କେତେବେଳେ ‘ଗଜନୀ’ ତ କେତେବେଳେ ‘ଦୃଶ୍ୟମ’ କଥା କହୁଛି ଅଫତାବ

ନୂଆଦିଲ୍ଲୀ: କେତେବେଳେ ଗଜନୀ ଫିଲ୍ମର ହିରୋ ଆମିର ଖାନଙ୍କ ଭଳି ଭୁଲି ଯାଉଛି ତ ଆଉ କେତେବେଳେ ଫିଲ୍ମ ଦୃଶ୍ୟମ ଭଳି ପୋଲିସକୁ ବୁଲାଇ ବୁଲାଇ ଉତ୍ତର ଦେଉଛି ଅଫତାବ ।

ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବର ଆଜି ପୁଣି ପଲିଗ୍ରାଫ ଟେଷ୍ଟ କରାଯାଉଛି । ଘଟଣା ପଛରେ ଥିବା ସତ ଖୋଜି ପାଇବାକୁ ପୋଲିସ ଏହି ଉପାୟ ଅବଲମ୍ବନ କରିଛି । ପୂର୍ବରୁ ଗୁରୁବାର ମଧ୍ୟ ଅଫାବର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟରେ ପୋଲିସ ଅଫତାବକୁ ୫୦ ପ୍ରଶ୍ନ କରିଥିଲା ।

ହେଲେ ଅଫତାବ ଏବେ ଚାଲାଖି କରିବା ଆରମ୍ଭ କରିଛି । କେତେବେଳେ ଦୃଶ୍ୟମ ଫିଲ୍ମ ଭଳି ପୋଲିସକୁ ଭୁଆଁ ବୁଲାଉଛି ତ ଆଉ କେତେବେଳେ ଗଜନୀ ଫିଲ୍ମ ଭଳି ଭୁଲି ଯିବା ଅଭିନୟ କରୁଛି । ପୋଲିସ ପଚାରୁଥିବା ପ୍ରଶ୍ନକୁ ବୁଲେଇ ବାଲେଇ ଉତ୍ତର ଦେଉଛି ।

ପୋଲିସ ଆଗରେ ଅଫତାବ ଭୁଲି ଯିବାର ଅଭିନୟ କରୁଛି । ଅଫତାବର ଏଭଳି ଆଚରଣ ପୋଲିସକୁ ଦ୍ବନ୍ଦରେ ପକାଇଛି । ପୋଲିସ ସତ ଜାଣିବା ଏବେ କଷ୍ଟକର ହୋଇପଡ଼ିଛି ।

ଅନ୍ୟପଟେ ଦୃଶ୍ୟମ ଦେଖି ହତ୍ୟା ପ୍ଲାନ୍ କରିଥିବା ଅଫତାବ ପୋଲିସକୁ କହିଛି । ସିନେମାରେ ଯେପରି ହିରୋ ପୋଲିସକୁ ଚକମା ପରେ ଚକମା ଦେଇ ଚାଲିଛି ସେହିଭଳି ଅଫତାବ ବି ପୋଲିସକୁ ଚକମା ଦେଇ ଚାଲିଛି ।

ସୂଚନା ଅନୁସାରେ, ଶ୍ରଦ୍ଧାକୁ ହତ୍ୟା କରିବା ପରେ କାଟିବା ପାଇଁ ଅଫତାବ ୫ଟି ଛୁରି ବ୍ୟବହାର କରିଥିଲା ।