spot_img
Home Blog Page 3983

ଶ୍ରାବଣର ଶେଷ ସୋମବାରରେ ଚଳଚଞ୍ଚଳ ଶୈବପୀଠ

ନନ୍ଦିଘୋଷ ବ୍ୟୁରୋ: ଶ୍ରାବଣର ଶେଷ ସୋମବାରରେ ଲୋକାରଣ୍ୟ ସମସ୍ତ ଶୈବପୀଠ । ଶ୍ରାବଣର ଶେଷ ସୋମବାର ହୋଇଥିବା କାରଣରୁ ସବୁ ଶୈବପୀଠରେ ଭକ୍ତଙ୍କ ଭିଡ଼ ଜମିଛି । ମାନସିକଧାରୀ ଶୈବ ଭକ୍ତ ଶିବ ଲିଙ୍ଗରେ ପାଣି ଢାଳୁଛନ୍ତି । ହରହର ମହାଦେବ ନାରାରେ କମ୍ପୁଛି ପରିବେଶ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ ।

ଭୁବନେଶ୍ବରର ବାବା ଲିଙ୍ଗରାଜ, ପୁରୀର ଲୋକନାଥ, କଟକର ବାବା ଧବଳେଶ୍ବର, ନୟାଗଡର ଲଡୁବାବାଙ୍କ ସମେତ ପ୍ରମୁଖ ଶୈବ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼ । ଭୋରୁ ମନ୍ଦିର ଖୋଲିବା ପରେ ବାବାଙ୍କ ନିକଟରେ ଜଳାଭିଷେକ କରୁଛନ୍ତି ମାନସିକଧାରୀ । ହଜାରହଜାର ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛି ପ୍ରଶାସନ । ପାଣି ଢାଳିବା ପାଇଁ ହୋଇଛି ବ୍ୟାରିକେଡ ବ୍ୟବସ୍ଥା । ବ୍ୟାରିକେଡରେ ଯାଇ ଶାନ୍ତିଶୃଙ୍ଖଳାର ସହିତ ବାବାଙ୍କୁ ଜଳଲାଗି କରୁଛନ୍ତି ଭକ୍ତ ।

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି, ଅମୃତ ମହୋତ୍ସବ ତଥା ତ୍ରିରଙ୍ଗା ଯାତ୍ରା ଅବସରରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି । ଶ୍ରାବଣ ମାସର ଶେଷ ସୋମବାରରେ ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ଅମିତ ଶାହ । ପରେ ଅମୃତ ମହୋତ୍ସବ ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଯାଇ ଜନ୍ମପୀଠ ବୁଲିବେ ।

ଏହାପରେ ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୬ଟା୧୫ରେ ଭୁବନେଶ୍ବର ଛାଡ଼ିବେ ଅମିତ ଶାହ । ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ବର ୨୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଆଜି ପ୍ରକାଶ ପାଇବ ଯୁକ୍ତ-୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ଘୋଷଣା କରିବେ । ଏହାପରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ପରୀକ୍ଷାର୍ଥୀ orissaresults.nic.in. ଓ chseodisha.nic.in କୁ ଭିଜିଟ କରି ନିଜର ରୋଲ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ ପରୀକ୍ଷା ଫଳ ଚେକ୍ କରିପାରିବେ । ଏନେଇ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ସୂଚନା ଦେଇଛି ।

ଚଳିତବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଦୁଇଟି ଢାଞ୍ଚାରେ ମାର୍କିଂ କରାଯାଇଛି । ଚଳିତବର୍ଷ ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିଥିବେ ବୋଲି ଆଶା ରଖିଛନ୍ତି । ଗତ ଜୁଲାଇ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା । ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଥିଲା ।

ବିଜେଡି କାଉନସିଲଙ୍କୁ ଆକ୍ରମଣ ଉପରୁ ଉଠିଲା ପରଦା: ଆକ୍ରମଣ ପଛରେ ନିଜ ଭାଇ

ଅନୁଗୋଳ: ଅନୁଗୁଳ ବିଜେଡି କାଉନସିଲର ରଞ୍ଜିତ ମାଣ୍ଡୋଠିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲା ଉପରୁ ପରଦା ହଟାଇଛି ପୋଲିସ୍ । ଆଉ କେହି ନୁହେଁ, ରଞ୍ଜିତଙ୍କ ବଡ଼ ଭାଇ ପବନ ହିଁ ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ । ପାରିବାରିକ ବିବାଦ ପାଇଁ ସେ କିଛି ଅସାମାଜିକ ଲୋକଙ୍କୁ ଲଗାଇ ରଞ୍ଜିତଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିବା ପୋଲିସ ସୂଚନା ଦେଇଛି । ମାମଲାରେ ପୋଲିସ ପବନ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଛେଳିଆପଡ଼ାର ଗୁଗୁ ଓରଫ ଭବାନୀ ଶଙ୍କର ଭଞ୍ଜ , ବଲାସିଂହା ଗାଁର ବିଜୁ ଓରଫ ପ୍ରଦ୍ୟୁମ୍ନ ବାରିକ , ଶୁଶୁଡ଼ା ଗାଁର ଚିକୁ ଓରଫ ଅଜିତ କୁମାର ଦାସ ।  ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆ ଓ ଦୁଇଟି ବାଇକ୍ ଜବତ ହୋଇଛି ।

ସୂଚନାଯୋଗ୍ୟ, ଅନୁଗୋଳ ପୌର ପରିଷଦ ୫ ନମ୍ବର ୱାର୍ଡର କାଉନସିଲର ତଥା ସହରର ବିଶିଷ୍ଟ ବ୍ୟବସାୟୀ ରଞ୍ଜିତ ମାଣ୍ଡୋଠିଆ ଗତ ୩ ତାରିଖ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଟାଙ୍ଗିଆରେ ତାଙ୍କ ମୁଣ୍ଡ ଓ ବେକକୁ ହାଣି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା ।  ଏଥିରୁ ରଞ୍ଜିତ ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କ ପିଠିରେ ଟାଙ୍ଗିଆ ଚୋଟ ଲାଗିଥିଲା । ଏନେଇ ଅନୁଗୋଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ କରୁଥିଲା ବେଳେ ଏହି ଆକ୍ରମଣ ପଛରେ ପାରିବାରିକ ବିବାଦ ଥିବା ପୋଲିସ ଜାଣିବାକୁ ପାଇଥିଲା । ଆକ୍ରମଣ କରିବାକୁ ରଞ୍ଜିତଙ୍କ ବଡ଼ ଭାଇ ପବନ କିଛି ଅସାମାଜିକ ଲୋକଙ୍କୁ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା

ନିତିଶ କୁମାର କରିବେ ଖେଲା, ବିହାର ଗାଦିରୁ ହଟିବ ବିଜେପି

ପାଟନା: ବିହାର ରାଜନୀତି ଗରମ । ୧୧ ଅଗଷ୍ଟ ପୂର୍ବରୁ ଭାଙ୍ଗି ପାରେ ବିହାରର ଏନଡିଏ ସରକାର । ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ବିଜେପି ମଧ୍ୟରେ କିଛିଦିନ ହେଲା ଚାଲିଥିବା ଛକାପଞ୍ଝାରୁ ଏମିତି କିଛି ଆଭାସ ମିଳିବାରେ ଲାଗିଛି । ଏନଡିଏରୁ ଓହରି ଆରଜେଡି ସହ ମିଶି ପୁଣି ଥରେ ସରକାର ଗଠନ କରିପାରନ୍ତି ନିତିଶ କୁମାର । ତେବେ କାହିଁକି ବିହାରରେ ସୃଷ୍ଟି ହୋଇଛି ଏପରି ରାଜେନୖତିକ ଅସ୍ଥିରତା ? ଏହା ପଛର କାରଣ କ’ଣ ?

ଗତ ଏକ ମାସର ଘଟଣା କ୍ରମକୁ ଦେଖିଲେ ନିତିଶ କୁମାର ଓ ବିଜେପି ମଧ୍ୟରେ ସବୁ କିଛି ଠିକ ଥିବା ଭଳି ମନେ ହେଉନାହିଁ । ଏହି ସମୟ ମଧ୍ୟରେ ନିତିଶ କୁମାର ଥରେ କି ଦୁଇ ଥର ନୁହେଁ ବିଜେପିଠାରୁ ୪ ଥର ଦୂରେଇ ରହିଛି ।

ପ୍ରଥମେ ଜୁଲାଇ ୧୭ରେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ନିତିଶ କୁମାର ଦୂରରେ ରହିଥିଲେ । ତ୍ରିରଙ୍ଗାକୁ ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଶାହ କରିଥିବା ଏହି ବୈଠକରେ ନିତିଶ କୁମାର ଯୋଗ ଦେଇ ନଥିଲେ । ଏହାପରେ ଜୁଲାଇ ୨୨ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟକାଳିନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ଥାଇ ବି ନିତିଶ ସାମିଲ ହୋଇନଥିଲେ ।

ଏପରିକି ଜୁଲାଇ ୨୫ରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ । ଆଜି ଅର୍ଥାତ ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିତି ଆୟୋଗ ବୈଠକରେ ମଧ୍ୟ ନିତିଶଙ୍କୁ ଦେଖିବାକୁ ମିଳିନଥିଲା ।

ନିତିଶ ଦୂରେଇବାର କାରଣ

ନିତିଶ କୁମାର ବିଜେପିଠାରୁ ଦୂରେଇବାର କାରଣ ଆରସିପି ସିଂହ ବୋଲି କହାଯାଉଛି । ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା ଜେଡିୟୁର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ସିଂହଙ୍କୁ ଶନିବାର ଦିନ ଦଳ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ସ୍ପଷ୍ଟିକରଣ ମଗା ଯାଇଥିଲା । ଏହାପରେ ଆରସିପି ଦଳର ପ୍ରାଥମିକ ସଦସ୍ୟତା ଛାଡ଼ି ଦେଇଥିଲେ । କୁହାଯାଉଛି, ନିତିଶଙ୍କ ଅନିଚ୍ଛା ସତ୍ତ୍ବେ ଆରସିପିଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା । ବିଜେପି ନେତାଙ୍କ ସହ ତାଙ୍କ ବହୁତ ଭଲ ସମ୍ପର୍କ ରହିଛି ଓ ଜେଡିୟୁରେ ବିଜେପିର ଲୋକ ଭାବେ କାମ କରୁଥିଲେ ।

ସୂଚନା ଅନୁସାରେ, ଆରସିପିଙ୍କୁ ନିତିଶ କୁମାର ତୃତୀୟ ଥର ପାଇଁ ରାଜ୍ୟସଭାକୁ ନ ପଠାଇବାରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହାପରେ ଆରସିପି ନିତିଶଙ୍କଠାରୁ ଦୂରତା ବଢ଼ାଇ ଦେଇଥିଲେ । ଏହି ସମୟରେ ନିତିଶ କୁମାର ବିଜେପିର ସତ ଜାଣି ଯାଇଥିଲେ । ଆରସିପିଙ୍କୁ ବ୍ୟବହାର କରି ବିଜେପି ତାଙ୍କୁ ଦୁର୍ବଳ କରିବାକୁ ଚାହୁଁଥିବା ସେ ବୁଝି ପାରିଥିଲେ । ତେଣୁ ଠିକ ସମୟ ଦେଖି ସେ ଆରସିପିଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିଲେ ଓ ତାଙ୍କୁ ଦଳରୁ ଇସ୍ତଫା ଦେବାକୁ ପଡ଼ିଲା ।

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି, ‘କିଛି ଲୋକ ପୁଣି ଥରେ ୨୦୨୦ ଚିରାଗ ପାସଓ୍ବାନ ମଡେଲ ଆପଣାଇବାକୁ ଚାହୁଁଥିଲେ । ନିତିଶ କୁମାର ଏହି ଷଡଯନ୍ତ୍ରକୁ ଜାଣିଗଲେ । ଆରସିପିଙ୍କ ଶରୀର ଜେଡିୟୁରେ ଥିଲା ହେଲେ ତାଙ୍କ ମନ ଅନ୍ୟ କେଉଁଠି ଥିଲା ।’ କୁହାଯାଉଛି ତାଙ୍କର ଏହି ଇସାରା ବିଜେପି ଆଡ଼କୁ ଥିଲା ।

