ଜେଲ୍‌ରୁ ମନ୍ତ୍ରୀଙ୍କ ମସାଜ୍‌ ଭିଡିଓ ଭାଇରାଲ, ଆପ୍‌ କହିଲା ବିଜେପି କରୁଛି ହୀନ ରାଜନୀତି

ନୂଆଦିଲ୍ଲୀ: ଜେଲରେ ରାଜନେତାଙ୍କୁ ଫାଇଭ ଷ୍ଟାର ଟ୍ରିଟମେଣ୍ଟ । ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ କରାଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜୈନଙ୍କୁ ମସାଜ ସୁବିଧା ଦିଆଯାଉଥିବା ଦେଖାଯାଉଛି । ତିହାର ଜେଲ ଭିତରୁ ଆସିଥିବା ଏହି ସିସିଟିଭି ଫୁଟେଜକୁ ନେଇ ଆପ୍ ଉପରେ ବର୍ଷିଛି ବିଜେପି ।

ଜେଲ ନିୟମ ଉଲ୍ଲଂଘନ କରାଯାଇ ଜୈନଙ୍କୁ ଭିଭିଆଇପି ଭାବେ ସେବା ଦିଆଯାଉଛି ବୋଲି କହିଛନ୍ତି ବିଜେପି ନେତା ସେହଜାଦ ପୁଲାଓ୍ବାଲା । ମନି ଲଣ୍ଡରିଂ ମାମଲାରେ ଜୈନ୍‌ ଜେଲରେ ଥିବା ବେଳେ ତାଙ୍କୁ ସ୍ବତନ୍ତ୍ର ସୁବିଧା ଦିଆଯାଉଛି ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା । ଏ ନେଇ ଇଡି ଗୃହ ମନ୍ତ୍ରଣାଳୟକୁ ଜଣାଇବା ପରେ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରି ରିପୋର୍ଟ ମାଗିଥିଲା ଗୃହ ମନ୍ତ୍ରଣାଳୟ ।

ସେପଟେ ସତ୍ୟେନ୍ଦ୍ର ଜୈନଙ୍କୁ ଆକ୍ୟୁପଙ୍କଚର ଥେରାପି ଦିଆଯାଉଥିଲା ବୋଲି ସଫେଇ ଦେଇଛି ଆମ ଆଦମୀ ପାର୍ଟି । ଭିଡିଓ ଭାଇରାଲ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସତ୍ୟେନ୍ଦ୍ର ଜୈନଙ୍କ ସପକ୍ଷରେ କହିଛନ୍ତି  । ବରଂ ଜୈନ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପରାମର୍ଶରେ ସେ ଫିଜିଓଥେରାପୀ କରୁଥାଇ ପାରନ୍ତି  । ସେପଟେ ତିହାର ଜେଲରୁ ଭିଡିଓ କିପରି ଲିକ୍‌ ହେଲା ଓ ଏହା କେମିତି ବିଜେପି ପାଖରେ ପହଞ୍ଚିଲା ବୋଲି ସିସୋଦିଆ ପ୍ରଶ୍ନ ଉଠାଇଛନ୍ତି  । ସେହିପରି ଜୈନଙ୍କ ଅସୁସ୍ଥତାକୁ ନେଇ ବିଜେପି ପରିହାସ କରିବା ଘଟଣା ଲଜ୍ୟାଜନକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ  ।