୯ ଦିନ ପରେ ଆଜି ଶେଷ ଐତିହାସିକ ବାଲିଯାତ୍ରା, ଲୋକାରଣ୍ୟ ହେବ ତଳ ଉପର ପଡିଆ

କଟକ: ଐତିହାସିକ ବାଲିଯାତ୍ରାର ଆଜି ଶେଷ ରଜନୀ । ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ବାଲି ଯାତ୍ରା ଆଜି ଶେଷ ହେବ । ବାଲିଯାତ୍ରା ଗତକାଲି ଶେଷ ହେବାର ଥିଲା । କିନ୍ତୁ ପର୍ଯ୍ୟଟକଙ୍କ ଅନୁରୋଧ ପରେ ଜିଲ୍ଲା ପ୍ରଶାସନ ଏହାକୁ ଅଧିକ ଗୋଟିଏ ଦିନ ବଢାଇଥିଲେ । ତେବେ ପ୍ରତିଦିନ ଭଳି ଆଜି ମଧ୍ୟ ବାଲିଯାତ୍ରାରେ ଜମିବ ଦର୍ଶକଙ୍କ ଭିଡ଼ । ଲୋକାରଣ୍ୟ ହେବ କଟକ ଉପର ଓ ତଳ ବାଲିଯାତ୍ରା ପଡ଼ିଆ ।

ପ୍ରତିଦିନ ପଡିଆରେ ପଡିଥିବା ବିଭିନ୍ନ ଖାଦ୍ୟ ପାନୀୟ ଷ୍ଟଲରେ ସୁସ୍ବାଦୁ ଖାଦ୍ୟର ମଜାନେଉଛନ୍ତି ଲୋକ । କିଣାକିଣି ସାଙ୍ଗକୁ ସେଲଫି ମଜା ନେଉଛନ୍ତି ଦର୍ଶକ । ଟେରାକୋଟା ସାମଗ୍ରୀ ଓ ଘର କରଣା ଜିନିଷ କିଣିବାକୁ ଲୋକଙ୍କ ଆଗ୍ରହ ବଢିଥିବା ଦେଖବାକୁ ମିଳିଛି । ଓରମାସ ଷ୍ଟଲରେ ଡାଲିଆ,ଜିନିଆ, ଟୁଲିପ୍‌ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଫୁଲର ପସରା ଦେଖବାକୁ ମିଳିଛି । ଏଗୁଡିକ ସତସତିକା ଫୁଲ ଭଳି ଦେଖାଯାଉଥିଲେ ବି ଏସବୁ ବିଭିନ୍ନ ଜଙ୍ଗଲଜାତୀୟ ପ୍ରାକୃତିକ ଜିନିଷ ରେ ତିଆରି ହୋଇଛି । ଏହି ଫୁଲ ସବୁ ଆକୃଷ୍ଚ କରୁଛି ବାଲିଯାତ୍ରା ମେଳାର ଦର୍ଶକଙ୍କୁ ।

ସେପଟେ ପ୍ରତିଦିନ ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି ବାଲିଯାତ୍ରା ପଡିଆ । ବଲିଉଡ ଓ ଓଲିଉଡ୍ ଗୀତରେ ଝୁମୁଛନ୍ତି ଦର୍ଶକ ।