ବିଜେପି କର୍ମୀଙ୍କ ଗୁଣ୍ଡାରାଜ୍, ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ

ପଦମପୁର: ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ । ପାଇକମାଳ ଥାନା ପରିସରରେ ପୋଲିସ୍ ଆଗରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ୍ । ନନ୍ଦିଘୋଷ ଟିଭିର ବରିଷ୍ଠ ସାମ୍ବାଦିକ ଦେବହରି ବେହେରା ଓ ଅନ୍ୟ ମିଡିଆର ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଆଜି ପାଇକମାଳ ଥାନାରେ ପହଞ୍ଚିଥିଲେ । ହେଲେ ଏହି ସମୟରେ ବିଜେପିର କିଛି କର୍ମୀ ଓ ନେତା ହଠାତ୍ ନନ୍ଦିଘୋଷ ଟିଭିର ରିପୋର୍ଟର ଦେବହରି ବେହେରା ଓ ତାଙ୍କ ସହଯୋଗୀ କ୍ୟାମେରାମ୍ୟାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ବିଜେପି କର୍ମୀଙ୍କ ସବୁ ସୀମାକୁ ଅତିକ୍ରମ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ୍ ଦେଉଛନ୍ତି । ଆଇଆଇସିଙ୍କ ଉପସ୍ଥିତିରେ ଘଟିଥିଲା ଏହି ଅଭାବନୀୟ ଘଟଣା ।

ତେବେ ଆକ୍ରମଣ ସମୟର ଦୃଶ୍ୟ ଥାନା ପରିସରରେ ଥିବା ସିସିଟିଭିରେ କଏଦ ହୋଇଛି । ସେହି ଭିଡିଓ ସାମ୍ନାକୁ ଆସିଲେ ବିଜେପିର ଅସଲ ଚରିତ୍ର ସାଧାରଣ ଜନତା ଜାଣି ପାରିବେ । ଆକ୍ରମଣକାରୀମାନେ ବିଜେପିର କର୍ମୀ ନା ପେଶାଦାର ଗୁଣ୍ଡା ତାହା ମଧ୍ୟ ଜଣାପଡ଼ିବ । ତେବେ ଆକ୍ରମଣ ପରେ ଥାନା ଅଧିକାରୀ ଉତ୍ତେଜିତ ଲୋକଙ୍କୁ ଥାନା ବାହାରକୁ ବାହାର କରି ଦେଇଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ଆହତ ରିପୋର୍ଟର ଦେବହରି ବେହେରା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ବାହାରେ ଚାପା ଉତ୍ତେଜନା ଲାଗି ରହିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଥାନା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । କିଛି ସମୟ ପୂର୍ବରୁ ଏସପି ଥାନାରେ ପହଞ୍ଚି ପୂରା ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ।