ଧାମନଗର ପାଇଁ ବଢିଲା ହାର୍ଟବିଟ୍, ଆଜି ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ୧୫ ତାରିଖରେ ପାର୍ଥିପତ୍ର ଯାଞ୍ଚ କରାଯିବ । ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୧୭ । ନଭେମ୍ବର ୩ ତାରିଖରେ ଭୋଟିଂ ଓ ୬ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଗତ ସେପ୍ଟେମ୍ବର ୧୯ରେ ବିଷ୍ଣୁଙ୍କର ପରଲୋକ ହୋଇଥିଲା । ବିଷ୍ଣୁ ସେଠୀଙ୍କ ବିୟୋଗରେ ଖାଲି ପଡ଼ିଛି ଧାମନଗର ବିଧାନସଭା ଆସନ ।

ନଭେମ୍ବର ୩ରେ ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏସବୁ ଉପନିର୍ବାଚନ ପାଇଁ ୨୦୨୨ ଜାନୁଆରୀ ପହିଲା ସୁଦ୍ଧା ଭୋଟର ତାଲିକାରେ ନାଁ ଥିବା ଭୋଟର ଭୋଟ ଦେଇପାରିବେ । ତାରିଖ ଘୋଷଣା ପରଠାରୁ ଗଡ଼ ଦଖଲ କରିବାକୁ ରଣନୀତି ପ୍ରସ୍ତୁତି ଜୋରଦାର କରିଛନ୍ତି ସବୁ ଦଳ । ବାଲେଶ୍ୱର ପରି ଧାନନଗରରେ ବଡ଼ ବିଜୟ ବ୍ୟବଧାନରେ ଜିତିବାକୁ ବିଜେଡି ଆରମ୍ଭ କରିଛି ସମରସଜ୍ଜା । ଧାମନଗରରେ ପୁଣି ଥରେ କିପରି ଶଙ୍ଖ ବାଜିବ, ସେନେଇ ସେନାପତିଙ୍କୁ ଗୁରୁମନ୍ତ୍ର ଦେଇଛି ଦଳ । ଅନ୍ୟପଟେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରୟାସ କରିଛନ୍ତି ।