spot_img
Home Blog Page 3985

ନୀତି ଆୟୋଗ ବୈଠକରେ ଓଡିଶା ଦାବି ରଖିଲେ ନବୀନ

ଭୁବନେଶ୍ବର: ନୀତି ଆୟୋଗ ବୈଠକରେ ଉଠିଲା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି। ପ୍ରତିବର୍ଷ ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲି ଯାଉଛି। ତେଣୁ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇବାକୁ ଦାବି କରିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ରାଜ୍ୟ ସ୍ବାର୍ଥ ସଂପର୍କିତ ଅନେକ ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଟେଲିକମ୍, ରେଲଓ୍ବେ ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି। ସେହିପରି ପ୍ରଧାମମନ୍ତ୍ରୀ ଆବାସ ଯୋଜନା ନେଇ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ନବୀନ ।

ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଯୋଜନା ସଂପର୍କିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏଥିସହ ବୈଠକରେ ଏଏସଆଇ ଓ ଏଏମ୍ଏସ୍ଏଆର୍ ରୂପାନ୍ତରଣ ଦାବି କରିଛନ୍ତି। ଏହାର ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଜଣାଇଛନ୍ତି । ଏହାଦ୍ବାରା କୋଣାର୍କ ଭଳି ଐତିହ୍ୟସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ।

ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ତାର କ୍ରୀଡା ଦକ୍ଷତା ଦେଖାଉଛି। ଦେଶକୁ ଗୌରବାନ୍ବିତ କରିଥିବା କ୍ରୀଡାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଚୀନକୁ ବଡ ଝଟକା, କେବଳ ଇନ୍ଧନ ଭରିବାକୁ ଅନୁମତି ଦେଲା ଶ୍ରୀଲଙ୍କା

କଲମ୍ବୋ: ତାଇଓ୍ବାନ-ଚୀନ ଟେନସନ ଭିତରେ ଚୀନକୁ ଝଟକା । ଜାହାଜକୁ ଦୀର୍ଘ ଦିନ ଧରି ହମ୍ବନଟୋଟା ବନ୍ଦରରେ ରଖିବାକୁ ଦିଆଯିବନାହିଁ । ସେଠାରେ ଜାହାଜରେ ଇନ୍ଧନ ଭରିବା ପରେ ଏହା ଶ୍ରୀଲଙ୍କା ଛାଡିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀଲଙ୍କା ସରକାର । ଚୀନ ଓ ତାଇଓ୍ବାନ ଭିତରେ ସଙ୍କଟ ବଢୁଥିବାବେଳେ ଶ୍ରୀଲଙ୍କା ଅଭିମୁଖେ ଆସୁଛି ଚୀନର ହାଇଟେକ ଜାହାଜ ୟୁଓ୍ବାନ ୟାଙ୍ଗ-୫ ।

ଏହା ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଆସନ୍ତା ୧୧ରୁ ୧୭ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି । ଏହି ହାଇଟେକ ଜାହାଜ ଶ୍ରୀଲଙ୍କା ଆସୁଥିବା ସୂଚନା ପରେ ଭାରତ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ଏହି ହାଇଟେକ ଜାହାଜ ଜରିଆରେ ଚୀନ ଓଡିଶାର ଏପିଜେ ଅବଦୁଲ କଲାମ ଦ୍ବୀପ ସମେତ ପ୍ରତିରକ୍ଷା ବିଭାଗ ତଥ୍ୟ ଉପରେ ନଜର ରଖିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ।

ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ କୁହାଯାଇଛି ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜାହାଜକୁ କେବଳ ଇନ୍ଧନ ଭରିବା ଲାଗି ସୁଯୋଗ ଦିଆଯିବ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଚୀନର ମହାକାଶ ଓ ଉପଗ୍ରହ ଟ୍ରାକିଂ ଗବେଷଣାଭିତ୍ତିକ ଏହି ଜାହାଜ ଭାରତର ସମସ୍ତ ପ୍ରତିରକ୍ଷା ତଥ୍ୟକୁ ସ୍କାନରରେ ରଖିବା ସମ୍ଭାବନା ଥିବାରୁ ଭାରତ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଚୀନ-ତାଇଓ୍ବାନ ଟେନସନ ଉପରେ ସତର୍କ ନଜର ରଖାଯାଇଛି ।

ଶ୍ରୀଲଙ୍କା ସୂଚନା ମନ୍ତ୍ରୀ ତଥା କ୍ୟାବିନେଟ ମୁଖପାତ୍ର ବାନ୍ଦୁଲା ଗୁଣବର୍ଦ୍ଦେନେ କହିଛନ୍ତି ଚୀନର ଜାହାଜକୁ ଇନ୍ଧନ ଭରିବା ସୁଯୋଗ ଦିଆଯିବା ପରେ ଜାହାଜ ବନ୍ଦର ଛାଡିବ । ଗତ ୨୦୧୪ରେ କଲମ୍ବୋ ଚୀନର ଆଣବିକ କ୍ଷମତାସମ୍ପନ୍ନ ବୁଡ଼ାଜାହାଜକୁ ରହିବା ସୁଯୋଗ ଦେବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ ଆଡ଼କୁ ଗତି କରିଥିଲା ।

ଟ୍ରେଣ୍ଡରେ ଦ୍ରୌପଦୀ, ୧୦ ଦିନରେ ୬୦ ଲକ୍ଷ ଫଲୋଅର୍ସ

ଭୁବନେଶ୍ବର: ଦ୍ରୌପଦୀ…. ଚାରି କାନ୍ଥ ଭିତରେ ସୀମିତ ଥିବା ଏ ନାଁ ପାଇଁ ଆଜି ଗର୍ବିତ ଓଡିଶା  । ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲକ୍ଷାଧିକ ସଂଖ୍ୟାରେ ବଢୁଛନ୍ତି ପ୍ରେସିଡେଣ୍ଟଙ୍କ ଫ୍ୟାନ୍‌  । ଛାତ୍ରଛାତ୍ରୀଙ୍କ ଠୁ ବୟସ୍କଙ୍କ ଯାଏଁ ଦେଶର ସର୍ବୋଚ୍ଚ ନାଗରିକ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ ସଭିଏଁ ଆଗ୍ରହୀ  । ଯାହାର ପ୍ରତିଫଳନ ସୋସିଆଲ  ମିଡିଆ ଫେସବୁକରେ ଦେଖିବାକୁ ମିଳିଛି  ।

 

ଆକାଉଣ୍ଟ ଖୋଲିବାର ମାତ୍ର ୧୦ ଦିନ ମଧ୍ୟରେ ୬୦ ଲକ୍ଷ ବା ୬ ମିଲିଅନ ଛୁଇଁଛି ଫଲୋଅର୍ସଙ୍କ ସଂଖ୍ୟା  । ଦଶ ଦିନ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରେକର୍ଡ ଭାଙ୍ଗିଛନ୍ତି ଦ୍ରୌପଦୀ  । ସମ୍ପୂର୍ଣ୍ଣ କାର୍ଯ୍ୟକାଳର ୫ ବର୍ଷ ମଧ୍ୟରେ ରାମନାଥଙ୍କ ଫଲୋଅର୍ସ ରହିଛନ୍ତି ସାଢେ ନବେ ଲକ୍ଷ । ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବାର ୨୨ ମିନିଟ ପରେ ଫେସବୁକ୍‌ରେ ସେ ଆକାଉଣ୍ଟ ଖୋଲିଥିଲେ  । ମାତ୍ର କେଇ ମିନିଟ ଭିତରେ ସୋସିଆଲ ମିଡିଆର ଷ୍ଟାର ପାଲଟି ଯାଇଥିଲେ ଦ୍ରୌପଦୀ  । ତାଙ୍କ ଫେସବୁକ ପେଜରେ ଦେଖିବାକୁ ମିଳିଥିଲା କେତେ ପପୁଲାର୍‌ ପ୍ରେସିଡେଣ୍ଟ ମ୍ୟାଡାମ  ।

 

ଶପଥ ଗ୍ରହଣ ସମାରୋହର ପ୍ରଥମ ଫଟୋ ପୋଷ୍ଟ କରିଥିଲେ ଦ୍ରୌପଦୀ । ପୋଷ୍ଟଟିକୁ ସେ ଫେସବୁକରେ ପିନ୍‌ରେ ରଖିବା ସହ ଲେଖିଥିଲେ ‘ଜୁହାର’  । ନବନିଯୁକ୍ତ ରାଷ୍ଟ୍ରପତିଙ୍କ ଏଭଳି ମହାନତା ଦେଖି ସୋସିଆଲ ମିଡିଆରେ ବଢିଯାଇଥିଲା ଫ୍ରଶଂସକଙ୍କ ସଂଖ୍ୟା  । ପଲ୍ଲୀରୁ ଦିଲ୍ଲୀ ଏବେ ସବୁଠି ମୁର୍ମୁ ମ୍ୟାଡାମଙ୍କ ଫ୍ୟାନ୍‌  । ଜୁଲାଇ ୨୫ରେ ଦେଶର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ମୟୂରଭଞ୍ଜ ଝିଅ ଦ୍ରୌପଦୀ ମୁର୍ମୁ  ।

ଜୁନ୍‌ରେ ବିବାହ କରିଥିଲେ, ଅଗଷ୍ଟରେ ଜୀବନ ହାରିଲେ ନବବଧୂ

ଭୁବନେଶ୍ବର: ଶାଶୂଘର ନିର୍ଯାତନା ସହି ନପାରି ଜୀବନ ହାରିଲେ ନବବଧୂ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଜିଜିପି କାଲୋନୀରେ ଘଟିଛି ଏଭଳି ଘଟଣା । ମୃତା ନବବଧୂ ହେଲେ ପ୍ରଜ୍ଞା ପାରମିତା ସ୍ବାଇଁ । ପ୍ରଜ୍ଞାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ୨୦୨୨ ଜୁନ ୮ ତାରିଖରେ ବିବାହ କରିଥିଲେ ପ୍ରଜ୍ଞା ।

ପଟିଆରେ ରହୁଥିବା ପ୍ରଶାନ୍ତ ପାତ୍ରଙ୍କ ସହ ପ୍ରଜ୍ଞାଙ୍କ ବିବାହ ହୋଇଥିଲା । କ୍ୟାନସର ସନ୍ଦେହରେ ପ୍ରଜ୍ଞାଙ୍କୁ ଶାଶୂଘର ଲୋକ ଘରୁ ବାହାର କରି ଦେଇଥିଲେ । କିନ୍ତୁ କ୍ୟାନସର ନୁହେଁ, ତାଙ୍କର ଦାନ୍ତବିନ୍ଧା ହେଉଥିବା ପରେ ଜଣାପଡ଼ିଥିଲା । ମାନସିକ ଚିନ୍ତାରେ ବେକରେ ରଶି ଲଗାଇ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାର ତଦନ୍ତ ଆରମ୍ଭ କରିଛି  । ନବବଧୂଙ୍କ ଶାଶୂଘର ଲୋକଙ୍କୁ ତଦନ୍ତ ପରିସରକୁ ନେଇ ପଚରାଉଚୁରା କରିପାରେ ପୋଲିସ  ।

ଘନଘନ ରକେଟ୍‌ ମାଡ଼ରେ ଘାଇଲା ଗାଜା, ମୃତ୍ୟୁସଂଖ୍ୟା ୨୪ ଛୁଇଁଲା

ଜେରୁଜେଲମ: ପୁଣି ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ପାଲେଷ୍ଟାଇନ ବିବାଦ । ଗାଜା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିବା ବେଳେ ଦକ୍ଷିଣ ଇସ୍ରାଏଲ ଉପରେ ବି ହମଲା କରିଛି ପାଲେଷ୍ଟାଇନ । ପାଲେଷ୍ଟାଇନ ଜିହାଦ ସଂଗଠନର ଜଣେ ବରିଷ୍ଠ କମାଣ୍ଡରଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ବଢିବାରେ ଲାଗିଛି ଟେନସନ ।

ଇସ୍ରାଏଲ ହମଲାରେ ଉତ୍ତର ଗାଜାର ଜାବାଲିୟାରେ ପ୍ରାଣ ହରାଇଥିବା ପାଲେଷ୍ଟିନୀୟଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ୬ ଶିଶୁ । ହମଲାରେ ଉତ୍ତରାଞ୍ଚଳ ଗାଜାର କମାଣ୍ଡର ତାଇସିର-ଅଲ- ଜାବାରି ପ୍ରାଣ ହରାଇଛି । ଦ୍ବିତୀୟ ଦିନରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧାବସ୍ଥା ଜାରି ରହିଥିବାବେଳେ ଏହାକୁ ନେଇ ସମଗ୍ର ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଛି ଅସ୍ଥିରତା । ଯଦିଓ ଗାଜାକୁ ନେଇ ବିବାଦ ଜୋର ଧରିବାରେ ଲାଗିଛି ତଥାପି ଗାଜାର ସର୍ବବୃହତ ଆତଙ୍କବାଦୀ ସଂଗଠନ ହାମାସ ବର୍ତ୍ତମାନ ସୁଦ୍ଧା ନିରପେକ୍ଷ ରହିଛି ।

ବର୍ଷକ ତଳେ ଗାଜାକୁ ନେଇ ଇସ୍ରାଏଲ ଓ ହାମାସ ମଧ୍ୟରେ ତୁମୂଳ ସଂଘର୍ଷ ହୋଇଥିଲା । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ବିବାଦ ବଢୁଥିବାବେଳେ ଗାଜାରେ ରହୁଥିବା ପ୍ରାୟ ୨୦ ଲକ୍ଷ ପାଲେଷ୍ଟିନୀୟଙ୍କ ଅବସ୍ଥା ସଙ୍କଟ ଆଡକୁ ଗତି କରିଛି । ତେଣେ ଇସ୍ରାଏଲ ଅଭିଯୋଗ କରିଛି ତେଲ ଆଭିବରେ ପାଲେଷ୍ଟାଇନ ରକେଟ ଷ୍ଟ୍ରାଇକ କରିଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ସମସ୍ୟାରେ ପଡିଛନ୍ତି ଇସ୍ରାଏଲର କାମଚଳା ପ୍ରଧାନମନ୍ତ୍ରୀ ୟାର ଲାପିଦ ।

ସେପଟେ ଦୋଛକିରେ ପଡିଛି ହାମାସ । ଗାଜାରେ ଦାରିଦ୍ର୍ୟ ଓ ବେକାରୀ ଚରମ ସୀମାରେ ପହଞ୍ଚିଛି । ଗତ ୨୦୦୭ରେ ଗାଜାକୁ ହାମାସ ନିଜ ଅଧୀନକୁ ନେବା ପରେ ଇସ୍ରାଏଲ ଓ ଇଜିପ୍ଟ ନିଜର ସୀମାକୁ ସିଲ୍ କରିସାରିଛନ୍ତି । ଯୁଦ୍ଧରୁ ହାମାସକୁ ବିରତ ରଖିବା ଲାଗି ଆମେରିକା ସମେତ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହୋଇଛି । ହାମାସ ତୁଳନାରେ କ୍ଷୁଦ୍ର ସଂଗଠନ ଇସଲାମିକ ଜିହାଦ ସଂଗଠନକୁ ସମର୍ଥନ କରୁଛି ଇରାନ ।

ଇଟା ଫ୍ୟାକ୍ଟ୍ରି ଯାଇ ଫେରିଲେନି ଯୁବକ, ଆଜି ମିଳିଲା ମୃତଦେହ

ଯାଜପୁର: ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର  । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁଭଦ୍ରାପୁର ନିକଟରେ ଏକ ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତି ହେଲେ ଆରୁଆ ପଞ୍ଚାୟତ କୋହ୍ଲା ଗାଁର ମକର ଚନ୍ଦ୍ର ସାହାଣୀ ।

ସେ ଆରୁହା ଅଞ୍ଚଳରେ ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ମକରଙ୍କୁ ପାଇ ନଥିଲେ । ଏନେଇ ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ପଚାରିବାରୁ ସେ ଜାଣିନଥିବା କହିଥିଲେ । ପରେ ସୁଭଦ୍ରାପୁର ନିକଟରେ ଏକ ନାଳରୁ ମକରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମକର ସାହାଣୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧର୍ମଶାଳା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି ।

