spot_img
Home Blog Page 3906

ମୁଣ୍ଡ ନେଉଛି ଭାରତୀୟ ସଡ଼କ: ପ୍ରତିଦିନ ପ୍ରାଣ ହରାଉଛନ୍ତି ୪୦୬ ଜଣ

ନନ୍ଦିଘୋଷ ବ୍ୟୁରୋ: ଆତଙ୍କବାଦୀ ଆକ୍ରମଣରେ ଯେତିକି ବର୍ଷକୁ ମରନ୍ତି ନାହିଁ ତା’ଠାରୁ ଢେର ଅଧିକଙ୍କ ଜୀବନ ନିଏ ଭାରତୀୟ ସଡ଼କ । ଭାରତୀୟ ସଡ଼କ ହେଉଛି ମୃତ୍ୟୁର ରାଜପଥ । ଦୁନିଆର ଦୁର୍ଘଟଣା କ୍ୟାପିଟାଲ । ବିଶ୍ୱର ପଂଚମ ଆର୍ଥିକ ଶକ୍ତି କିନ୍ତୁ ସଡ଼କ ସୁରକ୍ଷା ମାମଲାରେ ରେକର୍ଡ୍ ଖରାପ । ଦୁନିଆର ସବୁଠାରୁ ଭୟଙ୍କର ଓ ଖରାପ ରାସ୍ତାର ଘର ହେଉଛି ଭାରତ । ଏଠି ରାସ୍ତାରେ ଖାଲ ଖୋଜା ଯାଏନି,ଖାଲରେ ରାସ୍ତା ଖୋଜା ଯାଏ । ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ରବିବାର ଦିନ ସଡ଼କ ଦୁର୍ଘଟଣାରେ ନିଧନ ହେବା ପରେ ଏହି ପ୍ରଶ୍ନ ଉଠିଛି ।

କାରଣ ସାଇରସ ଯାହି ତାହି କାରରେ ଯାତ୍ରା କରୁନଥିଲେ । ତାଙ୍କ କାର ଥିଲା ଗ୍ଲୋବାଲ ଏନସିଏପି ରେଟେଡ୍ । ତଥାପି ଦୁର୍ଘଟଣା ହୋଇଥିଲା । ଅବଶ୍ୟ ଏଥିରେ କାର ଚାଳକଙ୍କ ଦୋଷ ରହିଛି । କିନ୍ତୁ ଦୋଷ କେବଳ ଚାଳକଙ୍କର ନଥିଲା । ଦୋଷ ରାସ୍ତାର ବି ଥିଲା । କାହିଁକିନା ଭାରତର ରାସ୍ତା ଦୁନିଆର ସବୁଠାରୁ ଖରାପ ରାସ୍ତା । ଭାରତରେ ମାତ୍ର ୩ ପ୍ରତିଶତ ରାସ୍ତା ଜାତୀୟ ରାଜପଥ । ଅନ୍ୟପକ୍ଷରେ ୭୫ ପ୍ରତିଶତ ରାସ୍ତା ଦୁଇଲେନ୍ ବିଶିଷ୍ଟ । ଭାରତରେ ଗାଡି ଯେମିତି ଓଭରଲୋଡିଂ ରାସ୍ତା ମଧ୍ୟ ସେମିତି ଓଭର ଲୋଡିଂ । ଭାରତୀୟ ରାସ୍ତା ତା’ କ୍ଷମତାରୁ ଅଧିକ ବୋଝ ସହିଥାଏ ।

