ଦେଶ ପାଳୁଛି ବିଶ୍ବ ଐତିହ୍ୟ ସପ୍ତାହ, ପ୍ରାଚୀନ କୀର୍ତ୍ତିରାଜୀ ଦେଖିବାକୁ ପର୍ଯ୍ୟଟକଙ୍କୁ ପଡ଼ିବନି ଟିକେଟ

1 min read

ନୂଆଦିଲ୍ଲୀ: ଆଜି ମାଗଣାରେ ବୁଲିପାରିବେ ଐତିହ୍ୟସ୍ଥଳ । ଦେଶର ସମସ୍ତ ପ୍ରାଚୀନ କୀର୍ତ୍ତିରାଜୀ ବୁଲି ଦେଖିବାକୁ ପର୍ଯ୍ୟଟକଙ୍କୁ ପଡ଼ିବନି ଟିକେଟ । ବିଶ୍ବ ଐତିହ୍ୟ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ କରିବାକୁ ଘୋଷଣା କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ । ଏ ନେଇ ASI ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଏଏସଆଇ ଅଧିନ ସମସ୍ତ ଐତିହ୍ୟସ୍ଥଳୀକୁ ଆଜି ପ୍ରବେଶ ଶୁଳ୍ପ ଛାଡ କରାଯାଇଛି ।

ଆଗ୍ରାସ୍ଥିତ ତାଜମହଲ, ଆଗ୍ରା ଫର୍ଟ, ଫତେହପୁର ସିକ୍ରି, କୋଣାର୍କ ସମେତ ଏଏସଆଇ ଅନୁବନ୍ଧିତ ଐତିହ୍ୟସ୍ଥଳିଗୁଡ଼ିକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଟିକେଟ ଦେବାକୁ ପଡ଼ିବନି । ଏପରିକି ପ୍ରବେଶ ଶୁଳ୍କ ଛାଡ କରାଯାଇଥିବାରୁ ସମସ୍ତ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି । ତାଜମହଲରେ ଆଜି ସକାଳୁ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲାଗିଛି । ମାତ୍ର ସମାଧି ସ୍ଥଳକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଟିକେଟ ବାବଦ ଟଙ୍କା ଦେବାକୁ ପଡ଼ିବ ।

ବିଶ୍ବ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା ବେଳେ ସୂର୍ଯ୍ୟମନ୍ଦିର ପରିସରରେ ଐତିହ୍ୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଛି । ଭୁବନେଶ୍ୱର ଉଦୟଗିରିରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି। ଭାରତର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ ପର୍ଯ୍ୟଟକମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛି ।