spot_img
Home Blog Page 3928

୧୨ ସେକେଣ୍ଡରେ ଦୁର୍ନୀତିର ଦ୍ବୈତ୍ବ ଅଟ୍ଟାଳିକା ଧ୍ବଂସ

ନୋଏଡା: ୯ ବର୍ଷର ବିବାଦ ୧୨ ସେକଣ୍ଡରେ ଧ୍ବଂସ । ଧରାଶାୟୀ ହେଲା ନୋଏଡା ଟୁଇନ ଟାଓ୍ବାର । କଡ଼ା ନିରାପତ୍ତାରେ ଅପରାହ୍ଣ ସାଢେ ୨ଟାରେ ହୋଇଛି ବିସ୍ଫୋରଣ । ଚାରିଆଡେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି  ।  ଲାଇଭ ଏକ୍ସପ୍ଲୋଜନର ଦୃଶ୍ୟ ଦେଖିବାକୁ ସାରା ଦେଶ କରିଥିଲା  ପ୍ରତୀକ୍ଷା ।

୯ ବର୍ଷ ଧରି ଟାଓ୍ବାରକୁ ନେଇ ଚାଲିଥିଲା ବିବାଦ  । ସୁପରଟେକ୍ ଦ୍ବାରା ନିର୍ମିତ ହୋଇଥିବା ଟାଓ୍ବାର ଧ୍ବଂସ ପାଇଁ ବ୍ୟବହାର ହୋଇଛି ୩,୭୦୦ କେଜିର ବିସ୍ଫୋରକ  । ସ୍ଥାନାନ୍ତରିତ ହୋଇଛନ୍ତି ୭ ହଜାର ଲୋକ  । ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ  । ସମ୍ପୂର୍ଣ୍ଣ ନିରାପଦ ଭାବେ ଟଳିଲା ଟାଓ୍ବାର  ।

ବିସ୍ଫୋରଣ ପୂର୍ବରୁ ଆଖପାଖ ଅଞ୍ଚଳକୁ ଖାଲି କରାଇ ଦିଆଯାଇଛି । ବିଲ୍ଡିଂ ପାଖରେ ରହୁଥିବା ପ୍ରାୟ ୭ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳୁ ବନ୍ଦ ରହିଛି ବିଦ୍ୟୁତ୍ ସରବହରାହ । ସୁରକ୍ଷା ଦୃଷ୍ଟିରୁ ନୋଏଡ଼ା-ଗ୍ରେଟର ନଏଡ଼ା ଏକ୍ସପ୍ରେସ ଓ୍ବେ ବନ୍ଦ ରଖାଯାଇଛି । ୨ଟା ୧୫ରୁ ୨ଟା ୪୫ଯାଏଁ ବନ୍ଦ ରହିବ ନୋଏଡ଼ା-ଗ୍ରେଟର ନଏଡ଼ା ଏକ୍ସପ୍ରେସ ଓ୍ବେ । ହେଲଥ ଏମର୍ଜେନ୍ସିକୁ ନଜରରେ ରଖି ଆଖପାଖର ତିନି ହସ୍ପିଟାଲକୁ ଆଲର୍ଟରେ ରଖାଯାଇଛି । ଟାଓ୍ବାରର ୫ଶହରୁ ୭ଶହ ମିଟର ପରିଧିକୁ ଏକ୍ସକ୍ଲୁଜନ ଜୋନ୍ ଘୋଷଣା କରାଯାଇଛି । ବ୍ଲାଷ୍ଟ ପରେ ଆଖପାଖ ସୋସାଇଟିକୁ ଯାଞ୍ଚ କରାଯିବ । ପିଲର, ଗ୍ୟାସ କନେକ୍ସନ, ଲିଫ୍ଟର ଯାଞ୍ଚ ହେବ ।

ଗହୀରମଥାରେ ଛଡା ହେଲେ ବର୍ଷର ପ୍ରଥମ କୁମ୍ଭୀର ଛୁଆ

କେନ୍ଦ୍ରାପଡା: ଆଜି ଗହୀରମଥାରେ  ଥିବା କଣ୍ଡରା ପାଟିଆ ନଦୀରେ ଛଡାଯାଇଛି ୩୬ଟି କୁମ୍ଭୀର  । କୃତ୍ରିମ ଉପାୟରେ ପ୍ରଜନନ ହୋଇଥିବା କୁମ୍ଭୀର ଛୁଆ ଗୁଡିକ ନଦୀରେ ଛଡା ଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଜି ପ୍ରଥମ ଥର ଏହି କୁମ୍ଭୀର ଛୁଆ ଛଡ଼ା ଯାଇଥିବା ଜଣା ପଡ଼ିଛି ।

କୁମ୍ଭୀର ବସା ଓ ନଦୀ ପଠା ମାନଙ୍କରୁ ବନବିଭାଗ କୁମ୍ଭୀର ଅଣ୍ଡାକୁ ଉଦ୍ଧାର କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଇ ହାଚେରୀରେ ରଖିଥାଏ । କୁତ୍ରିମ ଉପାୟରେ ପ୍ରଜନନ ହେଉଥିବା ଛୁଆ ମାନଙ୍କର ବୟସ ଯେତେବେଳେ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହୋଇଯାଏ ଅଥବା ଛୁଆ ମାନଙ୍କର ଲମ୍ବ ୩ ଫୁଟରୁ ଅଧିକ ହୋଇଗଲେ ହାଚେରୀରୁ ନେଇ ନଦୀରେ ଛାଡି ଦିଆଯାଇଥାଏ ।

ଆଜି ଛଡା ଯାଇଥିବା କୁମ୍ଭୀର ଛୁଆ ଗୁଡିକ ୨୦୧୯-୨୦ ବର୍ଷର ହୋଇଥିବା ବେଳେ ଏହି କୁମ୍ଭୀର ଛୁଆଙ୍କ ମଧ୍ୟରୁ ୧୨ ଟି ଅଣ୍ଡିରା ଓ ୨୪ ଟି ମାଈ ଥିବା ବନ ବିଭାଗ ସୂଚନା ଦେଇଛି l

ବିସ୍ଫୋରଣ ତନଖି କରିବେ ଆଫ୍ରିକାର ବିଶେଷଜ୍ଞ, ଏହି ରାସ୍ତାରେ ଯାତାୟତ ବନ୍ଦ

ନୋଏଡା: ଅପରାହ୍ନ ସାଢେ ୨ଟାରେ ଧ୍ବସ୍ତବିଧ୍ବସ୍ତ ହେବ ଟ୍ବିନ ଟାୱାର  । ବଡ ବିସ୍ଫୋରଣ ପାଇଁ ବଡ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ  । ବିସ୍ଫୋରଣ ଲାଗି ୩,୭୦୦ କେଜି ବିସ୍ଫୋରକ ବ୍ୟବହାର ହେଉଛି । ଟାଓ୍ବାରର ସମସ୍ତ ପିଲରରେ ହୋଇଥିବା ଗର୍ତ୍ତ ସଂଖ୍ୟା ୩ ହଜାର ରହିଛି । ପ୍ରତି ୨ ମିଟରରେ ଗୋଟିଏ ଗୋଟିଏ ଗର୍ତ୍ତ କରାଯାଇଛି । ଟାଓ୍ବାରରେ ହୋଇଥିବା ହୋଲର ମୋଟ ଦୈର୍ଘ୍ୟ ୧୪ କିମି ହୋଇଥିବାବେଳେ ଟାଓ୍ବାରରେ ୨୦ ହଜାର ସର୍କିଟ ପ୍ରତିଷ୍ଠା କରାଯାଇଛି ।

ଧ୍ବଂସ ଲାଗି ଓ୍ବାଟରଫଲ୍ ଟେକନିକ ବ୍ୟବହାର ହୋଇଥିବା ତଥା ପିଲରରେ ହୋଲ୍ ଯୋଗୁ ଟାଓ୍ବାର ସିଧା ଧରାଶାୟୀ ହେବ । ଘଟଣାସ୍ଥଳରେ ଉପସ୍ଥିତ ରହିବେ ବ୍ଲାଷ୍ଟର ଓ ଆଫ୍ରିକାର ୩ ବିଶେଷଜ୍ଞ । ୧୦୦ ମିଟର ଦୂରରେ ରହିବେ ବ୍ଲାଷ୍ଟର, ବିଶେଷଜ୍ଞ ଓ ପଦାଧିକାରୀ । ୪୫୦ ମିଟର ଦୂରତା ଯାଏ ନୋ ଗୋ ଜୋନ ପ୍ରତିଷ୍ଠା ହୋଇଥିବାବେଳେ ବିସ୍ଫୋରଣ ପରେ ସୃଷ୍ଟି ହେବ ୩ ହଜାର ଟ୍ରକ ଧ୍ବଂସାବଶେଷ ।

୩୦ ମିଟର ଯାଏ ରହିବ ବିସ୍ଫୋରଣର ତୀବ୍ରତା । ଟାଓ୍ବାର ଧ୍ବଂସ ଲାଗି ୨୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହାକୁ ବହନ କରିବ ସୁପରଟେକ ।

ଅପରାହ୍ଣ ୨ଟା ୧୫ରେ ନୋଏଡା ଏକ୍ସପ୍ରେସ ଓ୍ବେରେ ଯାତାୟତ  ବନ୍ଦ କରାଯିବ । ଅପରାହ୍ଣ ୩ଟାରେ ନୋଏଡା ଏକ୍ସପ୍ରେସ ଓ୍ବେ ଖୋଲିବ । ଅପରାହ୍ଣ ୪ଟାରେ ସିକ୍ୟୁରିଟି କ୍ଲିଅରାନ୍ସ ପରେ ବାସିନ୍ଦା ଘରକୁ ଫେରିବେ । ଅପରାହ୍ଣ ସାଢ଼େ ୪ଟାରେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଏଲିଭେଟର ଗୁଡ଼ିକ କାର୍ଯ୍ୟକ୍ଷମ କରାଯିବ । ଅପରାହ୍ଣ ୪ଟା ୪୦ରୁ ୫ଟା ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଓ ଜଳଯୋଗାଣ ଆରମ୍ଭ କରାଯିବ ।

ବିହାର ବିଧାନସଭାରୁ ଆସିଲା ୧୦୦ ବର୍ଷର ନଥି, ତାମିଲନାଡୁରୁ ବି ଆସିବ

ଭୁବନେଶ୍ବର: ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଆସିଛି ପୁରୁଣା ନଥି  । ଗୁରୁତ୍ବପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ  । ସେସବୁ ନିଶ୍ଚିତ ରୂପେ ଗବେଷକ ତଥା ଭବିଷ୍ୟତ ପିଢିକୁ ଦିଗଦର୍ଶନ ଦେବ ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ  । ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସଙ୍କ ଉଦ୍ୟମ ଯୋଗୁଁ ବିହାରରୁ ନଥିପତ୍ର ଆସି ଓଡିଶାରେ ପହଞ୍ଚିଛି  ।

୧୯୭୯ରେ ବିଧାନସଭା ଗ୍ରନ୍ଥାଗାରରେ କିଛି ତଥ୍ୟ ଖୋଜି ନ ପାଇବା ପରେ ନଥିପତ୍ର ସଂଗ୍ରହ କରିବାକୁ ପୂର୍ବତନ ବାଚସ୍ପତି ଶରତ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀରାମ ଦାସ  । ତତ୍କାଳୀନ ସଚିବ ଜଗଦୀଶ ପ୍ରସାଦ ଦାଶ ଏଥିପାଇଁ ରବି ନାରାୟଣ ମିଶ୍ରଙ୍କୁ ପାଟନା ପଠାଇ ମଧ୍ୟ କିଛି ସୁଫଳ ପାଇ ନଥିଲେ  । ଏହାପରେ ୨୦୨୧ରେ ପୁନଶ୍ଚ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦେଇଥିଲେ  । ଏହାପରେ ବିହାର ବିଧାନସଭା ସହ ଯୋଗାଯୋଗ ଆରମ୍ଭ ହୋଇଥିଲା  ।

ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ସ୍ବତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ ପାଟନାରେ ରହି ବିହାର ବିଧାନସଭା ପରିଷଦରେ ଉପଲବ୍ଧ ବିବରଣୀ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରି ଓଡିଶା ଫେରିଛନ୍ତି  ।

୧୯୨୨ ମସିହାରେ ବିହାର ଓଡିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୂସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ବନାଥ କର, ପଣ୍ଚିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଉପସ୍ଥାପିତ ତର୍କ ବିବରଣୀ ଓଡିଶା ବିଧାନସଭାକୁ ଆସିଛି ।

