ଭାରତ ଯୋଡୋ ଯାତ୍ରା; ତେଲେଙ୍ଗାନା ଜନଜାତିଙ୍କ ସହ ନାଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କମାଲ। ତେଲେଙ୍ଗାନା ଭଦ୍ରାଚଳମରେ ଆଦିବାସୀଙ୍କ ଗହଣରେ ନାଚିଛନ୍ତି ରାହୁଲ । ଭାରତ ଯୋଡୋ ଯାତ୍ରାକୁ ସ୍ବାଗତ କରିବା ଲାଗି ସ୍ଥାନୀୟ କଂଗ୍ରେସ କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା । ସେଠାରେ କୋମୁ କୋୟା ଆଦିବାସୀମାନେ ସୁସଜ୍ଜିତ ପୋଷାକ ପିନ୍ଧି ନୃତ୍ୟ କରିଥିଲେ ।

ପାରମ୍ପରିକ ବାଦ୍ୟରେ ସେମାନେ ମସଗୁଲ ହୋଇଥିବାବେଳେ ସେମାନଙ୍କ ସହ ନାଚିଥିଲେ ରାହୁଲ ଗାନ୍ଧୀ । ପୂର୍ବରୁ ତେଲଙ୍ଗାନାର ନାରାୟଣପେଟ ଜିଲ୍ଲାରେ କଳାକାରଙ୍କ ସହ ଢୋଲ୍ ଖେଳିବାର ଭିଡିଓ ଚର୍ଚ୍ଚାର ପରିସରକୁ ଆସିଥିଲା। ୨୦୧୯ରେ ବି ରାହୁଲ ଛତିଶଗଡ଼ ରାଇପୁରରେ ଆଦିବାସୀଙ୍କ ଗହଣରେ ନାଚିଥିଲେ।

ତେବେ ଗତ ସେପ୍ଟେମ୍ବର ୭ ତାରିଖରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ପ୍ରତି ବିପୁଳ ସମର୍ଥନ ପ୍ରକାଶ ପାଇ ଆସୁଥିବାବେଳେ ବର୍ତ୍ତମାନ ସୁଦ୍ଧା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରେ ସରିଛି ଅଭିଯାନ ।