ଅନ୍ୟପକ୍ଷରେ ଗୋଳିଆ ପାଣିରୁ ମାଛ ଧରିବାକୁ ଉଦ୍ୟମ ଚଲାଇଛି ଆରଜେଡି । ଦେଖାଯାଉଛି କିଛିଦିନ ହେବ ନିତିଶ କୁମାରଙ୍କ ପ୍ରତି ଆରଜେଡିର ସ୍ବର ନରମ ହୋଇଯାଇଛି । ଏପରିକି ଦଳର ମୁଖପାତ୍ରମାନଙ୍କୁ ନିତିଶଙ୍କ ବିରୋଧରେ ବୟାନବାଜି ନକରିବାକୁ କୁହାଯାଇଛି । ଆକଳନ କରାଯାଉଛି ନିତିଶ କୁମାର ଏବଂ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ପରସ୍ପର ସମ୍ପର୍କରେ ରହିଛନ୍ତି ଓ ୧୧ ଅଗଷ୍ଟ ପୂର୍ବରୁ ବିହାରରେ ସରକାର ଗଠନ କରିବାକୁ ଉଦ୍ୟମ କରିବେ ।

ବୁଡ଼ିଗଲେ ୩ ଏମସିଏଲ କର୍ମଚାରୀ

ସମ୍ବଲପୁର: ବୁର୍ଲା ଝାଙ୍କରାଣୀ ମନ୍ଦିର ସ୍ଥିତ ଜିରୋ ପଏଣ୍ଟରେ ଅଘଟଣ । ବୁଡ଼ିଗଲେ ୩ ଜଣ ଏମସିଏଲ କର୍ମଚାରୀ । ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜଙ୍କ ସନ୍ଧାନ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ସକାଳେ ଜଣେ ଯୁବତୀଙ୍କ ସହିତ ୩ ଜଣ ଯୁବକ ମନ୍ଦିର ନିକଟରେ ଭୋଜି କରୁଥିଲେ । ପରେ ୩ ଜଣ ଡ୍ୟାମରେ ଗାଧୋଉଥିବା ସମୟରେ ବୁଡ଼ି  ଯାଇଥିଲେ । ସମସ୍ତେ ଏମସିଏଲର ନବ ନିଯୁକ୍ତ କର୍ମଚାରୀ ବୋଲି ଜଣାପଡ଼ିଛି । ନିଖୋଜ କର୍ମଚାରୀମାନେ ହେଲେ ଏମସିଏଲର ମାଇନିଂ ମ୍ୟାନେଜର ମହେଶ ଛିତୋରି ଏବଂ ଅଭିଷେକ କୁମାର ।

ରାତି ହୋଇ ଯାଇଥିବା ବେଳେ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ସମସ୍ୟା ହେଉଛି । ନିଖୋଜମାନେ ସେଠାକୁ ପ୍ରଥମ କରି ଆସିଥିବାରୁ ଜିରୋ ପଏଣ୍ଟ ସମ୍ପର୍କରେ ଜାଣି ନଥିବା ଓ ସେଠାକୁ ଗାଧୋଇବାକୁ ପଳାଥିବା ଅନୁମାନ କରାଯାଉଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ବକ୍ସିଂରେ ଭାରତକୁ ଆଉ ଏକ ପଦକ: ସ୍ୱର୍ଣ୍ଣ ଜିତିଲେ ମୁଷ୍ଟିଯୋଦ୍ଧା ଜରୀନ

ବର୍ମିଂହାମ: ବର୍ମିଂହାମ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ବିଜୟ ଧାରା ଜାରି ରହିଛି । ୧୦ମ ଦିନରେ ଭାରତର ପଦକ ବର୍ଷା ହୋଇଛି । ବକ୍ସିଂରେ ଆଜି ତିନୋଟି ସ୍ୱର୍ଣ୍ଣ ପଦକ ମିଳିଛି । ବିଶ୍ୱ ବିଜୟୀ ନିଖତ ଜରୀନ ୫୦ କେଜି ବର୍ଗରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ନର୍ଦ୍ଦନ ଆୟରଲାଣ୍ଡର କାର୍ଲି ମେକନାଲଙ୍କୁ ୫-୦ରେ ହରାଇ ଏହି ସଫଳତା ସେ ହାସଲ କରିଛନ୍ତି ।

