‘ଇଡି ଓ ସିବିଆଇର ନିୟନ୍ତ୍ରଣ ଆପ୍ ହାତକୁ ଆସିଲେ ଜେଲରେ ଯିବେ ବିଜେପିର ଅଧାରୁ ଅଧିକ ବିଧାୟକ’

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗଲ । ଏମସିଡି ନିର୍ବାଚନ ପୂର୍ବରୁ ବଢୁଛି ରାଜନୀତି ପାରା । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ବିଜେପି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଇଡି ଓ ସିବିଆଇର ଦୁରୁପୋଯୋଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କେଜରିଓ୍ବାଲ । ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ନିୟନ୍ତ୍ରଣ ଗୋଟିଏ ଦିନ ପାଇଁ ଆପ୍ ହାତକୁ ଆସିଲେ ବିଜେପିର ଅଧାରୁ ଅଧିକ ବିଧାୟକ ଜେଲରେ ପଶିବେ ବୋଲି କେଜରିଓ୍ବାଲ କହିଛନ୍ତି।

ଗୁଜରାଟ ବିଧାନସଭା ଓ ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ଥିବାରୁ ଆମ ଆଦମୀ ପାର୍ଟି ନେତାଙ୍କୁ ଲଗାତାର ଟାର୍ଗେଟ କରାଯାଉଛି । ଦିଲ୍ଲୀରେ ଆପ୍ ସରକାର ଆସିବା ପରେ ବିଜେପି ଅନେକ ଅଭିଯୋଗ ଆଣିଛି। ୭ବର୍ଷ ହେଲା କେନ୍ଦ୍ରୀୟ ଏଜେନ୍ସିର ୮ଶହରୁ ଅଧିକ ଅଫିସର ଦୁର୍ନୀତିର ପ୍ରମାଣ ଖୋଜିବାରେ ଲାଗିଛନ୍ତି। ହେଲେ ଗୋଟିଏ ବି କେସ୍‌ କୋର୍ଟରେ ପ୍ରମାଣିତ ହୋଇପାରିନି । ଆମ ଆଦମୀ ପାର୍ଟି ବିଧାୟକଙ୍କ ନାଁରେ ୧୬୭ କେସ୍ ରୁଜୁ ହୋଇଛି । ମଦ ଦୁର୍ନୀତି ମାମଲାରେ ମନିଷ ସିସୋଦିଆଙ୍କ ଘର ଓ ବ୍ୟାଙ୍କ ଲକର ବି ଯାଞ୍ଚ କରାଯାଇଛି । ହେଲେ ଟଙ୍କାଟିଏର ଦୁର୍ନୀତି ନେଇ ପ୍ରମାଣ ମିଳିପାରିନି।

ଗୋଟିଏ ଦିନ ଇଡି, ସିବିଆଇ ନିୟନ୍ତ୍ରଣ ଆମ ହାତକୁ ଆସିଲେ ବିଜେପିର ଅଧାରୁ ଅଧିକ ନେତା ଜେଲରେ ପଶିବେ ବୋଲି କେଜରିଓ୍ବାଲ କହିଛନ୍ତି । ସେହିପରି ଏମସିଡି ୧୫ ବର୍ଷ ଧରି ବିଜେପି ହାତରେ ରହିଛି। ମାତ୍ର ବିଜେପି ବିକାଶ ବଦଳରେ କେବଳ ଆମ ଆଦମୀ ପାର୍ଟିକୁ ଗାଳି ଦେଇଛି ବୋଲି କେଜରିଓ୍ବାଲ କହିଛନ୍ତି । ବ୍ୟବସାୟୀଙ୍କଠାରୁ ପାର୍କିଂ ଚାର୍ଜ ନାଁରେ କୋଟି କୋଟି ଟଙ୍କା ଲୁଟ କରାଯାଉଛି। ଏମସିଡି କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମିଳୁନି। ଦିଲ୍ଲୀ ଚାରିପଟେ ଅଳିଆ ଗଦା କରି ରଖାଯାଇଛି । ଆପ୍ ହାତକୁ ଏମସିଡି ଆସିଲେ ଦିଲ୍ଲୀକୁ ସୁନ୍ଦର କରିଗଢ଼ିବୁ ବୋଲି କେଜରିଓ୍ବାଲ କହିଛନ୍ତି।