ସୁପ୍ରିମକୋର୍ଟ ଗଲେ ବିଲକିସ୍ ବାନୋ, ନ୍ୟାୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗଲେ ବିଲକିସ୍ ବାନୋ । ନ୍ୟାୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ । ଗଣଦୁଷ୍କର୍ମ କରିଥିବା ୧୧ଜଣ ଦୋଷୀ ଖଲାସ ହେବା ବିରୋଧରେ ଆବେଦନ । ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ୧୫ ବର୍ଷ ଜେଲରେ ରହିବା ପରେ କେଉଁ ଆଧାରରେ ମୁକ୍ତ କରାଗଲା ? ମାମଲାରେ ପୁନଃବିଚାର କରିବା ସହ ଦୋଷୀଙ୍କୁ ପୁଣି ଜେଲ ପଠାଇବା ପାଇଁ ଆବେଦନ କରିଛନ୍ତି ବିଲକିସ ।

୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡି ଘଟଣା ପରେ ପୂରା ଗୁଜରାଟ ଅଶାନ୍ତ ଥିବା ବେଳେ ବିଲକିସଙ୍କ ଉପରେ ହୋଇଥଲା ଅକଥନୀୟ ନିର୍ଯାତନା । ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିବା ସହ ବିଲକିସଙ୍କୁ ଗଣଦୁଷ୍କର୍ମ କରିଥିଲେ ଏହି ୧୧ ଅଭିଯୁକ୍ତ । ଏହି ସମୟରେ ପାଞ୍ଚ ମାସର ଗର୍ଭବତୀ ଥିଲେ ବିଲକିସ୍ । ମୃତକଙ୍କ ମଧ୍ୟରେ ବିଲକିସଙ୍କର ତିନି ବର୍ଷର ଝିଅ ମଧ୍ୟ ଥିଲା । ଏଭଳି ଜଘନ୍ୟ ଏବଂ ସବୁଠୁ ବଡ଼ ଅପରାଧ ପାଇଁ ୧୧ଜଣ ଦୋଷୀ ସାବ୍ୟସ୍ଥ ହେବା ସହ ସେମାନଙ୍କୁ ଆଜୀବନ କାରାଦଣ୍ଡ ଭୋଗୁଥିଲେ ।

ବିଲକିସ ବାନୋ ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ନେଇ ଗୁଜରାଟ ସରକାର ସୁପ୍ରିମକୋର୍ଟରେ ଜବାବ ରଖିଥିଲେ । ସରକାର ସତ୍ୟପାଠରେ କହିଥିଲେ ଯେ ଦୋଷୀମାନେ ୧୫ ବର୍ଷର ଦଣ୍ଡ ଭୋଗି ସାରିଛନ୍ତି । ସେମାନଙ୍କ ଉତ୍ତମ ବ୍ୟବହାରକୁ ଦେଖି ମୁକ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି । ସତ୍ୟପାଠରେ ଏହା ମଧ୍ୟ କୁହାଯାଇଥିଲା ଯେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତିକୁ ଅନୁମତି ଦେଇଥିଲେ । ଏହାପରେ ଅଗଷ୍ଟ ୧୫ରେ ୧୧ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ଏଥିସହ ବିଜେପିର କିଛି ନେତା ସେମାନଙ୍କୁ ଜେଲ ବାହାରେ ଫୁଲ ମାଳ ପିନ୍ଧାଇ ସ୍ବାଗତ କରିଥିଲେ ।

ଏହାର କିଛି ଦିନ ପରେ ବିଲକିସ ବାନୋ ଗୁଜରାଟ ସରକାରଙ୍କ ନିକଟରେ ଦାବି କରିଥିଲେ ଯେ ଦୋଷୀଙ୍କୁ ପୁଣି ଥରେ ଜେଲ ପଠାଯାଉ । ସମାଜରେ ବିନା କୌଣସି ଭୟରେ ତାଙ୍କୁ ଶାନ୍ତିରେ ରହିବାର ଅଧିକାର ଦିଆଯାଉ ବୋଲି କହିଥିଲେ । ଦୋଷୀଙ୍କୁ ମୁକ୍ତି ମିଳିଲେ ମୋ ଜୀବନ ପ୍ରତି ଭୟ ଅଛି ବୋଲି କହିଥିଲେ ବିଲକିସ ବାନୋ ।