ଭାରତର ଷ୍ଟାର ମୁଷ୍ଟିଯୋଦ୍ଧା ଏବଂ ବିଶ୍ୱ ଚାମ୍ପିଅନ ନିଖତ ଶନିବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡର ବକ୍ସର ସବନ୍ନା ଅଲ୍ଫିୟାଙ୍କୁ ୫-୦ରେ ପରାଜିତ କରିଥିଲେ । ତେବେ ନିଖତ ପ୍ରଥମଥର ପାଇଁ ରାଜ୍ୟଗୋଷ୍ଟୀରେ ପଦକ ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ନୀତି ଘଂଘାସ ୪୮ କେଜି ମହିଳା ବର୍ଗରେ ଏବଂ ଅମିତ ପଙ୍ଘାଲ ୫୧ କେଜି ପୁରୁଷ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ । ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି । ଭାରତର ମୋଟ ପଦକ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ସେହିପରି ୧୨ ରୌପ୍ୟ ଓ ୧୯ କାଂସ୍ୟ ପଦକ ରହିଛି । ଏବେ ଭାରତ ମେଡାଲ ଟାଲିର ୫ମ ସ୍ଥାନରୁ ୪ର୍ଥ ସ୍ଥାନକୁ ଉଠିଛି ।

ବିପର୍ଯ୍ୟୟର ସ୍ଥାୟୀ ମୁକବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସହ ଫୋକସ୍ ଷ୍ଟେଟ୍ ମାନ୍ୟତା ଦିଅ: ନବୀନ

ନୂଆଦିଲ୍ଲୀ: ବିକାଶରେ ବାଧକ ସାଜିଛି ପ୍ରାକୃତିକ ବିପର୍ଯ୍ୟୟ । ସ୍ଥାୟୀ ମୁକବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସହ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବାକୁ ନୀତି ଆୟୋଗ ବୈଠକରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଟେଲିକମ୍, ରେଲଓ୍ବେ ଓ ବ୍ୟାଙ୍କିଙ୍ଗ ସେବା ଏବେ ବି ରାଜ୍ୟର ଅନେକ ଅଞ୍ଚଳରେ ପହଞ୍ଚି ପାରିନି, ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବି କରିଛନ୍ତି । ଏହାସହ ଗରିବ ଲୋକଙ୍କୁ ପକ୍କାଘର ଦେବାକୁ ଆବାସ ଯୋଜନାରେ ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ବଞ୍ଚିତ ହେଉଥିବାରୁ ସେନେଇ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନୀତି ଆୟୋଗ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପ୍ରତିବର୍ଷ ବନ୍ୟା ଓ ବାତ୍ୟା ଦୋହଲାଇ ଦେଉଛି ଓଡ଼ିଶାର ଆର୍ଥିକ ମେରୁଦଣ୍ଡ। ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇବା ସହ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦିଆଯାଉ ।’

ସେହିପରି ଟେଲିକମ୍, ରେଲଓ୍ବେ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଓଡ଼ିଶା ଐତିହାସିକ ଭାବେ ଅବହେଳିତ । ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାରେ ସର୍ବନିମ୍ନ ଘନତା ଥିବାରୁ ଏସବୁ କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ତୃଣମୂଳସ୍ତରରେ କାର୍ଯ୍ୟକାରିତାରେ ସମସ୍ୟା ରହିଛି । କେତେକ କ୍ଷେତ୍ରରେ ପ୍ରକୃତ ଚାଷୀ ଏହାର ସୁବିଧା ପାଇ ପାରୁନାହାନ୍ତି । ନୀତି ଆୟୋଗ ଏହାର ଅନୁଧ୍ୟାନ କରି ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି  ଯୋଜନା ସଂପର୍କିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସେହିପରି ଗୁଜରାଟର ରାନୀ କା ଭାଭ୍କୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ଦେବାରେ ସେତେବେଳର ସରକାରଙ୍କ କାମ ପ୍ରଶଂସନୀୟ । ତେବେ ବିଶ୍ବସ୍ତରରେ ଐତିହ୍ୟ କ୍ଷେତ୍ରର ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଦାବି ଜଣାଇଛନ୍ତି । ଏଏସଆଇର ରୂପାନ୍ତରଣ ସହ ଆମସାର ଆକ୍ଚରେ ସଂଶୋଧନ ହୋଇ ବିଶ୍ବସ୍ତରୀୟ ହେବା ଆବଶ୍ୟକ । ଏହାଦ୍ବାରା କୋଣାର୍କ ଭଳି ଐତିହ୍ୟସ୍ଥଳୀର ସଂରକ୍ଷଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି ।

