spot_img
Home Blog Page 3905

ବିଧାନସଭା ନିର୍ବାଚନ ପୂର୍ବରୁ ୟୁସିସି କାର୍ଯ୍ୟକାରୀ କରିବା ଲାଗି ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି

ଗୁଜୁରାଟ: ବିଧାନସଭା ନିର୍ବାଚନ ପୂର୍ବରୁ ଏକକ ନାଗରିକ ସଂହିତା ବା ୟୁସିସି କାର୍ଯ୍ୟକାରୀ କରିବା ଲାଗି ଗୁଜରାଟ ସରକାରଙ୍କ ନିଷ୍ପତ୍ତି। ଉତ୍ତରାଖଣ୍ଡ ଢାଞ୍ଚାରେ ଏକ କମିଟି ଗଠନ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୟୁସିସିର କାର୍ଯ୍ୟକାରିତା ସମ୍ପର୍କିତ ସମସ୍ତ ଦିଗ ଅନୁଧ୍ୟାନ କରିବ ।

ସମ୍ବିଧାନର ଧାରା ୪୪ ଅନୁସାରେ ଭାରତୀୟ ନାଗରିକଙ୍କ ଲାଗି ବିବାହ, ବିବାହ ବିଚ୍ଛେଦ, ଉତ୍ତରାଧିକାରୀତ୍ବ, ପୋଷ୍ୟ ଆଦି କ୍ଷେତ୍ରରେ ଗୋଟିଏ ନିୟମ ସାରା ଦେଶରେ ଲାଗୁ ପାଇଁ ୟୁସିସିରେ ରହିଛି ବ୍ୟବସ୍ଥା । ଗତ ମେ ମାସରେ ଉତ୍ତରାଖଣ୍ଡ ସରକାର ୟୁସିସି କାର୍ଯକାରୀ କରିବା ଲାଗି ନେଇଥିଲେ ନିଷ୍ପତ୍ତି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ୟୁସିସି କାର୍ଯ୍ୟକାରୀ କରିବାକୁ ଘୋଷଣା କରିସାରିଛନ୍ତି । ବିଭିନ୍ନ ଧର୍ମର ଲୋକଙ୍କ ଲାଗି ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ କରିବା ଲାଗି ୟୁସିସି ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯାଉଛି ।

ସେପଟେ ଏହି ପଦକ୍ଷେପକୁ ବିରୋଧ କରିଛି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ବା ଏଆଇଏମପିଏଲବି । ଏହା ସଂଖ୍ୟାଲଘୁ ବିରୋଧୀ ବୋଲି କହିଛି ବୋର୍ଡ । ମୁଦ୍ରାସ୍ଫୀତି, ଅର୍ଥନୈତିକ ଅସ୍ଥିରତା ଓ ବେକାରୀ ସମସ୍ୟାଠାରୁ ଦୃଷ୍ଟି ଦୂରେଇବା ଲାଗି ଏପରି ଯୋଜନା କରାଯାଉଛି ବୋଲି କହିଛି ବୋର୍ଡ। କିଛିଦିନ ତଳେ ଦେଶରେ ୟୁସିସି କାର୍ଯ୍ୟକାରୀ କରିବା ନେଇ ପାର୍ଲାମେଣ୍ଟକୁ ନିର୍ଦ୍ଦେଶ ଦେଇପାରିବେନି ବୋଲି ସୁପ୍ରିମକୋର୍ଟଙ୍କୁ କହିଥିଲେ କେନ୍ଦ୍ର ସରକାର।

 

୩୨ ବର୍ଷୀୟ ଯୁବତୀ ପ୍ରେମରେ ୬୬ ବର୍ଷର ଅରବପତି

ନୂଆଦିଲ୍ଲୀ: ୩୨ ବର୍ଷୀୟ ଯୁବତୀ ପ୍ରେମରେ ପଡିଛନ୍ତି ୬୬ ବର୍ଷର ଅରବପତି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ବିଲେନିଅର ନିଜ ପତ୍ନୀଙ୍କ ସହ ୨୦ ବର୍ଷର ସମ୍ପର୍କକୁ ଭାଙ୍ଗିବାକୁ ପଛାଇନାହାଁନ୍ତି ।