ସେପଟେ ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସିରେ ସ୍ବର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ଦ୍ବାରା ଉପସ୍ଥାପିତ ଓଡିଶା ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ତାମିଲନାଡୁ ବିଧାନସଭା ସହ ମଧ୍ୟ ଓଡିଶା ଯୋଗାଯୋଗ କରିଛି  । ଯାହା ଫଳରେ ତାମିଲନାଡୁରୁ ବିଭିନ୍ନ ତଥ୍ୟ ଓଡିଶା ବିଧାନସଭାକୁ ଆସିବା ସମ୍ଭାବନା ଉଜ୍ଜ୍ବଳ ହୋଇଛି  ।

କନ୍ଧମାଳ ଏସପିଙ୍କ ଦ୍ବାରସ୍ଥ ମୃତ ଏସଆଇଙ୍କ ମା’, ପରିବାରକୁ ବୁଝାଉଛନ୍ତି ତଦସିଲଦାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ସବ-ଇନସ୍ପେକ୍ଟର ସ୍ବାଗତିକା ବେହେରାଙ୍କ ମୃତ୍ୟୁ ନେଇ ମାଆ ଆଣିଲେ ସାଂଘାତିକ ଅଭିଯୋଗ  । ଜି. ଉଦୟଗିରି ଥାନା ଆଇଆଇସି ରେବତୀ ଶବର ଦାୟୀ ବୋଲି କନ୍ଧମାଳ ଏସପିଙ୍କ ନିକଟରେ ମାଆ ଉଷାରାଣୀ ଲିଖିତ ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ଜି. ଉଦୟଗିରି ଆଗରେ ଧାରଣାରେ ବସିଛନ୍ତି ପରିବାର । ତହସିଲଦାର ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଝିଅକୁ ମାରି ଝୁଲାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ମାଆ । ନଚେତ୍ ଥାନା ଆଇଆଇସି ରେବତୀ ଶବରଙ୍କ ଗାଳି ଓ ନିର୍ଯାତନା ସହି ନପାରି ଝିଅ ଆତ୍ମହତ୍ୟା କରିଥିବା ମାଆ ଅଭିଯୋଗ କରିଛନ୍ତି । ଝିଅ ସ୍ବାଗତିକାଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା । ଭାଙ୍ଗି ପଡ଼ିଥିଲେ ସ୍ବାଗତିକା । ସୂଚନା ଅନୁସାରେ ୨୦୧୯ରେ କାର୍ଯ୍ୟରେ ଯୋଗଦେଇଥିଲେ ସ୍ବାଗତିକା । ସେବେଠାରୁ ସ୍ବାଗତିକାଙ୍କୁ ଆଇଆଇସି ରେବତୀ ଶବର ବିଭିନ୍ନ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର କରୁଥିବା ଫୋନ୍ ଯୋଗେ ମାଆଙ୍କୁ ଜଣାଇଥିଲେ ସ୍ବାଗତିକା । ସ୍ବାଗତିକା ସବୁବେଳେ ମାନସିକ ଚାପରେ ରହୁଥିଲେ । କାନ୍ଦିବା ସହ ଚାକିରି ଛାଡି ଦେଇ ଆତ୍ମହତ୍ୟା କରିବେ ବୋଲି କହୁଥିଲେ ।

ସ୍ବାଗତିକାଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବେ ଥାନା ଅଧିକାରୀ ଦାୟୀ ବୋଲି ପରିବାର ଲୋକ କହିଛନ୍ତି । ଏମିତିକି ଏସଡିପିଓଙ୍କୁ ମୌଖିକ ଭାବେ ଜଣାଇବା ପରେ  କାର୍ଯ୍ୟାନୁଷ୍ଠାନ ବଦଳରେ ଭିତିରିଆ ସମାଧାନ କରିବାକୁ ଚେଷ୍ଟା କରାଯାଇଥିବା ମା ଅଭିଯୋଗ କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସମସ୍ତ ସତ୍ୟ ସାମ୍ନାକୁ ଆସିବ ବୋଲି ମୃତ ସାଗରିକାଙ୍କ ଭାଇ ମନୋରଞ୍ଜନ ବେହେରା କହିଛନ୍ତି ।

