ପୋଲ ଦୁର୍ଘଟଣାକୁ ନେଇ ଆସନ୍ତାକାଲି ଗୁଜୁରାଟରେ ରାଜକୀୟ ଶୋକ

ଗାନ୍ଧିନଗର: ମୋରବି ପୋଲ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବିଳମ୍ବିତ ରାତିରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘବୀ ଏବଂ ଉଚ୍ଚ ଅଧିକାରୀଙ୍କଠାରୁ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଲୋକମାନଙ୍କୁ ସମ୍ପୂର୍ଣ୍ଣ ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତାକାଲି ଅର୍ଥାତ ୨ ନଭେମ୍ବରରେ ରାଜ୍ୟରେ ରାଜକୀୟ ଶୋକ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ ଭବନରେ ତ୍ରିରଙ୍ଗା ଅର୍ଦ୍ଧନମିତ ରହିବ । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ମୋରବି ପୀଡିତ ପରିବାରକୁ ଭେଟିବା ପାଇଁ ଯିବେ । ସୋମବାର ପିଏମ ମୋଦି ନିଜ ରୋଡ୍ ଶୋ ମଧ୍ୟ ରଦ୍ଦ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ପରିବର୍ତ୍ତନ ଯାତ୍ରା ଗୋଟିଏ ଦିନ ପାଇଁ ସ୍ଥଗିତ କରିଛି ।

ସୂଚନାଥାଉକି ଗତ ରବିବାର ସନ୍ଧ୍ୟାରେ ଗୁଜୁରାଟର ମୋରବିରେ କେବୁଲ ପୋଲ ଭୁଶୁଡ଼ି ପଡ଼ିଥିଲା । ଏହି ପୋଲ ଉପରେ ପ୍ରାୟ ୫୦୦ ଲୋକ ଛିଡା ଥିଲେ । ଏହି ମାଚ୍ଛୁ ନଦୀରେ ଝୁଲନ୍ତା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୩୪ ହୋଇଥିବା ବେଳେ ନିଖୋଜ ଅଛନ୍ତି ଆହୁରି ଅନେକ । ବାୟୁସେନା, ନୌସେନା,  ଏନଡିଆରଏଫ, ଏସଡିଆରଏଫ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଦୁର୍ଘଟଣାରେ ୪୭ ପିଲାଙ୍କ ବି ମୃତ୍ୟୁ ଘଟିଛି ।