spot_img
Home Blog Page 3984

ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ

ବ୍ରହ୍ମପୁର: ଲଗାଣ ବର୍ଷାରେ ନଦୀରେ ପ୍ରବଳ ପାଣି ଆସି ଭସାଇ ନେଲା ଅସ୍ଥାୟୀ ପୋଲ । ବାଲିଗୁଡା ଉପଖଣ୍ଡର କ.ନୂଆଗାଁ ବ୍ଲକ୍ ଗୁଞ୍ଜିବାଡି ପଞ୍ଚାୟତର ଲକେବାଡି ଠାରୁ ବିରିନ୍ଦାପଡାକୁ ଯିବା ପାଇଁ କାଲିପେନୁ ନାଳ ଉପରେ ନିର୍ମାଣ ହୋଇଥିଲା ଏହି କାଠପୋଲ । ୭ରୁ ୮ଟି ଗାଁ ଲୋକେ ଜଳବନ୍ଦୀ । ପ୍ରଶାସନର ଅବହେଳା କାରଣରୁ ନଦୀ ଉପରେ ଏକ ପୋଲ ତିଆରି ହୋଇ ପାରୁନଥିବା ବେଳେ ଗାଁ ଲୋକେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଏହି କାଠପୋଲ ନିର୍ମାଣ କରିଥିଲେ । ଯାହାକୁ ବର୍ଷା ପାଣି ଭସାଇ ନେଇଛି ।

ପୋଲ ଭାସିଯିବା ପରେ ଦୁଇ ପଟରେ ରହୁଥିବା ଲୋକଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି । ଏପରିକି ଉଭୟ ପାର୍ଶ୍ବରେ ଥିବା ଜମିକୁ ଲୋକେ ଯାଇ ପାରୁନାହାନ୍ତି ।

ବାରମ୍ବାର ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନ ଲୋକଙ୍କ ଦାବିକୁ ଅଣଦେଖା କରି ଆସିଛି । ଯାହା ଫଳରେ ଲୋକେ ଏକାଠି ହୋଇ ଏହି କାଠ ପୋଲଟିକୁ ନିର୍ମାଣ କରିଥିଲେ ।

ଏଥର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ତ୍ରିରଙ୍ଗା

ଦିଗପହଣ୍ଡି: ଆସୁଛି ଅଗଷ୍ଟ ୧୫ ତାରିଖ । ତ୍ରିରଙ୍ଗାମୟ ହୋଇଯିବ ଦେଶର ସହରଠାରୁ ଗାଁ । ସ୍ୱାଧୀନତା ଦିବସ ପାଇଁ ସବୁଠି ଉତ୍କଣ୍ଠା । ଏବେଠାରୁ ବିଭିନ୍ନ ଦୋକାନରେ ଜାତୀୟ ପତାକା ବିକ୍ରି ଆରମ୍ଭ ହୋଇଗଲାଣି । ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ତରଫରୁ ପ୍ରସ୍ତୁତ କରାଯାଉଛି ଜାତୀୟ ପତାକା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପୋଡାମାରି ଗ୍ରାମରେ ଥିବା ଜୟ ବଜାରଙ୍ଗୀ ଏସଏଚଜି ମହିଳାମାନେ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି । ଏହାକୁ ସେମାନେ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବେ ।

ଦେଶ ପାଇଁ ଜାତୀୟ ପତାକା ତିଆରି କରି ମହିଳାମାନେ ଖୁସି ଥିବା ବେଳେ ଅନ୍ୟପକ୍ଷେ ଏହାର ବିକ୍ରିରୁ ସେମାନେ ରୋଜଗାର କରିପାରୁଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ସ୍ବୟଂ ସହାୟକ ସଂଘର ମହିଳାମାନେ ।

