ଆଜି ପୁରୀରେ ବସିବ ଦେବସଭା, ବିଳମ୍ବିତ ରାତିରେ ସିଂହଦ୍ୱାର ଆଗରେ ଗୋଷାଣୀଙ୍କ ମେଳଣ ପର୍ବ

ପୁରୀ: ଆଜି ପୁରୀରେ ବସିବ ଦେବସଭା । ବିଳମ୍ବିତ ରାତିରେ ହେବେ ଗୋଷାଣୀଙ୍କ ମିଳନ ପର୍ବ । ପ୍ରତିକୂଳ ପାଗ ପାଇଁ ଗତକାଲି ମେଳଣକୁ ସ୍ଥଗିତ ରଖିଥିଲା ପ୍ରଶାସନ । ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବାର ପରମ୍ପରା ରହିଛି । ମହାଦୀପ ଉଠିବା ପରେ ହୋଇଥାଏ ମେଳଣ ଉତ୍ସବ । ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ୱତନ୍ତ୍ରତା । ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ । ତେବେ ଗତକାଲି ବର୍ଷା ଯୋଗୁଁ ମେଳଣ ସ୍ଥଗିତ ରଖାଯାଇଥିଲା ।

ସେପଟେ ଆଜି ରାଉରକେଲାରେ ହେବ ଭସାଣ ଶୋଭାଯାତ୍ରା । ଗତକାଲି ଗୁରୁବାର ଥିବାରୁ କୌଣସି ମଣ୍ଡପରେ ଭସାଣି କରାଯାଇନାହିଁ । ତେଣୁ ଆଜି ରାତି ୮ ସୁଦ୍ଧା ସହରର ସବୁ ମୂର୍ତ୍ତି ମେଳଣ ପଡ଼ିଆରେ ଏକାଠି ହେବା ପରେ ଆରମ୍ଭ ହେବ ବିସର୍ଜନ ଶୋଭାଯାତ୍ରା । ଚଳିତବର୍ଷ ସହରର ୧୦୮ଟି ପୂଜା ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା । ସେକ୍ଟର ୧୩ ମେଳଣ ପଡ଼ିଆରେ ସମସ୍ତ ପୂଜା ମଣ୍ଡପର ମେଢ଼ ଏକାଠି ହେଲା ବିସର୍ଜନ ପର୍ବ ଆରମ୍ଭ କରାଯିବ ।