ଯାହାର ପ୍ରଭାବରେ ରାସ୍ତା ଶିଘ୍ର ଖରାପ ହୋଇଥାଏ । ଗତବର୍ଷ ବିଶ୍ୱବ୍ୟାଙ୍କର ସଡ଼କ ଦୁର୍ଘଟଣା ରିପୋର୍ଟ ଅନୁସାରେ ବିଶ୍ୱର ୧ ପ୍ରତିଶଥ ଗାଡ଼ି ଭାରତୀୟ ରାସ୍ତାରେ ଦୌଡନ୍ତି । କିନ୍ତୁ ଦୁନିଆର ମୋଟ ଦୁର୍ଘଟଣାର ୧୧ ପ୍ରତିଶତ ଭାରତରେ ଘଟିଥାଏ । ଅର୍ଥାତ ଦୁନିଆରେ ଯଦି ବର୍ଷକୁ ୧୦୦ଦୁର୍ଘଟଣା ହୁଏ ତେବେ ଭାରତରେ ତା ମଧ୍ୟରୁ ୧୧ଟି ଘଟିଥାଏ । ଏହି ରିପୋର୍ଟ ଅନୁସାରେ ଭାରତରେ ଦିନିକୁ ୪୦୬ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି । ବର୍ଷକୁ ଏହି ସଂଖ୍ୟା ଦେଢ ଲକ୍ଷରୁ ଅଧିକ । ପ୍ରତିବର୍ଷ ସାଢେ ୭ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣାରେ ବିକଳାଙ୍ଗ ହୋଇଯାଆନ୍ତି ।

ଏଇଠି ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ । ତା’ ହେଉଛି ଯେ ଆମେରିକା ଓ ଜାପାନରେ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ । କିନ୍ତୁ ସେଠାରେ ମୃତ୍ୟୁ ସଂଖ୍ୟା ଭାରତଠାରୁ କମ । ତାହାର କାରଣ ହେଉଛି ସେଠାରେ ତୁରନ୍ତ ଚିକିତ୍ସା ସୁବିଧା ମିଳିଥାଏ । ସଡ଼କ ଦୁର୍ଘଟଣା ପରେ ଆମେରିକା ଓ ଜାପାନରେ ତୁରନ୍ତ ପ୍ରତିକ୍ରିୟା ମିଳିଥାଏ । ଆମେରିକାରେ ୨୦୧୬ରେ ୨୨ ଲକ୍ଷ ଦୁର୍ଘଟଣା ହୋଇଥିଲା । କିନ୍ତୁ ମୃତ୍ୟୁ ସଂଖ୍ୟା ଥିଲା ୩୭ ହଜାର । ଅନ୍ୟପକ୍ଷରେ ଭାରତରେ ଏହି ସମୟରେ ୫ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥିଲା କିନ୍ତୁ ମୃତ୍ୟୁ ସଂଖ୍ୟା ଥିଲା ଦେଢ ଲକ୍ଷ ।

ଏହାର କାରଣ ହେଉଛି ଆମେରିକା ଭଳି ଦେଶରେ ଉଦ୍ଧାରକାରୀ ଓ ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଂଚିଥାନ୍ତି । ଅନ୍ୟପକ୍ଷରେ ଭାରତରେ ସେପରି ହୋଇନଥାଏ । ୨୦୧୧ରୁ ୨୦୨୦ ଭିତରେ ଭାରତରେ ସଡ଼କ ଦୁର୍ଘଟଣାରେ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ୫୦ ଲକ୍ଷ ଆହତ ହୋଇଛନ୍ତି । ସଡ଼କ ଦୁର୍ଘଟଣା କାରଣରୁ କେବଳ ଯେ, ଅପମୃତ୍ୟୁ ସଂଖ୍ୟା ବଢିଛି ତା’ ନୁହେଁ । ଏହାର ମଧ୍ୟ ଅର୍ଥନୀତି ଉପରେ ବିପରିତ ପ୍ରଭାବ ପଡିଛି । ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଦୁର୍ଘଟଣା କାରଣରୁ ଭରତ ତ’ ଜିଡିପିକୁ ୩ରୁ ୫ ପ୍ରତିଶତ କ୍ଷତି ହେଉଛି । ବର୍ଷକୁ ପ୍ରାୟ ୧ ଲକ୍ଷ ୪୭ ହଜାର କୋଟିର କ୍ଷତି ହେଉଥିବା ଅନୁମାନ କରାଯାଉଛି ।

