ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଛବିକୁ ମଳିନ କରିବାକୁ ପ୍ରୟାସ, ପଦାରେ ପଡ଼ିଲା ଷଡ଼ଯନ୍ତ୍ର

1 min read

ଭୁବନେଶ୍ୱର: ପଦାରେ ପଡ଼ିଲା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଛବିକୁ ମଳିନ କରିବା ଲାଗି ଜଣେ ଆଇନଜୀବୀ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାଂଘାତିକ ଷଡ଼ଯନ୍ତ୍ର । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମୂରଲୀଧରନ୍ ଉପସ୍ଥିତ ଥିବା ଏକ ବୈଠକର ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ହାଇକୋର୍ଟର ଆଇନଜୀବୀ ଶ୍ରୀନିବାସ୍ ମହାନ୍ତି ବିଭିନ୍ନ ପ୍ରଶ୍ନ ଉଠାଇବା ସହ ଲୋକଙ୍କୁ ବିଭ୍ରାନ୍ତ କରିବା ଭଳି ମନ୍ତବ୍ୟ ଦେଇଛନ୍ତି । ସେହିଭଳି ବିଭିନ୍ନ ପ୍ରସଙ୍ଗରେ ବହୁବାର ନିନ୍ଦିତ ରାଜ୍ୟର ଏକ ଘରୋଇ ନ୍ୟୁଜ ଚ୍ୟାନେଲ ମଧ୍ୟ ଅନୁରୂପ ଭାବେ ଏହି ଆଇନଜୀବୀଙ୍କ ଉକ୍ତିକୁ ଉଦ୍ଧାର କରି ବିଭ୍ରାନ୍ତିମୂଳକ ଖବର ପରିବେଷଣ କରିଛି । ଏଭଳି କରିବା ପଛରେ ନ୍ୟସ୍ତସ୍ବାର୍ଥ ନିହିତ ଥିବା ଜଳ ଜଳ ହୋଇ ଦେଖାଯାଉଛି ।
ଭୁବନେଶ୍ୱରରେ ସତ୍ୟସାଇ ସେବା କେନ୍ଦ୍ରର ଏକ ଶାଖା ରହିଛି । ଏହି କେନ୍ଦ୍ର ହୃଦରୋଗରେ ଆକ୍ରାନ୍ତ ଛୋଟ ପିଲାଙ୍କୁ ନିଶୁଳ୍କ ସେବା ପାଇଁ ବ୍ୟବସ୍ଥା କରିଥାଏ । ଜନସେବା କରୁଥିବା ଏହି ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଉଭୟ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ୫ଟି ସଚିବ ଯୋଗ ଦେଇଥିଲେ । ଏହାର ଗୋଟିଏ ଫଟୋକୁ ଆଇନଜୀବୀ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବିଭିନ୍ନ ଅବାନ୍ତର ପ୍ରଶ୍ନ ଉଠାଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପାଇଁ ପ୍ରଟୋକଲ୍ ରହିଛି ନିଶ୍ଚୟ । କିନ୍ତୁ ଜନମଙ୍ଗଳକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାରେ କଟକଣା ନାହିଁ । ଜଣେ ଆଇନଜୀବୀ ହୋଇଥିବାରୁ ଅନ୍ତତଃ ଏତିକି ଜାଣିବା କଥା ।
ଗରିବଙ୍କ ସେବା ଓ ହୃଦ ପରୀକ୍ଷା କାର୍ଯ୍ୟକ୍ରମରେ ନିୟୋଜିତ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନୀଙ୍କ ସହ ଫାଇଭ ଟି ସଚିବଙ୍କ ପରିଚୟ ହୋଇଥିଲା । ହୃଦରୋଗ ପୀଡ଼ିତ ଓଡ଼ିଶାର ଗରିବ ପିଲାମାନଙ୍କୁ ନିଃଶୁଳ୍କ ଚିକିତ୍ସା ଯୋଗାଇ ଦେବାକୁ ଭି.କେ ପାଣ୍ଡିଆନ୍ ମନୋଜ ଭିମାନୀଙ୍କୁ ଅନୁରୋଧ କରିଥିଲେ । ଏହାପରେ ଅନୁଷ୍ଠାନ ପକ୍ଷରୁ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୧୨୦୦ ଶିଶୁଙ୍କ ଚିକିତ୍ସା କରାଯାଇଛି । ତେବେ ଭୁବନେଶ୍ୱରରେ ଏହି ସେବା କାର୍ଯ୍ୟକ୍ରମର ଏକ ଫଟୋକୁ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ହାର୍ଟ ଅପରେସନ ଲାଗି ୫ରୁ ୧୦ ଲକ୍ଷ ଟଙ୍କା ଖର୍ଟ୍ଟ ହୋଇଥାଏ, ସେହି ଅପରେସନକୁ ସତ୍ୟସାଇ ହସ୍ପିଟାଲରେ ମାଗଣାରେ କରାଯାଇଥାଏ ।