କାହିଁକି ମାଟିରେ ମିଶିବ ଟ୍ବିନ ଟାୱାର ? ମାତ୍ର ୧୨ ସେକେଣ୍ଡରେ ଧୂଳିସାତ୍‌

ନୋଏଡା: ଦୀର୍ଘ ସମୟର ଆଇନଗତ ଲଢେଇ ପରେ ଆଜି ଭାଙ୍ଗିବ ୩୨ ମହଲା ବିଶିଷ୍ଟ ଟ୍ବିନ ଟାୱାର । ମାତ୍ର ୧୨ ସେକେଣ୍ଡରେ ମାଟିରେ ମିଶିବ ଟ୍ବିନ ଟାୱାର  । ୭୦୦ ରୁ ୮୦୦ କୋଟି ଟଙ୍କାରେ ନିର୍ମିତ ଟାୱାର କିଛି ସେକେଣ୍ଡରେ ହୋଇଯିବ ଧ୍ବସ୍ତ ବିଧ୍ବସ୍ତ  । ସରିଲାଣି ସମସ୍ତ ପ୍ରକ୍ରିୟା  ।  ନୋଏଡାର ସେକ୍ଟର ୯୩ ଏ ରେ ନିର୍ମିତ ସୁପରଟେକ ଟ୍ବିନ ଟାୱାରକୁ ଭାଙ୍ଗିବା ପାଇଁ ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ  କରାଯାଇଛି  । କେବଳ ଟାୱାର ଧ୍ବଂସ ହେବାକୁ ଖର୍ଚ୍ଚ ହେବ ୧୭.୫୫ କୋଟି ଟଙ୍କା  ।

ତେବେ କାହିଁକି ଭାଙ୍ଗିବ ଏହି ଉଚ୍ଚ ଅଟ୍ଟାଳିକା  । ଦେଢ ଦଶକରୁ ଚାଲିଥିବା ବିବାଦରେ କାହିଁକି ଲାଗିବାକୁ ଯାଉଛି ବ୍ରେକ  । ସୁପ୍ରିମକୋର୍ଟଙ୍କ ରାୟ ପରେ ଏ ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ  । ନଭେମ୍ବର ୨୩, ୨୦୦୪ରେ ନୋଏଡାର ସେକ୍ଟର ୯୩ ଏରେ ସୁପରଟେକ ଏମାରଲ୍ଡ କୋର୍ଟ ପାଇଁ ଜମି ଆବଣ୍ଟନ କରାଯାଇଥିଲା  । ଏହି ପ୍ରୋଜେକ୍ଟ ପାଇଁ ନୋଏଡା କର୍ତ୍ତୃପକ୍ଷ ସୁପରଟେକ୍‌କୁ ୮୪ ହଜାର ୨୭୩ ବର୍ଗମିଟର ଜମି ଯୋଗାଇ ଥିଲେ  । ସୁପରଟେକ ଏମରାଲ୍ଡ କୋର୍ଟ ମାମଲାରେ ମଧ୍ୟ ପ୍ଲଟ ନମ୍ବର ୪ରେ ଆବଣ୍ଟିତ ଜମି ନିକଟରେ ୬,୫୫୬.୬୧ ବର୍ଗମିଟରର ଏକ ଜମି ରହିଥିଲା  । ଯାହାକୁ ଅତିରିକ୍ତ ଲିଜ୍‌ ଦେଇ ୨୧ ଜୁନ ୨୦୦୬ରେ ବିଲ୍ଡର ନାମରେ କରି ଦିଆଯାଇଥିଲା  । ନକ୍ସା ପାଖରେ ଥାଇ ମଧ୍ୟ ଦୁଇଟି ଜମିକୁ ମିଶାଇ ଗୋଟିଏ କରି ଦିଆଯାଇଥିଲା । ଆଉ ଏହି ଜମିରେ ସୁପରଟେକ ଏମରାଲ୍ଡ କୋର୍ଟ ପ୍ରୋଜେକ୍ଟ ଲଞ୍ଚ କରିଥିଲା  ।

ଯୋଜନା ମୁତାବକ ବିଲ୍ଡରକୁ ଗ୍ରାଉଣ୍ଡ ଫ୍ଲୋର ବ୍ୟତୀତ ୧୧ ମହଲା ବିଶିଷ୍ଟ ୧୬ଟି ଟାୱାର ନିର୍ମାଣ କରିବାର ଥିଲା । ନକ୍ସା ହିସାବରେ ଆଜି ଯେଉଁଠି ୩୨ ମହଲା ବିଶିଷ୍ଟ ଅଟ୍ଟାଳିକା ଛିଡା ହୋଇଛି ସେଠାରେ ସବୁଜ ପାର୍କର ପରିକଳ୍ପନା କରାଯାଇଥିଲା  । ଏହା ସହ ଏକ ଛୋଟ ବିଲ୍ଡିଂ ନିର୍ମାଣର ପ୍ରସ୍ତାବ ମଧ୍ୟ ଥିଲା  । କିନ୍ତୁ ଉତ୍ତର ପ୍ରଦେଶ ସରକାରଙ୍କ ଏକ ତତ୍କାଳୀନ ନିଷ୍ପତ୍ତିକୁ ନେଇ ବିବାଦ ମୁଣ୍ଡ ଟେକିଥିଲା  । ୨୮ ଫେବୃଆରୀ ୨୦୦୯ରେ ନୂଆ ଆବଣ୍ଟନକୁ ନେଇ ଏଫଏଆର ବୃଦ୍ଧି ପାଇଁ ନିର୍ଣ୍ଣୟ ନେଇଥିଲେ  । ଏହା ସହ ପୁରୁଣା ଆବଣ୍ଟନର ମୋଟ ୩୩ ପ୍ରତିଶତ କିଣିବାକୁ ବିକଳ୍ପ ମଧ୍ୟ ଦିଆଯାଇଥିଲା  ।

ଏଫଏଆର ବଢିବା ଯୋଗୁଁ ସେହି ଜମିରେ ବିଲ୍ଡର ଅଧିକ ଫ୍ଲାଟ ନିର୍ମାଣ କରିପାରିବେ  । ଯେଉଁଥିପାଇଁ ସୁପରଟେକ ଗ୍ରୁପକୁ ସେଠାରେ ୨୪ ମହଲା ଉଚ୍ଚ ଓ ୭୩ ମିଟର ବୃଦ୍ଧି ପାଇଁ ଅନୁମତି ମିଳିଥିଲା  । ସେପଟେ ତୃତୀୟ ଥର ପାଇଁ ନକ୍ସାରେ ସଂଶୋଧନ କରାଯାଇଥିଲା  । ଏହି ସଂଶୋଧନରେ ବିଲ୍ଡିଂର ଉଚ୍ଚତା ବଢି ୪୦ ମହଲାରେ ପହଞ୍ଚିଥିଲା  । ଆବେଦନକାରୀ ଯେତେବେଳେ ଏହି ମାମଲାରେ ହସ୍ତକ୍ଷେପ କରି ବିଲ୍ଡର ଓ ନୋଏଡା କର୍ତ୍ତୃପକ୍ଷଙ୍କୁ ନକ୍ସା ପାଇଁ ଦାବି କରିଥିଲେ ଉଭୟ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ  ।

ସମାଧାନ ନ ମିଳିବା ପରେ ଆହ୍ଲାବାଦ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ  । ୨୦୧୨ରେ ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ସମୟରେ ମାତ୍ର ୧୩ ମହଲା କାମ ସମ୍ପୂର୍ଣ୍ଣ ହୋଇଥିଲା  । କିନ୍ତୁ ଏହାର ଠିକ ଦେଢବର୍ଷ ମଧ୍ୟରେ ସୁପରଟେକ୍‌ ୩୨ ମହଲା ବିଲ୍ଡିଂ ନିର୍ମାଣ କରିସାରିଥିଲେ  । ୨୦୧୪ରେ ହାଇକୋର୍ଟ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେବା ପରେ ୩୨ ମହଲାରେ ହି କାମ ଅଟକିଥିଲା  ।

ବିଲ୍ଡର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ  । କିନ୍ତୁ ବେଆଇନ ନିର୍ମାଣକୁ ବିରୋଧ କରି ସୁପ୍ରିମକୋର୍ଟ ଏହା ଭାଙ୍ଗିବା ପାଇଁ ଗ୍ରୀନ ସିଗନାଲ ପ୍ରଦାନ କରିଥିଲେ  ।

କାଳ ହୋଇ ଆସିଲା କୋଇଲା ଟ୍ରକ, ନେଇଗଲା ୫ ଜୀବନ

ଢେଙ୍କାନାଳ: କାମାକ୍ଷାନଗର ଏନଏଚ ୫୩ ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌ । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି  । ସେହିପରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ।

ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ଅନନ୍ତ ସାମଲ, ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ । ୫ ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ନାବାଳକ ରହିଛନ୍ତି । ଆଜି ଭୋର ସମୟରୁ ମହୁଲ ଫଳ  ପେଶାଇବା ପାଇଁ ମୁକ୍ତାପଶି ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।ଉତ୍ତ୍ୟକ୍ତ ଲୋକେ ସେଠାରେ ଟ୍ରକ୍‌କୁ ଭଙ୍ଗାରୁଜା କରିଥିଲେ।

ଅକ୍ଟୋବର ସୁଦ୍ଧା ନିର୍ବାଚିତ ହେବେ ସଭାପତି, ଆଜି କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କଂଗ୍ରେସର ସଭାପତି ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ଆଜି CWCର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଦଳର ବରିଷ୍ଠ  ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଏହି ବୈଠକ ବେଶ୍‌ ଗୁରୁତ୍ବ ବହନ କରୁଛି  ।  ସଭାପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀକୁ ଅନୁମୋଦନ ଦେବା ସହ ଦଳର ଅନ୍ୟ ନେତା ମାନେ ମଧ୍ୟ ଦଳ ପ୍ରସଙ୍ଗରେ ବିଭିନ୍ନ ମତ ରଖିବେ  ।

ଆଜାଦଙ୍କ ଦଳରୁ ଇସ୍ତଫା ଏବଂ ଦଳୀୟ ନେତୃତ୍ବଙ୍କୁ ସମାଲୋଚନା ପରିପ୍ରେକ୍ଷୀରେ ଏହା ଗୁରୁତ୍ବପୂର୍ଣ୍ଣ ହେବ ।  ଆଜାଦ ଦଳ ସହିତ ପାଞ୍ଚ ଦଶନ୍ଧିର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେବା ସହ ରାହୁଲ ଗାନ୍ଧୀଙ୍କୁ ଦଳର ପରାମର୍ଶଦାତା ବ୍ୟବସ୍ଥା ଭାଙ୍ଗିବା ପାଇଁ ତୀବ୍ର ସମାଲୋଚନା କରିଥିଲେ ।

କପିଲ ସିବଲ ଏବଂ ଅଶ୍ବିନୀ କୁମାରଙ୍କ ସମେତ ଅନେକ ହାଇ ପ୍ରୋଫାଇଲ ନେତାଙ୍କ ଇସ୍ତଫା ପରେ କଂଗ୍ରେସକୁ ଏକ ବିରାଟ ଝଟକା ଲାଗିଛି । ଆଜି ଅପରାହ୍ନ ୩ଟା୩୦ରେ ବସିବାକୁ ଥିବା ସିଡବ୍ଲୁସି ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରବେ ।  ସଭାପତି ନିର୍ବାଚନ ପ୍ରକ୍ରିୟା କିଛି ସପ୍ତାହ ବିଳମ୍ବ ହେବ  ।  ଅକ୍ଟୋବର ସୁଦ୍ଧା ଦଳର ପୂର୍ଣ୍ଣକାଳୀନ ସଭାପତି ନିଯୁକ୍ତ ହେବେ ।

ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଏଆଇସିସି ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । କଂଗ୍ରେସ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ଉପରେ ଫୋକସ କରିଥିବା ବେଳେ ନିର୍ବାଚନ ସାମାନ୍ୟ ବିଳମ୍ବ ହୋଇପାରେ  ।

ଦୁବାଇରେ ଆଜି ଦମ ଦେଖାଇବ ଭାରତ, ବିଶ୍ବକପ୍ ପରାଜୟର ନେବ ବଦଲା

ଆବୁଧାବି: ଦୁବାଇରେ ଆଜି ଦମ ଦେଖାଇବ ଭାରତ । ମଇଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ । ବିଶ୍ବକପ୍ ପରାଜୟର ବଦଲା ନେବ ମେନ ଇନ୍ ବ୍ଲୁ । ପାକିସ୍ତାନ ବିପକ୍ଷରେ ୧୦୦ତମ ଟ୍ବେଣ୍ଟି ୨୦ ମ୍ୟାଚ୍ ଖେଳିବେ ବିରାଟ କୋହଲି  । ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ପାକିସ୍ତାନକୁ ଧୁଳି ଚଟେଇବା ଆଶା  । ଦୁଇ ଫାଷ୍ଟ ବୋଲରଙ୍କ ବିନା ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ଭାରତ ପାକିସ୍ତାନ । ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାହ ଓ ପାକିସ୍ତାନର ଦ୍ରୁତ ବୋଲର ସାହିନ ଶାହା ଆଫ୍ରିଦି ମ୍ୟାଚ୍ ଖେଳିବେ ନାହିଁ ।

ଏପଟେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ନଜର ରହିଛି ।  ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଫର୍ମକୁ ନେଇ ସଂଘର୍ଷ କରୁଥିବା କୋହଲିଙ୍କ ପାଇଁ ଏହି ମ୍ୟାଚ ବେଶ୍ ଗୁରୁତ୍ବପୂର୍ଣ୍ଣ । ପାକିସ୍ତାନ ବିପକ୍ଷରେ ବିରାଟଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି । ପାକିସ୍ତାନ ବିପକ୍ଷରେ କୋହଲି ୭ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୩ଟି ଅର୍ଦ୍ଧଶତକ କରିଛନ୍ତି ।

ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୧୪ ଥର ସଂଘର୍ଷ ହୋଇଛି  । ଏଥିରେ ଆଠ ଥର ଭାରତ ପାକିସ୍ତାନକୁ ପରାଜିତ କରିବାରେ ସକ୍ଷମ ହୋଇଛି  । ପାକିସ୍ତାନ ଏପର୍ଯ୍ୟନ୍ତ ମାତ୍ର ୫ଟି ମ୍ୟାଚ୍ ଜିତିଛି  । ଗତବର୍ଷ ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା  । ତେଣୁ ଏଥର ଭାରତ ବଦଲା ନେବ ବୋଲି ଆଶା କରାଯାଉଛି  । ଦୀର୍ଘ ୬ ବର୍ଷ ପରେ ଏସିଆର ସର୍ବବୃହତ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯାଉଥିବାରୁ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ସହ ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି ।

ଏଥର ୬ଟି ଅଂଶଗ୍ରହଣକାରୀ ଦଳକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ-ଏ’ରେ ଭାରତ ଓ ପାକିସ୍ତାନ ସହ ହଂକଂ ସ୍ଥାନ ପାଇଛି । ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନକୁ ସ୍ଥାନ ମିଳିଛି । ଗ୍ରୁପ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ସହ ଥରେ ଲେଖାଏଁ ମ୍ୟାଚ୍ ଖେଳିବେ  ।

ଏସିଆ କପ୍ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯାଉଛି । ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା । ପରେ ୨୦୧୬ରେ ଟି-୨୦ ବିଶ୍ବକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା । ୨୦୧୮ରେ ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା  । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ରେକର୍ଡ ସପ୍ତମ ଥର ଚାମ୍ପିୟନ ହୋଇଥିଲା । ଚଳିତ ବର୍ଷ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେଉଥିବାରୁ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯାଉଛି  ।

ଯମ ଦୂଆରୁ ଟାଣିଆଣିଲେ ଯବାନ, ଟ୍ରେନ ଟ୍ରାକରେ ପଡିଗଲେ ଯାତ୍ରୀ

କଟକ: ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ଜୀବନ । ଦେବଦୂତ ସାଜିଲେ ଆରପିଏଫ୍ ଯବାନ । ଯମ ଦୂଆରୁ ବ୍ୟକ୍ତିଙ୍କୁ ଟାଣିଆଣିଲେ ଯବାନ ଜଣକ । ଏ ଦୃଶ୍ୟ କଟକ ଷ୍ଟେସନର । ଆଜି ସଂଧ୍ୟା ୫ଟାରେ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିଲେ ଜଣେ ଯବୁକ । ଦେଖନ୍ତୁ ଏହି ଭିଜୁଆଲ କୁ । କିଭଳି ସେ ଦୌଡି ଦୌଡି ଟ୍ରେନରେ ଚଢିବାକୁ ଉଦ୍ୟମ କରୁଛନ୍ତି ।

ହେଲେ କିଛି ସମୟ ମଧ୍ୟରେ ବିପଦକୁ ଆମନ୍ତ୍ରଣ କରିଛନ୍ତି । ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଖସି ପଡିଛନ୍ତି । କିନ୍ତୁ ରଖେ ହରିତ ମାରେ କିଏ । ଠିକ ଏହି ସମୟରେ ଡ୍ୟୁଟି ରେ ଥିବା ଆରପିଏଫ ଯବାନ ପି.କେ.ଦାସ ଓ ଏସ.ଆର.ସାମନ୍ତ ଦୌଡି ଯାଇ ତାଙ୍କୁ ଟ୍ରେନ ତଳୁ ଟାଣି ଆଣିଛନ୍ତି । ଫଳରେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ଯାତ୍ରୀ ଜଣକ।