ବିଜ୍ଞପ୍ତି ଜାରି କଲେ ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ଦୋଦୋପାଞ୍ଚିଆ ନିଷ୍ପତ୍ତି । ଘଣ୍ଟାକରେ ବଦଳିଗଲା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି । ଛାତ୍ରଛାତ୍ରୀ ବିକ୍ଷୋଭ କିମ୍ବା ଗେଟ୍‌ ସାମ୍ନା ରାସ୍ତାରେ ଧାରଣା ବିରୋଧରେ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି କୁଳପତି । ଗଣତାନ୍ତ୍ରିକ ବିରୋଧ ଉପରେ କଟକଣାକୁ ତୀବ୍ର ବିରୋଧ ପରେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି । ଛାତ୍ରଛାତ୍ରୀମାନେ ବିକ୍ଷୋଭ କିମ୍ବା ଗେଟ ସାମ୍ନା ରାସ୍ତାରେ ଧାରଣା ଦେଲେ ବିଶ୍ବବିଦ୍ୟାଳୟରୁ ବାସନ୍ଦ, ବହିଷ୍କାର, ନିଲମ୍ବନ ସହ ଅର୍ଥଦଣ୍ଡରେ ଦଣ୍ଡିତ ହେବେ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । କ୍ୟାମ୍ପସ ମଧ୍ୟରେ ନିଶା ଦ୍ରବ୍ୟ ସେବନ ଉପରେ ବି କଟକଣା ଲଗାଯାଇଥିଲା । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଅଡିଓ କିମ୍ବା ଭିଡିଓ ରେକର୍ଡ କରି ପାରିବେନି । ଏହା ସହିତ ବିଜ୍ଞପ୍ତିରେ ୨୬ଟି ନିୟମାବଳୀ ଜାରି ହୋଇଥିଲା । ଯାହାକୁ ଦୃଢ ବିରୋଧ କରଥିଲେ ଛାତ୍ରଛାତ୍ରୀ । ବିରୋଧ, ପ୍ରତିବାଦ କରିବା ସମସ୍ତଙ୍କ ଅଧିକାର । ଏଣୁ ଏଭଳି ନିଷ୍ପତ୍ତିକୁ ନିନ୍ଦା କରାଯାଇଥିଲା । ପରେ ତରବରିଆ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି କୁଳପତି ।