ବନ ଅଧିକାରୀଙ୍କ ମାଡ଼ରେ ଲହୁ ଲୁହାଣ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଟଙ୍ଗୀ: ବନ ଅଧିକାରୀଙ୍କ ମାଡରେ ଲହୁ ଲୁହାଣ ଯୁବକ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଏଭଳି ସଂଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜର ବନ କର୍ମଚାରୀଙ୍କ ବିରୋଧରେ । ସୂଚନା ଅନୁସାରେ, ବେଗୁନିଆ ସିକୋ ଫଣ୍ଡା ଗଉଡ଼ିଆପଡ଼ା ଅଞ୍ଚଳରୁ ମୋରମ ଓ ପଥର ଚାଲାଣ ଖବର ପାଇ ଭୁଷଣ୍ଡପୁର ଫରେଷ୍ଟର ରାକେଶ ପଣ୍ଡାଙ୍କ ସହ ବନ କର୍ମଚାରୀ ମାନେ ଚଢାଉ କରିଥିଲେ ।

ଚଢ଼ାଉ ବେଳେ ଗାଁର ମନୋରଂଜନ ଦାସଙ୍କୁ ଉଠାଇ ନେଇଥିଲେ ବନ କର୍ମଚାରୀ । ମନୋରଞ୍ଜନ ଚାଲାଣରେ ସାମିଲ ନଥିଲେ ବରଂ ଶୌଚ ହେବାକୁ ଯାଇଥିଲେ ବୋଲି ପରିବାର ଲୋକ କହିଥିଲେ । ହେଲେ ବନ କର୍ମଚାରୀ କଥା ନଶୁଣି ବିଟ୍ ହାଉସରେ କବାଟ ବନ୍ଦ କରି ଲୁହା ରଡ୍ ଓ ଠେଙ୍ଗାରେ ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି । ବନ ଅଧିକାରୀଙ୍କ ମାଡରେ ମନୋରଂଜନଙ୍କର ପିଠି, ହାତ ଓ ଦେହରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି ।

ସେପଟେ ରେଞ୍ଜର କହିଛନ୍ତି ମନୋରଞ୍ଜନଙ୍କୁ ମାଡ଼ ହୋଇନି । କିଛି ଦିନ ପୂର୍ବରୁ ସମାନ ସ୍ଥାନରୁ ମୋରମ ଚାଲାଣ ଖବର ପାଇ ଚଢ଼ାଉ ବେଳେ, ମାଫିଆ ମାନେ ଖସି ଯାଇଥିଲେ । ସେତେବେଳେ ବନ କର୍ମଚାରୀ ଜଙ୍ଗଲରେ ଯାହାକୁ ଦେଖିଲେ, ତାଙ୍କୁ ମାଡ ମାରିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ । ସିକୋ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ବନ କର୍ମଚାରୀ ଘଟଣାସ୍ଥଳରୁ ପଳାଇଥିଲେ ।