ଏବେ ବି ଟଳିନି ବିପଦ; ଘନୀଭୂତ ହୋଇପାରୁନି ବାତ୍ୟା ସି-ତ୍ରଙ୍ଗ

1 min read

ଭୁବନେଶ୍ୱର : ଘନୀଭୂତ ହୋଇପାରୁନି ବାତ୍ୟା ସି-ତ୍ରଙ୍ଗ । ଓଡିଶାରୁ ଏବେ ବି ଟଳିନି ବାତ୍ୟା ବିପଦ । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଧିମେଇ ଯାଇଛି । ଏବେବି ଆଣ୍ଡାମାନ ସାଗରରେ ସ୍ଥିର ରହିଛି ଲଘୁଚାପ । ଏନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ଉକ୍ତ ଲଘୁଚାପ ଘନୀଭୂତ ହୋଇପାରୁନାହିଁ ।

ଆସନ୍ତକାଲି ସୁଦ୍ଧା ଦୁଇ ଲଘୁଚାପ ମିଶି ଗୋଟିଏରେ ପରିଣତ ହେବ । ଏହା କ୍ରମେ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୨ ତାରିଖରେ ଏହା ଅବପାତ ଓ ୨୩ରେ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ଭଦ୍ରକ ଉପକୂଳବର୍ତ୍ତୀ ଅଞ୍ଚଳରେ ରିକର୍ଭ କରିବ ବାତ୍ୟା ।

ଓଡିଶା ଉପକୂଳରୁ ଉତ୍ତର ଆଡ଼କୁ ରିକର୍ଭ କରିବ ବାତ୍ୟା । ଏହା ସ୍ଥଳଭାଗ ଠାରୁ ପ୍ରାୟ ୫୦ ରୁ ୭୦ କିମି ଦୂରରେ ରିକର୍ଭ କରିବାର ସମ୍ଭାବନା ରହୁଛି ବୋଲି କହିଛନ୍ତି ଶରତ ସାହୁ । ଏହା ଫଳରେ ଉତ୍ତର ଓଡିଶା ତଟବର୍ତୀ ଅଞ୍ଚଳରେ ପଡିବ ପ୍ରଭାବ । ଘଣ୍ଟାପ୍ରତି ୮୦ ରୁ ୧୦୦ କିମି ବେଗରେ ବହିବ ପବନ ।

୨୩ରାତିରୁ ଉପକୂଳ ଓଡିଶାରେ ଆରମ୍ଭ ହେବ ବର୍ଷା । ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଠାରୁ ୧୫ କିଲୋମିଟର ମଧ୍ୟରେ ଜନବସତି ଙ୍କୁ ସୁରକ୍ଷିତ ସ୍ଥାନକୁ ନେବାପାଇଁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ସ୍ବାଭାବିକ ଠାରୁ ଦୁଇଗୁଣ ଉଚ୍ଚର ଆସିବ ଜୁଆର ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।