spot_img
Home Blog Page 3922

ବେଙ୍ଗାଲୁରୁର ଇଦଗାହ ମୈଦାନରେ ହେବନାହିଁ ଗଣେଶ ଉତ୍ସବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଇଦଗାହ ମୈଦାନରେ ହେବନାହିଁ ଗଣେଶ ପୂଜା ସମାରୋହ । ସୁପ୍ରିମକୋର୍ଟ ଏହି ମାମଲାରେ ପୂର୍ବାବସ୍ଥା ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୨ ଘଣ୍ଟା ଶୁଣାଣି ପରେ ତିନି ଜଜ ବିଶିଷ୍ଟ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ବିଚାରପତି ଇନ୍ଦିରା ବନାର୍ଜୀ ଶୁଣାଣି ସମୟରେ କହିଥିଲେ, ଭଗବାନ ଗଣେଶଙ୍କଠାରୁ ଆମକୁ କ୍ଷମା ଦିଅନ୍ତୁ । ଯଥାସ୍ଥିତ ବଳବତ୍ତର ରଖିବାର ଆଦେଶ ଦୁଇ ପକ୍ଷଙ୍କ ଉପରେ ଲାଗୁ ହେବ ।

ପୂର୍ବାବସ୍ଥା ବଜାୟ ରଖିବାର ଆଦେଶ ଦେଇ ସୁପ୍ରିମକୋର୍ଟ ମାମଲା କର୍ଣ୍ଣାଟକ ହାଇକୋର୍ଟ ପଠାଇଛନ୍ତି । ଏହା ପୂର୍ବରୁ ହାଇକୋର୍ଟର ସିଙ୍ଗଲ ବେଞ୍ଚ ମୈଦାନରେ ପୂର୍ବାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଡିଭିଜନ ବେ଼ଞ୍ଚ ସରକାରଙ୍କୁ ପୂଜାର ଅନୁମତି ମାଗୁଥିବା ଲୋକଙ୍କ ଆବେଦନ ଉପରେ ବିଚାର କରିବାକୁ କହିଥିଲେ ।

ଏହାପରେ ରାଜ୍ୟ ସରକାର ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବରରେ ପୂଜା ଅନୁମତି ଦେଇ ଦେଇଥିଲେ । ଏବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପୂଜା ହେବ ନାହିଁ । ଶୁଣାଣି ସମୟରେ ୱାକଫ ବୋର୍ଡ ପକ୍ଷରୁ ତର୍କ କରି କପିଲ ଶିବ୍ବଲ କହିଥିଲେ ୨ଶହ ବର୍ଷରୁ ଏହି ସମ୍ପତ୍ତି ଆମ ପାଖରେ ଅଛି ଏବଂ ଅନ୍ୟ କୌଣସି ଗୋଷ୍ଠୀ ଏଠାରେ କେବେ ବି କୌଣସି ଧାର୍ମିକ ସମାରୋହ କରିନାହାନ୍ତି । ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଏନେଇ ଆମ ହକରେ ଶୁଣାଣି କରିସାରିଛନ୍ତି ।

ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ୱର: ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ । ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ  ସଂଖ୍ୟା ୬ରେ ପହଞ୍ଚିଲା । ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି ।

ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ଦ୍ବାରା ସେ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବୀ ପୂରଣ ହୋଇପାରିଛି । ଏଥିପାଇଁ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବର୍ଷାଙ୍କୁ ଝଟକା: ଏସଡିଜେଏମଙ୍କ ଶାଶୂଘର ଛାଡ଼ିବା ନିର୍ଦ୍ଦେଶକୁ କାଏମ ରଖିଲେ ଏଡିଜେ

କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏସ୍‌ଡିଜେଏମ୍‌ଙ୍କ ରାୟକୁ କାଏମ୍‌ ରଖିଲେ କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ । ବର୍ଷାଙ୍କ ଆବେଦନ କଟକ ଏଡିଜେ କୋର୍ଟରେ ଖରଜ ହୋଇଯାଇଛି । ଅନୁଭବଙ୍କ ପୈତୃକ ଘର ତଥା ଶାଶୂଘର ଛାଡିବା ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ଘର ଛାଡିବା ନେଇ ଏସଡିଜେଏମ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରିଥିଲେ ବର୍ଷା ।

ବର୍ଷାଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ଅତିରିକ୍ତ ଜିଲ୍ଲା ଜଜ। ୩୦ ଦିନ ମଧ୍ୟରେ ଛାଡ଼ିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶାଶୂଘର ଛାଡ଼ିବେ ବୋଲି ବର୍ଷା ଅଣ୍ଡରଟେକିଂ ଦେଇଛନ୍ତି । ସୂଚନା ଥାଉକି, ଷ୍ଟାର୍ ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ୦୨ ଜୁନ୍‌ରେ ଏକ ଭିନ୍ନ ମୋଡ଼ ନେଇଥିଲା ।

ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ କହିଥିଲେ । ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଏବଂ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ସହ ରାୟର ୨ ମାସ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ କହିଥିଲେ ।

ସ୍ୱତନ୍ତ୍ର ଲୋକାଲ ହଲିଡେ ଘୋଷଣା କଲେ ସରକାର

ଭୁବନେଶ୍ୱର: ସ୍ୱତନ୍ତ୍ର ଲୋକାଲ ହଲିଡେ ଘୋଷଣା କଲେ ରାଜ୍ୟ ସରକାର । ନୂଆଁଖାଇ ପରଦିନ ପାଇଁ ସ୍ବତନ୍ତ୍ର ଲୋକାଲ ହୋଲିଡେ ଘୋଷଣା । ୨ ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ସମ୍ବଲପୁର ଓ ବରଗଡ଼ ପାଇଁ ୨ତାରିଖକୁ ଛୁଟି ଘୋଷଣା କଲେ ଆରଡିସି । ନୁଆଖାଇ ଛୁଟି ଦୁଇଦିନକୁ ବୃଦ୍ଧି ହୋଇଛି । ପୂର୍ବରୁ ସେପ୍ଟେମ୍ବର ୧କୁ ଛୁଟି ଘୋଷଣା କରାଯାଇଥିଲା । ଝାରସୁଗୁଡା ଓ ବଲାଙ୍ଗିରରେ ମଧ୍ୟ ଦୁଇ ତାରିଖରେ ଛୁଟି ଘୋଷଣା କରାଯାଇଛି ।

ଗୁଜୁରାଟ ଦଙ୍ଗା ମାମଲା: ସମସ୍ତ ମାମଲାର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ସହ ସମ୍ବନ୍ଧିତ ୯ଟି ମାମଲା ମଧ୍ୟରୁ ୮ଟି ମାମଲା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ମାମଲା ସହ ସମ୍ବନ୍ଧିତ ଅନେକ ଯାଚିକା ସୁପ୍ରିମକୋର୍ଟରେ ବିଚାରଧୀନ ଥିଲା । ନବନିଯୁକ୍ତ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ୱାଧୀନ ତିନି ଜଜ ବିଶିଷ୍ଟ ଖଣ୍ଡପୀଠ ମଙ୍ଗଳବାର କହିଛନ୍ତି, ଏତେ ସମୟ ବିତିଯିବା ପରେ ମଧ୍ୟ ଏହି ମାମଲାର ଶୁଣାଣି କରିବାର କୌଣସି କାରଣ ନାହିଁ । ଆବେଦନକାରୀ ମାନେ ମଧ୍ୟ ଏଥିରେ ସମହମତି ଦେଇଛନ୍ତି ।

ସେହିପରି ଅନ୍ୟ ମାମଲାରେ କୋର୍ଟ ସାମାଜିକ କର୍ମୀ ତିସ୍ତା ସୀତଲଭାଡଙ୍କୁ ଜାମିନ ପାଇଁ ଆବେଦନ କରିବାକୁ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଗୁଜୁରାଟ ଦଙ୍ଗା ସହ ସମ୍ବନ୍ଧିତ ୯ ମାମଲା ମଧ୍ୟରୁ ୮ ମାମଲାର ନିମ୍ନ ଅଦାଲତ ରାୟ ଶୁଣାଇ ସାରିଛନ୍ତି । ଏଥିରେ ଜାତୀୟ ମାନବାଧିକାର କମିଶନର ଯାଚିକା ମଧ୍ୟ ସାମିଲ ଅଛି । ଏଥିରେ ଦଙ୍ଗା ସମୟରେ ହୋଇଥିବା ହିଁସାର ତଦନ୍ତ ଦାବି କରାଯାଇଥିଲା । କୋର୍ଟ ଦଙ୍ଗା ପୀଡିତ ଏବଂ ସିଟିଜେନ ଫର୍ ଜଷ୍ଟିସ ଏନଜିଓର ରିଟ ଆବେଦନ ଉପରେ ମଧ୍ୟ ବିଚାର କରିଛନ୍ତି ।

ଏନଜିଓ ୨୦୦୩-୨୦୦୪ରେ ଦାଖଲ କରିଥିବା ଆବେଦନରେ ଦଙ୍ଗାର ଯାଞ୍ଚ ଗୁଜୁରାଟ ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଥିଲା । ସୁପ୍ରିମକୋର୍ଟ ଆଜି ଶୁଣାଣି ସମୟରେ କହିଥିଲେ, କୋର୍ଟ ଗୁଜୁରାଟ ଦଙ୍ଗା ସହ ସମ୍ବନ୍ଧିତ ୯ ମାମଲାର ଯାଞ୍ଚ ପାଇଁ ଏସଆଇଟି ଗଠିତ କରିସାରିଛି । ଏଥିମଧ୍ୟରୁ ୮ ମାମଲାର ଟ୍ରାଏଲ ସରିଯାଇଛି । ନରୋଦା ଗାଁ ସହ ସମ୍ବନ୍ଧିତ ମାମଲାର ଶୁଣାଣି ଏବେ ଜାରି ରହିଛି ।

ଖଣ୍ଡପୀଠ କହିଥିଲେ, ପୀଡିତ ପରିବାରର ଓକିଲ ଅପର୍ଣ୍ଣା ଭଟ୍ଟ, ଏଜାଜ ମକବୁଲ ଏବଂ ଅମିତ ଶର୍ମା ମଧ୍ୟ ଏସଆଇଟିର ବୟାନ ସହ ସହମତି ପ୍ରକାଶ କରିସାରିଛନ୍ତି । ଏପରି ସ୍ଥିତିରେ ସବୁ ମାମଲାର କୌଣସି କାରଣ ରହିଯାଇନାହିଁ । ଏଥିପାଇଁ ଅଦାଲତ ଭାବୁଛି ଯେ ଏହି ଆବେଦନଗୁଡିକ ଉପରେ ଆଗକୁ ବିଚାର କରିବାର ଆବଶ୍ୟକତା ନାହିଁ ।

ଏସଆଇଟି ଓକିଲ ମୁକୁଲ ରୋହତାଗୀ କୋର୍ଟଙ୍କୁ କହିଥିଲେ ୯ ମାମଲା ମଧ୍ୟରୁ କେବଳ ନାରୋଦା ଗାଁ ଅଞ୍ଚଳରେ ହୋଇଥିବା ହିଁସା ମାମଲା ବିଚାରଧୀନ ଅଛି ଏବଂ ଏଥିରେ ମଧ୍ୟ ଶେଷ ଦଲିଲ ହିଁ ବାକି ଅଛି । ବାକି ୮ ମାମଲାରେ ଶୁଣାଣି ସରିଛି ଏବଂ ସେଗୁଡିକ ସୁପ୍ରିମକୋର୍ଟ ବା ହାଇକୋର୍ଟରେ ଅପିଲେଟ ଷ୍ଟେଜରେ ଅଛି । କୋର୍ଟ ଏହା ଉପରେ କହିଥିଲେ ଯେ, ଆଇନ ଆଧାରରେ ନରୋଦା ଗାଁ ମାମଲାର ଟ୍ରାଏଲ ଜାରି ରହିବ ।

ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ, ପୀଡିତାଙ୍କୁ ୭ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

ବରଗଡ଼: ବରଗଡ଼ ଅମ୍ବାଭୋନାରେ ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲା । ପକ୍ସୋ କୋର୍ଟରେ ରାୟ ପ୍ରକାଶ । ଦୋଷୀକୁ ଆଜୀବନ କାରାଦଣ୍ଡ ସହ ପୀଡିତା ନାବାଳିକାଙ୍କୁ ୭ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଗତ ୨୦୧୮ ଜୁନ୍ ୧ରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ନାଗେଶ୍ବର ଦାସ ନାବାଳିକାର ବାପାକୁ ହତ୍ୟା ପରେ ଝିଅକୁ ଆକ୍ରମଣ କରି ଅଚେତ କରିଦେଇଥିଲା ।

ପରେ ନାବଳିକା ସହ ଦୁଷ୍କର୍ମ କରିଥିଲା ନାଗେଶ୍ବର । ଦୁଷ୍କର୍ମ ପରେ ନାଗେଶ୍ୱର ଚମ୍ପଟ ମାରିଥିଲା ।  ଏହି ଘଟଣାରେ ପକ୍ସୋ କୋର୍ଟ ୩୪ ଜଣ ସାକ୍ଷ ଗ୍ରହଣ କରିବା ପରେ ଆଜି ରାୟ ଶୁଣାଇଛନ୍ତି । ଦୋଷୀ ନାଗେଶ୍ବର ନାଁରେ ଆଇପିସି ଧାରା 302, 376, 307, 452ରେ ମାମଲା ରୁଜୁ ହୋଇଥିଲା । ପୂର୍ବତନ ଡିଏସପି ନଗେନ୍ଦ୍ର ପ୍ରସାଦ ନାୟକ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲେ ।

ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତିକୁ ନେଇ କେଜ୍ରିୱାଲ ସରକାର ହରଡଘଣାରେ ପଡ଼ିଛନ୍ତି । ବିଜେପି ଲଗାତାର ସରକାରଙ୍କୁ ଏନେଇ ଟାର୍ଗେଟ କରିଆସିଛି । ଅନ୍ୟପକ୍ଷରେ ବରିଷ୍ଠ ସମାଜସେବୀ ଆନ୍ନା ହଜାରେ ମଧ୍ୟ ଅବକାରୀ ନୀତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । କେଜ୍ରିୱାଲଙ୍କୁ ଚିଠି ଲେଖି ଭର୍ତ୍ସନା କରିଛନ୍ତି । ଆନ୍ନା ହଜାରେ ଚିଠି ଲେଖି କହିଛନ୍ତି, ସେ ଦିଲ୍ଲୀରେ ମଦ ଦୋକାନଗୁଡିକୁ ବନ୍ଦ କରିଦିଅନ୍ତୁ ।

ଅରବିନ୍ଦ କେଜ୍ରିୱାଲ ସ୍ୱରାଜ ପୁସ୍ତକରେ ବଡ଼ ବଡ଼ କଥା କହିଥିଲେ, କିନ୍ତୁ ତାଙ୍କ ଆଚରଣରେ ଏହାର ପ୍ରଭାବ ଦେଖାଯାଉନାହିଁ । ସ୍ୱରାଜ ପୁସ୍ତକ ପାଇଁ ଆପଣଙ୍କ ଉପରେ ଲୋକମାନଙ୍କ ଭରସା କରିଥିଲେ । କିନ୍ତୁ ରାଜନୀତିକୁ ଯାଇ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ଆଦର୍ଶ ଆଚରଣକୁ ଭୁଲିଯାଇଛନ୍ତି । ଯେଉଁଭଳି ମଦ ନିଷା ହୋଇଥାଏ, ସେହିଭଳି କ୍ଷମତାର ମଧ୍ୟ ନିଶା ଥାଏ । ଆପଣ ମଧ୍ୟ ଏହିଭଳି ନିଶାରେ ଡୁବିଯାଇଛନ୍ତି ।

ଏହି କାରଣରୁ ଦିଲ୍ଲୀରେ ଆପଣଙ୍କ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ଏପରି ଲାଗୁଛି ଯେ ନୂଆ ନୀତି ଦ୍ୱାରା ମଦ ର ବିକ୍ରି ଏବଂ ମଦ ପିଇବାକୁ ଉତ୍ସାହିତ କରାଯଉଛି । ନୂଆ ମଦ ନୀତି ଦ୍ୱାରା ପ୍ରତି ଗଳିରେ ମଦ ଦୋକାନ ଖୋଲିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏହାଫଳରେ ଦୁର୍ନୀତି ଆହୁରି ବୃଦ୍ଧି ପାଇବ । ଏହା ଜନତାଙ୍କ ହିତରେ ନୁହେଁ । ଐତିହାସିକ ଆନ୍ଦୋଳନକୁ କ୍ଷତି ପହଞ୍ଚାଇ ଯେଉଁ ଦଳ ଗଠିତ ହୋଇଥିଲା ।

ସେ ମଧ୍ୟ ଅନ୍ୟ ଦଳ ରାସ୍ତାରେ ଯାଉଛି । ବଡ଼ ଦୁଃଖର କଥା ବୋଲି ଆନ୍ନା ହଜାରେ କହିଛନ୍ତି । ସୂଚନାଥାଉକି ବିଜେପି ଲଗାତାର ନୂଆ ମଦ ନୀତିକୁ ନେଇ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଆସିଛି । ନୂଆ ମଦ ନୀତି ସରକାରଙ୍କ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ଲାଭ ଦେବା ପାଇଁ କରାଯାଇଛି ବୋଲି ଅଭିଯୋଗ କରିଥିଲା ବିଜେପି ।

୩୦ ହଜାର ଲାଞ୍ଚ ନେବା ବେଳେ ଡିଏସପିଙ୍କୁ ଧରିଲା ଭିଜିଲାନ୍ସ ଟିମ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଡିଏସପି ଅଭିନବ ଡାଳୁଆ । ଢେଙ୍କାନାଳ ସଦରଥାନା ଇନଚାର୍ଜ ଦାୟିତ୍ବରେ ଥିଲେ ଅଭିନବ । କୋଇଲା ଟ୍ରକ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ତାଙ୍କୁ ଧରିଛି । ଗତ ୨୪ ତାରିଖରେ ୩ଟି କୋଇଲା ବୋଝେଇ ଟ୍ରକରୁ ଗୋଟିଏ ଟ୍ରକ ପାଇଁ ୧୫ ହଜାର ଟଙ୍କା ନେଇଥିଲେ ବାବୁ । ଆହୁରି ଅର୍ଥ ଦାବି କରିଥିଲେ ।

ଟ୍ରକ୍ ମାଲିକ ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ଆଜି ତାଙ୍କୁ ଟ୍ରାପ୍ କରିଛି । ଆଜି ଆଉ ୨ଟି ଟ୍ରକ ପାଇଁ ୩୦ ହଜାର ଟଙ୍କା ନେବା ବେଳେ ଧରାପଡିଛନ୍ତି ଢେଙ୍କାନାଳ ଡିଏସପି ଅଭିନବ ଡାଳୁଆ । ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି । ଭିଜିଲାନସ ଡିଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀଙ୍କ ନେତୃତ୍ଵରେ ୧୧ ଜଣିଆ ଟିମ ସଦର ଥାନା ଓ ଅମଲାପଡ଼ା ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିଛି ।

ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ । ଜଟଣୀ ରାମଚନ୍ଦ୍ରପୁରର ଘର, ଢେଙ୍କାନାଳର ୪ଟି ସ୍ଥାନରେ ଚାଲିଛି ରେଡ୍ । ବାଲେଶ୍ବରର ପୈତୃକ ଘର, କେନ୍ଦୁଝର ସ୍ଥିତ ଶ୍ବଶୁର ଘରେ ଚାଲିଛି ଚଢ଼ାଉ । କଟକ ଜିଲ୍ଲା ନରସିଂହପୁରରେ ଥିବା ଘରେ ଚାଲିଛି ରେଡ୍ । ରେଡରେ ୮ଟି ଟିମ୍ ସାମିଲ ହୋଇଛନ୍ତି । ଜଣେ ଅତିରିକ୍ତ ଏସପି , ୯ଜଣ ଡିଏସପି ଓ ୮ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । କୋଇଲା ବୋଝେଇ ଟ୍ରକ ପାର କରିବାକୁ ଟ୍ରକ ମାଲିକ ମାନଙ୍କୁ ଧମକାଇ ଲାଞ୍ଚ ନେଉଥିଲେ ଡିଏସପି ଡାଳୁଆ । ଡିଏସପି ଅଭିନବ ଡାଳୁଆ ଢେଙ୍କାନାଳ ସଦର ଥାନା ଆଇଆଇସି ଦାୟିତ୍ବରେ ଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼୍ଡ଼ାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି । ବିଜେପି ଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା ରହିଛି । ତେଣୁ ଜେପି ନଡ଼ାଙ୍କ ପରେ ସେ ଦଳର ମଙ୍ଗ ଧରିବେ । ବିଜେପିର ପ୍ରଭାବଶାଳୀ ନେତାଭାବେ ନିଜର ଦକ୍ଷତା ଦେଖାଇଥିବା ଧର୍ମେନ୍ଦ୍ର ପ୍ରଧାନ ଅନେକ ସମୟରେ ଦଳର କ୍ରାଇସିସ୍ ମ୍ୟାନେଜର ଭାବେ ଉଭା ହୋଇ କାମ କରିଛନ୍ତି ।

ନିର୍ବାଚନ ସମୟରେ ବିଭିନ୍ନ ରାଜ୍ୟରେ ଦାୟିତ୍ବ ନେଇ ସେ ଦଳକୁ ସଫଳତା ଆଣି ଦେଇଛନ୍ତି । ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, କଣ୍ଣାଟକର ଦାୟିତ୍ବ ନେଇ ସେ ନିଜର ଦକ୍ଷତା ଦେଖାଇଛନ୍ତି । ଏମିତିକି ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ କୋର ଟିମରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବେଶ ପ୍ରଭାବ ରହିଛି । ଦଳର ଯେଉଁ କେତେଜଣ ପ୍ରଭାବଶାଳୀ ନେତା ଅଛନ୍ତି ସେମାନଙ୍କ ମଧ୍ୟରେ ସେ ଅନ୍ୟତମ ।

ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରି ଦଳର ବିଭିନ୍ନ ଦାୟିତ୍ବ ତୁଲାଇବା ସହ ଦୁଇଥର କେନ୍ଦ୍ରମନ୍ତ୍ରୀ ଭାବେ ଦାୟି୍ତ୍ବ ସଫଳତାର ସହ ତୁଲାଇଛନ୍ତି ଆଜିଯାଏ । ଓଡ଼ିଶା ବିଜେପି ରାଜନୀତିରେ ମଧ୍ୟ ତାଙ୍କର ବେଶ ପ୍ରଭାବ ରହିଛି । ସାଂଗଠନିକ ଦକ୍ଷତା ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଭ୍କ ବିଶ୍ସ୍ତ ହୋଇଥିବା ଧମେର୍ନ୍ଦ୍ର ପ୍ରଧାନ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ଚର୍ଚ୍ଚାକୁ ରାଜ୍ୟ ବିଜେପି ନେତାମତ ରଖିଛନ୍ତି ।

ଉପରାଷ୍ଟ୍ରପତି ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ୍‌ଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ନେଇ ସେ ଉପରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି । ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସବୁ ସମୟରେ ସଂସଦରେ ଏକ ଶୃଙ୍ଖଳିତ ଦଳ ଭାବେ କାର୍ଯ୍ୟ କରୁଛି ।

ଉପରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ଆଚରଣକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉପରାଷ୍ଟ୍ରପତିଙ୍କୁ ଆଶ୍ବାସନା ଦେଇଥିଲେ ଯେ ରାଜ୍ୟସଭାରେ ବିଜେଡି ଶୃଙ୍ଖଳିତ ଗୃହ ପରିଚାଳନାରେ ସହଯୋଗ କରିବ ।

ସଂସଦରେ ଓଡିଶା ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦଳ ଆଲୋଚନା ଓ ବିତର୍କକୁ ଗୁରୁତ୍ବ ଦେବ ବୋଲି ସେ କହିଛନ୍ତି । ସସ୍ମିତ ସାଢେ ଚାରି କୋଟି ଓଡିଶାଙ୍କ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନ ଏବଂ କାର୍ଯ୍ୟ ଉପରେ ଆଧାରିତ ପୁସ୍ତକ ‘ଦି ଟଲ୍ ମ୍ୟାନ୍’ ଉପରାଷ୍ଟ୍ରପତିଙ୍କୁ ଉପହାର ଦେଇଥିଲେ ।