ସକାଳର ଦ୍ୱିତୀୟ ସ୍ୱନକ୍ଷତ୍ର ଦିବସ, ସଚେତନତାର ବାର୍ତ୍ତା ନେଇ ଦୌଡିଲା ଓଡିଶା

ଭୁବନେଶ୍ୱର: ଆଜି ଦୈନିକ ଖବରକାଗଜ ସକାଳର ଦ୍ୱିତୀୟ ସ୍ୱନକ୍ଷତ୍ର ଦିବସ ଅନୁଷ୍ଠିତ ହୋଇଛି । ସଚେତନତାର ବାର୍ତ୍ତା ନେଇ ଦୌଡିଛି ଓଡ଼ିଶା । ବିଶ୍ୱ ଏଡସ ଦିବସ ଓ ଦୈନକ ଖବର କାଗଜ ସକାଳର ଦ୍ୱିତୀୟ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର, କଟକ ଓ ବ୍ରହ୍ନପୁର ସମେତ ରାଜ୍ୟର ୯ଟି ସହରରେ ଆୟୋଜିତ ହୋଇଯାଇଛି ମାରାଥନ୍ । ଗଣଦୌଡ଼ରେ ଶହଶହ ସାଧାରଣ ଲୋକଙ୍କ ସହିତ ନେତା ଓ ସେଲିବ୍ରେଟି ଯୋଗଦେଇଛନ୍ତି । ପାଠକଙ୍କ ପ୍ରିୟ ବହୁଳ ପ୍ରସାରିତ ‘ସକାଳ’ର ସ୍ୱନକ୍ଷତ୍ର ଅବସରରେ ଜନସଚେତନତା ସୃଷ୍ଟି ପାଇଁ ଏହି ମାରାଥନ ଦୌଡ଼ ଆୟୋଜନ କରାଯାଇଛି ।

ପାଦରେ ପାଦ ମିଶାଇ ଧାଉଁଛି ସାରା ଓଡ଼ିଶା । ସକାଳ ୬.୩୦ରେ ମିନି ମାରାଥନ ଆରମ୍ଭ ହୋଇଛି । ସକାଳ ୫.୩୦ରୁ ବହୁଳ ମାତ୍ରାରେ ପଞ୍ଜୀକରଣ କରି ମାରାଥନରେ ଭାଗ ନେଇଛନ୍ତି  । ଭୁବନେଶ୍ୱରରେ ଶିଶୁଭବନ ଛକରୁ ଏକାମ୍ର ହାଟ ପର୍ଯ୍ୟନ୍ତ ଦୌଡ଼ିଥିଲେ ସମସ୍ତେ। ଭୁବନେଶ୍ୱରରେ ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ, ଡିସିପି ପ୍ରତୀକ ସିଂ ଓ ସକାଳ ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ୍ ମାରାଥନର ଶୁଭାରମ୍ଭ କରିଥିଲେ । ଏକାମ୍ର ହାଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସକାଳର ସମ୍ପାଦକ ଉମାକାନ୍ତ ମିଶ୍ର, ନନ୍ଦିଘୋଷ ସିଓଓ ଜବର ସିଂ ପନୱର ଉପସ୍ଥିତ ରହିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ପପୁ ପମ୍ପମ୍, ଶଙ୍କର, ପ୍ରଜ୍ଞା, ନାରାୟଣ ପତି ପ୍ରମୁଖ ଯୋଗ ଦେଇ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଏହି ଅବସରରେ ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ଓ ବୋଉର ହାତ ବାକ୍ସର ପ୍ରମସନ କରାଯିବା ସହ ଲୋକଙ୍କ ସମର୍ଥନ ଲୋଡ଼ିଥିଲା ଟିମ । ଏହି କାର୍ଯ୍ୟକ୍ରମରେ ସକାଳର ବ୍ୟୁରୋ ମୁଖ୍ୟ ରଞ୍ଜିତ ମହାନ୍ତି, ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ ଉପସ୍ଥିତ ରହିଥିବାବେଳେ ନନ୍ଦିଘୋଷ ଟିଭି ଏବଂ ସକାଳର ଅନେକ ସମ୍ବାଦିକ ମାରାଥନରେ ସହଯୋଗ କରିଥିଲେ  ।