କାବୁଲସ୍ଥିତ ଋଷ ଦୂତାବାସ ସାମ୍ନାରେ ବିସ୍ଫୋରଣ, ୨ କୂଟନୀତିଜ୍ଞଙ୍କ ସମେତ ୨୦ ନିହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଋଷ ଦୂତାବାସ ସମ୍ମୁଖରେ ସୋମବାର ଦିନ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ଦୂତାବାସ ଅଧିକାରୀଙ୍କ ସମେତ ୨୦ ଜଣ ପ୍ରାଣ ହରାଇଛନ୍ତି । ବିସ୍ଫୋରଛଣ ପଛରେ କିଏ ଅଛି ଓ ଆକ୍ରମଣ ପଛରେ ଆତ୍ମଘାତୀ ଥିଲେ କି ନାହିଁ ସେବାବଦରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ ।

ତଥାପି ଆକ୍ରମଣ ପଛରେ ଇସଲାମିକ ଷ୍ଟେଟ୍-ଖୁରସାନର ହାତ ଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ କୁହାଯାଉଛି ଯେ, ଋଷ ଦୂତାବାସ ଗେଟ୍ ନିକଟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତାଲିବାନର ସୁରକ୍ଷାକର୍ମୀ ସନ୍ଦେହରେ ଗୁଳି କରିଥିଲେ । କିନ୍ତୁ ଆତ୍ମଘାତୀ ଆକ୍ରମଣକାରୀ ଜଣକ ମରିବା ପୂର୍ବରୁ ନିଜକୁ ଉଡ଼ାଇ ଦେଇଥିବା କୁହାଯାଉଛି । ତେବେ ଆଧିକାରିକ ଭାବେ ଏନେଇ କିଛି ମଧ୍ୟ କୁହାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ତାଲିବାନ ସରକାର ପ୍ରତି ଋଷର ମନୋଭାବ ନରମ ଅଛି । ଗତବର୍ଷ ଅଗଷ୍ଟ ମାସରେ ତାଲିବାନ କ୍ଷମତାକୁ ପୁଣିଥରେ ଫେରିବା ପରେ ଋଷ ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା । ପ୍ରାୟ ସବୁ ଦେଶର ଦୂତାବାସ ଖାଲି ହୋଇଯାଇଥିବା ବେଳେ ଋଷୀୟ ଦୂତାବାସ କାବୁଲରେ କାର୍ଯ୍ୟକ୍ଷମ ଥିଲା । ତାଲିବାନକୁ ଋଷ ସମର୍ଥନରେ ଉତକ୍ଷିପ୍ତ ହୋଇ ଇସଲାମିକ ଷ୍ଟେଟ୍ ଏହି ଆକ୍ରମଣ କରିଥିବାର ଯଥେଷ୍ଟ ଆଶଙ୍କା ରହିଛି ।

ବିଶ୍ୱାସ ଭୋଟ ଜିତିଲେ ହେମନ୍ତ ସୋରେନ, ସପକ୍ଷରେ ୪୮ ଭୋଟ୍

ରାଞ୍ଚି: ଝାଡ଼ଖଣ୍ଡରେ ବିଶ୍ବାସ ଭୋଟ ଜିତିଲେ ସୋରେନ । ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମେଣ୍ଟ ସରକାର । ୮୧ ମଧ୍ୟରୁ ସୋରେନଙ୍କ ସପକ୍ଷରେ ୪୮ ଭୋଟ୍ ପଡ଼ିଛି । ଭୋଟିଂ ବେଳେ ବିଧାନସଭାରୁ ଓ୍ବାକଆଉଟ୍ କଲା ବିଜେପି । ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସୋରେନ ବିଜେପିକୁ ଚ୍ୟାଲେଞ୍ଜ କରି କହିଥିଲେ ଯେଉଁ ଜାଲ ଆମ ପାଇଁ ବିଛାଯାଇଥିଲା, ସେହି ଜାଲରେ ବାନ୍ଧି ବାହାର କରିଦିଆଯିବ ।

ସୋରେନ ଏବଂ ତାଙ୍କ ପାର୍ଟି ଜେଏମଏମ ବିଜେପି ଉପରେ ସଙ୍କଟ ଫାଇଦା ଉଠାଇବାର ପ୍ରୟାସ ଏବଂ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରିବାର ଅଭିଯୋଗ କରିଛି । ଅନ୍ୟପକ୍ଷରେ ବିଜେପି କହିଛି ହେମନ୍ତ ସୋରେନଙ୍କୁ ବିଧାୟକ ରୂପରେ ଅଯୋଗ୍ୟ ଘୋଷିତ କରାଯିବା ଆବଶ୍ୟକ । ସୂଚନାଥାଉକି ଅଫିସ୍ ଅଫ ପ୍ରଫିଟ ମାମଲାରେ ହେମନ୍ତ ସୋରେନ ଫସିଥିଲେ ।

ଏହି କାଣରୁ ନିର୍ବାଚନ ଆୟୋଗ ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ରାଜ୍ୟପାଳନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ସୋରେନ ସରକାର ବଞ୍ଚାଇବା ପାଇଁ ମେଣ୍ଟ ବିଧାୟକମାନଙ୍କୁ ଏକାଠି ହୋଟେଲରେ ରଖିଥିଲେ । ଏମିତି କି କିଛିଦିନ ପାଇଁ କଂଗ୍ରେସ ଶାସିତ ଛତିଶଗଡ଼ର ରାୟପୁରରେ ବିଧାୟକମାନଙ୍କୁ ରଖାଯାଇଥିଲା । ସ୍ୱତନ୍ତ୍ର ଅଧିବେଶନ ପାଇଁ ଆଜି ସେମାନେ ରାଞ୍ଚି ଆସିଥିଲେ।

ଭୂମିକମ୍ପରେ ଥରିଲା ଚୀନର ସିଚୁଆନ ପ୍ରାନ୍ତ

ବେଜିଙ୍ଗ: ଚୀନରେ ଭୂକମ୍ପ ଝଟକା । ଶକ୍ତିଶାଳୀ ଭୁକମ୍ପରେ ଥରିଲା ଦକ୍ଷିଣପଶ୍ଚିମ ଚୀନର ସିଚୁଆନ ପ୍ରାନ୍ତ । ସିଚୁଆନ୍ ପ୍ରଦେଶର ପାର୍ବତ୍ୟ ଅଞ୍ଚଳରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିବା ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି । ଭୂକମ୍ପ ଝଟକା ଏତେ ଜୋର ଥିଲା ଯେ, ଘରେ ଥିବା ଆକ୍ବାରିଅମର ପାଣି ସମୁଦ୍ରରେ ଲହଢ଼ି ଖେଳୁଥିବା ସଦୃଶ ଦେଖାଯଇଥିଲା ।

ତେବେ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ି ନଥିଲେ ବି କିଛି ସ୍ଥାନରେ ଘର ଭାଙ୍ଗିଥିବା ସୂଚନା ମିଳିଛି । ସିଚୁଆନରେ ଭୂକମ୍ପ ଅନୁଭୂତ ହେବାର କିଛି ମିନିଟ ମଧ୍ୟରେ ୟାନ ସହରରେ ବି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪ଦଶମିକ ୨ ପ୍ରତିଶତ ରହିଥିବା ରେକର୍ଡ ହୋଇଛି ।

ଅବିଶ୍ରାନ୍ତ ବର୍ଷାରେ ବେଙ୍ଗାଲୁରୁ ସହର ଉବୁଟୁବୁ

ବେଙ୍ଗାଲୁରୁ: ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ । ରାତି ତମାମ ବର୍ଷା ପରେ ନଦୀର ଭ୍ରମ ସୃଷ୍ଟି କରୁଛି ଆଇଟି କରିଡରର ସ୍ମାର୍ଟ ରୋଡ୍ । ଅଧିକାଂଶ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିବା ବେଳେ ଉପୁଜିଛି ବନ୍ୟା ସ୍ଥିତି । ବେଲାନ୍ଦୁର, ସରଜାପୁର ରୋଡ, ହ୍ବାଇଟଫିଲ୍ଡ , ଆଉଟର ରିଂ ରୋଡ୍, ଏୟାରପୋର୍ଟ ଆଦି ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଉପରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି ।

କେତେକ ସ୍ଥାନରେ ରାସ୍ତା ଉପରେ ବାଇକଗୁଡ଼ିକ ବୁଡ଼ି ରହିଥିବା ଦେଖାଯାଇଛି । ଆପାର୍ଟମେଣ୍ଟ ବେସମେଣ୍ଟରେ ବର୍ଷା ପାଣି ଜମି ରହିଥିବାରୁ ଘରୁ ବାହାରି ପାରୁନାହାନ୍ତି ଲୋକେ । ୭ଦିନ ମଧ୍ୟରେ ଦ୍ବିତୀୟ ଥର ଲାଗି ବେଙ୍ଗାଳୁରୁରେ ଏଭଳି ସ୍ଥିତି ଦେଖାଯାଇଛି । ବୋଟ୍‌ ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ପିଲାଙ୍କୁ ସ୍କୁଲ ନପଠାଇବାକୁ ଆହଭାଇଜରୀ ଜାରି କରାଯାଇଛି ।

ଓ୍ବାଟର ଲଗିଂ ଏରିଆ ପାଇଁ ଜୋନାଲ ହେଲ୍ପଲାଇନ ନମ୍ବର ଜାରି କରିଛି ବେଙ୍ଗାଳୁରୁ ମ୍ୟୁନିସିପାଲିଟି । ଗତକାଲି ରାତି ୧୧ଟାରୁ ୪ଟା ମଧ୍ୟରେ ବେଙ୍ଗାଲୁରୁ ଏୟାରପୋର୍ଟ ଏରିଆରେ ୧୦୯ ମିମି ବର୍ଷା ରେକର୍ଡ ହୋଇଛି । ଟର୍ମିନାଲ ପାର୍କିଂରେ ବର୍ଷା ପାଣି ଜମି ରହିଥିବା ଯୋଗୁ ଯାତ୍ରୀମାନେ ବହୁସମସ୍ୟାର ସମ୍ମୁଖିନ ହୋଇଥିଲେ । ପ୍ରବଳ ବର୍ଷା ଯୋଗୁ କେମ୍ପେଗୌଡ଼ା ଏୟାରପୋର୍ଟକୁ ଆସୁଥିବା ୬ଟି ବିମାନକୁ ଚେନ୍ନାଇ ଏୟାରପୋର୍ଟକୁ ଡାଇଭର୍ଟ କରିଥିଲା ଏଟିସି ।

ଝାଡ଼ଖଣ୍ଡ: ବିଧାନସଭାରେ ସୋରେନ ଲୋଡ଼ିବେ ଆସ୍ଥା ଭୋଟ୍

ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଅଧିବେଶନ ଉପରେ ସମସ୍ତଙ୍କର ରହିଛି ନଜର । ଗୃହରେ ଆସ୍ଥାଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଜ୍ୟପାଳ ରମେଶ ବୈଶଙ୍କ ନିଷ୍ପତ୍ତି ନେଇ ସସପେନ୍ସ ଜାରି ରହିଥିବା ବେଳେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ହେମନ୍ତ । ଗତକାଲି ସନ୍ଧ୍ୟାରେ ଛତିଶଗଡ଼ ରାୟପୁରରେ ଡେରା ପକାଇଥିବା ଜେଏମଏମ, କଂଗ୍ରେସ ଓ ଆରଜେଡିର ବିଧାୟକମାନେ ରାଞ୍ଚି ଫେରିଛନ୍ତି ।

ଘୋଡାବେପାର ରୋକିବା ଲାଗି ସମସ୍ତ ବିଧାୟକଙ୍କୁ ରଖାଯାଇଥିଲା କଡ଼ା ନଜରରେ । ରାଜ୍ୟକୁ ରାଜନୈତିକ ଅସ୍ଥିରତା ଭିତରକୁ ଠେଲି ଦେବା ଲାଗି ବିଜେପି ଉଦ୍ୟମ କରୁଥିବା ନେଇ ମହାଗଠବନ୍ଧନ ଅଭିଯୋଗ କରିଆସୁଛି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ମେଣ୍ଟର ୪୯ ବିଧାୟକ ଥିବା ବେଳେ ବିଜେପିର ଅଛନ୍ତି ୨୬ ବିଧାୟକ ।

ଗୁରୁଦିବସରେ ୪୬ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଗୁରୁ ଦିବସ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୪୬ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି । ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ଦେଶର ୪୬ ଜଣ ଶିକ୍ଷକ ପୁରସ୍କାର ପାଇଛନ୍ତି । ୪୬ଜଣଙ୍କ ମଧ୍ୟରେ ଓଡ଼ିଶାର ପୁରୀ ଜିଲ୍ଲାର ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ଅଛନ୍ତି । ନିମାପଡ଼ା କନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କ ନିଆରା ଢଙ୍ଗରେ ଶିକ୍ଷାଦାନ ଆଜି ତାଙ୍କୁ ପଲ୍ଲୀରୁ ନେଇ ଦିଲ୍ଲୀରେ ଝଟକାଇଛି ।

ପୁରସ୍କାର ପ୍ରଦାନ ଅବସରରେ ମହାମହିମ ରାଷ୍ଟ୍ରପତି ଦେଖାଇଛନ୍ତି ମହାନତା । ଉତ୍ତରାଖଣ୍ଡର ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ପୁରସ୍କାର ଦେବାକୁ ନିଜେ ମଞ୍ଚ ତଳକୁ ଚାଲିଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଶାବାଡ଼ି ଧରି ଉତ୍ତରାଖଣ୍ଡର ଶିକ୍ଷକ ପ୍ରଦୀପ ନେଗି ପୁରସ୍କାର ପାଇଁ ଯାଉଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତଳକୁ ଆସି ତାଙ୍କୁ ସମ୍ମାନିତ କଲେ ।

ସାଇରସ୍ ମିସ୍ତ୍ରୀ ଦୁର୍ଘଟଣା ମାମଲା: ସିଟ୍ ବେଲ୍ଟ ଲଗାଇନଥିଲେ, ୧୨୦ କିମି ପ୍ରତି ଘଣ୍ଟାରେ ଚାଲୁଥିଲା କାର୍

ମୁମ୍ବାଇ: ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରିଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା । ପ୍ରାଥମିକ ତଦନ୍ତ ପରେ ରିପୋର୍ଟ ଦେଇଛି ପୋଲିସ । ଓଭରସ୍ପିଡ, ଭୂଲ ସାଇଡରେ ଓଭରଟେକ୍ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସାଇରସଙ୍କ କାର୍ । ଆଗରେ ଯାଉଥିବା ଏକ ଗାଡ଼ିକୁ ଓଭରଟେକ କରୁଥିବା ବେଳେ ଡିଭାଇଡରରେ ପିଟି ହୋଇଥିଲା ମର୍ସିଡିଜ । ସାଇରସ୍ ଓ ତାଙ୍କ ପଛ ସିଟରେ ବସିଥିବା ବନ୍ଧୁ ଦିନଶା ପଣ୍ଡୋଲେ ସିଟବେଲ୍ଟ ପିନ୍ଧି ନଥିଲେ । ଯାହାଫଳରେ ସେହି ଦୁଇ ସିଟର ଏୟାର ବ୍ୟାଗ୍ ଖୋଲି ନଥିଲା ବୋଲି ପ୍ରାଥିମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି ।

ପୋଲିସର କହିବା କଥା ଯେ, ଅଧିକ ଗତି ଏବଂ ଡ୍ରାଇଭରଙ୍କ ଦ୍ୱାରା କାର୍ ଉପରେ ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ହୋଇଛି । ସାଇରସ୍ ମିସ୍ତ୍ରୀ ଏବଂ ଜହାଙ୍ଗିର ଦିନଶା ପଣ୍ଡୋଲେଙ୍କ ଶବର ପୋଷ୍ଟମର୍ଟମ ରବିବାର ବିଳମ୍ବିତ ରାତିରେ ହୋଇଛି, ରିପୋର୍ଟ ଆଜି ଅପରାହ୍ନ ସୁଦ୍ଧା ଆସିପାରେ । ଫରେନ୍ସିକ ସାଇନ୍ସ ଲାବୋରେଟୋରୀର ଏକ ଟିମ୍ ଦୁର୍ଘଟଣାଗ୍ରସ୍ତ କାର୍ ଏବଂ ଯେଉଁଠି ଦୁର୍ଘଟଣା ହୋଇଥିଲା, ସେହି ସ୍ଥାନର ତଦନ୍ତ କରିବ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମର୍ସିଡିଜ୍ କାରଟି ଦ୍ରୁତ ଗତିରେ ଚାଲୁଥିଲା, କାରଣ ତାହା ପାଲଘର ଜିଲ୍ଲାରେ ଚରୋଟି ଚେକ ପୋଷ୍ଟକୁ ପାର୍ କରିବା ପରେ ମାତ୍ର ୯ ମିନିଟରେ ୨୦ କିଲୋମିଟର ଦୂରତା ନିର୍ଦ୍ଧାରିତ କରିଥିଲା ।

ଏହି ଚେକ୍ ପୋଷ୍ଟ ମୁମ୍ବାଇଠାରୁ ୧୨୦ କିମି ଦୂର ଅଟେ । କାରଟି ସୂର୍ଯ୍ୟା ନଦୀର ପୋଲ ଉପରେ ଡିଭାଇଡର ସହ ଧକ୍କା ହୋଇଥିଲା, ଏଥିରେ ସାଇରସ୍ ମିସ୍ତ୍ରୀ ଏବଂ ଜହାଙ୍ଗୀର ପଣ୍ଡୋଲେଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଯାଇଥିଲା । କାର ଡା. ଅନାହିତା ପଣ୍ଡୋଲେ ଚଲାଉଥିଲେ, ଯିଏ କି ମୁମ୍ବାଇରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି । ଦୁର୍ଘଟଣାରେ ସେ ଏବଂ ତାଙ୍କ ସ୍ୱାମୀ ଡେରିୟସ୍ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଉଭୟଙ୍କ ଚିକିତ୍ସା ଚାଲିଛି ।

ସାଇରସ୍ ମିସ୍ତ୍ରୀ ଏବଂ ଜହାଙ୍ଗୀର ପଣ୍ଡୋଲେ କାରର ବ୍ୟାକ ସିଟରେ ବସିଥିଲେ । ପୋଲିସ କହିଛି ଯେ, ଅନାହିତା ଗାଡ଼ି ଚଲାଉଥିଲେ ଏବଂ ତାଙ୍କ ସ୍ୱାମୀ ଫ୍ରଣ୍ଟ ସିଟରେ ତାଙ୍କ ପାଖକୁ ବସିଥିଲେ । ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ମହିଳା କାର ଚଲାଉଥିଲେ । ସେ ବାମପଟୁ ଅନ୍ୟ ଏକ ଗାଡିକୁ ଓଭରଟେକ୍ କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ଗାଡି ଉପରେ ନିୟନ୍ତ୍ରଣ ହରାଇଥିଲେ ଏବଂ କାର ଡିଭାଇଡର ସହ ଧକ୍କା ହୋଇଥିଲା ।

ଚିଲିକାରେ ଡଙ୍ଗାବୁଡ଼ି ଘଟଣା: ୨ ଜଣଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ଚିଲିକାରେ ଡଙ୍ଗାବୁଡି ଘଟଣା । ଉଦ୍ଧାର ହେଲା ୨ଟି ମୃତଦେହ । ଚାରିଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ଗତକାଲି ଚିଲିକାରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତଦେହ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ, ଅନ୍ୟ ଜଣେ ଗମ୍ଭାରୀ ଟୁଆ ଗାଁର ଉଗ୍ରସେନ ଦାସ ପହଁରି ପହଁରି କୁଳରେ ଲାଗିଥିଲେ । ମୃତକ ଦୁଇ ଜଣ ପୁରୀ ତଳମାଳି ସାହିର ରାକେଶ କୁମାର ସ୍ବାଇଁ ।

ଜଣେ ମେଡିସିନ ଦୋକାନୀ ବୋଲି ପରିଚୟ ମିଳିଥିବା ବେଳେ ଅନ୍ୟ ଜଣେ ମାର୍କଣ୍ଡେଶ୍ୱର ସାହିର ସୌମେନ୍ଦ୍ର ମହାନ୍ତି । ସେ ଏକ ମେଡିସିନ କମ୍ପାନୀର ମ୍ୟାନେଜର ବୋଲି ଜଣାପଡିଛି । ପୋଲିସ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଟକ ୪ଜଣଙ୍କୁ ପଚରାଉଚରା ଚାଲିଛି । ଭୋଜି କରି ଫେରିବା ବେଳେ ପବନ ଯୋଗୁ ବୁଡ଼ି ଯାଇଥିଲା ଡ଼ଙ୍ଗା । ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବ୍ରହ୍ମଗିରି ଥାନା ଅଧିକାରୀ କହିଛନ୍ତି ।

ଗତକାଲି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ବ୍ରହ୍ମଗିରି ଥାନା ଅଧୀନରେ ଗମ୍ଭାରୀ ଗାଁ ନିକଟରେ ଡଙ୍ଗା ବୁଡ଼ିଯାଇଥିଲା । କାଳିଜାଈ କୁଦାକୁ ଭୋଜି କରିବା ପାଇଁ ଏକ ଡଙ୍ଗାରେ ୧୩ ଜଣ ଯାଇଥିଲେ । ଭୋଜି କରି ସଂଧ୍ୟାରେ ଫେରିବା ସମୟରେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଘଟଣା ସ୍ଥଳରୁ ୧୦ ଜଣ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଥିଲେ । ସଂଧ୍ୟାରେ ଟୁଆ ଗାଁର ଉଗ୍ରସେନ ଦାସ ନାମକ ଜଣେ ବ୍ୟକ୍ତି ଉଦ୍ଧାର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ନିଖୋଜ ହୋଇଥିଲେ । ଦୁଇଜଣଙ୍କର ମୃତଦେହ ମିଳିଛି ।

ଲକ୍ଷ୍ନୌର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ

ଳକ୍ଷ୍ନୌ: ଉତ୍ତରପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷ୍ନୌ ହଜରତଗଞ୍ଜର ଏକ ହୋଟେଲରେ ଲାଗିଛି ନିଆଁ । ୪ମହଲା ବିଶିଷ୍ଟ ହୋଟେଲ ଲେବାନାରେ ସକାଳ ପ୍ରାୟ ୮ଟା ବେଳକୁ ଲାଗିଥିଲା ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁ ବହୁ ଲୋକ ବାହାରକୁ ଚାଲିଆସିଥିବା ବେଳେ ହୋଟେଲ ରୁମରେ ଆହୁରି ଲୋକ ଫସି ରହିଥିବା ସୂଚନା ମିଳିଛି ।

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ପ୍ରାୟ ୧୮ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୧୫ ଜଣ ଫସି ରହିଥିବା ସୂଚନା । ୧୫ଟି ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିପରି ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ଅଛି । ଝରକା ଭାଙ୍ଗି ଲୋକଙ୍କୁ ହୋଟେଲ ରୁମରୁ ଉଦ୍ଧାର କରାଯାଉଛି ।

କିଛି ଲୋକ ନିଆଁ ଓ ଧୂଆଁ ଯୋଗୁ ସଂଜ୍ଞାହୀନ ହୋଇଡ଼ିଥିବା ବେଳେ ସେମାନଙ୍କୁ ମେଡିକାଲ ନିଆୟାଉଛି । ଗୋଟେପଟେ ନିଆଁ ଆୟତ୍ତ କରାଯାଉଥିବା ବେଳେ ଅନ୍ୟପଟେ ଚାଲିଛି ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ । ତେବେ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ବ ଦିଆଯାଉଛି । ତୃତୀୟ ଓ ଚତୁର୍ଥ ମହଲାର ଲୋକଙ୍କୁ ଉଦ୍ଧାର କରାସରିଛି ।