spot_img
Home Blog Page 3904

ଅଶାନ୍ତ ଦାରୁଠେଙ୍ଗରେ ଥମିଲା ଉତ୍ତେଜନା, ହଟିଲା ରାସ୍ତାରୋକ୍

ଭୁବେନଶ୍ବର: ଆଜି ପୁଣି ଅଶାନ୍ତ ହୋଇ ଥିଲା ଦାରୁଠେଙ୍ଗ । ବିଏମସି ଅଳିଆ ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ପରେ ଦେଖା ଦେଇଥିଲା ଅଶାନ୍ତି । ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ହୋହାଲ୍ଲା କରିଥିଲେ । ସ୍ଥିତି ବିଗୁଡି ଥିବା ବେଳେ ବିଏମସି କମିଶନର ଏବଂ ମେୟର ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ସହ କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ଥିବା ଭୂଆଶୁଣୀ ଡମ୍ପିଂୟାର୍ଡରେ ଅଳିଆ ଗାଡ଼ି ଧକ୍କାରେ ଆଜି ସକାଳୁ ବେଣ୍ଟୁଆ ଗାଁର ରାମ ଘାଗରାଇଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲେ । ଘଟଣାସ୍ଥଳରେ ବିଏମସି କମିଶନର ଓ ମେୟର ପହଞ୍ଚି ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗବାସୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ସହ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରିବାକୁ ମେୟର ସୁଲୋଚନା ଦାସ ଘୋଷଣା କରିଥିଲେ । ଏହାସହ ଡମ୍ପିଂୟାର୍ଡ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ନହେବା ଯାଏଁ ଡମ୍ପିଂୟାର୍ଡ ବନ୍ଦ ରହିବ ବୋଲି ମେୟର ଘୋଷଣା କରିଛନ୍ତି ।

ଆଲୋଚନା ପରେ ରାସ୍ତାରୋକ ହଟିବା ସହ ମୃତଦେହ ବ୍ୟବଚ୍ଛେଦ ପାଇ ପଠାଯାଇଛି । ୨ ମାସ ତଳେ ଡମ୍ପିଂୟାଡ ଗାଡ଼ି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଥିଲା ।

T20 ବିଶ୍ବକପ୍: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା

ପର୍ଥ: ଟି୨୦ ବିଶ୍ବକପର ସୁପର ସଣ୍ଡେରେ ଆଜି ଦେଖିବାକୁ ମିଳିବ ସୁପର ଫାଇଟ୍ । ପର୍ଥରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଅପରାହ୍ନ ୪ଟା ୩୦ରୁ ଆରମ୍ଭ ହେବ ମ୍ୟାଚ୍ । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌‌ ଦୌଡ଼ରେ ଆଗରେ ରହିଛି । ଦୁଇଟି ମ୍ୟାଚ ଜିତି ୪ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦଳ ।

୧୧ ଜଣଙ୍କ ମଧ୍ୟରେ କେବଳ କେ.ଏଲ୍‌ ରାହୁଲଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ପ୍ରଭାବୀ ପ୍ରଦର୍ଶନ ଦେଇ ଚାଲିଛନ୍ତି । ହେଲେ ରାହୁଲ ଦୁଇଟି ମ୍ୟାଚ୍‌ରେ ମାତ୍ର ୧୩ ରନ୍‌ କରିଛନ୍ତି । ତେଣୁ ଆଜି ଖେଳାଳି ତାଲିକାରେ ପରିବର୍ତ୍ତନ ନେଇ ଆକଳନ କରିଛନ୍ତି କ୍ରୀଡାବିତ୍ ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା । ତେଣୁ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ ଜିମ୍ବାଓ୍ବେ ସହ ବାତିଲ ହୋଇଥିଲା । ତେବେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶରୁ ହରାଇ ୩ ପଏଣ୍ଟ ହାସଲ କରିଛି ଦଳ । ତେଣୁ ଆଜି ମ୍ୟାଚ ଜିତିବାକୁ ଦଳ ଭରପୂର ଉଦ୍ୟମ କରିବ ।

ତେଣେ ଆଜିର ମ୍ୟାଚକୁ ନେଇ ସାରା ଦେଶରେ ଦେଖିବାକୁ ମିଳୁଛି ନାହିଁ ନଥିବା ଉତ୍ସାହ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭାରତୀୟ କ୍ରିକେଟରଙ୍କ ପାଇଁ ବିଜୟ ଆର୍ଶୀବାଦ ଛୁଟିବାରେ ଲାଗିଛି ।

ବିଏମସିର ଅପରେସନ କ୍ଲିନ୍

ଭୁବନେଶ୍ବର: କ୍ଳିନ୍ ଓ ଗ୍ରୀନ୍ ସହରରେ ପରିଣତ ହେବ ଭୁବନେଶ୍ବର । ଏହି ଲକ୍ଷ୍ୟ ନେଇ ବିଏମସିର ଅପରେସନ କ୍ଳିନ୍ ଅଭିଯାନ । ପ୍ରତି ମାସର ଶେଷ ରବିବାରରେ ଗଣ ସଫେଇ କାଯ୍ୟକ୍ରମକୁ ଜୋରଦାର କରିଛି ବିଏମସି ।

ଆଜି ଖଣ୍ଡଗିରି ଓଭରବ୍ରିଜ ତଳେ ସଫେଇ କରାଯାଇଛି । ବିଏମସି ମେୟର, ଡେପୁଟି ମେୟର ସମସ୍ତ କୋର୍ପରେଟର ଓ ବିଏମସି ଅତିରିକ୍ତ କମିଶନର ଯୋଗ ଦେଇ ସଫେଇ କାର୍ଯ୍ୟ କରିଥିଲେ । କ୍ଳିନ୍ ଓ ଗ୍ରୀନ୍ ସହରରେ ଭୁବନେଶ୍ବରକୁ ପରିଣତି କରିବା ପାଇଁ ଲୋକଙ୍କ ସହଯୋଗ କାମନା କରିଛି ବିଏମସି ।

ଖଣ୍ଡଗିରି ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଅନେକ ଲୋକ ଯାତାୟତ କରୁଛନ୍ତି ।  ଓଭରବ୍ରିଜ ତଳେ ଥିବା ଆବର୍ଜନା ସଫା କରିବା ସହ ପରିବେଶକୁ ସୁନ୍ଦର କରିବାକୁ ବାର୍ତ୍ତା ଦେଇଛନ୍ତି ମେୟର ସୁଲୋଚନା ଦାସ ।

ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗଣିତ ଶିକ୍ଷକ ଗିରଫ

ଦେବଗଡ଼: ଭୁଲ ହେଲା ଗଣିତ ଶିକ୍ଷକଙ୍କ ଅଙ୍କ । ନାବାଳିକା ଛାତ୍ରୀକୁ ପ୍ରେମ ନିବେଦନ କରିବା ସହ ବଳପୂର୍ବକ ଆଲିଙ୍ଗନ କରି ବନ୍ଧା ହେଲେ ଗଣିତ ଶିକ୍ଷକ । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବମ୍ପରଡା ନୋଡାଲ ୟୁପି ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି  ।

ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ୫୨ ବର୍ଷୀୟ ଗଣିତ ଶିକ୍ଷକ ସୋମନାଥ ପ୍ରଧାନ ଦୀର୍ଘ ଦିନ ଧରି ବିଭିନ୍ନ ଆଳରେ ପ୍ରେମ ନିବେଦନ କରି ଆସୁଥିଲେ । ଗତ ୨୭ ତାରିଖରେ ଶିକ୍ଷକ ସୋମନାଥ ଛାତ୍ରୀଙ୍କ ଘରକୁ ମଧ୍ୟ ପହଞ୍ଚି ଥିଲେ । ଗତକାଲି ଶିକ୍ଷକ ଜଣକ ବିଦ୍ୟାଳୟର ଏକ କୋଠରୀରେ ଛାତ୍ରୀ ଜଣକୁ ବଳପୂର୍ବକ ଆଲିଙ୍ଗନ କରିବା ସହ ଅସଦାଚରଣ କରିଥିଲେ । ଫଳରେ ଛାତ୍ରୀ ଜଣକ ବିଦ୍ୟାଳୟରେ କାନ୍ଦିବା ସହ ଘରକୁ ଯାଇ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ନିକଟରେ ଅଭିଯୋଗ କରିବା ପରେ ବିଦ୍ୟାଳୟରେ ପରିଚାଳନା କମିଟି, ସରପଞ୍ଚ ଓ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ବୈଠକ ବସି ପୀଡିତା ଛାତ୍ରୀ ଓ ପରିବାର ଲୋକଙ୍କ ସହ ଆଲୋଚନା ହୋଇଥିଲା ।

ବାରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଦଫା 354(A), 354(D), ସହ ପସ୍କୋ ଓ ଆଟ୍ରୋସିଟି ଆକ୍ଟର ବିଭିନ୍ନ ଧାରାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି ।

ଗଞ୍ଜେଇ ମାଫିଆଙ୍କୁ ଠକେଇ: ଗଞ୍ଜେଇ ବଦଳରେ ବାହାରିଲା ନଡ଼ା

କେସିଙ୍ଗା: ଗଞ୍ଜେଇ ବେପାରୀଙ୍କୁ ଚୂଲ ଲଗାଇଲେ ସହଯୋଗୀ । ଗଞ୍ଜେଇ ବଦଳରେ ଦେଲେ ନଡ଼ା, ପାଳ, ଗୋଡି ଓ ବାଲି । ପୋଲିସ ହାତରେ ଗଞ୍ଚେଇ ମାଫିଆ ଧରା ପଡ଼ିବା ପରେ ଯାଞ୍ଚରୁ ଜଣାପଡ଼ିଲା ସତ । ନଡ଼ା, ପାଳ ଦେଖି ଗଞ୍ଜେଇ ମାଫିଆ ତାଜୁବ । ୭୧ କେଜି ବଦଳରେ ମାତ୍ର ୧୦ କେଜି ୧୨୮ ଗ୍ରାମ ଗଞ୍ଜେଇ ବାହାରିଥିବା ବେଳେ ବାକି ଥିଲା ନଡ଼ା, ପାଳ, ଗୋଡ଼ି ଓ ବାଲି ।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ଅମାଠ ଛକରେ ଏକ ଗଞ୍ଜେଇ ଗାଡିକୁ ଜବତ କରିଥିଲା । ଜୁନାଗଡ଼ରୁ ୭୧ କେଜିରୁ ଅଧିକ ଗଞ୍ଜେଇ ଏକ ସ୍କର୍ପିଓରେ ୟୁପି ଯାଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଯାଞ୍ଚ ବେଳେ ଜଣାପଡ଼ିଲା ନିଜେ ଗଞ୍ଜେଇ ମାଫିଆ ବି ଠକେଇର ଶିକାର ହୋଇଛନ୍ତି । ୭୧ କେଜି ଗଞ୍ଜେଇ ବଦଳରେ ବାହାରିଲା ମାତ୍ର ୧୬ କେଜି ଗଞ୍ଜେଇ । ଆଉ ବାକି ଗଞ୍ଜେଇ ବଦଳରେ ବେପାରୀ ବାଲି, ଗୋଡ଼ି, ନଡ଼ା ଓ ପାଳ ଭର୍ତ୍ତି କରିଦେଇଥିଲା । ଗଞ୍ଜେଇ ବେପାର ଅଭିଯୋଗରେ ପୋଲିସ ୟୁପିର ଦୀପକ, ସୁନୀଲ ଓ ଅର୍ପିତ ମୋହରୀକୁ ଗିରଫ କରିଛି ।

ବିଶ୍ବବାସୀଙ୍କୁ ଭୋକ କରିବ କଲବଲ: ୟୁକ୍ରେନରୁ ଖାଦ୍ୟଶସ୍ୟ ରପ୍ତାନୀ ଚୁକ୍ତିରୁ ଓହରିଲା ଋଷ

ମସ୍କୋ: ବିଶ୍ବରେ ଅଧିକ ଉତ୍କଟ ହେବ ଖାଦ୍ୟ ସମସ୍ୟା । ବିଶେଷ କରି ୟୁରୋପୀୟ ଦେଶରେ ପଡ଼ିବାକୁ ଯାଉଛି ହାହାକାର । କ୍ରିମିଆରେ ଋଷୀୟ ଜାହାଜ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ୟୁକ୍ରେନରୁ ଖାଦ୍ୟଶସ୍ୟ ରପ୍ତାନୀ ସଂକ୍ରାନ୍ତ ଚୁକ୍ତିରୁ ଓହରି ଯାଇଛି ଋଷ । ଫଳରେ ୟୁକ୍ରେନରୁ ବିଦେଶକୁ ଶସ୍ୟ ରପ୍ତାନୀ ସମ୍ଭବ ହୋଇପାରିବ ନାହିଁ ।

ଅଧିକାଂଶ ଜଳପଥ ଋଷ କବଜାରେ ଥିବାରୁ ଜାହାଜରେ ରପ୍ତାନୀ ହୋଇପାରିବ ନାହିଁ ।  ପାଶ୍ଚାତ୍ୟ ରାଷ୍ଟ୍ରର କଟକଣା ଯୋଗୁଁ ଋଷର ନିଜସ୍ବ ଶସ୍ୟ ରପ୍ତାନୀ ବାଧାପ୍ରାପ୍ତ ହେଉଛି । ଯାହା ଫଳରେ ୟୁକ୍ରେନ ଉପରେ ଦାଉ ସାଧିଛି ଋଷ । ବିଶ୍ବରେ ଖାଦ୍ୟାଭାବ ଜାରି ରହିଥିବାବେଳେ ଋଷର ଏହି ପଦକ୍ଷେପ ଖାଦ୍ୟ ସମସ୍ୟାକୁ ଅଧିକ ଘନୀଭୂତ କରିବ ।

ଶସ୍ୟ ରପ୍ତାନୀ ନେଇ ଜାତିସଂଘ ଓ ତୁର୍କୀ ମଧ୍ୟସ୍ଥତାରେ ଗତ ଜୁଲାଇରେ ଏକ ରାଜିନାମା ହୋଇଥିଲା । ରାଜିନାମା ଅନୁସାରେ ନଭେମ୍ବର ୧୯ ତାରିଖ ସୁଦ୍ଧା ୟୁକ୍ରେନରୁ ୯୦ ଲକ୍ଷ ଟନ ଖାଦ୍ୟଶସ୍ୟ ରପ୍ତାନୀ ହେବାର ଥିଲା । ଋଷର ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେହିପରି ବିଶ୍ବରେ ଖାଦ୍ୟ ସମସ୍ୟା ଅଧିକ ଉତ୍କଟ ହେବ ବୋଲି କହିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରି କୁଲେବା ।

ସୂଚନାଯୋଗ୍ୟ, କ୍ରିମିଆରେ ଋଷର କେତେକ ଜାହାଜ ଉପରେ ହୋଇଥିବା ହମଲାକୁ ନେଇ କ୍ଷୁବ୍ଧ ହୋଇଥିଲା ଋଷ । ଏନେଇ ବ୍ରିଟେନ ଉପରେ ଦୋଷ ଲଦିଛି ଋଷ । କ୍ରିମିଆ ଅନ୍ତର୍ଗତ କୃଷ୍ଣ ସାଗରରେ ଋଷରେ କେତେକ ଯାତ୍ରୀବାହୀ ଜାହାଜ ଓ ନୌସେନା ଜାହାଜ ଉପରେ ହୋଇଥିବା ଆକ୍ରମଣ କ୍ଷେତ୍ରରେ ୟୁକ୍ରେନକୁ ବ୍ରିଟେନ ସହାୟତା କରିଥିଲା ବୋଲି ଅଭିଯୋଗ କରିଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ । ସେହିପରି ବଲଟିକ ସାଗରରେ ଗତ ସେପ୍ଟେମ୍ବର ୨୬ରେ ଅନ୍ତଃରାଷ୍ଟ୍ରୀୟ ନର୍ଡ ଷ୍ଟ୍ରିମ-1 ଓ ନର୍ଡ ଷ୍ଟ୍ରିମ-2 ଗ୍ୟାସ ପାଇପ ଲାଇନ ବିସ୍ଫୋରଣ ଘଟଣାରେ ବ୍ରିଟିଶ ନୌସେନା ସାମିଲ ଥିଲେ ବୋଲି ଅଭିଯୋଗ କରିଛି ଋଷ ।

ତେଣେ ବ୍ରିଟେନର ତତକାଳୀନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ବ୍ୟକ୍ତିଗତ ଫୋନକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏଜେଣ୍ଟମାନେ ହ୍ୟାକ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଟ୍ରସ ଓ ତାଙ୍କର ନିକଟତମ ବନ୍ଧୁ ତଥା ପୂର୍ବତନ ଅର୍ଥମନ୍ତ୍ରୀ କ୍ବାସି କ୍ବାର୍ତେଙ୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ପୁଟିନ ବାହିନୀ ହ୍ୟାକ କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ହଷ୍ଟେଲ ପିଲା ଖାଇଲେ ମାଣ୍ଡିଆ ଲଡୁ

କେନ୍ଦୁଝର: ରାଜ୍ୟରେ ପ୍ରଥମ ଥର ପାଇଁ ହଷ୍ଟେଲ ପିଲାମାନଙ୍କୁ ମିଳିଲା ମାଣ୍ଡିଆ ଲଡୁ । କେନ୍ଦୁଝର ଜିଲ୍ଲାର ୩୩୪ଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲ୍ ପିଲାଙ୍କୁ ଖାଦ୍ୟରେ ମାଣ୍ଡିଆ ଲଡୁ ପ୍ରଦାନ କରାଯାଇଛି । କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ି ଜିଲ୍ଲା ସଂସ୍କୃତି ଭବନଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

ମାଣ୍ଡିଆ ଲଡୁରେ ଉପକୃତ ହେବେ ଜିଲ୍ଲାର ୩୯ ହଜାର ଛାତ୍ରଛାତ୍ରୀ । ପୂର୍ବରୁ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନଙ୍କୁ ମାଣ୍ଡିଆ ଲଡୁ ଦିଆଯାଉଥିଲା । ଏବେ ପ୍ରଥମ ଥର ପାଇଁ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ୍ ପିଲାମାନଙ୍କୁ ମାଣ୍ଡିଆ ଲଡୁ ଦିଆଯିବା ଉଦାହରଣ ସୃଷ୍ଟି କରିଛି ।

ରାଜ୍ୟ ସରକାରଙ୍କ ଏମିତି ଯୋଜନାକୁ ନିତି ଆୟୋଗ ଦ୍ବାରା ଉଚ୍ଚ ପ୍ରଶଂସା କରାଯାଇଛି । ମାଣ୍ଡିଆ ଖାଇବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଶାରିରୀକ ଓ ବୌଦ୍ଧିକ ବିକାଶ ଘଟିବା ସହ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମାଣ୍ଡିଆ ଚାଷ କରି ଲାଭ ପାଇପାରିବେ ।

ସିଓଲ ଦଳାଚକଟାରେ ମୃତ୍ୟୁସଂଖ୍ୟା ୧୫୧କୁ ବୃଦ୍ଧି

ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଦଳାଚକଟା ଘଟଣାରେ ବୃତ୍ୟୁସଂଖ୍ୟା ବଢ଼ି ୧୫୧ରେ ପହଞ୍ଚିଛି । ଶହରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଓ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।

୩ ବର୍ଷ ପରେ ହାଲୋଓ୍ବିନ୍ ଉତ୍ସବ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ ଲକ୍ଷାଧିକ ଲୋକ ଏକତ୍ର ହୋଇଥିଲେ । ଲୋକେ ଆଗକୁ ବଢୁଥିବା ବେଳେ ଏକ ସରୁଆ ଗଳି ପଡ଼ିଥିଲା । ଏହି ଗଳି ପାର ହୋଇ ଯିବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ଯାଇଥିଲା । ପରେ ଏହା ହାତାହାତିର ରୂପ ନେଇ ଦଳାଚକଟା ଆରମ୍ଭ ହୋଇ ଯାଇଥିଲା । ଫଳରେ ଦଳାଚକଟାରେ ଜଣେ ଅନ୍ୟ ଜଣଙ୍କ ଉପରେ ପଡ଼ଇବାକୁ ଲାଗିଥିଲେ । ଯାହାଦ୍ବାରା ଏକାଧିକ ଲୋକ ହୃଦଘାତର ଶିକାର ହୋଇଥିଲେ । କିଛି ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ ନେବା ବାଟରେ ଅନେକଙ୍କ ଜୀବନ ଚାଲି ଯାଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବକ ଥିବା ଜଣାପଡିଛି । ଏବେ ବି ୪ ଶହରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସରତ ହେଉଛନ୍ତି ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । କାହିଁକି ଦଳାଚକଟା ହେଲା ତାହାର କାରଣ ଖୋଜୁଛି ପୋଲିସ ।

ସାଉଥକୋରିଆରେ ଅଘଟଣ; ହାଲୋଓ୍ବିନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ୫୯ ମୃତ

ସିଓଲ: ସାଉଥକୋରିଆର ରାଜଧାନୀ ସିଓଲରେ ଅଘଟଣ। ହାଲୋଓ୍ବିନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ୫୯ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୧୫୦ ଜଣ ଗୁରୁତର ହୋଇଥିବା ନେଇ ସୂଚନା ।

ସୂଚନା ଅନୁଯାୟୀ, ହାଲୋଓ୍ବିନ୍ ପାର୍ଟି ପାଇଁ ଏକଜୁଟ ହୋଇଥିଲେ ହଜାର ହଜାର ଲୋକ। ତେବେ କୗେଣସି କାରଣବଶତଃ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଉପସ୍ଥିତ ଲୋକେ । ମେଡିକାଲ ନେବା ବାଟରେ ହୃଦଘାତରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପାଖାପାଖି ୫୦ ଜଣଙ୍କୁ cardiac arrest ହେବାରୁ ସିପିଆର୍ ଦିଆଯାଇଥିଲା ।

ତେବେ କାହିଁକି ହେଲା ହୃଦଘାତ, ସେନେଇ ତଦନ୍ତ କରୁଛି ପୋଲିସ ।

ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ । ଆର କେ ଶର୍ମାଙ୍କୁ ବୋର୍ଡ ଅଫ ରେଭନ୍ୟୁ ମେମ୍ବର ଭାବେ ଅବସ୍ଥାପିତ କରାଯାଇଛି । ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ପ୍ରଦୀପ ଜେନା ଯୋଜନା ଓ ସଂଯୋଜନ ବିଭାଗର ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବ ନ୍ୟସ୍ତ ହୋଇଛି । ଦେଓରଞ୍ଜନ କୁମାର ସିଂ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେ ଓଏମସି , ଓଏମଇସିଏଲ୍ ,ଇଡକଲ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ । ଶାଶ୍ବତ ମିଶ୍ରଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ନ୍ୟସ୍ତ ହୋଇଛି ।

ଆଇଏଏସ୍ ରୂପାରୋଶନ ସାହୁଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେ ଏସସିଇଆରଟି ନିର୍ଦ୍ଦେଶକ ଓ ଇଂରାଜୀ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶାଶ୍ୱତ ମିଶ୍ର ଏବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।