ଭାରତ ବିଶ୍ବ ଅର୍ଥନୀତି କ୍ଷେତ୍ରରେ ସୁପରପାଓ୍ବାର ହେବାର କ୍ଷମତା ରଖେ । ସାମଗ୍ରିକ ବିକାଶ ଦ୍ବାରା ଏହା ସମ୍ଭବ । କେନ୍ଦ୍ର ଓ ରାଜ୍ୟ ଉଭୟ ଦୁଇଟି ରାଜନୈତିକ ଶକ୍ତି ହୋଇଥିବାରୁ କେତେକ କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାରେ ସମସ୍ୟା ହୋଇଥାଏ । ନୀତି ଆୟୋଗ ଏ ଦିଗରେ ଅମ୍ବୁଡସମ୍ୟାନ୍ ପରି କାମ କରି ସମାଧାନ କରିପାରିବ । ଫଳରେ ସଂଘୀୟ ବ୍ୟବସ୍ଥାରେ ସମନ୍ବୟ ରକ୍ଷା କରି ଯୋଜନାଗୁଡିକର ତ୍ବରିତ କାର୍ଯ୍ୟାନ୍ବୟନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ କରୋନା ନିୟନ୍ତ୍ରଣରେ ସଫଳତାକୁ ପ୍ରଶଂସା କରିବା ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶକୁ ଗୌରବାନ୍ବିତ କରିଥିବା କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କମନଓ୍ବେଲଥ ଗେମ୍ସ: ହାପ୍ ସେଞ୍ଚୁରୀ ମେଡାଲ ଆଡ଼କୁ ଭାରତ

ବର୍ମିହାମ: କମନଓ୍ବେଲଥ ଗେମ୍ସରେ ୫୦ ମେଡାଲ ଆଡକୁ ଯାଉଛି ଭାରତ । ବର୍ତ୍ତମାନ ସୁଦ୍ଧା ଦେଶ ୪୭ ପଦକ ଜିତି ସାରିଥିବା ବେଳେ ୭ରୁ ୮ଟିର ଫାଇନାଲ ଇଭେଣ୍ଟ ବାକି ଅଛି । ଏଥିରେ ଭାରତ ପଦକ ପକ୍କା କରି ସାରିଥିବା ବେଳେ କେବଳ ପଦକର ରଙ୍ଗ କ’ଣ ହେବ ତାକୁ ଅପେକ୍ଷା କରାଯାଇଛି ।

୧୦ ଦିନ ଖେଳ ଆରମ୍ଭ ହେବା ପରଠାରୁ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଶେଷ କରି ଟ୍ରିପଲ୍ ଜମ୍ପରେ ଭାରତକୁ ଡବଲ ଖୁସି ମିଳିଛି । ଭାରତର ଦୁଇ ଆଥଲେଟ୍ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଦେଶ ପାଇଁ ହାସଲ କରିଛନ୍ତି । ଏହି ଇଭେଣ୍ଟରେ ଏଲଡୋସ ପାଉଲ ୧୭.୦୩ ମିଟର ଜମ୍ପ ମାରି ଗୋଲ୍ଡ ପଦକ କବଜା କରିଥିବା ବେଳେ ସହ ଖେଳାଳି ଅବଦୁଲ୍ଲ ଅବୁବକର ୧୭.୦୨ ମିଟର ଡେଇଁ ସିଲଭର ମେଡାଲ ଜିତିଛନ୍ତି ।

୧୦ କିମି ଚାଲି ଓ ଜାଭଲିନରେ ବ୍ରୋଞ୍ଜ

ସେହିପରି ୧୦ କିମି ଚାଲିରେ ଭାରତର ସନ୍ଦୀପ କୁମାର ତୃତୀୟ ସ୍ଥାନ ହାସଲ କରିବା ସହ ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି । ଏହି ଦୂରତାକୁ ୩୮ ମିନିଟ ୪୯.୨୧ ସେକେଣ୍ଡ ସମୟରେ ସେ ଅତିକ୍ରମ କରିଥିଲେ । ଜାଭଲିନରେ ଅନୁରାଣୀ ମଧ୍ୟ ଦେଶ ପାଇଁ ଗୌରବ ଆଣିଛନ୍ତି । ୬୦ ମିଟର ଭଲ୍ଲା ଫିଙ୍ଗି ଅନୁ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଏହାପୂର୍ବରୁ ଭାରତ ବକ୍ସିଂରେ ଦୁଇଟି ସ୍ବର୍ଣ୍ଣ ଜିତିଥିଲା । ୪୮ କେଜି ବର୍ଗରେ ବକ୍ସର ନିତୁ ଘନଘାସ ଏବଂ ୪୮-୫୧ କେଜି ବର୍ଗରେ ଅମିତ ପଙ୍ଘଲ ସ୍ବର୍ଣ୍ଣ ଜିତିଥିବା ବେଳେ ମହିଳା ହକି ଟିମ ସୁଟ ଆଉଟରେ ନ୍ୟୁଜଲାଣ୍ଡକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିଲେ ।

ବର୍ତ୍ତମାନ ସୁଦ୍ଧା ଭାରତ ୧୬ ଗୋଲ୍ଡ, ୧୨ ସିଲଭର ଓ ୧୯ ସିଲଭର ସହ ୪୭ ପଦକ ଜିତି ୫ମ ସ୍ଥାନରେ ରହିଛି ।

ବନ୍ଧୁତ୍ବ ଦିବସରେ ‘ଯାଯାବର’ ଦେଲା ସବୁଜ ଓ ସ୍ବଛତାର ବାର୍ତ୍ତା

ଭୁବନେଶ୍ବର: ସ୍ବଚ୍ଛତାର ବାର୍ତ୍ତା ଦେଇ ବନ୍ଧୁତ୍ୱ ଦିବସକୁ ନିଆରା ଭାବେ ପାଳିଲା ଯାଯାବର । ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ସାମ୍ବାଦିକ ଭାଇ ଭଉଣୀ । ଭୁବନେଶ୍ୱର ଖଣ୍ଡଗିରି ବସଷ୍ଟାଣ୍ଡ ପରିସରକୁ ସଫା କରିଛନ୍ତି। ଏହା ସହ ରାସ୍ତା କଡରେ ବୃକ୍ଷରୋପଣ ମଧ୍ୟ କରିଥିଲେ।

ଯାଯାବର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ପ୍ରଥମ ପର୍ଯ୍ୟାୟରେ  ସାମ୍ବାଦିକ ଭାଇ ଭଉଣୀ ମାନେ ଏହି ସଫେଇ କାର୍ଯ୍ୟରେ ସାମିଲ୍ ହୋଇଥିବା ବେଳେ ସମସ୍ତଙ୍କୁ ଏହି ପ୍ରୟାସ ସହ ଯୋଡି ହେବାକୁ ଆହ୍ବାନ ଦେଇଛନ୍ତି ।  ମୁକେଶ ପରିଡାଙ୍କ ନେତୃତ୍ବରେ ସଦସ୍ୟ ମନୋରଞ୍ଜନ ମହାନ୍ତି, ସ୍ମୃତି ରଞ୍ଜନ ବିଶ୍ବାଳ, ସତ୍ୟଜିତ୍ ରାଉତ, ଦିଲ୍ଲିପ ରାଉତ, ସସ୍ମିତା ମଲ୍ଲ, ପ୍ରିୟଦର୍ଶିନୀ ସାହୁ, ସତ୍ୟାନନ୍ଦ ନାୟକ, ନଳିନୀ ରାଉତ, ସମ୍ବିତ ବେହେରା, ଅନିଲକାନ୍ତ ଦାସ, ଶ୍ରୀରାମ ମହାନ୍ତି, ଅରୂପାନନ୍ଦ ବାରିକ ପ୍ରମୁଖ ଯୋଗଦେଇଥିଲେ। ଆଗାମୀ ଦିନରେ ସଂଗଠନ ତରଫରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି।