ବାପାଙ୍କ ଭଳି ବୁଢାରଜା ମନ୍ଦିରରେ ପୂଜା କରି ନାମାଙ୍କନ ଦାଖଲ ପାଇଁ ବାହାରିଲେ ବର୍ଷା

ବରଗଡ: ପଦମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଜି ନାମାଙ୍କନ ଦାଖଲ କରିବେ । ଏହା ପୂର୍ବରୁ ପୂଜାର୍ଚ୍ଚନା ପାଇଁ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି ବର୍ଷା । ପୂର୍ବରୁ ମଧ୍ୟ ଏହି ମନ୍ଦିରରେ ଦିବଂଗତ ନେତା ତଥା ବାପା ବିଜୟ ରଂଜନ ସିଂ ବରିହା ପୂଜାର୍ଚ୍ଚନା କଲା ପରେ ନାମାଙ୍କନ ଦାଖଲ କରୁଥିଲେ ।

ତେବେ ବରିହା ପରିବାରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଏହି ମନ୍ଦିରରେ ପୂଜାର୍ଚ୍ଚନା ହୁଏ। ଏହି ସ୍ଥାନରେ ଅଂଚଳବାସୀ ଓ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ । ଗତକାଲି ପଦମପୁର, ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶା ଦେଖିଥିଲା ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କ ପଲିଟିକାଲ ଇମେଜ । ମଞ୍ଚ ଉପରୁ ଦଳର ହେଭିୱେଟଙ୍କ ଉପସ୍ଥିତିରେ ବାପାଙ୍କୁ ମନେ ପକାଇ ଲୁହ ଭିଜା ଆଖିରେ ବର୍ଷା ଲୋଡିଥିଲେ ପଦମପୁରର ଆଶୀର୍ବାଦ । ଉପନିର୍ବାଚନରେ ବିଜୟୀ ହେବା ଲାଗି ମାଗିଥିଲେ ବହୁମୂଲ୍ୟ ଭୋଟ ।

ବାପାଙ୍କ ଲିଗାସି ବଜାୟ ରଖିବାକୁ ବର୍ଷା ଦେଇଥିଲେ ନିର୍ଭର ପ୍ରତିଶ୍ରୁତି । ଆକାଶଛୁଆଁ ଉତ୍ସାହ ଭିତରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା । ବାପାଙ୍କ ଗଡ଼ ଦଖଲ ଲାଗି ଭୋଟରଙ୍କ ସାମ୍ନାକୁ ଆସିଛନ୍ତି ବର୍ଷା । ବାପାଙ୍କୁ ମନେ ପକାଇ ନିଜେ ଲୁହରେ ଭିଜିବା ସହ ଭୋଟରଙ୍କୁ ବି କରିଛନ୍ତି ଭାବପ୍ରବଣ । ମଞ୍ଚରୁ ଦଳୀୟ ହେଭିୱେଟଙ୍କ ଉପସ୍ଥିତିରେ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି । ସଂପର୍କକୁ ଆହୁରି ଆଗକୁ ନେବାକୁ ମଞ୍ଚରୁ ଓହ୍ଲାଇ ଆସି ଭାବର ଆଦାନ ପ୍ରଦାନ କରିଛନ୍ତି । ଗୁରୁଜନଙ୍କୁ ମୁଣ୍ଡିଆ ମାରିଛନ୍ତି । ସାନମାନଙ୍କୁ ସ୍ନେହ ଦେବା ସହ ଯୁବପିଢିଙ୍କ ସହ ସେଲଫି  ଉଠାଇଛନ୍ତି । ପାଇକମାଳ ସାଲେପାଲିରେ ଆୟୋଜିତ ବିଜେଡି ସମାବେଶରେ ଆରମ୍ଭରୁ ଶେଷ ଯାଏଁ ବର୍ଷା ଥିଲେ ଆକର୍ଷଣ ।