ସ୍ବାଧୀନତା ଦିବସକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ମହିଳାମାନେ ଦିନରାତି ଏକ କରିଦେଇଛନ୍ତି । ସେମାନଙ୍କ ପାଖରେ ଗୋଟିଏ ଲକ୍ଷ୍ୟ ଜାତୀୟ ପତାକା ତିଆରି କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବା । ଏଥିରେ ଲାଗିଛନ୍ତି ଗୋଷ୍ଠୀର ୩୨ ଜଣ ମହିଳା । କିଏ ତ୍ରିରଙ୍ଗା ପତାକାକୁ ଭଲ ସେ ମାପ କରି କଟୁଛନ୍ତି ତ ଆଉ କିଏ ସିଲେଇ କରୁଛନ୍ତି । ଆଉ କିଏ ପ୍ରସ୍ତୁତ ହୋଇ ସାରିଥିବା ତ୍ରିରଙ୍ଗାକୁ ସାଇତି ରଖୁଛନ୍ତି ।

ପୂର୍ବରୁ ମହିଳାମାନେ ମିଶନଶକ୍ତି ମାଧ୍ୟମରେ ଜୟ ବଜାରଙ୍ଗୀ ମହିଳା ସଙ୍ଘ  ସ୍ଥାପନ କରିବା ସହ ସ୍ଥାନୀୟ ପ୍ରସାଶନ ସହଯୋଗରେ ଗାଁର ଏକ କଲ୍ୟାଣି ମଣ୍ଡପରେ ଦୁଇବର୍ଷ ହେଲା କାମ କରି ଆସୁଛନ୍ତି । ପୂର୍ବରୁ ଅଙ୍ଗନବାଡି ଓ ବିଦ୍ୟାଳୟର ପିଲାମାନଙ୍କ ପାଇଁ ପୋଷାକ ତିଆରି କରୁଛନ୍ତି । ଏହାସହ ଧାନମଣ୍ଡି ନିଜ ହାତକୁ ନେଇ ବେଶ ଦୁଇ ପଇସା ରୋଜଗାର କରିଛନ୍ତି । ମହିଳାମାନଙ୍କ କାମ ପ୍ରତି ନିଷ୍ଠା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ହଜାର ଜାତୀୟ ପତାକା ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏତେ ବଡ଼ ଅର୍ଡର ମିଳିବା ପରେ ମହିଳାମାନେ କାମରେ ଲାଗି ପଡ଼ିଥିଲେ ।

ତେବେ ଅର୍ଥ ଅପେକ୍ଷା ତ୍ରିରଙ୍ଗା ପତାକା ତିଆରି କରି ବେଶ ଖୁସି ଥିବା କହିଛନ୍ତି ମହିଳାମାନେ । ଦିନେ ସ୍କୁଲରେ ତ୍ରିରଙ୍ଗା ଧରି ବୁଲୁଥିଲୁ ଆଜି ନିଜ ହାତରେ ଏହାକୁ ତିଆରି କରିବାର ସୁଯୋଗ ମିଳିଥିବାରୁ ଗର୍ବ ଅନୁଭବ କରୁଥିବା କହିଛନ୍ତି ମହିଳାମାନେ ।

ଜାଭେଲିନରେ ଅନୁ, ୧୦କିମି ରେସ୍ ୱାକରେ ସନ୍ଦିପ ଜିତିଲେ ବ୍ରୋଞ୍ଜ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପ୍ରତିଯୋଗୀମାନଙ୍କ କମାଲ ଦେଖିବାକୁ ମିଳିଛି । ଦଶମ ଦିନରେ ପଦକ ପରେ ପଦକ ଜିତିଛନ୍ତି ଭାରତୀୟ । ମହିଳା ଜାଭେଲିନରେ ଭାରତକୁ ଆଉ ଏକ ସଫଳତା ମିଳିଛି । ଜାଭେଲିନ ଥ୍ରୋେର ଅନୁ ରାଣୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ରଥମ ଭାରତୀୟ ମହିଳା ଭାବେ ସେ ରାଜ୍ୟଗୋଷ୍ଠୀ କ୍ରୀଡାର ଜାଭେଲିନ ଥ୍ରୋରେ ପଦକ ଜିତିଛନ୍ତି ।

ସର୍ବାଧିକ ୬୦ ମିଟର ଜାଭେଲିନ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି । ଅନ୍ୟପକ୍ଷରେ ରେସ୍ ୱାକରେ ମଧ୍ୟ ଭାରତକୁ ସଫଳତା ମିଳିଛି । ୧୦ ହଜାର ମିଟର ରେସ୍ ୱାକରେ ଭାରତ ବ୍ରୋଞ୍ଜ ପଦକ ହାତେଇଛି  । ସନ୍ଦିପ କୁମାର ଏହି ବ୍ରୋଞ୍ଜ ପଦକ ହାତେଇଛନ୍ତି । ଭାରତର ମୋଟ ପଦକ ସଂଖ୍ୟା ଏବେ ୪୭ରେ ପହଞ୍ଚିଛି । ଏଥିରେ ୧୬ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ୧୯ କାଂସ୍ୟ ପଦକ ସାମିଲ ରହିଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ବର୍ଷା: ଟ୍ରିପଲ ଜମ୍ପରେ ମିଳିଲା ଦୁଇଟି ପଦକ

ବର୍ମିଂହାମ: ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତର ମେଡାଲ ବର୍ଷା ଦେଖିବାକୁ ମିଳିଛି । ଟ୍ରିପଲ ଜମ୍ପରେ ଭାରତକୁ ଦୁଇଟି ପଦକ ମିଳଛି । ଟ୍ରିପଲ ଜମ୍ପରେ ଭାରତୀୟ ପ୍ରଥମଥର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ପଦକ ହାତେିଛନ୍ତି ।  ବକ୍ସିଂରେ ଦୁଇଟି ସ୍ୱର୍ଣ୍ଣ ପରେ ଏବେ ତ୍ରିପଲ ଜମ୍ପ ପ୍ରତିଯୋଗିତାରେ ଦୁଇଟି ପଦକ ଭାରତକୁ ମିଳିଛି । ଭାରତର ଏଲଡୋସ ପଲ ୧୭.୦୩ ମିଟର ଜମ୍ପ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅବଦୁଲା ଅବୁବକାର ୧୭.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଦୁଇ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ କେବଳ ୧ସେମି ଦୂରତା ରହିଥିଲା ।

ସେହିପରି ପ୍ରଭିନ ଚିତ୍ରାଭେଲ ସାମାନ୍ୟ ମିସ୍ କରି ପ୍ରତିଯୋଗିତାର ୪ର୍ଥ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ ବର୍ଲିନର ରାହ-ନାଇ ପରିଞ୍ଚିଫ ୧୬.୯୨ ମିଟର ଜମ୍ପ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ପରବିନ ବ୍ରୋଞ୍ଜଠାରୁ ମାତ୍ର ୩ସେମି ଦୂରରେ ରହି ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହି ସ୍ୱର୍ଣ୍ଣ ସହ ଭାରତର ମୋଟ ସ୍ୱର୍ଣ୍ଣ ସଂଖ୍ୟା ୧୬ରେ ପହଞ୍ଚିଛି । ଏବେ ଭାରତ ମେଡାଲ ଟାଲିର ୫ମ ସ୍ଥାନରେ ରହିଛି । ମୋଟ ମେଡାଲ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଏଥିରେ ୧୬ ସ୍ୱର୍ଣ୍ଣ ବ୍ୟତୀତ ୧୨ ରୌପ୍ୟ ଓ ୧୭ ବ୍ରୋଞ୍ଜ ପଦକ ରହିଛି ।

ଇସ୍ରୋ ମିଶନ ଫେଲ୍: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପରେ କଟିଲା ସମ୍ପର୍କ

ଶ୍ରୀହରିକୋଟା:  ଇସ୍ରୋ ପକ୍ଷରୁ କରାଯାଇଥିବା ପ୍ରଥମ ଛୋଟ ଉପଗ୍ରହ ଉତକ୍ଷେପଣ ଫେଲ୍ ହୋଇଯାଇଛି । ଦୁଇଟି ଛୋଟ ଉପଗ୍ରହକୁ ନେଇ ଯାଇଥିବା SSLV-D1 ଠାରୁ ଅନ୍ତିମ ପର୍ଯ୍ୟାୟରେ ସମ୍ପର୍କ ତୁଟି ଯାଇଛି । ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ସୂଚନା ଦେଇ କହିଛନ୍ତି, ‘କକ୍ଷସ୍ଥଳରେ ସ୍ଥାପନ ହୋଇଥିବା ସାଟେଲାଇଟ୍ ଏବେ ବ୍ୟବହାର ଯୋଗ୍ୟ ନୁହେଁ । ତ୍ରୁଟି ଜଣାପଡ଼ିଛି । ଏହାର ସମୀକ୍ଷା କରିବାକୁ ଏକ ସମିତି ଗଠନ କରାଯାଇଛି ।’

ଆଗକୁ ସେ ଆହୁରି କହିଥିଲେ, ‘SSLV-D1 ସବୁ ପର୍ଯ୍ୟାୟରେ ଆଶା ଅନୁସାରେ ପ୍ରଦର୍ଶନ କରିଥିଲା । ଏହାସହ ସାଟେଲାଇଟକୁ କକ୍ଷପଥରେ ପହଞ୍ଚାଇ ଦେଇଥିଲା । ହେଲେ ମିଶନର ଶେଷ ପର୍ଯ୍ୟାୟରେ କିଛି ଡାଟା ସମସ୍ୟା ଦେଖା ଦେଇଥିଲା ଓ ସାଟେଲାଇଟରୁ ସମ୍ପର୍କ କଟି ଯାଇଥିଲା ।’

ଆନ୍ଧ୍ରପ୍ରଦେଶ ଶୀହରିକୋଟାସ୍ଥିତ ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ରକେଟ୍ SSLV-D1କୁ ଉତକ୍ଷେପଣ କରାଯାଇଥିଲା । ତେବେ ଖୁବଶୀଘ୍ର SSLV-D2ର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନିଉଜିଲାଣ୍ଡକୁ ହରାଇ ପ୍ରଥମଥର ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଜାରି ରହିଛି । ଏଥିରେ ଭାରତୀୟ ପ୍ରତିଯୋଗୀମାନଙ୍କ କମାଲ ଦେଖିବାକୁ ମିଳିଛି । ରାଜ୍ୟଗୋଷ୍ଠୀ କ୍ରୀଡା ଶେଷ ଦିନ ଆଡକୁ ଭାରତର ମେଡାଲ ବର୍ଷା ହୋଇଛି । ଏହି କ୍ରମରେ ରବିବାର ମହିଳା ହକିରେ ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡକୁ ହରାଇ ବ୍ରୋଞ୍ଜ ପଦକ ହାତେଇଛି । ବ୍ରୋଞ୍ଜ ପଦକ ବିଜୟ ସହ ଇତିହାସ ରଚିଛି ମହିଳା ହକି ଦଳ ।  ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ଡିଫେଣ୍ଡିଂ ଚମ୍ପିୟାନ ନିଉଜିଲାଣ୍ଡକୁ ସୁଟଆଉଟରେ ୨-୧ରେ ପରାଜିତ କରିଛି ।

ତେବେ ଏହି ବ୍ରୋଞ୍ଜ ପଦକକୁ ମିଶାଇ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ମୋଟ ୩ଟି ପଦକ ଜିତିଛି । ଏହା ପୂର୍ବରୁ ଭାରତ ୨୦୦୨ରେ ସ୍ୱର୍ଣ୍ଣ ଏବଂ ୨୦୦୬ରେ ରୌପ୍ୟ ପଦକ ଜିତିଥିଲା । ଆଜିର ବିଜୟ ମହିଳା ହକି ପାଇଁ ନୂଆ ଇତିହାସ ଆଣି ଦେଇଛି । ଭାରତୀୟ ଦଳ ମ୍ୟାଚର ଶେଷ ଭାଗରେ ୧-୦ରେ ଆଗୁଆ ରହିଥିଲା ହେଲେ ଶେଷ ୩୦ ସେକଣ୍ଡଠାରୁ ବି କମ ସମୟରେ ବିରୋଧୀ ଟିମକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା ।

ଏହା ପେନାଲ୍ଟି ଷ୍ଟ୍ରୋକରେ ପରିବର୍ତ୍ତିନ ହୋଇଥିଲା । ନିଉଜିଲାଣ୍ଡର ଓଲିଭିଆ ମୋରି ଗୋଲ୍ କରି ନ୍ୟୁଜିଲାଣ୍ଡକୁ ଭାରତ ସହ ବରାବରକୁ ଆଣିଥିଲେ । ଏହି କାରଣରୁ ଶୁଟଆଉଟ୍ ପ୍ରତିଯୋଗିତା ହୋଇଥିଲା । ଭାରତୀୟ ଦଳ ଶୁଟଆଉଟରେ ଧର୍ଯ୍ୟର ସହ ଖେଳି ୨-୧ରେ ବିଜୟ ଲାଭ କରିଛି । ଆଜିର ବ୍ରୋଞ୍ଜ ମ୍ୟଚରେ ସଲିମା ଟେଟେଙ୍କ ଗୋଲ୍ ବଳରେ ଭାରତ ମଧ୍ୟାନ୍ତର ସୁଦ୍ଧା ୧-୦ରେ ଆଗୁଆ ରହିଥିଲା ।

ବିବାଦୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ଆଜିର ମ୍ୟାଚରେ ଭାରତୀୟ ଦଳ ଉତ୍ତମ ପ୍ରଦର୍ଶନ କରିଥିଲା । ଗତ ସେମିଫାଇନାଲ ମ୍ୟାଚରେ ଅମ୍ପାୟରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଭାରତ ସ୍ୱର୍ଣ୍ଣ ପଦକ ଦୌଡରୁ ବାଦ୍ ପଡ଼ିଥିଲା । ସବିତା ପୁନିଆଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଶୁଟଆଉଟରେ ୩-୦ରେ ହରାଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ପୂର୍ବରୁ ୨୦୦୨ ମସିହା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଫାଇନାଲରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା ଯେତବେଳେ କି ୨୦୦୬ରେ ଅଷ୍ଟ୍ରେଲିଆଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲା ।

କମନଓ୍ବେଲଥ ଗେମ୍ସ: ବକ୍ସିଂରେ ଭାରତକୁ ଦୁଇ ସ୍ବର୍ଣ୍ଣ, ମହିଳା ହକି ଟିମକୁ ବ୍ରୋଞ୍ଜ

ବର୍ମିଂହାମ: ବର୍ମିଂହାମରେ ଭାରତୀୟ ଆଥଲେଟଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଆଜି ଖେଳର ୧୦ମ ଦିନରେ ଭାରତ ବକ୍ସିଂରେ ଦୁଇଟି ସ୍ବର୍ଣ୍ଣ ଜିତିଛି । ଭାରତୀୟ ବକ୍ସର ନିତୁ ଘନଘାସ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ । ୪୮ କେଜି ବର୍ଗରେ ନିତୁ, ଇଂଲଣ୍ଡର ଡେମି ଜେଡଙ୍କୁ ୫-୦ରେ ହରାଇ ଥିଲେ । ଏହାର କିଛି ସମୟ ପରେ ଅମିତ ପଙ୍ଘଲ ଭାରତକୁ ବକ୍ସିଂରେ ଦ୍ବିତୀୟ ସ୍ବର୍ଣ୍ଣ ଦେଇଛନ୍ତି । ଅମିତ ୪୮-୫୧ ବର୍ଗରେ ଇଂଲଣ୍ଡର କାଇରନ ମାକଡୋନାଲ୍ଡଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ନିତୁ ଓ ଅମିତଙ୍କ ପଦକୁ ମିଶାଇ ଭାରତ ୧୫ ଗୋଲ୍ଡ ମେଡାଲ ସହ ମୋଟ ୪୩ ପଦକ ହାସଲ କରିଛି ।

ମହିଳା ହକି ଟିମକୁ ବ୍ରୋଞ୍ଜ

ସେହିପରି ମହିଳା ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି । ସେମିଫାଇନାଲରେ ହାରିବା ପରେ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଲଢେଇରେ ନ୍ୟୁଜଲାଣ୍ଡକୁ ଭେଟିଥିଲା । ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଭଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେବାକୁ ସକ୍ଷମ ହୋଇଥିଲେ । ପରେ ସୁଟ ଆଉଟ ହୋଇଥିଲା । ଯେଉଁଥିରେ ଭାରତ ୨-୧ରେ ଜିତି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛି ।

ସୁନା ପାଇଁ ଲଢିବେ ସିନ୍ଧୁ

ଅନ୍ୟପକ୍ଷରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ସେମିଫାଇନାଲରେ ଦମଦାର ବିଜୟ ସହ ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଗୋଲ୍ଡ ପାଇଁ ସେ ଟ୍ରାକକୁ ଓହ୍ଲାଇବେ । ସେମି ଫାଇନାଲରେ ପ୍ରତିପକ୍ଷ ସିଙ୍ଗାପୁର ଖେଳାଳି ଜିୟା ମେନଙ୍କୁ ୨୧-୧୯, ୨୧-୧୭ ସେଟରେ ପରାସ୍ତ କରି ସିନ୍ଧୁ ଫାଇନାଲ ପାଇଁ ଟିକେଟ୍ କାଟିଛନ୍ତି ।

ସିଆଇଏସଏଫ ଯବାନଙ୍କୁ ଗୁଳିମାଡ଼ ଘଟଣା: ଗୁଳିମାରିଥିବା ଯବାନ ଅକ୍ଷୟଙ୍କ ଘର କାମାକ୍ଷାନଗରରେ

କୋଲକାତା: କୋଲକାତାରେ ସିଆଏସଏଫ ଯବାନଙ୍କ ଗୁଳିମାଡ଼ ଘଟଣା । ଗୁଳିମାଡ଼ କରିଥିବା ଅକ୍ଷୟ ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମାଛିଆ ଗାଁରେ  । ଅନ୍ୟପକ୍ଷରେ ସିଆଇଏସଏଫ  ଯବାନଙ୍କ ସ୍ତ୍ରୀ ଓ ଦୁଇ ପୁଅ ଢେଙ୍କାନାଳରେ ଭଡ଼ା ଘରେ ରହୁଛନ୍ତି । ଘର ଭିତପଟୁ ସେମାନେ ବନ୍ଦ କରି ରଖିଛନ୍ତି । ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଉନାହାନ୍ତି ପରିବାର ଓ ଆତ୍ମୀୟସ୍ୱଜନ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ।

ପ୍ରକୃତରେ କଣ ପାଇଁ ଏପରି ଚରମ କାର୍ଯ୍ୟ କରିଛନ୍ତି ଅକ୍ଷୟ ମିଶ୍ର । ସୂଚନାଯୋଗ୍ୟ ଗତକାଲି,  ବାପାଙ୍କ ମୃତ୍ୟୁ ପରେ ଛୁଟି ନମିଳିବାରୁ ଯବାନ ପୁଅଙ୍କ ଉନ୍ମୁତ କାଣ୍ଡ ଖବର ସାମ୍ନାକୁ ଆସିଥିଲା । ରାଗରେ ଗୁଳି ବର୍ଷା କରିଥିଲେ ଯବାନ । ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିଲା । କୋଲକାତା ସ୍ଥିତ ପାର୍ଟ ଷ୍ଟ୍ରିଟରେ ଥିବା ଇଣ୍ଡିଆନ ମ୍ୟୁଜିୟମ ଭିତରେ ଘଟିଥିଲା ଏହି ଅଭାବନୀୟ ଘଟଣା । ନିୟୋଜିତ ଥିବା ଜଣେ ସିଆଇଏସଏଫ ଯବାନ ଆଉଜଣେ ସିଆଇଏସଏଫ ଯବାନଙ୍କ ଉପରକୁ ୧୫ ରାଉଣ୍ଡ ଗୁଳି ମାରିଥିଲେ । ତେବେ ଗୁଳି କରିଥିବା ଯବାନ ଓ ମୃତ୍ୟୁବରଣ କରିଥିବା ଯବାନଙ୍କ ଘର ଓଡିଶାରେ ବୋଲି କାଲି ସୂଚନା ମିଳିଥିଲା ।

ମୃତକ ଯବାନ ହେଲେ ଓଡିଶାର ଅମିତ ଷଡଙ୍ଗୀ । ସେହିଭଳି ଗୁଳିମାଡ଼ କରିଥିବା ଯବାନ ହେଉଛନ୍ତି ଅକ୍ଷୟ କୁମାର ମିଶ୍ର । ଉଭୟ ମ୍ୟୁଜିୟମ ଭିତରେ ନିୟୋଜିତ ଥିଲେ । ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଚିକିତ୍ସା ଚାଲିଛି । ପୋଲିସ ଅଧିକାରୀ ଓ ବରିଷ୍ଠ ସିଆଇଏସଏଫ ଅଧିକାରୀ ଏହି ଘଟଣା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି ଅଧିକାରୀ ଭିତରକୁ ଯାଇ ଗୁଳି ଚାଳନା କରିଥିବା ଯବାନଙ୍କୁ କାବୁ କରିଥିଲେ ।

CSIRର ପ୍ରଥମ ମହିଳା ମହାନିର୍ଦ୍ଦେଶିକା ଭାବେ କଲାଇସେଲଭିଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ: ପ୍ରଥମ ଥର ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ ବା ସିଏସଆଇଆରର ମହାନିର୍ଦ୍ଦେଶକ ହୋଇଛନ୍ତି ଜଣେ ମହିଳା । ଦେଶର ୩୮ଟି ପ୍ରମୁଖ ଗବେଷଣା ପ୍ରତିଷ୍ଠାନକୁ ଗଠିତ ସିଏସଆଇଆରର ମହାସଚିବ ହୋଇଛନ୍ତି ନାଲାଥାମ୍ବି କଲାଇସେଲଭି । ଲିଥିଅମ ଆୟନ ବ୍ୟାଟେରୀ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଥିବା କଲାଇସେଲଭି ବର୍ତ୍ତମାନ ସିଏସଆଇଆର-ସେଣ୍ଟ୍ରାଲ ଇଲେକ୍ଟ୍ରୋନିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶିକା ଅଛନ୍ତି ।

ଏହାସହ ସେ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ବିଭାଗର ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ । ଦୁଇ ବର୍ଷ ଲାଗି ସେ ଏହି ଦାୟିତ୍ବରେ ରହିବେ । ସେ ବିଭିନ୍ନ ଗବେଷଣା ପ୍ରକଳ୍ପରେ ୨୫ ବର୍ଷ ଧରି କାମ କରି ଅଜସ୍ର ଅଭିଜ୍ଞତା ହାସଲ କରିଛନ୍ତି । ଲିଥିଅମ, ସୁପରକାପାସିଟର, ଇଲକ୍ଟ୍ରୋଡ, ଇଲେକ୍ଟ୍ରୋଲାଇଟ ଆଦି କ୍ଷେତ୍ରରେ ବି ସେ କାର୍ଯ୍ୟ କରିଛନ୍ତି ।

ନୀତି ଆୟୋଗ ବୈଠକରେ ଓଡିଶା ଦାବି ରଖିଲେ ନବୀନ

ଭୁବନେଶ୍ବର: ନୀତି ଆୟୋଗ ବୈଠକରେ ଉଠିଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି। ପ୍ରତିବର୍ଷ ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲି ଯାଉଛି। ତେଣୁ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇବାକୁ ଦାବି କରିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ରାଜ୍ୟ ସ୍ବାର୍ଥ ସଂପର୍କିତ ଅନେକ ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଟେଲିକମ୍, ରେଲଓ୍ବେ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି। ସେହିପରି ପ୍ରଧାମମନ୍ତ୍ରୀ ଆବାସ ଯୋଜନା ନେଇ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ନବୀନ ।

ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଯୋଜନା ସଂପର୍କିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏଥିସହ ବୈଠକରେ ଏଏସଆଇ ଓ ଏଏମ୍ଏସ୍ଏଆର୍ ରୂପାନ୍ତରଣ ଦାବି କରିଛନ୍ତି। ଏହାର ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଜଣାଇଛନ୍ତି । ଏହାଦ୍ବାରା କୋଣାର୍କ ଭଳି ଐତିହ୍ୟସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ।

ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ତାର କ୍ରୀଡା ଦକ୍ଷତା ଦେଖାଉଛି। ଦେଶକୁ ଗୌରବାନ୍ବିତ କରିଥିବା କ୍ରୀଡାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।