ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିପର୍ଯ୍ୟଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତି ସ୍ଥାପକତାରେ ଗୋଷ୍ଠୀର ଭୂମିକା । କାର୍ଯ୍ୟକ୍ରମକୁ ବିଦ୍ଧିବଦ୍ଧ ଭାବେ ଉଦଘାଟନ କରିଥିଲେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର । ସାଙ୍ଗରେ ଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା, ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ପାଖରେ ସବୁ ସାଧନ ରହିଛି । ବିପର୍ଯ୍ୟୟ ମୁକାବିଲା ପାଇଁ ସମସ୍ତଙ୍କୁ ସାମିଲ କରାଯାଇଛି । ସମସ୍ତଙ୍କ ସହଯୋଗରେ ବିପର୍ଯ୍ୟୟର ମୁକାବିଲା କରାଯାଇପାରୁଛି । ୪୦ହଜାର ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଓଏସଡିଏମଏ ଆଶ୍ରୟସ୍ଥଳୀ ତଥା ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀଙ୍କୁ ଆଶ୍ରୟସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ତାଲିମ୍ ଦିଆଯାଉଛି । ଉତ୍ସବରେ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ, ମିଳିତ ଜାତିସଂଘର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ, ରେଡ଼କ୍ରସ ଅଧିକାରୀ ଓ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । 1999 ମସିହା ଅକ୍ଟୋବର 29 ତାରିଖରେ ଓଡ଼ିଶାରେ ପ୍ରଳୟଙ୍କାରୀ ମହାବାତ୍ୟା ହୋଇ ଧନଜୀବନ ନଷ୍ଟ ହୋଇଥିଲା । ତେଣୁ ପ୍ରତିବର୍ଷ ଏହି ଦିନକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରୁଛନ୍ତି ଓଡ଼ିଶା ସରକାର ।।