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ବଢିଲା ଡ୍ୟୁଟି ଭତ୍ତା

ଭୁବନେଶ୍ବର: ଗୃହରକ୍ଷୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୩୮ ପ୍ରତିଶତ ବଢ଼ିଲା ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍‌ ଆଲାଉନ୍ସ । ୯ ହଜାର ଟଙ୍କାରୁ ୧୨ ହଜାର ୪୮୦ ଟଙ୍କା ହେଲା ଡ୍ୟୁଟି କଲ୍ ଅପ୍‌ ଆଲାଉନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ପୂର୍ବରୁ ଗୃହରକ୍ଷୀମାନଙ୍କୁ ଡ୍ୟୁଟି କଲ୍ ଅପ୍‌‌ ଆଲାଉନ୍ସ ଭାବରେ ମାସିକ ୯ ହଜାର ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କା ହିସାବରେ ମାସିକ ୧୨ ହଜାର ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଛଡ଼ା ଗୃହରକ୍ଷୀଙ୍କୁ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବଭଳି ମିଳିବ।

CWG 2022: ରିଲେ ଫାଇନାଲରେ ଆଜି ଦୌଡିବେ ଦୂତୀ-ଶ୍ରାବଣୀ

ବର୍ମିଂହାମ: ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଟ୍ରାକରେ ଦୌଡ଼ିବେ ଦୁଇ ଓଡ଼ିଆ  । ସ୍ପ୍ରିଣ୍ଟର ଦୂତୀଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଉପରେ ଦେଶବାସୀଙ୍କ ନଜର । ସନ୍ଧ୍ୟା ୫ଟା ୨୦ରେ ଟ୍ରାକରେ ଦୌଡ଼ିବେ ଦୁଇ ଓଡ଼ିଆ  । ୪×୧୦୦ ରିଲେ ଫାଇନାଲରେ ଦୌଡ଼ିବେ । ଦୂତୀଚାନ୍ଦ ଓ ଶ୍ରାବଣୀଙ୍କ ସହ ହିମା ଦାସ ଓ ଜ୍ୟୋତି ୟାରାଜି ମଧ୍ୟ ୪×୧୦୦ ରିଲେ ଫାଇନାଲରେ ଭାରତ ପାଇଁ ପ୍ରତିନିଧିତ୍ବ କରିବେ । ରିଲେ ପ୍ରଥମ ହିଟରେ ଭାରତ ଭଲ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ଟିକେଟ୍ ହାତେଇଛି  ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଚାଲିଛି ସଫଳତା । ମୋଟ୍ ୪୦ଟି ପଦକ ସହ ମେଡାଲ ତାଲିକାରେ ପଞ୍ଚମ ସ୍ଥାନରେ ଭାରତ । ଏ ପର୍ଯ୍ୟନ୍ତ ମୋଟ୍ ୧୩ଟି ସୁନା, ୧୧ଟି ରୂପା ଓ ୧୬ଟି ବ୍ରୋଞ୍ଜ ପଦକ ଦେଶ ନାଁରେ ହୋଇଛି । କମନୱେଲ୍ଥ ଗେମ୍ସର ନବମ ଦିନରେ ସର୍ବାଧିକ ୧୪ଟି ମେଡାଲ ଜିତି ରେକର୍ଡ କରିଛି ଦେଶ ।

ସେପଟେ ମହିଳା କ୍ରିକେଟ୍ ଟିମ୍, ପୁରୁଷ ହକି ଟିମ୍ ଫାଇନାଲରେ ପହଞ୍ଚିଛନ୍ତି । ହକି ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩-୨ ଗୋଲରେ ହରାଇ ଫାଇନାରେ ପହଞ୍ଚିଛି ଭାରତ । ସେପଟେ କ୍ରିକେଟ ଫାଇନାଲରେ ଆଜି ରାତି ସାଢେ ୯ଟାରେ ମହିଳା ଇଣ୍ଡିଆ ଟିମ୍  ଅଷ୍ଟ୍ରେଲିଆ ଟିମ୍କୁ ଭେଟିବ ।

ଲଘୁଚାପ ବର୍ଷାରେ ବେହାଲ ଓଡିଶା, ଆହୁରି ତିନି ଦିନ ଅବିଶ୍ରାନ୍ତ ବର୍ଷିବ

ଭୁବନେଶ୍ବର: ଅବିଶ୍ରାନ୍ତ ବର୍ଷାରେ ବେହାଲ ଓଡ଼ିଶା । ଗତକାଲି ଠୁ ଲାଗି ରହିଛି ପ୍ରବଳ ବର୍ଷା  । ଆଜିଠୁ ବର୍ଷାର ପରମାଣ  ବଢିବ  । ଓ୍ବେଲମାର୍କ ଲୋ’ପ୍ରେସରରେ ପରିଣତ ହେବ ଲଘୁଚାପ । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆଭ୍ୟନ୍ତରୀଣ ଓଡ଼ିଶା, ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଆଜି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି  । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, ବୌଦ୍ଧ ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସମୁଦ୍ର ଅଶାନ୍ତ ରହିବା ଯୋଗୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି  ।

ଗତକାଲି (ଶନିବାର) ଲଗାଣ ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଥିଲା । ରାଜଧାନୀର ଅନେକ ଜନଗହଳି ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିଲା । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ଯୋଗୁଁ ବୁଡ଼ିଯାଇଥିଲା ମୋ ବସ୍ ।

ନୀତି ଆୟୋଗ ବୈଠକରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇବେ ନବୀନ

ଭୁବନେଶ୍ବର: ଆଜି ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ  ।  ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରରେ ବୈଠକ ବସିବ । କେନ୍ଦ୍ର-ରାଜ୍ୟ ସମ୍ପର୍କ ନେଇ ଏଥିରେ ହେବ ବିଶଦ ଆଲୋଚନା । ତୈଳବୀଜ, ଡାଲିଜାତୀୟ ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ଉନ୍ନତ ଶସ୍ୟ ପରିଚାଳନା, କୃଷକ ସମ୍ପ୍ରଦାୟର ବିକାଶ, ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା, ସହରାଞ୍ଚଳ ପରିଚାଳନା ଆଦି ପ୍ରସଙ୍ଗରେ ହେବ ଆଲୋଚନା ।

ନୀତି ଆୟୋଗର ବିଭିନ୍ନ ପ୍ରସ୍ତାବର ରୂପାୟନ ଲାଗି ଗତ ଜୁନରେ ହିମାଚଳ ପ୍ରଦେଶ ଧର୍ମଶାଳାରେ ଆୟୋଜିତ ହୋଇଥିଲା ମୁଖ୍ୟ ଶାସନ ସଚିବମାନଙ୍କ ଜାତୀୟ ସମ୍ମିଳନୀ । ଆସନ୍ତା ବର୍ଷ ହେବାକୁ ଯାଉଥିବା ଗ୍ରୁପ-୨୦ ବୈଠକ ପୂର୍ବରୁ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ ।

ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ  । ବୈଠକରେ ମୁଖ୍ୟମନ୍ତ୍ରୀ ଉଠାଇବେ ରାଜ୍ୟ ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ  । ବିଶେଷକରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇବେ ନବୀନ । ପ୍ରତିବର୍ଷ ବନ୍ୟା, ବାତ୍ୟାର ସମ୍ମୁଖୀନ ହେଉଥିବାରୁ ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲି ଯାଉଛି । ଏଣୁ ରାଜ୍ୟର ବିକାଶ ପାଇଁ ବ୍ୟାପକ ଅର୍ଥର ଆବଶ୍ୟକତା ରହିଛି  । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ଜରୁରୀ  ।

ଦୀର୍ଘ ଦୁଇ ଦଶଦ୍ଧି ଧରି କେନ୍ଦ୍ର ନିକଟରେ ଏହି ଦାବି ରଖାଯାଉଥିଲେ ବି ପ୍ରତିଶ୍ରୁତି ଦେଇ କେନ୍ଦ୍ର ଅଣଦେଖା କରୁଛି  । ଆଜି ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ଦାବିକୁ ପୁଣି ଦୋହରାଇବେ ନବୀନ  । ଏହା ସହିତ କୃଷି, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ସହାୟତା ପାଇଁ ଦାବି ରଖିବେ  । ରେଳବାଇ, ବ୍ୟାଙ୍କିଂ, ମୋବାଇଲ ଯୋଗାଯୋଗ ପ୍ରସଙ୍ଗ ଉଠାଇ ରାଜ୍ୟର ହକ ମାଗିବେ ମୁଖ୍ୟମନ୍ତ୍ରୀ  ।