ଜେଲରେ ସୁରକ୍ଷା ପାଇଁ ଆପ୍ ମନ୍ତ୍ରୀଙ୍କୁ ଦେଇଛି ୧୦ କୋଟି: ସୁକେଶ ଚନ୍ଦ୍ରଶେଖର

1 min read

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଜେଲଦଣ୍ଡ ଭୋଗୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଆପ୍ ନାଁରେ ସାଂଘାତିକ ଅଭିଯୋଗ ଆଣିଛି । ସୁକେଶ କହିଛି ଯେ, ଆପ୍ ନେତା ସତ୍ୟେନ୍ଦ୍ର ଜୈନକଙ୍କୁ ସେ ୧୦ କୋଟି  ଜେଲରେ ସୁରକ୍ଷା ପାଇଁ ଦେଇଛି । ସୁକେଶ ଚନ୍ଦ୍ର ଜେଲରୁ ଦିଲ୍ଲୀ ଏଲଜି ବିକେ ସକ୍ସେନାଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛଇ । ସୁକେଶ ଏହି ମାମଲାର ତଦନ୍ତ କରିବା ପାଇଁ ଏଲଜିଙ୍କୁ ନିବେଦନ କରିଛି ।

ସୁକେଶ ନିଜ ଚିଠିରେ ଲେଖିଛି ଯେ, ସତ୍ୟେନ୍ଦ୍ର ଜୈନ ମୋତେ ଲଗାତାର ପଇସା ଦେବା ପାଇଁ ବାଧ୍ୟ କରିଥିଲେ । ଚାପ କାରଣରୁ ୨-୩ ଦିନର ବ୍ୟବଧାନରେ ୧୦ କୋଟି ଅର୍ଥରାଶି ଦେଇଥିଲି । ସୁକେଶ ଦାବି କରିଛି ଯେ, ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପଇସା ନିଆଯାଇଛି । ମୋଟ ୧୦ କୋଟି ଟଙ୍କା ସତ୍ୟେନ୍ଦ୍ର ଜୈନଙ୍କୁ ପଇଠ କରିଥିବା କଥା କହିଛି । ସୁକେଶ କହିଛି ଯେ ମୁଁ ସତ୍ୟେନ୍ଦ୍ର ଜୈନଙ୍କୁ ୨୦୧୫ରୁ ଜାଣିଛି ।

ମୋତେ ୨୦୧୭ରେ ଗିରଫ କରାଯାଇଥିଲା । ମୁଁ ତିହାର ଜେଲରେ ବନ୍ଦ ଥିଲି । ସତ୍ୟେନ୍ଦ୍ର ସେ ସମୟରେ ଜେଲ ମନ୍ତ୍ରୀ ଥିଲେ । ସେ ଅନେକ ଥର ଜେଲ ଆସିଥିଲେ ଏବଂ ମୋତେ କହିଥିଲେ ଯେ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ଆପ୍ କୁ ଦେଇଥିବା ଚାନ୍ଦା ସମ୍ପର୍କରେ କିଛି ନକହିବା ପାଇଁ । ଏଲଜିଙ୍କୁ ଲେଖିଥିବା ଚିଠିରେ ଚନ୍ଦ୍ରଶେଖର ଆଗକୁ କହିଛି ଯେ, ୨୦୧୯ରେ ସତ୍ୟେନ୍ଦ୍ର ଜୈନ ପୁଣିଥରେ ଜେଲକୁ ଆସିଥିଲେ ।

ସେ ସମୟରେ ତାଙ୍କ ସହ ତାଙ୍କ ସଚିବ ଏବଂ ବନ୍ଧୁ ସୁଶୀଲ ଥିଲେ । ସତ୍ୟେନ୍ଦ୍ର ଜୈନ ମୋତେ ପ୍ରତି ମାସରେ ୨ କୋଟି ଟଙ୍କା ପ୍ରୋଟେକ୍ସନ ମନି ଆଧାରରେ ମାଗିଥିଲେ । ଯାହାଫଳରେ ମୁଁ ଜେଲରେ ସୁରକ୍ଷିତ ରହିପାରିବି ଏବଂ ମୋତେ ଜେଲରେ ସବୁ ପ୍ରକାର ସୁବିଧା ମିଳିପାରିବ । ତେବେ ସୁକେଶର ଏହି ଆରୋପକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ମିଛ ବୋଲି କହିଛନ୍ତି ।

ଅରବିନ୍ଦ କେଜରିୱାଲ କହିଛନ୍ତି, ବିଜେପି ମୋରବି ଦୁର୍ଘଟଣାରୁ ଧ୍ୟାନ ହଟେଇବା ପାଇଁ ସୁକେଶର କାହାଣୀ ରଚିଛି । ବିଜେପି ସୁକେଶ କାନ୍ଧରେ ବନ୍ଧୁକ ରଖି ଚଳାଇବାକୁ ଉଦ୍ୟମ କରୁଛି । ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କାର ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଦିଲ୍ଲୀ ମଣ୍ଡୋଲି ଜେଲ୍‌ରେ ଅଛି । ପୂର୍ବରୁ ସେ ତିହାର ଜେଲ୍‌ରେ ଥିଲା ।