କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ, ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଜିହାଦ ଶିକ୍ଷା ଦେଇଥିଲେ

1 min read

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ବୟାନକୁ ନେଇ ବିବାଦ । ଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋହସିନା କିଦଓ୍ବାଇଙ୍କ ଆତ୍ମଜୀବନୀ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗ ଦେବା ଅବସରରେ ଜିହାଦ ସମ୍ପର୍କରେ ପାଟିଲଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ସେ କହିଥିଲେ- ଗୀତାରେ ଜିହାଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମହାଭାରତ ଯୁଦ୍ଧ କାଳରେ ଅର୍ଜ୍ଜୁନଙ୍କୁ ଶ୍ରୀକୃଷ୍ଣ ଜିହାଦ ସମ୍ପର୍କରେ କହିଥିବାର ନଜିର ରହିଛି । ଇସଲାମରେ ଜିହାଦ ନେଇ ଅନେକ ଆଲୋଚନା ଜାରି ରହିଛି । ସମସ୍ତ ଚେଷ୍ଟା ସତ୍ତ୍ବେ ଯଦି ଜଣେ ସ୍ବଚ୍ଛ ଭାବନାକୁ ଗ୍ରହଣ କରିବାକୁ ଅସମର୍ଥ ତେବେ ସେଠାରେ ବଳ ପ୍ରୟୋଗ କରାଯାଇପାରେ ।

ଏହା ଉଭୟ କୋରାନ ଓ ଗୀତାରେ ବର୍ଣ୍ଣିତ ରହିଛି । ମହାଭାରତରେ ଏକ ଅଧ୍ୟାୟରେ ଜିହାଦ ସମ୍ପର୍କରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଏହି ଶିକ୍ଷା ଦେଇଛନ୍ତି । ୨୦୦୪ରୁ ୨୦୦୮ ଯାଏ କେନ୍ଦ୍ର ଗୃହମନ୍ତ୍ରୀ ଥିବା ଏବଂ ୧୯୯୧ରୁ ୧୯୯୬ ଯାଏ ଲୋକସଭା ବାଚସ୍ପତିଙ୍କ ବୟାନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ।