ଆସନ୍ତା ୧୬ରୁ ଚୀନ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ, ତୃତୀୟ ଥର ଲାଗି ଜିନପିଙ୍ଗ ରାଷ୍ଟ୍ରପତି ହେବା ସମ୍ଭାବନା ଉଜ୍ୱଳ

1 min read

ବେଜିଂ: ତୃତୀୟ ଥର ଲାଗି ଚୀନ ରାଷ୍ଟ୍ରପତି ହୋଇପାରନ୍ତି ସି ଜିନପିଙ୍ଗ । ଏନେଇ ସମସ୍ତ ବାଟ ସଫା ହୋଇଛି । ସେପଟେ ଜିନପିଙ୍ଗ ଯଦି ପୁନର୍ବାର ରାଷ୍ଟ୍ରପତି ହୁଅନ୍ତି ତେବେ ତାଇଓ୍ୱାନ ଉପରେ ଚୀନ ଅଧିକ ବଳ କଷିବ ବୋଲି ଆଶଙ୍କା କରିଛି ତାଇଓ୍ୱାନ । ଆସନ୍ତା ୧୬ ତାରିଖରୁ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ବୈଠକ ଆରମ୍ଭ ହେଉଥିବାବେଳେ ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଗତ ଅଗଷ୍ଟରେ ତାଇଓ୍ୱାନକୁ ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରଠାରୁ ଚୀନ ଓ ତାଇଓ୍ୱାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ତାଇଓ୍ୱାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିଉ ତାଇ ସାନ କହିଛନ୍ତି- ଜିନପିଙ୍ଗ ନିଜ ହାତରେ ଅଧିକ କ୍ଷମତା ଠୁଳ କରିବେ ଏବଂ ତାଇଓ୍ୱାନ ବିରୋଧରେ ଅଭିଯାନ ଆରମ୍ଭ କରିବେ । ସେପଟେ ତାଇଓ୍ୱାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଚୀନ ପକ୍ଷରୁ କୌଣସି ପ୍ରକାର ଆକାଶ ସୀମା ଅତିକ୍ରମ କରାଗଲେ ଏହାର ପରିଣାମ ଭୋଗିବ ଚୀନ ।