ସୂଚନା ଅନୁଯାୟୀ, ବିଲେନିଅରଙ୍କ ନାମ ହେଉଛି ଜନ୍ ପଲସନ୍। ଫୋର୍ବସ୍ ରିପୋର୍ଟ ଅନୁସାରେ ଜନଙ୍କ ମୋଟ୍ ସମ୍ପତ୍ତି  (£2.6billion)। ଅନ୍ୟଏକ ରିପୋର୍ଟ ଅନୁସାରେ ଆମେରିକାର ଜନ୍ ହେଲଥ ଇନଫ୍ଲୁଏସର୍ ଅଲିନା ଡି ଅଲମେଡାଙ୍କ ପ୍ରେମରେ ପଡିଛନ୍ତି । ଅନେକ ଥର ମେନହଟ୍ଟନ ସ୍ଥିତ ତାଙ୍କ ଆଲିଶାନ ଘରେ ନଜର ଆସିଛନ୍ତି। ନିକଟରେ ଏହି କପଲ୍ ନ୍ୟୁୟର୍କର ମେୟର ଏରିକ୍ ଏଡମ୍ସଙ୍କ ସହ ବୁଲାବୁଲି କରୁଥିବାର ନଜର ଆସିଥିଲେ।

ଅଲିନାଙ୍କ ନିଜର ବିଜନେସ୍ ରହିଛି, ସେ ଲୋକଙ୍କୁ ଡାଏଟ୍ ପ୍ଲାନ୍ ବତାଇଥାନ୍ତି । ଜନ୍ ସତରେ ଅଲିନାଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ସନ୍ତାନ ମଧ୍ୟ ଆଶା ରଖିଥିବା ଏକ ମିଡିଆ ରିପୋର୍ଟରୁ ପ୍ରକାଶ ।

ତେବେ ଜନଙ୍କ ଛାଡପତ୍ର ମାମଲା ଅନେକ ଦିନ ହେବ ଅଟକି ରହିଛି । କାରଣ ଛାଡପତ୍ର ବଦଳରେ ପତ୍ନୀ ମାଗିଛନ୍ତି ୮୨ ଅରବ ଟଙ୍କା ($1billion)। ଜନଙ୍କ ପତ୍ନୀଙ୍କ ଓକିଲ ଅନୁଯାୟୀ, ସେଟେଲମେଣ୍ଟ ପାଇଁ ଜନ୍ ନିଜ ପତ୍ନୀ ଉପରେ ଚାପ ପକାଉଛନ୍ତି । ଯାହା ସମ୍ପୂର୍ଣ୍ଣ ଭୁଲ୍ ।

ଦଶପଲ୍ଲାରେ ବିଜେଡି ପକ୍ଷରୁ ବିଶାଳ ଜନସଂପର୍କ ପଦଯାତ୍ରା

ଦଶପଲ୍ଲା: ଦଶପଲ୍ଲାରେ ବିଶାଳ ଜନସଂପର୍କ ପଦଯାତ୍ରା। ଗାଁ ଗାଁ ବୁଲିଲେ ହଜାର ହଜାର ବିଜେଡି କର୍ମୀ । ମହାବୀରଙ୍କ ମନ୍ଦିରଠାରୁ ପଦଯାତ୍ରା ଆରମ୍ଭ ହୋଇ ତ୍ରିନାଥ ବଜାର ନିକଟସ୍ଥ ମେଳିଆ ତୋଟାଠାରେ ପହଞ୍ଚିଥିଲା । ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ନେତୃତ୍ବରେ ଆୟୋଜିତ ପଦଯାତ୍ରାରେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସମେତ ରଣପୁର ବିଧାୟକ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ।

ହଜାର ହଜାର ମହିଳା, ଛାତ୍ର ଓ ଯୁବ ବିଜେଡି କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କୁ ବୁଝାଇଥିଲେ। ଏହି ଅବସରରେ ଦଶପଲ୍ଲାରେ ବିଜେଡିର ବଳ ବୃଦ୍ଧି ପାଇଛି। ପଦଯାତ୍ରାରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଶହଶହ ବିରୋଧୀ କର୍ମୀ। ବିଜେପି ଓ କଂଗ୍ରେସ ଛାଡ଼ି ସମସ୍ତେ ବିଜେଡିରେ ମିଶିଛନ୍ତି । ଆଗାମୀ ଦିନରେ ଦଶପଲ୍ଲାରେ ଦଳ ଆହୁରି ସୁଦୃଢ ହେବ ବୋଲି ବିଧାୟକ ରମେଶ ବେହେରା କହିଛନ୍ତି ।

ବୌଦ୍ଧରେ ସିଲ୍ ହେଲା ୩ କ୍ଲିନିକ୍

ବୌଦ୍ଧ: ବୌଦ୍ଧ ସହରରେ ବିଭିନ୍ନ କ୍ଲିନିକ୍ ଉପରେ ଜିଲ୍ଲା ପ୍ରଶାସନର ଅତର୍କିତ ଚଢ଼ାଉ। ତିନୋଟି କ୍ଲିନିକ୍ ସିଲ୍ ହୋଇଥିବା ସୂଚନା। ବିନା ଲାଇସେନ୍ସରେ କ୍ଲିନିକ୍ ଚାଲୁଥିବା ନେଇ ଅଭିଯୋଗ ହେବା ପରେ ଚଢ଼ାଉ ହୋଇଛି । ମେଡିକାଲ ପାଖ ନଟରାଜ ପାଥୋ କ୍ଲିନିକ୍, ରାଜନପାଲିର ସାଇ ଦାନ୍ତ କ୍ଲିନିକ୍ ଏବଂ ପ୍ରଧାନ ହେଲ୍ଥ କେୟାରକୁ ସିଲ୍ କଲା ଜିଲ୍ଲା ପ୍ରଶାସନ।

ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉପଜିଲ୍ଲାପାଳ ସନତ ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ସହର ମଧ୍ୟରେ ଥିବା ବେଆଇନ କ୍ଲିନିକ୍ ଗୁଡ଼ିକ ଉପରେ ଚଢ଼ାଉ କରିଥିଲେ। ତିନୋଟି କ୍ଲିନିକର ଲାଇସେନ୍ସ ସହ ଆବଶ୍ୟକ ଭିତ୍ତିଭୂମୀ ନଥିବାରୁ ସିଲ କରାଯାଇଥିବା ସୂଚନା ରହିଛି । କାଉନସେଲିଂ କରି ଆବଶ୍ୟକ ଫାଇନ ମଧ୍ୟ ଆଦାୟ କରାଯିବ ବୋଲି ଜଣାପଡ଼ିଛି ।

ବିଭ୍ରାନ୍ତିକର ଖବରକୁ ନେଇ ବସିଲା ହାଇକୋର୍ଟଙ୍କ ଫୁଲ୍ ବେଞ୍ଚ, ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କଲେ ନିନ୍ଦା

ଭୁବନେଶ୍ୱର: ପଦାରେ ପଡିଲା ହୀନ ଚକ୍ରାନ୍ତ। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ରର ପର୍ଦ୍ଦାଫାସ । ଖାଲି ଏତିକି ନୁହେଁ ବିଭ୍ରାନ୍ତିକର ଖବର ପ୍ରସାରଣକୁ ନେଇ ଆଜି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ଜରୁରୀ ବୈଠକ । ବୈଠକରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ମଧ୍ୟ ନିନ୍ଦା କରିଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ, ବିଭ୍ରାନ୍ତିକର ଖବର ପ୍ରସାରଣକୁ ନେଇ ଆଜି ବସିଛି ହାଇକୋର୍ଟଙ୍କ ଫୁଲ୍ ବେଞ୍ଚ । ଯେଉଁଥିରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଖୁବ୍ ନିନ୍ଦା କରାଯାଇଛି। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଜରୁରୀ ବୈଠକ।

