ଖେରସନରେ ହେବ ହମଲା, ଯୁଦ୍ଧ ଲାଗି ୩ ଲକ୍ଷ ସେନା ଯୋଗାଡ଼ କଲେ ପୁଟିନ

ନୂଆଦିଲ୍ଲୀ: ଶେଷ ହେଲା ଋଷର ସୈନ୍ୟ ସଂଗ୍ରହ ପ୍ରକ୍ରିୟା । ପ୍ରାୟ ୩ ଲକ୍ଷ ସୈନ୍ୟ ଯୋଗାଡ଼ ହେବା ପରେ ଏହି ପ୍ରକ୍ରିୟାର ଶେଷ ନେଇ ଘୋଷଣା କରିଛି ଋଷ । ତନ୍ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ସୈନ୍ୟଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଋଷର ଏହା ଥିଲା ପ୍ରଥମ ସୈନ୍ୟ ସଂଗ୍ରହ ପ୍ରକ୍ରିୟା । ଖେରସନରୁ ପ୍ରାୟ ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପରେ ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ କରିବା ନିଶ୍ଚିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ କହିଛନ୍ତି ପ୍ରାୟ ୩ ଲକ୍ଷ ସୈନ୍ୟ ସଂଗ୍ରହ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୮୨ ହଜାର ସୈନ୍ୟଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଯାଇଛି । ସେପଟେ ଋଷର ଏହି ଘୋଷଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ସେ କହିଛନ୍ତି, ଲୋକମାନଙ୍କୁ ବଳପୂର୍ବକୁ ସୈନ୍ୟ ବାହିନୀରେ ମିଶିବା ଲାଗି ବାଧ୍ୟ କରାଯାଉଛି । ଋଷ ଦିନକୁ ଦିନ ଶକ୍ତିହୀନ ହେବାରେ ଲାଗିଛି । ବର୍ତ୍ତମାନ ୟୁକ୍ରେନରେ ପ୍ରାୟ ୪୦ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି ଏବଂ ଦେଶରେ ବିଦ୍ୟୁତ ସଂକଟ ଅତି ତୀବ୍ର ହୋଇଛି ବୋଲି ସେ କହିଛନ୍ତି । ତେଣେ ୟୁକ୍ରେନକୁ ପୁଣି ଆମେରିକା ଦେଇଛି ୨୭୫ ନିୟୁତ ଡଲାର ସାମରିକ ସହାୟତା । ଏଥିରେ ରହିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଯନ୍ତ୍ରାଂଶ । ଏନେଇ ଘୋଷଣା କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଳିଙ୍କେନ । ଏହି ସହାୟତା ସହ ବର୍ତ୍ତମାନ ସୁଦ୍ଧା ୟୁକ୍ରେନକୁ ମିଳିଲାଣି ପ୍ରାୟ ୧୮ ଦଶମିକ ୫ ବିଲିୟନ ଡଲାରର ସହାୟତା । ବ୍ଲିଙ୍କେନ କହିଛନ୍ତି, ଆମେରିକାର ଏହି ସହାୟତା ବଳରେ ୟୁକ୍ରେନ ଅଧିକ ଶକ୍ତିଶାଳୀ ହୋଇ ଋଷ ବିରୋଧରେ ଲଢିବ । ଏହା ସହ ଯଦି ୟୁକ୍ରେନ ଚାହେଁ ତେବେ ତାହାକୁ ଏୟାର ଡିଫେନ୍ସ ସିଷ୍ଟମ ଓ ଦୁଇଟି ଅତ୍ୟାଧୁନିକ ବିମାନ ବିଧ୍ୱଂସୀ ନାସମସ ଯୋଗାଇ ଦିଆଯିବ ।