ସହର ଉପରେ ପଡିପାରିବନି ବୋମା, ଚୁକ୍ତିନାମା ସ୍ବାକ୍ଷର କଲେ ୮୦ ରାଷ୍ଟ୍ର

1 min read

ଡବଲିନ: ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ସହର ଉପରେ ବୋମା ପକାଇବା ବିରୋଧରେ ମିଳିତ ଘୋଷଣାନାମା । ପ୍ରଥମ ଥର ଲାଗି ୮୦ଟି ରାଷ୍ଟ୍ର ପକ୍ଷରୁ ଜାରି ହୋଇଛି ଘୋଷଣାନାମା । ଡବଲିନରେ ଆୟୋଜିତ ସମ୍ମିଳନୀରେ ଏହି ଘୋଷଣାନାମାରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ସମେତ ୮୦ଟି ରାଷ୍ଟ୍ର ସ୍ବାକ୍ଷର କରିଛନ୍ତି । ଇଣ୍ଟରନ୍ୟାସନାଲ ନେଟଓ୍ବର୍କ ଅନ୍ ଏକ୍ସପ୍ଲୋସିଭି ଓ୍ବିପନସ ବା INEW ପକ୍ଷରୁ ଆୟୋଜିତ ସମ୍ମିଳନୀରେ କିନ୍ତୁ ଋଷ, ଚୀନ, ଭାରତ ଓ ଇସ୍ରାଏଲ ସ୍ବାକ୍ଷର ଦେଇନାହାନ୍ତି ।

ନାଟୋର ପ୍ରାୟ ଦୁଇ ତୃତୀୟାଂଶ ସଦସ୍ୟ ଏଥିରେ ସ୍ବାକ୍ଷର ପ୍ରଦାନ କରିଛନ୍ତି । ପ୍ରାୟ ୩ ବର୍ଷର ଆଲୋଚନା ପରେ ଏହି ଘୋଷଣାନାମା ସ୍ବାକ୍ଷରିତ ହୋଇଛି । ବିଭିନ୍ନ ଯୁଦ୍ଧ ଓ ବିବାଦ ପରିପ୍ରେକ୍ଷୀରେ ଜନଗହଳିପୂର୍ଣ୍ଣ ଇଲାକାରେ ବୋମା ଓ ବିସ୍ଫୋରକ ପ୍ରୟୋଗ ଯୋଗୁ ଅକାରଣରେ ଲୋକଙ୍କ ଜୀବନ ଯିବା ସହ ଅନେକ ଧନ ଜୀବନ ନଷ୍ଟ ହେଉଛି । ୟୁକ୍ରେନର ଅନେକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ସହରରେ ଋଷର ବୋମାମାଡ ଯୋଗୁ ଶହ ଶହ ଲୋକଙ୍କ ଜୀବନ ଯାଇଛି ଏବଂ ବିପୁଳ ଜନଜୀବନ ନଷ୍ଟ ହୋଇଛି ।

ବହୁ ଶକ୍ତି ପ୍ରକଳ୍ପ ବି ମାଟିରେ ମିଶିଛି । ଗତ ୨୦୧୭ରେ ଇରାକର ମୋସୁଲ ସହର ଉପରେ ଆମେରିକା ଓ ବ୍ରିଟେନ ବଡ ଧରଣର ଆକ୍ରମଣ କରିଥିଲେ । ସେହିପରି ୧୯୯୯ରେ ଯୁଗୋସ୍ଲୋଭିଆ ଉପରେ ୭୮ ଦିନ ଧରି ନାଟୋ ପକ୍ଷରୁ ବୋମା ବର୍ଷଣ କରାଯାଇଥିଲା । ତଥ୍ୟ ଅନୁସାରେ ୨୦୧୦ରୁ ବର୍ତ୍ତମାନ ଯାଏ ୧୨୯ ଦେଶରେ ବିଭିନ୍ନ ସହର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବୋମାବର୍ଷଣ ଓ ବିସ୍ଫୋରଣ ଯୋଗୁ ୧ ଲକ୍ଷ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ, ୧ ଲକ୍ଷ ୯୨ ହଜାର ଲୋକ ଆହତ ହୋଇଛନ୍ତି ।