ଉଗ୍ରବାଦ ଓ ଷଡ଼ଯନ୍ତ୍ରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ, ଦମନ ଲାଗି ନିଆଯିବ ବଳିଷ୍ଠ ପଦକ୍ଷେପ

1 min read
Mumbai Terror Alert On IPL Matches

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଜାତିସଂଘ ନିରାପତ୍ତା ପରିଷଦର ଆତଙ୍କବାଦ ମୁକାବିଲା କମିଟି ବୈଠକ। ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଯୋଗ ଦେଇ କହିଛନ୍ତି- ଆତଙ୍କବାଦୀ ସଂଗଠନଗୁଡ଼ିକ ଲାଗି ସୋସିଆଲ ମିଡିଆ ଏକ ଟୁଲ୍ କିଟରେ ପରିଣତ ହୋଇଛି। ସୋସିଆଲ ମିଡିଆ ଜରିଆରେ ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରସାର, ଉଗ୍ରବାଦୀ ଆଭିମୁଖ୍ୟ ଓ ଷଡ଼ଯନ୍ତ୍ର ତତ୍ତ୍ୱର ପ୍ରସାର କରାଯାଇ ସାମାଜିକ ଅସ୍ଥିରତା ସୃଷ୍ଟି କରାଯାଉଛି ।

ସେ ଆହୁରି କହିଛନ୍ତି ଯେ ଆତଙ୍କବାଦୀମାନେ ନୂଆ ନୂଆ ପ୍ରଯୁକ୍ତିର ବ୍ୟବହାର କରୁଛନ୍ତି। ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ, ଏନକ୍ରିପ୍ଟେଡ ମେସେଜ ସର୍ଭିସ, ବ୍ଲକଚେନ ବ୍ୟବସ୍ଥା ଜରିଆରେ ସେମାନେ ଆତଙ୍କବାଦର ପ୍ରସାର କରୁଛନ୍ତି । ସେମାନଙ୍କୁ ନିୟନ୍ତ୍ରଣ କରିବା ସରକାରଙ୍କ ଲାଗି କଷ୍ଟସାଧ୍ୟ ବ୍ୟାପାର ହେଉଛି । ଜାତିସଂଘ ନିରାପତ୍ତା ପରିଷଦର ସମସ୍ତ ଚେଷ୍ଟା ସତ୍ତ୍ୱେ ଏସିଆ, ଆଫ୍ରିକା ଓ ଅନ୍ୟ ମହାଦେଶରେ ଆତଙ୍କବାଦର ଚେର ଲମ୍ବି ଚାଲିଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଆତଙ୍କବାଦର ମୁକାବିଲା ଲାଗି ଜାତିସଂଘ ନିରାପତ୍ତା ପରିଷଦ ଅନେକ କିଛି କରିଛି ବୋଲି ସେ କହିଛନ୍ତି। ଗତକାଲି ମୁମ୍ବାଇରେ ଅନୁଷ୍ଠିତ ଜାତିସଂଘ ନିରାପତ୍ତା ପରିଷଦର ଆତଙ୍କବାଦ ମୁକାବିଲା କମିଟି ବୈଠକରେ ବି ଆତଙ୍କବାଦ ବିରୋଧରେ ବଜ୍ର ଘୋଷଣା କରାଯାଇଥିଲା। ଦଶନ୍ଧି ଦଶନ୍ଧି ବ୍ୟାପୀ ଜାରି ରହିଥିବା ସୀମା ପାର୍ ଆତଙ୍କବାଦ ସତ୍ତ୍ୱେ ଭାରତ କଦାପି ଦୁର୍ବଳ ହେବ ନାହିଁ ବୋଲି କହିଥିଲେ ଜୟଶଙ୍କର।

ସମ୍ମିଳନୀରେ ଜାତିସଂଘ ନିରାପତ୍ତା ପରିଷଦର ସମସ୍ତ ୧୫ ରାଷ୍ଟ୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ସୋସିଆଲ ମିଡିଆ ଜରିଆରେ ଆତଙ୍କବାଦ ପ୍ରସାର, ପାଣ୍ଠି ଯୋଗାଡ଼ ଲାଗି ନୂଆ ପ୍ରଯୁକ୍ତିର ବ୍ୟବହାର ଓ ମାନବବିହୀନ ଡ୍ରୋନର ଅପବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଛି । ସମ୍ମିଳନୀରେ ଚୀନ, ଫ୍ରାନ୍ସ, ଭାରତ, ଆୟାରଲ୍ୟାଣ୍ଡ, ଋଷ, ଆମେରିକା, ବ୍ରିଟେନ ସମେତ ୧୫ ରାଷ୍ଟ୍ରର ପ୍ରତିନିଧି ସାମିଲ ହୋଇଛନ୍ତି । ଆସନ୍ତାକାଲି ନୂଆଦିଲ୍ଲୀରେ ଜାତିସଂଘର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ ଚୀନ କୂଟନୀତିଜ୍ଞ ବି ଯୋଗଦେବେ।