spot_img
Home Blog Page 3923

ମୃତକଙ୍କ ପରିବାରକୁ ମାଲିକ ଦେଲେ ଅଢେଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା

ରାଉରକେଲା: ପାନପୋଷ ଛକ ନିକଟରେ ମିଠା ଦୋକାନରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଥିବା କର୍ମଚାରୀଙ୍କ ପରିବାରଙ୍କୁ ହୋଟେଲ ମାଲିକ ଅଢେଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସହାୟତା ପାଇବା ପରେ ପରିବାର ଲୋକେ ଆଜି ମୃତଦେହ ଦାହ ସଂସ୍କାର ପାଇଁ ନେଇଛନ୍ତି । ଅନ୍ୟ ଦୁଇଜଣ ଆହତ କର୍ମଚାରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିବା ବେଳେ ସେମାନେ ଏବେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ହୋଟେଲରେ ମହଜୁଦ ଥିବା କିରୋସିନି ଓ ଡିଜେଲରେ ନିଆଁ ଲାଗିଵାରୁ ଏହି ବିସ୍ଫୋରଣ ହୋଇଥିଵା ଆହତ କର୍ମଚାରୀ ସୂଚନା ଦେଇଛନ୍ତି ।

ଗତକାଲି ପାନପୋଷ ଛକରେ ଥିବା ମିଠା ଦୋକାନରେ ଦୀପାବଳି ପାଇଁ ମଠା ତିଆରି ଚାଲିଥିବାବେଳେ ଡିଜେଲ ଷ୍ଟୋଭ ଟାଙ୍କି ଫାଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ୧୨ ଜଣ କର୍ମଚାରୀ ମିଠା ତିଆରି କାମରେ ନିୟୋଜିତ ଥିବାବେଳେ ଘଟିଥିଲା ବିସ୍ଫୋରଣ । ଏଥିରେ ଅରୁଣ ଯାଦବଙ୍କ ମୃତ୍ୟୁ ହୋଇଥିଲା । ଆଜି କ୍ଷତିପୂରଣ ପାଇବା ପରେ ଗୟାରୁ ତାଙ୍କ ପରିବାର ଲୋକେ ଆସି ହସପିଟାଲ ମର୍ଗ ହାଉସରୁ ମୃତଦେହ ନେଇ ଘରକୁ ଫେରିଛନ୍ତି ।

ଟିମ୍ ଇଣ୍ଡିଆର ଦୀପାବଳୀ ଭେଟି, ମେଲବର୍ଣ୍ଣରେ ଫୁଟିଲା ଭାରତର ବାଣ

ମେଲବର୍ଣ୍ଣ: ବିଦେଶରେ ବାଣ ଫୁଟାଇଲା ଭାରତ  । ଆଗୁଆ ଦୀପାବଳି ଭେଟି ଦେଲା ଟିମ୍ ଇଣ୍ଡିଆ  ।  ଭାରତର ବ୍ୟାଟିଂ ବାଣରେ ଓଦା ହୋଇଗଲା ପାକିସ୍ତାନ  । ଅର୍ଥାତ ଦୀବାପଳି ପୂର୍ବରୁ ବିଦେଶରେ ବିଜୟ ହାସଲ କରି ଭାରତକୁ ଆଗୁଆ ଭେଟି ଦେଇଛି ଟିମ୍ ଇଣ୍ଡିଆ  । ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇ ଟି୨୦ ବିଶ୍ୱକପର ପ୍ରଥମ ସୋପାନ ଚଢିଛି ଟିମ୍ ଇଣ୍ଡିଆ  ।

ବିରାଟ କୋହଲି ଏବଂ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଯୋଡି ଭାରତର ବିଜୟ ରାସ୍ତାକୁ ସହଜ କରିଥିଲା  ।  ନିର୍ଦ୍ଧାରିତ ଓଭରରେ ୧୬୦ରନ୍ କରି ଭାରତ ପିନ୍ଧିଛି ବିଜୟ ମୁକୁଟ  । କୋହଲିଙ୍କ ଚମତ୍କାର ବ୍ୟାଟିଂ ଭାରତକୁ ବିଜୟ କରିଛି  । ୫୩ ବଲରେ ବ୍ୟାଟ୍ସମ୍ୟାନ କୋହଲି ୮୨ ରନ୍ କରିଛନ୍ତି  । ଶେଷ ତିନି ଓଭରକୁ ୪୮ ରନ୍ ଥିବାବେଳେ କୋହଲିଙ୍କ ଦମଦାର ପ୍ରଦର୍ଶନ ରାସ୍ତା ସୁଗମ କରିଥିଲା  ।

ଟି-୨୦ ବିଶ୍ବକପରେ ହାଇଭୋଲଟେଜ୍ ଟକ୍କର ରହିଥିଲା । ଭାରତ ଆଗରେ ୧୬୦ ରନ୍‌ର ଟାର୍ଗେଟ ରଖିଲା ପାକିସ୍ତାନ । ଆରମ୍ଭ ଭାରତ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଥିଲେ ମଧ୍ୟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ କ୍ରିକେଟ ପ୍ରେମୀଙ୍କୁ ନିରୁତ୍ସାହିତ କରିନଥିଲା  । ପାଣ୍ଡ୍ୟା ୪୦ ରନ୍ କରିଥିବାବେଳେ କୋହଲିଙ୍କ ୬ଟି ଚୌକା ଏବଂ ୪ଟି ଛକା ନେଲବର୍ଣ୍ଣ ବିଜୟକୁ ଅଧିକ ସହଜ କରିଥିଲା  ।

ସେପଟେ ପାକିସ୍ତାନର ସାନ୍‌ ମାସୁଦ  ୫୦ ରନ୍‌ ସଂଗ୍ରହ କରିଥିଲେ  । ଇପ୍ତିଖାର୍‌ ଅହମ୍ମଦ ମଧ୍ୟ ୫୦ ରନ୍‌ କରିଛନ୍ତି । ମେଲବର୍ଣ୍ଣରେ ଜୋରଦାର ଲଢେଇ ଭିତରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପାକିସ୍ତାନକୁ ସୁଯୋଗ ଦେଇଥିଲା  । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ସଦୀପ ସିଂ  ୩ଟି ଲେଖାଏଁ ଓ୍ବିକେଟ ନେଇ ପାକିସ୍ତାନକୁ ପାଣି ପିଆଇ ଦେଇଥଛିଲେ  । ପାକିସ୍ତାନ କ୍ୟାପଟେନ ବାବର ଖାତା କୋଲି ପାରିନଥିବାବେଳେ ଭାରତ କ୍ୟାପଟେନ ରୋହିତ ଶର୍ମା ୭ଟି ବଲରେ ୪ରନ୍ କରି ୱିକେଟ ହୋଇଥିଲେ  ।

 

ଛତ୍ରପୁର ମେଡିକାଲରେ ପୋଲିସ ଓ ପ୍ରଶାସନ ଅଧିକାରୀଙ୍କ ଅଚାନକ ଚଢ଼ାଉ

ବ୍ରହ୍ମପୁର: ଦଲାଲ ମୁକ୍ତ ହେବ ବ୍ରହ୍ମପୁରର ଛତ୍ରପୁର ଡାକ୍ତରଖାନା । ପୋଲିସ ଓ ପ୍ରଶାସନ ଅଧିକାରୀଙ୍କ ଅଚାନକ ଚଢ଼ାଉ  । ଚଢ଼ାଉ ବେଳେ ଛତ୍ରପୁର ଏସଡିପିଓ ଗୌତମ କିଷାନ୍, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ ପ୍ରମୁଖ ସାମିଲ ଥିଲେ  ।

ରୋଗୀଙ୍କୁ ସଠିକ୍ ଭାବେ ସେବା ପ୍ରଦାନ କରିବା ସହ ଦଲାଲ ମୁକ୍ତ ଉଦେଶ୍ୟ ନେଇ ଏପରି ଚଢ଼ାଉ ଜାରି ରହିବ ବୋଲି ପ୍ରତିନିଧି ଦଳ କହିଛନ୍ତି l ଆଜି ଏପରି ଅଚାନକ ଚଢ଼ାଉ କରାଯାଇଥିବାରୁ ହସ୍ପିଟାଲର କିଛି କର୍ମଚାରୀ ଓ ଦଲାଲଙ୍କ ମନରେ ଭୟ ସୃଷ୍ଟି ହୋଇଛି l

