NDTVରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର

ନୂଆଦିଲ୍ଲୀ: ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର। ଗତକାଲି ଏନଡିଟିଭିର ବୋର୍ଡରୁ ଦୁଇ ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଇସ୍ତଫା ଦେବା ପରେ ଆଜି ପ୍ରତିଷ୍ଠିତ ସାମ୍ବାଦିକ ରବିଶ କୁମାର ମଧ୍ୟ ଇସ୍ତଫା ଦେଇଛନ୍ତି । ଗତକାଲି ଏନଡିଟିଭିରୁ ପ୍ରଣୟ ରୟ ଏବଂ ତାଙ୍କ ପତ୍ନୀ ରାଧିକା ରୟ ଇସ୍ତଫା ଦେଇଥିଲେ । ତେବେ ପ୍ରଣୟ ଓ ରାଧିକା ଇସ୍ତଫା ଦେବା ପରେ ଏହି ବୋର୍ଡରେ ପ୍ରବେଶ କରିଛନ୍ତି ସୁଦୀପ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗଲିଆ ଏବଂ ସେନଥିଲ ସିନିଆ ଚେଙ୍ଗଲଭରାୟଣ । ଏହି ତିନି ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛି ଆଦାନୀ ଗ୍ରୁପ୍ ।

ପ୍ରଣୟ ରୟ ଏବଂ ରାଧିକ ରୟ ଇସ୍ତଫା ଦେବାର ଦିନକ ପରେ ଆଦାନୀର ଇକ୍ୱିଟି କ୍ୟାପିଟାଲର ୯୯.୫ ପ୍ରତିଶତ ଅଂଶଧନ ଭିସିପିଏଲକୁ ଯାଇଛି । ଆଦାନି ଗ୍ରୁପର ମିଡିଆ ନେଟୱାର୍କ ହେଉଛି ବିଶ୍ୱପ୍ରଧାନ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ । ଏସିଆର ଏକ ନମ୍ବର ଧନୀ ତଥା ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନି ଅଦାନୀ ଗ୍ରୁପ ଏନଡିଟିଭିକୁ କିଣିବା ପରେ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରଣୟ ଏବଂ ରାଧିକା ନିଷ୍ପତ୍ତି ନେଇଥିଲେ । ପ୍ରଣୟ ଓ ରାଧିକା ଇସ୍ତଫା ଦେବାପରେ ରବିଶ କୁମାରଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ସେ ଇସ୍ତଫା ଦେଇଛନ୍ତି ।