୪ ଟିଆରଏସ ବିଧାୟକଙ୍କୁ କିଣିବା ପଡିଲା ମହଙ୍ଗା, ବରିଷ୍ଠ ବିଜେପି ନେତାଙ୍କୁ ସମନ

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ୪ ବିଧାୟକଙ୍କୁ କିଣିବା ଲାଗି ଉଦ୍ୟମ ମହଙ୍ଗା ପଡ଼ିଲା । ବରିଷ୍ଠ ବିଜେପି ନେତା ବି.ଏଲ ସନ୍ତୋଷଙ୍କୁ ସମନ ଜାରି କରିଛି ତେଲେଙ୍ଗାନା ପୋଲିସ । ଆସନ୍ତା ୨୧ ତାରିଖରେ ହାଜର ହେବା ଲାଗି ସନ୍ତୋଷଙ୍କୁ ନୋଟିସ ଦେଇଛି ପୋଲିସ । ୨୧ ତାରିଖରେ ହାଜର ନହେଲେ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଟିଆରଏସର ବିଧାୟକଙ୍କୁ କିଣିବା ଲାଗି ଉଦ୍ୟମ ଅଭିଯୋଗ ମାମଲାରେ ତେଲେଙ୍ଗାନା ହାଇକୋର୍ଟ ତଦନ୍ତ ଲାଗି ପୋଲିସକୁ ନିର୍ଦ୍ଦେଶ ଦେବା ସହ ଜଣେ ବିଚାରପତି ଏହି ପ୍ରକ୍ରିୟାର ମନିଟରିଂ କରିବା ଲାଗି କହିଥିଲେ । ଏକ ଫାର୍ମ ହାଉସରେ ଟିଆରଏସର ୪ ବିଧାୟକଙ୍କୁ ୧୦୦ କୋଟି ଟଙ୍କାର ଅଫର ଦେଉଥିବା ବେଳେ ଗତ ମାସରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଫାର୍ମ ହାଉସ ଭିତରେ ଡିଲ୍‌ ଚାଲିଥିବାର ଏକ ଭିଡିଓକୁ ଟିଆରଏସ ନେତା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରକାଶ କରିଥିଲେ ।

ଟିଆରଏସ ବିଧାୟକ ପାଇଲଟ ରୋହିତ ରେଡ୍ଡୀ ଅଭିଯୋଗ କରିଥିଲେ, ଯଦି ସେମାନେ ଅଫରକୁ ଗ୍ରହଣ କରିବେ ନାହିଁ, ତେବେ ସେମାନଙ୍କ ବିରୋଧରେ ସିବିଆଇ ତଥା ଅନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ଲଗାଯିବ ବୋଲି ଗିରଫ ୩ ଅଭିଯୁକ୍ତ ଧମକ ଦେଇଥିଲେ । ବଡ଼ କଥା ହେଉଛି ଏହି ଘଟଣାର ତଦନ୍ତ ଭାର ସିବିଆଇ ପରି ଏକ ସଂସ୍ଥାକୁ ଦେବା ଲାଗି ବିଜେପିର ଦାବିକୁ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ ଏବଂ ଏସଆଇଟି ଜରିଆରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।