ଭାରତ ଆଗରେ ଟାର୍ଗେଟ ୧୬୦, ଅର୍ଶଦୀପ-ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ

ମେଲବର୍ଣ୍ଣ: ଭାରତ ସାମ୍ନାରେ ଟାର୍ଗେଟ ୧୬୦  । ପ୍ରତିଦ୍ୱନ୍ଦୀ ଦଳ ପାକିସ୍ତାନକୁ ପରାସ୍ତ କରିବାକୁ ହେଲେ ନିର୍ଦ୍ଧାରିତ ୨୦ ଓଭରରେ ୧୬୦ ରନ୍ ହାସଲ କରିବାକୁ ପଡିବ । କାରଣ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ୱିକେଟ ହରାଇ ହାସଲ କରିଛି ୧୫୯ ରନ୍  ।   ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ମ୍ୟାଚ୍ । ପ୍ରଥମେ ଟସ୍ ଜିତିବା ସ୍ୱତେ ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା  । ଭାରତ ପକ୍ଷରୁ ଅର୍ଶଦୀପ ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ତିନୋଟି ଲେଖାଏଁ ୱିକେଟ ନେଇ ପାକିସ୍ତାନକୁ ଅଟକାଇଥିଲେ  ।

ଅନ୍ୟପଟେ ପାକିସ୍ତାନର ବ୍ୟାଟ୍ସମ୍ୟାନ ଇପ୍ତିଖାର ଅହମ୍ମଦ ୩୪ ବଲରେ ୫୧ ରନ୍ ସଂଗ୍ରହ କରିଥିଲେ  । ତେବେ ଭାରତ ବର୍ତ୍ତମାନ ଦିତ୍ୱୀୟ ଇଂନିସରେ ମଇଦାନକୁ ଅବର୍ତ୍ତୀଣ୍ଣ ହୋଇଛି  । ଦଳ ପକ୍ଷରୁ କେଏଲ ରାହୁଲ ଏବଂ ଅଧିନାୟକ ରୋହିତ ଶର୍ମା କ୍ରିଜକୁ ଓହ୍ଲାଇଛନ୍ତି  । ତେବେ ଭାରତର ବିଜୟ ଆଶାକୁ ଚାହିଁ ରହିଛନ୍ତି ପ୍ରଶଂସକ  ।

ପାକିସ୍ତାନର ଓ୍ବିକେଟ ନେଇ ଭାରତକୁ ସଫଳତା ଦେଇଥିଲେ ଅର୍ଶଦୀପ ସିଂହ । ଘାତକ ବୋଲିଂ କରି ଦୁଇ ଓପନରଙ୍କୁ ଆଉଟ କରିଛନ୍ତି ଅର୍ଶଦୀପ । ଟି-ଟ୍ବେଣ୍ଟି ମୁକାବିଲାରେ ଆଜି ଖେଳାଯାଉଛି ହାଇଭୋଲଟେଜ୍ ମ୍ୟାଚ୍ । ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ବିଶ୍ବକପ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ବିଶ୍ବକପରେ ପାକିସ୍ତାନ ଉପରେ ଭାରତର ଆଧିପତ୍ୟ ରହିଆସିଛି । ୨୦୨୧ ବିଶ୍ବକପରେ ଭାରତ ବିପକ୍ଷରେ ପାକିସ୍ତାନ ତାର ପରାଜୟ ଧାରା ଭାଙ୍ଗିଥିଲେ ସୁଦ୍ଧା ଭାରତ ୫-୧ରେ ଆଗୁଆ ରହିଛି । ଆଜି ମ୍ୟାଚ ଜିତି ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ରୋହିତ ବିଗ୍ରେଡ ।

ଜିନପିଙ୍ଗଙ୍କ ବୈଠକରୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ତଡ଼ି ଦେଲେ

ବେଜିଂ: ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିଣ୍ଟାଓଙ୍କୁ ଘୋର ଅପମାନ । ତାହା ପୁଣି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପସ୍ଥିତିରେ । ଜିନପିଙ୍ଗ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଅନ୍ତିମ ଅଧିବେଶନରେ ଜିଣ୍ଟାଓଙ୍କୁ ଦିଆଯାଇଛି ଏମିତି ଅପମାନ । ଦୁଇ ଜଣ ସୁରକ୍ଷା କର୍ମୀ ତାଙ୍କୁ ତାଙ୍କ ଆସନରୁ ବଳ ପୂର୍ବକ ଉଠାଇ ବାହାରେ ଛାଡି ଦେଇଥିଲେ । ତାହା ପୁଣି ସାରା ବିଶ୍ବର ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ।

ସୂଚନାଯୋଗ୍ୟ, ବେଜିଂରେ ଆୟୋଜିତ ସିପସି (କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ)ର ଅନ୍ତିମ ଅଧିବେଶନରେ ଏମିତି ହାଇଡ୍ରାମା ଦେଖିବାକୁ ମିଳିଥିଲା । ଦୁଇ ସୁରକ୍ଷାକର୍ମୀ ଜିଣ୍ଟାଓଙ୍କୁ ସ୍ଥାନ ଛାଡ଼ିବା ପାଇଁ ବାଧ୍ୟ କରିଥିଲେ । ୭୯ ବର୍ଷୀୟ ହୁ ଜିଣ୍ଟାଓ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଏବଂ ଅନ୍ୟ ନେତାମାନଙ୍କ ସହ ଆଗ ଧାଡ଼ିରେ ବସିଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀ ଆସି ଉଠିବାକୁ କହିଥିଲେ । ଏହା ଶୁଣି ସେଠାରେ ଉପସ୍ଥିତି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ଜିନପିଙ୍ଗ ଏଥିପ୍ରତି ଧ୍ୟାନ ଦେଇନଥିଲେ ।

ଅର୍ନେଟ ଗ୍ରେଟ୍ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨ ହଜାର ୨୯୬ ପ୍ରତିନିଧି ଏବଂ ଅଧିକାରୀ ଯୋଗ ଦେଇଥିଲେ । ସ୍ଥାନୀୟ ଓ ବିଦେଶୀ ଗଣମାଧ୍ୟମର ଉପସ୍ଥିତିରେ ସିପିସି ଅଧିବେଶନରେ ଏଭଳି ଦୃଶ୍ୟ ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଶଗିଛି ।

ସୂଚନାଯୋଗ୍ୟ, ହୁ ଜିଣ୍ଟାଓ ୨୦୧୨ରେ ରାଷ୍ଟ୍ରପତି ହୋଇଥିଲେ । ସେ ୧୦ ବର୍ଷ ଚୀନ ମୁଖଇଆ ଭାବେ ରହିବା ପରେ ଜି ଜିନପିଙ୍ଗଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ । ଜିନପିଙ୍ଗଙ୍କ କେତେକ ନୀତିକୁ ଜିଣ୍ଟାଓ ସମାଲୋଚନା କରିଥିବା କାରଣରୁ ତାଙ୍କୁ ଏଭଳି ଅପମାନର ସମ୍ମୁଖୀନ ହେବାକୁ ପଡିଲା ବୋଲି କୁହାଯାଉଛି ।

ବଦଳିଲା ଚୀନ ଇତିହାସ: ତୃତୀୟ ଥର ରାଷ୍ଟ୍ରପତି ହେଲେ ଜିନପିଙ୍ଗ

ବେଜିଂ: ବଦଳିଲା ଚୀନ ଇତିହାସ । ପୁରୁଣା ନିୟମ ବଦଳି ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେଲେ ସି ଜିନପିଙ୍ଗ । ତୃତୀୟ ଥର ରାଷ୍ଟ୍ରପତି ହେବା ପରେ ପରୋକ୍ଷରେ ଚୀନର ସୁପରମାସିକୁ ବିଶ୍ବରରେ ପ୍ରତିଷ୍ଠା କରିବାକୁ ଦେଲେ ଇସାରା । ଏହାସହ କହିଲେ- ବିଶ୍ବର ବିନା ସହଯୋଗରେ ଚୀନ ବି ବିକାଶ କରିପାରିବନି ।

ଐତିହାସିକ ଭାବେ ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବା ସହ ଚୀନ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ହୋଇଥିବା ଜିନପିଙ୍ଗ କହିଛନ୍ତି, ୪୦ ବର୍ଷର ସଂସ୍କାର ପରେ ଦେଶରେ ଦ୍ରୁତ ଅର୍ଥନୈତିକ ବିକାଶ ହେବା ସହ ସାମାଜିକ ସ୍ଥିରତା ପ୍ରତିଷ୍ଠା ହୋଇପାରିଛି । ଦଳର ସାମଗ୍ରିକ ନେତୃତ୍ବକୁ ଶକ୍ତିଶାଳୀ କରିବା ସକାଶେ ସମ୍ବିଧାନ ସଂଶୋଧନର ଆବଶ୍ୟକତା ଥିଲା ।

ଏହାସହ ସଂଗ୍ରାମ କ୍ଷେତ୍ରରେ ପଛଘୁଞ୍ଚା ନଦେଇ ବିଜୟ ଲାଭ କରିବାକୁ ଆହ୍ବାନ ଦେଇଛନ୍ତି ଜିନପିଙ୍ଗ । ବେଜିଂର ଗ୍ରେଟ ହଲରେ ହୋଇଥିବା ସପ୍ତାହେ ବ୍ୟାପୀ ସମ୍ମିଳନୀରେ ପ୍ରାୟ ୨ ହଜାର ୩୦୦ ପାର୍ଟି ପ୍ରତିନିଧି ଜିନପିଙ୍ଗଙ୍କୁ ପୁନର୍ବାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଏହାସହ ୨୦୦ ଜଣିଆ ସେଣ୍ଟ୍ରାଲ କମିଟି ଓ ୨୫ ସଦସ୍ୟ ବିଶିଷ୍ଟ ସର୍ବକ୍ଷମତାଶାଳୀ ପିଲିଟିବ୍ୟୁରୋ ମଧ୍ୟ ନିର୍ବାଚିତ ହୋଇଥିଲେ ।

T20 ବିଶ୍ବକପ୍: ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ମେଲବୋର୍ଣ୍ଣ: ଟି-ଟ୍ବେଣ୍ଟି ବିଶ୍ବକପରେ ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି । ଆଜି ଭାରତ ତା’ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବାକୁ ଯାଉଛି ।

ବିଶ୍ବକପରେ ପାକିସ୍ତାନ ଉପରେ ଭାରତର ଆଧିପତ୍ୟ ରହି ଆସିଛି  । ୨୦୨୧ ବିଶ୍ବକପରେ ଭାରତ ବିପକ୍ଷରେ ପାକିସ୍ତାନ ତାର ପରାଜୟ ଧାରା ଭାଙ୍ଗିଥିଲେ ସୁଦ୍ଧା ଭାରତ ୫-୧ରେ ଆଗୁଆ ରହିଛି । ଆଜି ମ୍ୟାଚ୍ ଜିତି ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ରୋହିତ ବିଗ୍ରେଡ ।

ସାମି ଓ ଭୁବନେଶ୍ବର କୁମାରଙ୍କ ଉପରେ ବୋଲିଂ ଦାୟିତ୍ବ ରହିବ । ରୋହିତ, ରାହୁଲ, ବିରାଟ, ସୁର୍ଯ୍ୟକୁମାରଙ୍କୁ ନେଇ ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ସେପଟେ ଘାତକ ବୋଲର ସାହିନ୍ ଆଫ୍ରିଦିଙ୍କୁ ନେଇ ବେଶ ଆଶାବାଦୀ ରହିଛି ପାକିସ୍ତାନ । ଶେଷଥର ଲାଗି ୨୦୦୭ରେ ଟି-ଟ୍ବେଣ୍ଟି ବିଶ୍ବକପ୍ ଜିତିଥିଲା ଭାରତ । ଚଳିତବର୍ଷ ଦ୍ବିତୀୟ ଥର ଟ୍ରଫି ହାତେଇବାକୁ ରଣନୀତି କରିଛି ମେନଇନ୍ ବ୍ଲୁ । ଅନ୍ୟପଟେ ଆଜି ସକାଳ ୯ଟା ୩୦ରୁ ଶ୍ରୀଲଙ୍କା ଓ ଆୟରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ ।

