଥମ ଥର ପାଇଁ ଏସସିବି ମେଡିକାଲରେ ଉପଲବ୍ଧ ହେବ । ଏଠାରେ ଆସ୍ତର ହସ୍ପିଟାଲ ଡାକ୍ତରମାନେ ଯକୃତ ରୋଗରେ ପୀଡିତ ଶିଶୁମାନଙ୍କ ପରୀକ୍ଷା କରିବା ପରେ ଅସ୍ତ୍ରୋପଚାରର ଅବଶ୍ୟକତା ପଡ଼ିଲେ ସେମାନଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇଦେବେ ।

ଏହାସହ ଆସ୍ତର ପକ୍ଷରୁ ଡାକ୍ତର, ନର୍ସ, ପାରାମେଡିକ୍ସମାନଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟ ସମ୍ପର୍କିତ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯିବ । ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବାଦ୍ବାରା ରାଜ୍ୟରେ ସୁପରସ୍ପେସିଆଲିଟି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ଏହାଦ୍ବାରା ପ୍ରକୃତ ରୋଗୀ ବିନାମୂଲ୍ୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବ । ଏଥିପାଇଁ ଆଉ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ସରକାରଙ୍କ ଯୋଜନା ଅନୁଯାୟୀ ଆଗାମୀ ଦିନରେ ବୟସ୍କମାନଙ୍କୁ ମଧ୍ୟ ଲିଭର ଟ୍ରାନ୍ସପ୍ଲାଣ୍ଟ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ଅତିରିକ୍ତ ଡିଏମଇଟି ଡାକ୍ତର ଉମାକାନ୍ତ ଶତପଥୀ, ଆସ୍ତର ସିଇଓ ରମେଶ କୁମାର ଏସ୍, ଡାକ୍ତର ସୋନାଲ ଆସ୍ଥାନା ପ୍ରମୁଖ ଉପସ୍ଥିତ ଥିଲେ ।

ଇସ୍ତଫା ଦେଲେ ଗୋଟାବାୟା

କଲମ୍ବୋ: ଶେଷରେ ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ମାଳଦ୍ବୀପରୁ ଯାଇ ସିଙ୍ଗାପୁରରେ ପହଞ୍ଚିବା ପରେ ସେ ଦେଇଛନ୍ତି ଇସ୍ତଫା । ଗୋଟାବାୟା ଇସ୍ତଫା ଦେବା ପରେ ଲୋକେ ବାଣ ଫୁଟାଇବା ସହ ନାଚକୁଦ କରି ଖୁସି ମନାଇଛନ୍ତି । ଗୋଟାବାୟାଙ୍କ ଇସ୍ତଫା ନେଇ ସୂଚନା ଦେଇଛନ୍ତି ବାଚସ୍ପତି । ଫଳରେ ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ଇସ୍ତଫା ନେଇ ଚାଲିଥିବା ସସପେନ୍ସର ଅବସାନ ଘଟିଛି ।

ସେପଟେ ସିଙ୍ଗାପୁର ସରକାର କହିଛନ୍ତି ଗୋଟାବାୟଙ୍କ ସିଙ୍ଗାପୁର ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ସରକାରଙ୍କ ସହ ଏହାର ସମ୍ପର୍କ ନାହିଁ । ସେ ଶରଣପ୍ରାର୍ଥୀ ହେବା ଲାଗି ଆବେଦନ କରି ନଥିବା କହିଚନ୍ତି ସିଙ୍ଗାପୁର ସରକାର । ଦେଶରେ ଆନ୍ଦୋଳନ, ଅରାଜକତା ତୀବ୍ର ହେଉଥିବା ପରିପ୍ରେକ୍ଷୀରେ ଦେଶ ଛାଡ଼ି ପଳାୟନ କରିଥିଲେ ରାଜପକ୍ଷେ । ତାଙ୍କ ପଳାୟନ ପରେ ରାଷ୍ଟ୍ରପତି ଭବନରେ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ ।

୨୭ ବର୍ଷ ପରେ ଫେରିଲେ ସ୍ବାମୀ, ବିଧବା ପତ୍ନୀଙ୍କୁ ପୁଣି କଲେ ସଧବା

କଟକ: ୩ ବର୍ଷ ତଳେ ଶୁଦ୍ଧିକ୍ରିୟା ସରିଥିଲା । ହେଲେ ହଠାତ ଘରକୁ ଫେରିଲେ ମୃତ ବୋଲି ଭାବି ନିଆଯାଇଥିବା ବ୍ୟକ୍ତି । ସ୍ବାମୀ ଲେଉଟିବା ପରେ ପୁଣି ସିନ୍ଦୂର ପିନ୍ଧିଲେ ସ୍ତ୍ରୀ । ହାତରେ ଶଙ୍ଖା ପିନ୍ଧି ସଧବା ସାଜିଲେ । କଟକ ଜିଲ୍ଲା ସଦର ଥାନା ସଇଁଦା ଗାଁରେ ଘଟିଛି ଏଭଳି ଘଟଣା । ୨୭ ବର୍ଷ ହେଲା ନିଖୋଜ ଥିବା ସ୍ବାମୀ ଫେରି ଆସିବା ପରେ ଘରେ ଖେଳିଯାଇଛି ଖୁସିର ଲହରୀ । ବିଧବା ସାଜିଥିବା ପତ୍ନୀଙ୍କୁ ନିଜ ହାତରେ ଶଙ୍ଖା ଓ ସିନ୍ଦୂର ଦେଇ ସ୍ବାମୀ ସଜାଇଛନ୍ତି ସଧବା ।

ଆନନ୍ଦ ଓ ହୁଳହୁଳିର କୋଳାହଳରେ ଭରିଲା ହାତ, ପୂରିଲା ମଥା । ୨୭ ବର୍ଷ ପରେ ଫେରିଲା ସୁହାଗ ସିନ୍ଦୂର । ଇଏ ସେହି ଦମ୍ପତି, ସ୍ବପ୍ନାରାଣୀ ଓ ସ୍ବପ୍ନେଶ୍ବର । ଯାହାଙ୍କ ପାଇଁ ଆଜି ପରିବାରରେ ଖୁସି, ଗାଁରେ ଉଲ୍ଲାସ । କାରଣ ୩ ବର୍ଷ ତଳେ ମୃତ ଭାବି ଶୁଦ୍ଧକ୍ରିୟା ସରିଥିବା ସ୍ବାମୀଙ୍କର ହୋଇଛି ଘର ବାହୁଡ଼ା । ପୁଣି ବିଧବା ପତ୍ନୀଙ୍କ ହାତକୁ ଫେରିଛି ଶଙ୍ଖା । ସ୍ବପ୍ନାରାଣୀଙ୍କ ସିନ୍ଥିରେ ଦାଉଦାଉ ହୋଇଛି ସ୍ବପ୍ନେଶ୍ବର ପିନ୍ଧାଇ ଦେଇଥିବା ସିନ୍ଦୂର ।

ସଇଁଦା ଗାଁର ସ୍ବପ୍ନାରାଣୀ ଓ ସ୍ବପ୍ନେଶ୍ବର । ପରସ୍ପରର ହାତ ଧରି ସଂସାର ଗଢ଼ିଥିଲେ । ହେଲେ ୨୭ ବର୍ଷ ତଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇ କେଉଁ ଆଡ଼େ ଚାଲିଯାଇଥିଲେ ସ୍ବପ୍ନେଶ୍ବର । ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ସ୍ତ୍ରୀ ବିତାଇ ଦେଇଥିଲେ ୨୪ବର୍ଷ । ପରେ ସ୍ବପ୍ନେଶ୍ବରଙ୍କୁ ମୃତ ଭାବି ହିନ୍ଦୁ ରୀତିନୀତି ଅନୁସାରେ ଶୁଦ୍ଧିକ୍ରିୟା କରିଥିଲେ । ମାତ୍ର ପରେ ସ୍ବପ୍ନେଶ୍ବର ରାଜସ୍ଥାନର ଭରତପୁରରେ ଥିବା ଜଣାପଡ଼ିଥିଲା । ସେଠାରୁ ସ୍ବେଚ୍ଛାସେବୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକେ ।