ଏଣିକି ଅଣଧାନ ଚାଷକୁ ଦିଆଯିବ ଗୁରୁତ୍ବ, ଆସିବ ନୂଆ ବନ୍ଦର ନୀତି

1 min read

ଭୁବନେଶ୍ବର: ଏଣିକି ଧାନ ଚାଷ ବଦଳରେ ଅଣଧାନ ଚାଷକୁ ଦିଆଯିବ ଗୁରୁତ୍ବ । ବିବିଧ ଫସଲ ଚାଷ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ଏଥିପାଇଁ ଆସନ୍ତା ତିନି ବର୍ଷରେ ଖର୍ଚ୍ଚ ହେବ ୯୩୦ କୋଟି ଟଙ୍କା । ଧାନ ଚାଷ ହେଉଥିବା ୩ଲକ୍ଷ ୭୦ ହଜାର ହେକ୍ଟର ଜମିରେ ଅର୍ଥକାରୀ ଓ ଡାଲିଜାତୀୟ ଫସଲ ଚାଷ ପାଇଁ ଯୋଜନା କରାଯାଇଛି ।

ଦେଢ ଲକ୍ଷ ହେକ୍ଟର ଜମିରେ ଅଣଧାନ ସମେତ ତୈଳବୀଜ, ୫୦ ହଜାର ହେକ୍ଟର ଜମିରେ ଦେଶୀୟ ବାସ୍ନା ଚାଉଳ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । କୃଷି ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି ।

ସେହିପରି ବାଲି, ମୋରମ ପରି ଲଘୁ ଖଣିଜ ପଦାର୍ଥ ନିଲାମ ବା ସୈରାତ ଆଉ ରାଜସ୍ବ ବିଭାଗ କରିବ ନାହିଁ । ଇସ୍ପାତ ଓ ଖଣି ବିଭାଗ ଏସବୁ ଲଘୁ ଖଣିଜ ପଦାର୍ଥର ନିଲାମୀ କରିବ । ଅନ୍ତର୍ଦେଶୀୟ ଜଳ ପରିବହନ ପାଇଁ ୨୦୦୪ର ବନ୍ଦର ନୀତି ବଦଳରେ ଆସିବ ନୂଆ ବନ୍ଦର ନୀତି-୨୦୨୨ । ରାଜ୍ୟରେ ନିଜସ୍ବ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଥିବା ସଂସ୍ଥାର ବକେୟା ବିଦ୍ୟୁତ ଶୁଳ୍କ ଏକକାଳୀନ ପୈଠ ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଛି । ଏଥିରେ ରାଜ୍ୟ ସରକାର ଦେଢ ହଜାର କୋଟି ଟଙ୍କା ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।

କଟକ ଜିଲ୍ଲା ନରସିଂହପୁର, ତିଗିରିଆ ଓ ବଡମ୍ବା ବ୍ଲକରେ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ ଡ୍ୟାମ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ ମଂଜୁରୀ ଦେଇଛି । ୨୨୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ କାମ ଅଢେଇ ବର୍ଷ ମଧ୍ୟରେ ଶେଷ ହେବ । ୬ହଜାର ୬୦୦ ହେକ୍ଟର ଜମି ଜଳସେଚିତ ହେବା ସହ ୩ଲକ୍ଷରୁ ଅଧିକ ଲୋକଙ୍କୁ ପାନୀୟ ଜଳ ସୁବିଧା ମିଳିପାରିବ ।

ବ୍ରାହ୍ମଣୀ ବାମପଟ କେନାଲ ବନ୍ଧର ମୁଖ୍ୟ କେନାଲ କାମ ପାଇଁ ୨୯୭ କୋଟିର ଟେଣ୍ଡରକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏହି କାମ ୩୬ମାସରେ ଶେଷ ହେବ । ଏଥିରେ କୋରେଇ, କେନ୍ଦୁଝର, ବରପଦା ଓ ରାମଚନ୍ଦ୍ର ବ୍ଲକରେ ୧୯ହଜାର ୮୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ । ଏହାସହ ଆନନ୍ଦପୁର ବ୍ୟାରେଜକୁ ମଧ୍ୟ ପାଣି ମିଳିପାରିବ ।