୩୦ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲା ବିକାଶ ଦାୟିତ୍ବ

ଭୁବନେଶ୍ବର: ଅଫିସରଙ୍କୁ ମିଳିଲା ଜିଲ୍ଲା ଦାୟିତ୍ବ । ୩୦ ବରିଷ୍ଠ ଆଇଏଏସଙ୍କୁ ଦିଆଗଲା ଜିଲ୍ଲା ବିକାଶ ଦାୟିତ୍ବ । ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଦାୟିତ୍ବ ଦିଆଯାଇଛି । ଅର୍ଥ ସଚିବ ବିଶାଲ ଦେବଙ୍କୁ ମୟୂରଭଞ୍ଜ ଦାୟିତ୍ବ ମିଳିଥିବା ବେଳେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ ଦାୟିତ୍ବ ଦିଆଯାଇଛି ।

ଖଣି ଇସ୍ପାତ ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର ଦାୟିତ୍ବ ଦିଆଯାଇଥିବା ବେଳେ କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ କନ୍ଧମାଳ ଦାୟିତ୍ବ ମିଳିଛି । ମିଶନ ଶକ୍ତି ସଚିବ ସୁଜାତା  ଆର କାର୍ତ୍ତିକେୟନଙ୍କୁ କଟକ, ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ପୁରୀ ଦାୟିତ୍ବ ମିଳିଛି । ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇଙ୍କୁ ଦେବଗଡ଼, ଆଇଟି ସଚିବ ମନୋଜ ମିଶ୍ରଙ୍କୁ ଢେଙ୍କାନାଳ, ଶ୍ରମ ସଚିବ ଚିତ୍ରା ଅନୁମଗମଙ୍କୁ ଗଜପତି, ହସ୍ତତନ୍ତ ଓ ବୟନ ଶିଳ୍ପ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଓଏମସି ପରିଚାଳନା ନିର୍ଦ୍ଦେଶକ ବଲଓ୍ବନ୍ତ ସିଂହଙ୍କୁ ସୁନ୍ଦରଗଡ଼ ଦାୟିତ୍ବ ମିଳିଛି ।

ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡା, ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ବଲପୁର, ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା, ସମବାୟ ସଚିବ ସଞ୍ଜିବ କୁମାର ଚଢାଙ୍କୁ ମାଲକାନଗିରି, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍. ଅଶ୍ବସ୍ଥିଙ୍କୁ ଗଞ୍ଜାମ, ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର ଦାୟିତ୍ବ ଦିଆଯାଇଛି ।

ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡା, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗୀର, ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସୋନପୁର, ସାମାଜିକ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ନବରଙ୍ଗପୁର, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କେନ୍ଦ୍ରାପଡ଼ା, ହସ୍ତତନ୍ତ ଓ ବୟନଶିଳ୍ପ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡିଙ୍କୁ ଅନୁଗୁଳ, ଶ୍ରମ ଆୟୁକ୍ତ ଏନ୍. ଥିରୁମାଳା ନାଏକଙ୍କୁ ବାଲେଶ୍ବର, ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼, ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରବିନ୍ଦ ଡାକୁଆଙ୍କୁ ଭଦ୍ରକ, ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର. ଯାଦବଙ୍କୁ ନୂଆପଡା ଏବଂ ପାନୀୟ ଜଳ ଓ ପରିଚ୍ଛନ୍ନତା ନିର୍ଦ୍ଦେଶକ ବି. ପରମେଶ୍ବରଙ୍କୁ ନୟାଗଡ଼ ଦାୟିତ୍ବ ଦିଆଯାଇଛି ।

ରାଜ୍ୟର ୩୦ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାମ ତଥା ଜନହିତକାରୀ ଯୋଜନାର ତଦାରଖ କରିବା ପାଇଁ ଆଇଏଏସଙ୍କୁ ଦାୟିତ୍ବ ଦିଆଯାଇଛି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ହେବନି ପ୍ରକାଶ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ବା ଇଲେକ୍ଟ୍ରୋ ଫେରୋଗ୍ରାମ ରିପୋର୍ଟ ପ୍ରକାଶ କରିବାକୁ ଅଗ୍ରାହ୍ୟ କଲା କେନ୍ଦ୍ରୀୟ ଫରେନସିକ ସାଇନସ ଲାବରେଟୋରୀ ବା ସିଏଫଏସଏଲ । ସାଧୁବେଶରେ ରହୁଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ବୋଲି ଦୀର୍ଘ ଦିନ ଧରି ଚାଲିଥିଲା ଚର୍ଚ୍ଚା । ପରେ ତାଙ୍କର ଡିଏନଏ ଟେଷ୍ଟ କରାଯାଇଥିଲା ।