ଓଡ଼ିଶାରେ ସତ୍ୟ ସାଇ ହସପିଟାଲର ଏକ କ୍ୟାମ୍ପ ବା କେନ୍ଦ୍ର ରହିଛି । ଏହି କେନ୍ଦ୍ରକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏମ. ଆର. ଶାହ ଆସିଥିଲେ । ପ୍ରୋଟକଲ ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜଷ୍ଟିସଙ୍କ ସହ ଯୋଗ ଦେଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ଯେତେହୁ ଓଡ଼ିଶା ସହ ଏହି ହସପିଟାଲ ଯୋଗାଯୋଗରେ ରହିଛି । ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଯାଇଥିଲେ । କିଛି ନବୁଝିସୁଝି ଏହି ଫଟୋକୁ ନେଇ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ନିର୍ଦ୍ଦିଷ୍ଟ ଗଣମଧ୍ୟାମ ଏବେ ରାଜନୀତି କରିବାକୁ ଉଦ୍ୟମ କରିଛନ୍ତି । ଜଷ୍ଟିସ ଶାହ ବହୁ ପୂର୍ବରୁ ଏହି ସେବାମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିଆସିଛନ୍ତି । ଜଷ୍ଟିସ ଶାହଙ୍କ ଆମନ୍ତ୍ରଣ କ୍ରମେ ମୁଖ୍ୟବିଚାରପତି ଏହି କାର୍ଯ୍ୟକ୍ରମକୁ ଆସିଥିଲେ ।
୨୦୧୮ରେ ରାଜ୍ୟ ସରକାର ଓ ସତ୍ୟ ସାଇ ହସପିଟାଲ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଯେଉଁଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଫାଇଭ ଟି ସଚିବ । ୨୦୨୦ରେ ଏହି ଏମଓୟୁର ନବୀକରଣ ହୋଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ଯାଇ ଏହି ହସ୍ପିଟାଲର ପରିଦର୍ଶନ କରିଥିଲେ । ଓଡିଶାର ଶିଶୁମାନଙ୍କ ଲାଗି ଏତେ ବଡ଼ କାର୍ଯ୍ୟ ଚାଲିଥିବାରୁ ହସ୍ପିଟାଲ ଦେଖିବାକୁ ଯାଇଥିଲେ ନବୀନ । ହାଇକୋର୍ଟର ଜଣେ ଆଇନଜୀବୀ ଓ ଏକ ନିର୍ଦ୍ଦିଷ୍ଟ ଗଣମାମଧ୍ୟମର ଜାଣିଶୁଣି ବଦନାମ କରିବାକୁ ଉଦ୍ୟମ କରିଥିବାରୁ ସତ୍ୟ ସାଇ ହାର୍ଟ ହସପିଟାଲର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନୀ ଏହାକୁ କଡ଼ା ନିନ୍ଦା କରିଛନ୍ତି ।
ସେପଟେ ଏଭଳି ଏକ ଖବର ପ୍ରସାରଣ ପରେ ବରିଷ୍ଠ ଆଇନଜୀବୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜାଣିଶୁଣି ମୁଖ୍ୟ ବିଚାରପତିଙ୍କୁ ଟାର୍ଗେଟ୍ କରାଯାଇଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେବାମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୌଣସି ଆଇନ୍ ପ୍ରତିବନ୍ଧକ ଲଗାଇ ନାହିଁ । ଏଥିପାଇଁ କୌଣସି ପ୍ରଟୋକୋଲର ଆବଶ୍ୟକତା ନଥାଏ । ଯେଉଁଠି ଦୁରାରୋଗ୍ୟରେ ପୀଡିତ ଗରିବ ପିଲାଙ୍କୁ ମାଗଣାରେ ଚିକିତ୍ସା ଦିଆଯାଉଛି, ସେଠି ରାଜନୀତି କରିବା ନିହାତି ନିନ୍ଦନୀୟ ବୋଲି ଆଇନଜୀବୀ କହିଛନ୍ତି ।
ସେହିପରି ସତ୍ୟସାଇ ସେବା ସଂଗଠନର ଏକ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟ ବିଚାରପତିଙ୍କ ନନ୍ଦିତ କରିବାକୁ ହୋଇଥିବା ଅପଚେଷ୍ଟା ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିଛନ୍ତି ହାଇକୋର୍ଟର ରେଜିଷ୍ଟ୍ରାର । ଏହି ଧରଣର କୁତ୍ସିତ ତଥା ଫେକ ନ୍ୟୁଜ ପ୍ରସାରଣକୁ ନିନ୍ଦା କରିଛନ୍ତି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର । ସେ କହିଛନ୍ତି ଓଡିଶା ହାଇକୋର୍ଟରେ ସେବାରତ ଜଣେ ଆଇନଜୀବୀଙ୍କ ଜରିଆରେ ଏକ ଫଟୋ ସମ୍ପର୍କିତ ଭ୍ରାନ୍ତ ଖବର ପ୍ରସାରଣ ଅତ୍ଯନ୍ତ ଦୁର୍ଭାଗ୍ୟଜନକ । ବାସ୍ତବ ସତ୍ୟତା ନଜାଣି ଏହାର ମିଥ୍ୟା ପ୍ରୋପଗଣ୍ଡା ଚାଲିଛି । ଫଟୋରେ ମୁଖ୍ୟ ବିଚାରପତି ଓ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନୀ ଓ ହସ୍ପିଟାଲର ଅନ୍ୟ ୩ ଜଣ ଡାକ୍ତର ବସିଛନ୍ତି । ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଆୟୋଜିତ ମେଗା ହାର୍ଟ କ୍ୟାମ୍ପରେ ସମସ୍ତେ ଯୋଗ ଦେଇଥିଲେ । ଏଥିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ଆର. ଶାହ ବି ଉପସ୍ଥିତ ଥିଲେ । ଶିବିରକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୂରଲୀଧରଙ୍କୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା । ଓଡ଼ିଶା ସରକାରଙ୍କ ସହ ଏହି ମେଗା ହାର୍ଟ କ୍ୟାମ୍ପ ସମ୍ପର୍କିତ ଥିବାରୁ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ବି ଅନୁରୋଧ କରାଯାଇଥିଲା । ଜଷ୍ଟିସ ଏମ. ଆର. ଶାହଙ୍କୁ ଅପେକ୍ଷା କରିଥିବା ସମୟରେ ଏହି ଫଟୋଗ୍ରାଫ ନିଆଯାଇଥିଲା । କେବଳ ମୁଖ୍ୟ ବିଚାରପତି ନୁହଁନ୍ତି ବରଂ ସମଗ୍ର ବିଚାର ବିଭାଗୀୟ ପ୍ରତିଷ୍ଠାନକୁ ନିନ୍ଦିତ କରିଯିବା ଲାଗି ଏହି ହୀନ ପ୍ରୟାସ ହୋଇଛି । ବାସ୍ତବ ସତ୍ୟ ଉପଲବ୍ଧି ନ କରି ନକାରାତ୍ମକ ଭାବେ ଏହାକୁ ଚିତ୍ରିତ କରାଯାଉଛି । ଏହି ଧରଣର ଖବର ପ୍ରସାରଣ ପୂର୍ବରୁ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲ ଓ ଆୟୋଜକଙ୍କ ଠାରୁ ସତ୍ୟତା ଯାଞ୍ଚ କରିବା ଉଦ୍ଦେଶ୍ୟ ଥିଲା ବୋଲି କହିଛନ୍ତି ରେଜିଷ୍ଟ୍ରାର ।