ଉଲ୍ଲେଖଯୋଗ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଫଟୋକୁ ନେଇ ଭିନ୍ନ ଢଙ୍ଗରେ ପ୍ରସାରଣ କରିଥିଲା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ । ଆଉ ଯେଉଁ ଫଟୋରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ସହ ରହିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଫାଇଭ-ଟି ସଚିବ । କିନ୍ତୁ ଉକ୍ତ ଫଟୋଟି ହେଉଛି ୨୦୨୦ ମାର୍ଚ୍ଚ ୧୨ତାରିଖର । ଏହି ଫଟୋ ଭୁବନେଶ୍ବରରେ ଥିବା ସତ୍ୟସାଇ ସେବା ଅନୁଷ୍ଠାନରେ ଆୟୋଜିତ ଏକ ତିନି ଦିନିଆ ହାର୍ଟ କ୍ୟାମ୍ପ ଅବସରରେ ଉଠାଯାଇଥିଲା । ଏହି ଫଟୋରେ ସତ୍ୟସାଇ ହାର୍ଟ ହସ୍ପିଟାଲର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଫାଇଭ-ଟି ସଚିବଙ୍କ ସହ ହାର୍ଟ ହସ୍ପିଟାଲର ତିନିଜଣ ଡାକ୍ତର ମଧ୍ୟ ଉପସ୍ଥିତ ଥିଲେ। ଏହା କୌଣସି ରୁଦ୍ଧଦ୍ବାର ବୈଠକ ନୁହେଁ, ବରଂ ଏହା ଥିଲା ଏକ ସାଧାରଣ ସଭା । ଏହି ଫଟୋକୁ ନେଇ ହାଇକୋର୍ଟର ଜଣେ ଆଇନଜୀବୀ ଓ ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପରିବେଷଣ କରିଥିଲେ ।

ଟି-୨୦ ବିଶ୍ୱକପ୍: ରବିବାର ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଟିମ୍ ଇଣ୍ଡିଆ

ପର୍ଥ: ସୁପର ସଣ୍ଡେରେ ସୁପର ଫାଇଟ୍। ଟି-୨୦ ବିଶ୍ବକପରେ ଆସନ୍ତାକାଲି ମହାଟକ୍କର । ପର୍ଥରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଚଳିତ ଟି-୨୦ ବିଶ୍ବକପ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌‌ ଦୌଡ଼ରେ ଆଗରେ ରହିଛି। ଦୁଇଟି ମ୍ୟାଚ ଜିତି ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦଳ ।

୧୧ ଜଣଙ୍କ ମଧ୍ୟରେ କେବଳ କେ.ଏଲ୍‌ ରାହୁଲଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପ୍ରଭାବୀ ପ୍ରଦର୍ଶନ ଦେଇଚାଲିଛନ୍ତି । ହେଲେ ରାହୁଲ ଦୁଇଟି ମ୍ୟାଚ୍‌ରେ ମାତ୍ର ୧୩ ରନ୍‌ କରିଛନ୍ତି । ତେଣୁ ଆସନ୍ତାକାଲି ଖେଳାଳି ତାଲିକାରେ ପରିବର୍ତ୍ତନ ନେଇ ଆକଳନ କରିଛନ୍ତି କ୍ରୀଡାବିତ୍। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା ।

ତେଣୁ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ ଜିମ୍ବାଓ୍ବେ ସହ ବାତିଲ ହୋଇଥିଲା । ତେବେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇ ୩ ପଏଣ୍ଟ ହାସଲ କରିଛି । ତେଣୁ ଆସନ୍ତାକାଲି ମ୍ୟାଚ ଜିତିବାକୁ ଦଳ ଭରପୂର ଉଦ୍ୟମ କରିବ ।

ରାଜ୍ୟରେ ଖସୁଛି ତାପମାତ୍ରା, ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ତାପମାତ୍ରା, ଧିରେ ଧିରେ ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ସ୍ବାଭାବିକ ଠାରୁ କମିଛି ଏକ କିମ୍ବା ଦୁଇ ଡିଗ୍ରୀ ତାପାମାତ୍ରା । ଫୁଲବାଣୀରେ ସବୁଠାରୁ କମ୍ ୧୩.୫ ଡିଗ୍ରୀ ସେଲସିଏସ ତାପମାତ୍ରା ରେକର୍ଡ କରାଯାଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେହିଭଳି ଭୁବନେଶ୍ବରରେ ସକାଳେ ୨୦.୦ ଡିଗ୍ରୀ ସେଲସିଏସ୍ ତାପାମତ୍ରା ରେକର୍ଡ କରାଯାଇଛି । କିଛି ସ୍ଥାନରେ କୁହୁଡ଼ି ପଡ଼ିବା ମଧ୍ୟ ଦେଖବାକୁ ମିଳିଛି ।

ସେହିପରି ଫୁଲବାଣୀ ଓ ପାରଳାଖେମୁଣ୍ଡିଠାରେ ଆଜି ସକାଳୁ ଅଧିକ କୁହୁଡ଼ି ଦେଖିବାକୁ ମିଳିଥିଲା। ଫୁଲବାଣୀ ଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିବା ବେଳେ ପାରଳାଖେମୁଣ୍ଡିରେ ୭୦୦ ମିଟର ରହିଥିଲା । ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ନଭେମ୍ବର ୧ ବେଳକୁ ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରର କିଛି ସ୍ଥାନରେ ବର୍ଷା ନେଇ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।

ନୟାଗଡ଼ରୁ ପୁଣି ବାଘଛାଲ ଜବତ

ନୟାଗଡ଼: ନୟାଗଡ଼ରୁ ପୁଣି ବାଘଛାଲ ଜବତ। ଗୋଟିଏ ୭ ଫୁଟ ଲମ୍ବର ଚିତା ବାଘ ଛାଲ ସହ ଗୁଳି ଜବତ କଲା ବନ ବିଭାଗ। ଘଟଣାରେ ଶିକାରୀ କୃପାସିନ୍ଧୁ ବିଶ୍ବାଳଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, କୃପାସିନ୍ଧୁ ବିଶ୍ବାଳଙ୍କ ଘର ଟାଉନ ଥାନା ଚଣ୍ଡୀବସ୍ତ ଗାଁରେ। ସହଯୋଗୀଙ୍କ ସହ ମିଶି ୧୫ ହଜାର ଟଙ୍କାରେ ଚିତାବାଘ ଛାଲକୁ ବିକ୍ରି କରିବା ପାଇଁ ନେବା ବେଳେ ପାଣିପୋଇଲା ଛକ ନିକଟରେ ମାଡି ବସିଲା ବନ ବିଭାଗ।

ତେବେ ବନବିଭାଗ ଟିମକୁ ଦେଖି ଘଟଣାସ୍ଥଳରୁ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଗଞ୍ଜାମ ଜିଲ୍ଲା ଜଙ୍ଗଲରୁ ବାଘଟିକୁ ଗୁଳି କରି ଶିକାର କରାଯାଇଥିବା DFO ସୂଚନା ଦେଇଛନ୍ତି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବନବିଭାଗ ତଦନ୍ତ ଜାରି ରଖିଛି ।

ଧାମନଗର ଉପନିର୍ବାଚନ; ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ପୂର୍ବତନ ବିଧାୟକଙ୍କ ପତ୍ନୀ

ଭଦ୍ରକ: ଧାମନଗର ଉପ ନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ ମାନସ ମଲ୍ଲିକଙ୍କ ଧର୍ମପତ୍ନୀ ତଥା ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଭାଉଜ ନିରୁପମା ମଲ୍ଲିକ। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଭୋଟ ଦେବା ପାଇଁ ଗାଁକୁ ଗାଁ ବୁଲି ଭୋଟ ଦେବାକୁ ନିବେଦନ କରିଛନ୍ତି ନିରୁପମା। ଗତକାଲି ଦୋବଲ ଜୋନର ବିଭିନ୍ନ ପଞ୍ଚାୟତରେ ବୁଲି ନିର୍ବାଚନ ପ୍ରଚାର କରୁଥିବା ବେଳେ ଆଜି ଧୂଷୁରୀ ଜୋନର ବିଭିନ୍ନ ପଞ୍ଚାୟତରେ ବୁଲି ଅବନ୍ତୀଙ୍କ ପାଇଁ ସମର୍ଥନ ସାଉଁଟିଛନ୍ତି।

ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ ମାନସ ମଲ୍ଲିକ ଧାମନଗର ନିର୍ବାଚନ ମଣ୍ଡଳୀରେ ଜଣେ ଦକ୍ଷ ନେତା ଥିଲେ । ତାଙ୍କର ଅବଦାନକୁ ଆଜି ବି ମନେ ରଖିଛନ୍ତି ନିର୍ବାଚନ ମଣ୍ଡଳୀ ବାସୀ । ତାଙ୍କ ଧର୍ମପତ୍ନୀ ଓ ପୁଅ ଅମିତ ମଲ୍ଲିକ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ନିଶ୍ଚୟ ଧାମନଗର ଉପ ନିର୍ବାଚନରେ ବାଜିମାତ କରିବ ବୋଲି ବିଜେଡି ମୁଖପାତ୍ର ଅମିତ ମଲ୍ଲିକ କହିଛନ୍ତି ।

ଆଇନ ଜାଲରେ ‘କାନ୍ତାରା’; କୋର୍ଟ କହିଲେ- ଥିଏଟରରେ ଚଲାଅନି ଫିଲ୍ମର ଗୀତ

ନୂଆଦିଲ୍ଲୀ: ରୂପେଲି ପରଦାରେ ଧମାଲ୍ କରୁଥିବା ଫିଲ୍ମ ’କାନ୍ତାରା’ ଆଇନଜାଲରେ ଫସିଛି । କେରଳର ଏକ ଲୋକପ୍ରିୟ ମ୍ୟୁଜିକ ବ୍ୟାଣ୍ଡ୍ ଥାଇକୁଦମ ବ୍ରିଜ୍ ଗୀତ ଚୋରି ନେଇ ଅଭିଯୋଗ କରିଛି ।

ରିଷଭ ସେଟ୍ଟୀଙ୍କ ଏହି ଫିଲ୍ମ କନ୍ନଡ ଭାଷାରେ ସୁପରହିଟ୍ ହେବାପରେ ତେଲୁଗୁ, ତାମିଲ, ମାଲୟାଲାମ୍ ଓ ହିନ୍ଦୀ ଭାଷାରେ ରିଲି ହୋଇଥିଲା । ଅକ୍ଷୟ କୁମାରଙ୍କ ‘ରାମ ସେତୁ’ ଓ ଅଜୟ ଦେବଗନଙ୍କ ‘ଥ୍ୟାଙ୍କ ଗଡ଼’କୁ ଏବେବି ଟକ୍କର ଦେଉଛି ‘କାନ୍ତାରା’ ।

ଜାଣନ୍ତୁ କ‘ଣ ବିବାଦ-

କେରଳର ଏକ ଲୋକପ୍ରିୟ ମ୍ୟୁଜିକ ବ୍ୟାଣ୍ଡ୍ ‘ଥାଇକୁଦମ ବ୍ରିଜ୍’ କିଛି ଦିନ ତଳେ ଗୀତ ଚୋରି ନେଇ ଅଭିଯୋଗ କରିଛି। ‘କାନ୍ତାରା’ର ମେକର୍ସ ଧୁନ୍ ଚୋରି କରିଥିବା ନେଇ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛି ଏହି ବ୍ୟାଣ୍ଡ୍। ବ୍ୟାଣ୍ଡର କହିବାନୁଯାୟୀ, ବ୍ୟାଣ୍ଡର ନିଜସ୍ୱ ଗୀତ ’ନବରସମ୍’ ସହ ଏକଦମ୍ ମିଶୁଛି ‘କାନ୍ତାରା’ର ‘ବରାହ ରୁପମ୍’ ।

ପୋଷ୍ଟରେ ଆହୁରି ଲେଖାଯାଇଛି, ‘କାନ୍ତାରା’ ସହ ‘ଥାଇକୁଦମ ବ୍ରିଜ୍’ କୌଣସି ପ୍ରକାର ଜଡିତ ନୁହେଁ ବୋଲି ଆମେ ଦର୍ଶକଙ୍କୁ କହିବାକୁ ଚାହୁଁଛୁ । ଆଉ ଗୀତ ଚୋରି କରିବା ନେଇ ଆମେ ଫିଲ୍ମର କ୍ରିଏଟିଭ୍ ଟିମ୍ ବିରୋଧରେ ଆଇନର ଦ୍ୱାରସ୍ତ ହେଉଛୁ । କାରଣ ଏହି କଣ୍ଟେଣ୍ଟ ଉପରେ ଆମର ରାଇଟସ୍ ନେଇ କୌଣସି ସୂଚନା ଦିଆଯାଇନଥିବା ବେଳେ କ୍ରିଏଟିଭ୍ ଟିମ୍ ଏହାକୁ ନିଜର ଧୁନ୍ ଭାବେ ପ୍ରଚାର କରୁଛି ।