ସୂଚନା ଅଧିକାର ଆଇନର ଧାରା 8-1-A, E ଓ 11-1 ଅନୁସାରେ ଏହାକୁ ପ୍ରକାଶ କରାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଡିଏନଏ ରିପୋର୍ଟ ପ୍ରକାଶ କରିବା ଲାଗି ଗତ ସେପ୍ଟେମ୍ବର ୨୪ରେ ପଶ୍ଚିମବଙ୍ଗ ହୁଗୁଳି ଅନ୍ତର୍ଗତ କୋନଗର ବାସିନ୍ଦା ସାୟକ ସେନ୍ ଆରଟିଆଇ ଅନୁସାରେ ଆବେଦନ କରିଥିଲେ । ଧାରା 8-1 ଅନୁସାରେ ଭାରତର ସାର୍ବଭୌମତ୍ବ ଓ ସଂହତି, ନିରାପତ୍ତା, ଅର୍ଥନୈତିକ ସ୍ବାର୍ଥକୁ ନଷ୍ଟ କରୁଥିବା ପରି ତଥ୍ୟକୁ ପ୍ରକାଶ କରାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଇଲେକ୍ଟ୍ରୋ ଫେରୋଗ୍ରାମ ହେଉଛି ଇଲେକ୍ଟ୍ରୋ ଫେରୋସିସ ଅଟୋମେଟିକ ସିକୁଏନସିଂ ଜରିଆରେ ତଥ୍ୟ ହାସଲ କରିବା । ଏକ ଅଟୋମେଟେଡ ଡିଏନଏ ସିକୁଏନସିଂ ମେସିନ ଜରିଆରେ ଏହା କରାଯାଇଥାଏ । ଏହି ପରୀକ୍ଷା ଜରିଆରେ ପୂର୍ବପୁରୁଷଙ୍କ ସମ୍ପର୍କରେ ତଥ୍ୟ ମିଳିପାରିଥାଏ । ନେତାଜୀଙ୍କୁ ନେଇ ଭାରତ ସହ ଅନ୍ୟ ରାଷ୍ଟ୍ରର ସମ୍ପର୍କ ଥିବାରୁ ଏହି ତଥ୍ୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।

ଗୁମନାମୀ ବାବା ଅସାଧାରଣ ଥିଲେ ଏବଂ ସେ ନିଶ୍ଚୟ ସୁଭାଷ ବୋଷ ଥିଲେ ବୋଲି ଆବେଦନକାରୀ ଦର୍ଶାଇଥିଲେ । ପ୍ରଚଳିତ ତଥ୍ୟ ଅନୁସାରେ ୧୯୪୫ ଅଗଷ୍ଟ ୧୮ ତାରିଖରେ ତାଇଓ୍ବାନରେ ଏକ ପ୍ଲେନ କ୍ରାସରେ ନେତାଜୀଙ୍କ ଦେହାନ୍ତ ହୋଇଥିଲା । ତେବେ କୁହାଯାଏ, ସେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଏବଂ ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ ରକ୍ଷା ପାଇବା ଲାଗି ଆତ୍ମଗୋପନ କରିଥିଲେ । ଉତ୍ତରପ୍ରଦେଶ ଲକ୍ଷ୍ମୌରେ ୧୯୫୦ରୁ ସନ୍ଦିଗ୍ଧ ଅବସ୍ଥାରେ ବାସ କରୁଥିବା ଗୁମନାମୀ ବାବାଙ୍କ ଦେହାନ୍ତ ୧୯୮୫ ସେପ୍ଟେମ୍ବର 1୬ରେ ହୋଇଥିଲା ଏବଂ ଅଯୋଧ୍ୟାସ୍ଥିତ ଗୁପତାର ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ଗୁମନାମୀ ବାବା ପ୍ରକୃତରେ ସୁଭାଷ ବୋଷ ନୁହଁନ୍ତି ବୋଲି ୨୦୨୦ ଡିସେମ୍ବରରେ ଉତ୍ତର ପ୍ରଦେଶ ବିଧାନସଭାରେ ରିପୋର୍ଟ ଦାଖଲ କରିଥିଲେ ଜଣିକିଆ କମିଶନ ।

ସେନା ବିମାନ ଦୁର୍ଘଟଣା: ୫ ବର୍ଷରେ ଦେଶ ହରାଇଲାଣି ୫୦ ବୀରଙ୍କୁ

ନୂଆଦିଲ୍ଲୀ: ଗତ ଶୁକ୍ରବାର ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏଏଲଏଚ (ଆଡଭାନ୍ସ ଲାଇଟ୍ ହେଲିକପ୍ଟର) ‘ରୁଦ୍ର’ ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟ ଏବଂ ୩ ଯବାନଙ୍କ ମୃତ୍ୟୁ ଘଟିଛି । ଯାହାକୁ କାରଣ ଜାଣିବାକୁ କୋର୍ଟ ଅଫ୍ ଇନକ୍ବାରୀ ହେବ । ଏହାସହ ଭାରତୀୟ ସେନାର ବିମାନ ବାରମ୍ବାର ଦୁର୍ଘଟଣା ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଗତ ୫ ବର୍ଷ ମଧ୍ୟରେ ସେନା ବିମାନ ଦୁର୍ଘଟଣାରେ ଦେଶ ୫୦ରୁ ଅଧିକ ବୀର ଯବାନଙ୍କୁ ହରାଇ ସାରିଥିବା ବେଳେ ଏକାଧିକ ଆହତ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୧୭ ପରଠାରୁ ଦୁର୍ଘଟଣାର ସଂଖ୍ୟା ଆଶାତୀତ ଭାବେ ବଢ଼ି ଯାଇଛି । ୨୦୧୭ ପରଠାରୁ ସେନାର ୨୦ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୪୦ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ଗତ ମାର୍ଚ୍ଚରୁ ଚିତା ହେଲିକପ୍ଟର ୩ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାଯୋଗ୍ୟ, ଏବେ ବି ଭାରତୀୟ ସେନା ପୁରୁଣା ବିମାନ ବ୍ୟବହାର କରୁଛି । ନୂଆ ଏବଂ ଅତ୍ୟାଧୁନିକ ହେଲିକପ୍ଟର, ଯୁଦ୍ଧ ବିମାନ ଅଭାବ ଓ ଏହାକୁ କିଣି ସେନାରେ ସାମିଲ କରିବାରେ ବିଳମ୍ବ କାରଣରୁ ସେନା ଏବେ ବି ପୁରୁଣା ସୁପର ସୋନିକ ମିଗ୍-୨୧ ଜେଟ୍ ଉଡ଼ାଯାଉଛି । କେବଳ ପୁରୁଣା ବିମାନ ଯୋଗୁଁ ଦୁର୍ଘଟଣା ଘଟୁନାହିଁ । ନୂଆ ଏଏଲଏଚ ଏବଂ ଋଷର ଏମଆଇ-୧୭ ଭି୫ ହେଲିକପ୍ଟର ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଗତବର୍ଷ ଡିସେମ୍ବରରେ ତାମିଲନାଡୁର କନୁର ନିକଟରେ ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ଭାରତର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାଓ୍ବତ, ତାଙ୍କ ପତ୍ନୀ ଏବଂ ୧୨ ଜଣଙ୍କ ମୃତ୍ୟୁ ଘଟଇଥିଲା ।

୨୦୧୭ ପରଠାରୁ ୭ଟି ଏଏଲଏଚ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ୯୦ ପ୍ରତିଶତ ଦୁର୍ଘଟଣା ମାନବୀୟ ତ୍ରୁଟି ଏବଂ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହୋଇଛି । ଅନ୍ୟ ଦୁର୍ଘଟଣା ପକ୍ଷୀ ଦେହରେ ମାଡ଼ ହୋଇ କିମ୍ବା ଅନ୍ୟାନ୍ୟ କାରଣ ପାଇଁ ହୋଇଛି ।