ପଦ୍ମପୁର ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି

1 min read

ଭୁବନେଶ୍ବର: ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି  ପଦ୍ମପୁର  ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି।

ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକାଶ ହେଉଛି ଆମର ପରିଚୟ। ଚାଷୀ, ମହିଳା, ଯୁବବର୍ଗ ମାନଙ୍କୁ ସଶକ୍ତ କରି ସାରା ଓଡିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି ।  ପଦ୍ମପୁରର ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ଟି ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏଥିସହିତ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଛନ୍ତି।

ଏହାସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ  କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ।

ସେହିପରି ନୃସିଂହନାଥ ଓ ବେଦ ବରାହ ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଶିକ୍ଷାର ବିକାଶରେ ୫-ଟି ସ୍କୁଲ ରୂପାନ୍ତର ବିଶେଷ ଭୂମିକା ନେଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ୩୦ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଉ ୪୪ଟି ପାଇଁ କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଏହା ସହିତ ଆଜି ପଦ୍ମପୁର ଅଞ୍ଚଳର ୩ଟି ବ୍ଲକ୍‌ ଓ ସହରାଞ୍ଚଳ  ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହୋଇଥିଲା।  ଏଥିରେ ୨୦ଟି କଲ୍ୟାଣମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଚନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଭଟଲୀ ବିଧାୟକ ସୁଷାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ  ଅତାବିରା ବିଧାୟକ ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ ।